ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଖାଇ ଆସୁଥିବା ବୋଳେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଟିକେଟ୍ ଓ ଅନ୍ୟ ସୁବିଧା ହାତେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଭାରତୀୟ ଜନତା ପାର୍ଟିର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓ ବିଜେଡି ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି କାର୍ତ୍ତିକ ପାଣ୍ଡିଆନ୍ଙ୍କୁ ପ୍ରଶଂସା କରୁଛନ୍ତି। ଏହି ପ୍ରଶଂସା ମାଧ୍ୟମରେ ବିଜେଡି ନେତାମାନେ ନବୀନ ପଟ୍ଟନାୟକଙ୍କୁ ଭୋଟ୍ ପାଇଁ ଜନସାଧାରଣଙ୍କ ନିକଟରେ ନିବେଦନ କରୁଥିବା ମଧ୍ୟ ଦେଖାଯାଉଛି। ବିଜେଡିର ନେତାମାନେ ନିଜସ୍ବ ମୁହଁରେ ନିର୍ବାଚନ ଲଢ଼ିବା ତୁଳନାରେ ନବୀନ ପଟ୍ଟନାୟକଙ୍କ ଚେହେରା ନେଇ ଅଧିକ ଉପସ୍ଥାପନା କରୁଛନ୍ତି।
ପୂର୍ବତନ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଭି କାର୍ତ୍ତିକ ପାଣ୍ଡିଆନ୍ ୧୨ ବର୍ଷ ଯାଏଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିଲେ। ଏହାରି ମଧ୍ୟରେ ସେ ମୁଖ୍ୟମନ୍ତ୍ରୀଙ୍କ ହୃଦୟ ଜିତି ପାରିଛନ୍ତି। ୨୦୦୦ ବ୍ୟାଚ୍ର ଆଇଏଏସ୍ ଗତ ଅକ୍ଟୋବର ମାସରେ ସ୍ବେଚ୍ଛାକୃତ ଅବସର ନେଇ ସେହିମାସ ୨୭ ତାରିଖରେ ବିଜେଡିରେ ଯୋଗ ଦେଇଥିଲେ। ରାଜ୍ୟ ସରକାର ତାଙ୍କୁ ୫ଟି ଓ ଆମ ଓଡ଼ିଶା ନବୀନ ଓଡ଼ିଶାରେ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନି। ଶ୍ରୀ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ସବୁଠାରୁ ବିଶ୍ବସ୍ତ ହୋଇଥିବାରୁ ଉଭୟ ସରକାର ଓ ବିଜେଡିର ଦ୍ବିତୀୟ ମୁଖ୍ୟ ବୋଲି ବିରୋଧୀ ଓ ବୁଦ୍ଧିଜୀବୀମାନେ ଚର୍ଚ୍ଚା କରନ୍ତି। କେବଳ ଏତିକି ନୁହେଁ, ଶ୍ରୀ ପାଣ୍ଡିଆନ୍ ଯେତେବେଳେ ବିଭିନ୍ନ ସଭାକୁ ସମ୍ବୋଧିତ କରୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଁ ଆପଣଙ୍କ ପାଖକୁ ଆସିଛି। ଆପଣଙ୍କର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବି। ବାସ୍ତବରେ ଶ୍ରୀ ପାଣ୍ଡିଆନ କ୍ଷମତାର ଅଧିକାରୀ। କିନ୍ତୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରି ଦଳୀୟ ଓ ସରକାରୀ କଳକୁ ସମ୍ଭାଳୁଛନ୍ତି।
ମଞ୍ଚରେ କାନ୍ଦିଲେ ମନ୍ତ୍ରୀ
କଟକ ଜିଲ୍ଲା ଆଠଗଡ଼ ମହୋତ୍ସବ ପଡିଆରେ ନିକଟରେ ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରରେ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ନବୀନ ପଟ୍ଟନାୟକଙ୍କ ପାଇଁ ଭୋଟ୍ ନିବେଦନ କରିଥିଲେ, ଯାହାକି ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଶ୍ରୀ ସ୍ବାଇଁ କହିଥିଲେ, ‘ନବୀନ ପଟ୍ଟନାୟକ ଆମ ପେଟକୁ ଅନାଇଛନ୍ତି। ତାଙ୍କ ପରିବାରରେ କେହି ନାହିଁ। ସାଢେ ୪ କୋଟି ଲୋକ ହେଉଛନ୍ତି ତାଙ୍କର ପରିବାର। ସେ ମରିଗଲେ ତା ମୁହଁରେ ପାଣି ଦେବାକୁ ବି କେହି ନାହିଁ, ମୁଖାଗ୍ନି ଦେବାକୁ କେହି ନାହିଁ। ସେ ପରିବାରର ସମସ୍ତଙ୍କୁ ଦେଇଛି, ତା ମୁହଁକୁ ଟିକେ ଅନାଇବ, ଏତିକି ନିବେଦନ …।’ ଏଭଳି ଭାବବିହ୍ବଳ ଢଙ୍ଗରେ ସଭାମଞ୍ଚରେ ସେ କାନ୍ଦି କାନ୍ଦି ହାତ ଯୋଡିଥିଲେ।
ନବୀନ ୬ଷ୍ଠ ଥର ହେବେ ମୁଖ୍ୟମନ୍ତ୍ରୀ!
ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବିଜେଡି କ୍ଷ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ବିଗତ କିଛି ବର୍ଷ ଧରି ଜାତୀୟସ୍ତରର ସବୁ ସର୍ଭେ ରିପୋର୍ଟ ନବୀନ ପଟ୍ଟନାୟକଙ୍କୁ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଥିବାର ଗୌରବ ପ୍ରଦାନ କରିଛି। ପଂଚାୟତ ନିର୍ବାଚନରେ ୫୨ ପ୍ରତିଶତରୁ ଅଧିକ ଭୋଟ ହାର ସାଙ୍ଗକୁ ୩୦ ରୁ ୩୦ ଜିଲ୍ଲା ପରିଷଦରେ ଜିତାଇ, ବିଜୁ ଜନତା ଦଳ ଯେ ଓଡ଼ିଶାର ୧ ନମ୍ବର ରାଜନୈତିକ ଦଳ, ଓଡ଼ିଶାବାସୀ ତାହା ପ୍ରମାଣିତ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଦଳ ପାଖରେ ପ୍ରାପ୍ତ ହୋଇଛି। ଆମର ଦୃଢ଼ ବିଶ୍ୱାସ ଏହି ନିର୍ବାଚନରେ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କ ଆଶୀର୍ବାଦ ବଳରେ ବିଜୁ ଜନତା ଦଳ ଏକ ଐତିହାସିକ ବିଜୟ ଆଡକୁ ଗତି କରୁଛି। ଏହି ବିପୁଳ ସଂଖ୍ୟକ ଆବେଦନ ଦର୍ଶାଉଛି, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ି ବଢ଼ି ଚାଲିଛି। ନବୀନ ବାବୁଙ୍କୁ ଲାଗାତାର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିସାରିଛନ୍ତି।
ନବୀନ ନାମରେ ନିର୍ବାଚନ ବୈତରଣୀ
ଦୀର୍ଘ ୨୪ ବର୍ଷର କ୍ଷମତାରେ ରହିବା ପରେ ନବୀନ ସାଧାରଣ ଜନତାଙ୍କ ମନରେ ଏକ ଭିନ୍ନ ଧାରଣା ସୃଷ୍ଟି କରିସାରିଛନ୍ତି। ଏହି କାରଣରୁ ବିଜେଡି ନେତାମାନେ ନବୀନଙ୍କ ନାମକୁ ନେଇ ନିର୍ବାଚନ ବୈତରଣୀ ପାରି ହେବା ପାଇଁ ଉଦ୍ୟମ କରିଥାନ୍ତି। ଏହି କାରଣରୁ ଭିକେ ପାଣ୍ଡିଆନ୍, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ବ୍ୟତୀତ ବିଜେଡିର ଅନ୍ୟ ବିଧାୟକମାନେ ନବୀନଙ୍କ ନାମରେ ଭୋଟ ମାଗିଥାନ୍ତି।