ଭୁବନେଶ୍ବର: ବହୁଚର୍ଚ୍ଚିତ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ନେଇ ରାଜ୍ୟ ସରକାରଙ୍କ କ୍ରାଇମ୍ବ୍ରାଞ୍ଚ ଶୁକ୍ରବାର ଝାରସୁଗୁଡ଼ା ଜେଏମ୍ଏଫ୍ସି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି। ନବ ଦାସଙ୍କୁ ହତ୍ୟା କରାଯିବାର ୧୧୮ ଦିନ ପରେ କ୍ରାଇମ୍ବ୍ରାଞ୍ଚ ଡିଏସ୍ପି ରମେଶ ଦୋରା ଚାର୍ଜସିଟ୍ ଦାଖଲ କରିଛନ୍ତି। ଏଥିରେ କୁହାଯାଇଛି ଯେ, ବ୍ୟକ୍ତିଗତା ଶତ୍ରୁତା କାରଣରୁ ନବଙ୍କୁ ଗୋପାଳ ହତ୍ୟା କରିଥିଲେ। କିନ୍ତୁ ସେହି ବ୍ୟକ୍ତିଗତ ଶତ୍ରୁତା କେଉଁଠାରୁ ଆରମ୍ଭ ହୋଇଥିଲା? କାହିଁକି ହୋଇଥିଲା, ତାହା ଉଲ୍ଲେଖ କରାଯାଇ ନାହିଁ। ରିପୋର୍ଟରେ ନବ ଦାସ ଓ ତାଙ୍କ ସମର୍ଥକଙ୍କ ଠାରୁ ଭୟ ଥିବାରୁ ନବ ଦାସଙ୍କୁ ଗୋପାଳ ହତ୍ୟା କରିଥିବା କୁହାଯାଇଛି। ତେବେ ଏତିକି କଥା ବାହାର କରିବାକୁ କ୍ରାଇମ୍ବ୍ରାଞ୍ଚକୁ ପ୍ରାୟ ୪ ମାସ ଲାଗିଛି। କିନ୍ତୁ ତଦନ୍ତ ରିପୋର୍ଟ ଉପରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବିରୋଧୀ ଦଳ ପର୍ଯ୍ୟନ୍ତ ସନ୍ଦେହ କରୁଛନ୍ତି।
ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗତ ଜାନୁଆରି ମାସ ୨୯ ତାରିଖ ଦିନ ଦ୍ବିପ୍ରହରରେ ହତ୍ୟା କରାଯାଇଥିଲା। ରାଜ୍ୟ ସରକାରଙ୍କ ପୁଲିସ ବିଭାଗରେ କାର୍ଯ୍ୟରତ ତଥା ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ କାର୍ଯ୍ୟରତ ପୁଲିସ କର୍ମଚାରୀ ଗୋପାଳ ଦାସ ଶହଶହ ଲୋକଙ୍କ ଉପସ୍ଥିତିରେ ନିଜ ସର୍ଭିସ ବନ୍ଧୁକରୁ ଗୁଳି କରଥିଲେ। ଗୋପାଳର ଗୁଜରାଟ ଗାନ୍ଧୀନଗରସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା । ଦିଲ୍ଲୀ ଫରେନସିକ୍ ଲ୍ୟାବ ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲ୍ଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା। ଏହି ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଶୁକ୍ରବାର ଝାରସୁଗୁଡାର ଜେଏମଏଫସି କୋର୍ଟରେ ଚାର୍ଜସିଟ ଦାଖଲ କରିଛି। କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ ପରେ ରାଜନୈତିକ ଦଳଗୁଡ଼ିକ ନିଜନିଜର ବୟାନବାଜି ଆରମ୍ଭ କରିଦେଇଛନ୍ତି।
ଗୋପାଳ ସୁସ୍ଥ ମାନସିକତାର ଲୋକ ଥିଲେ: ବିଜେପି
କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ ପରେ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ହତ୍ୟାର କାରଣ ସ୍ପଷ୍ଟ କରାଯାଇ ନାହିଁ । ନବ ଦାସ ଏବଂ ତାଙ୍କ ଲୋକମାନଙ୍କ ପାଖରୁ ଗୋପାଳ ଦାସକୁ ଯଦି ଭୟ ଥିଲା, ତାହେଲେ କଣ ପାଇଁ ଭୟ ଥିଲା ଚାର୍ଜସିଟରେ ଉଲ୍ଲେଖ କରାଯିବା କଥା। କିନ୍ତୁ ଏହା କରାଯାଇ ନାହିଁ। ଯୋଜନା ଅନୁସାରେ ଚାର୍ଜସିଟରେ ମିଛ କଥା ସବୁ ଲେଖାଯାଇଛି। କଣ ଓ କାହିଁକି ଭୟ ଥିଲା ତାହାର ଉତ୍ତର ନାହିଁ। ଗୋପାଳ ଦାସ ଜଣେ ସାଧାରଣ ଲୋକ କି ଅପରାଧୀ ନୁହନ୍ତି। ତାଙ୍କର ମାନସିକ ଭାରସାମ୍ୟ ସ୍ଥିର ଥିଲା ଏବଂ ସେ ଜଣେ କାର୍ଯ୍ୟରତ ପୁଲିସ ଥିଲେ। ଯଦି ପ୍ରି ପ୍ଲାନ୍ କରିଥିଲେ କେବେ ଓ କଣ ପାଇଁ କରିଥିଲେ? ନିଜ କ୍ୟାରିୟର ଓ ପରିବାରକୁ ଜଳାଞ୍ଜଳି ଦେଇ କାହିଁକି ଏଭଳି କାମ କଲେ? ସେ ଜଣେ ସୁସ୍ଥ ମାନସିକତାର ଲୋକ ଥିଲେ। ସେହିପରି କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏହାକୁ ପ୍ରହସନ ବୋଲି କହିଛନ୍ତି। ନରସିଂହ ମିଶ୍ର କହିଛନ୍ତି, କ୍ରାଇମବ୍ରାଞ୍ଚ ଏବେ କ୍ରିମିନାଲ ପ୍ରଟେକ୍ସନ ବ୍ରାଞ୍ଚ ପାଲଟିଛି।
ଆଇନ୍ ପରିସ୍ଥିତି ଭଲ ଅଛି: ବିଜେଡି
ଘଟଣା ଓ ଚାର୍ଜସିଟ୍ ରିପୋର୍ଟକୁ ନେଇ ଉଭୟ ବିରୋଧୀ ଦଳ ବିଜେପି ଏବଂ କଂଗ୍ରେସ ପ୍ରତିକ୍ରିୟା ରଖିଲା ପରେ ବିଜେଡି ନେତ୍ରୀ ତଥା ରାଜ୍ୟ ସରକାରଙ୍କ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି, ବିରୋଧୀଦଳର ନେତାମାନେ ଅନେକ କଥା କହିବେ। କିନ୍ତୁ ସରକାର ଯେତେ ଭଲ କାମ କଲେ ବି ବିରୋଧୀ କହିବା ବନ୍ଦ କରିବେ ନାହିଁ। ବିରୋଧୀ ତାଙ୍କ କାମ କରନ୍ତୁ। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଭଲ ଅଛି। କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିବେ ନ୍ୟାୟ ସମସ୍ତଙ୍କୁ ମିଳିବ। ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ମିଳିବ।
କ’ଣ କହିଲା କ୍ରାଇମବ୍ରାଞ୍ଚ ?
ନବ ଦାସ ହତ୍ୟା କ୍ରାଇମବ୍ରାଞ୍ଚ ପ୍ରିଲିମନାରି ଚାର୍ଜସିଟ ଦାଖଲ କରିଛି। ଏହା ୫୪୩ ପୃଷ୍ଠା ସମ୍ବଳିତ ବୋଲି ଜଣାଯାଇଛି। ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ପୁଲିସ ଦୋଷୀ ସାବ୍ୟସ୍ତ କରିଛି। ସେ ପୂର୍ବର ବ୍ୟକ୍ତିଗତ ଶତ୍ରୁତା କାରଣରୁ ନବ ଦାସଙ୍କୁ ହତ୍ୟା କରିଥିବା ଦର୍ଶାଯାଇଛି ତଦନ୍ତକାରୀ ଏଜେନ୍ସି। ଅଭିଯୁକ୍ତ ଗୋପାଳକୃଷ୍ଣ ଦାସ ବିରୁଦ୍ଧରେ ୩୦୭/୩୦୨/ଆର୍ମ୍ସ ଆକ୍ଟ ୨୭(ଏ) ଅନୁଯାୟୀ ଚାର୍ଜ ଫ୍ରମ୍ କରାଯାଇଛି। ତେବେ କ୍ରାଇମବ୍ରାଞ୍ଚ କେବେ ଏହି ମାମଲାର ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ କରିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ। କ୍ରାଇମବ୍ରାଞ୍ଚ ଆହୁରି ମଧ୍ୟ କହିଛି ଯେ, ଏହା ଏକ ପୂର୍ବ ପରିକଳ୍ପିତ (ପ୍ରି ପ୍ଲାନ ମର୍ଡର) ହତ୍ୟାକାଣ୍ଡ। ବ୍ୟକ୍ତିଗତ ରାଗ ରଖି ଗୋପାଳ ନବ ଦାସଙ୍କୁ ହତ୍ୟା କରିଛି। ଗୋପାଳ ପାଗଳ ନୁହେଁ, ତାର ବାଇପୋଲାର ଡିଜର୍ଡର ନାହିଁ।