ଭୁବନେଶ୍ୱର: ଓଡ଼ିଶାରେ ଦେଖାଯାଉଥିବା ଏକାଧିକ ସମସ୍ୟା ଭିତରୁ ଅନ୍ୟତମ ବଡ଼ ଅସୁବିଧା ହେଉଛି ଦାଦନ । ରାଜ୍ୟରେ କାମ-ଧନ୍ଦା ମିଳୁ ନଥିବାରୁ ଲୋକଙ୍କୁ ମାଧ୍ୟ ହୋଇ ବାହାର ରାଜ୍ୟକୁ ଯିବାକୁ ପଡୁଛି । କେବଳ ବୟସ୍କ ଲୋକମାନେ ନୁହେଁ, ବରଂ ଦାଦନ ଖଟୁଛନ୍ତି ନାବାଳକମାନେ । ଘରର ଆର୍ଥିକ ଅଭାବ ଓ ଅନଟନ ଯୋଗୁଁ ପାଠପଢ଼ାରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବା ପରେ ନାବାଳକଙ୍କ ମୁଣ୍ଡରେ ଗୁରୁ ଦାୟିତ୍ୱ ଲଦି ହୋଇଯାଉଛି । ଆର୍ଥିକ ରୂପେ ଅନଗ୍ରସର ନାବାଳକମାନଙ୍କୁ ପରିବାରର ଦାୟିତ୍ୱ ନେବାକୁ ପଡୁଛି । ବାହାର ରାଜ୍ୟରେ ବର୍ଷ ବର୍ଷ ଧରି ରହିବାକୁ ପଡୁଛି । ଅନେକଙ୍କୁ ଭିଟାମାଟି ଫେରିବାକୁ ସ୍ୱପ୍ନ ହୋଇଯାଉଛି ।
ପରିବାର ଚଳାଇବା ସହ ନାବାଳକଙ୍କୁ ଭଉଣୀର ବାହାଘର କରିବାକୁ ପଡୁଛି । ରାଜ୍ୟରେ ଏମିତିରେ ଅନେକ ପରିବାର ଅଛନ୍ତି, ଯେଉଁମାନେ ଝିଅଟିଏ ବାହାଘର କରିବାକୁ ବହୁତ ହଇରାଣ ହୋଇଥାନ୍ତି । ଆର୍ଥିକ ରୂପେ ଅନଗ୍ରସର ପରିବାର ସାହୁକାରଙ୍କ ଠାରୁ ଋଣ ଆଣି ତଥା ବନ୍ଧୁ-ବାନ୍ଧବଙ୍କ ଠାରୁ ଟଙ୍କା ଧାର ଆଣି ବିବାହ କରିଥାଆନ୍ତି । କିନ୍ତୁ ବିବାହର କିଛି ମାସ ପରେ ଋଣ ଅଥବା ଧାର ଟଙ୍କାକୁ ଫେରାଇବାକୁ ପଡ଼ିଥାଏ । ହେଲେ ଘରର ରୋଜଗାର ନଥିବାରୁ ଏହି ଟଙ୍କା ଫେରାଇବା ସହଜ ହୋଇନଥାଏ । ଫଳରେ ଟଙ୍କା ସୁଝିବା ପାଇଁ ଘରେ ଥିବା ନାବାଳକ ଉପରେ ଚାପ ପଡ଼ିଥାଏ ।
ରାଜ୍ୟର ହଜାର ହଜାର ନାବାଳକ ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜରାଟ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଛତିଶଗଡ଼ ରାଜ୍ୟରେ କାମ କରୁଛନ୍ତି । ଏମାନେ ବାହାର ରାଜ୍ୟର କପଡ଼ା ଶିଳ୍ପ, ପଥର ଶିଳ୍ପରେ ଅଧିକାଂଶ ନିୟୋଜିତ ହେଉଥିବା ଜଣାଯାଇଛି । ସେହିପରି ନାବାଳକମାନେ ପିତା-ମାତଙ୍କ ସହିତ ଇଟାଭାଟିରେ ମଧ୍ୟ କାମ କରୁଛନ୍ତି । ଆଉ କେତେକ ବଡ଼ିଆ ଲୋକଙ୍କ ଘରେ ଗୋତି ଶ୍ରମିକ ଭାବେ କାମ କରିଥାନ୍ତି । ନାବାଳକମାନେ ସେଠାକାର ମାଲିକମାନଙ୍କ ଦ୍ୱାରା ଆକ୍ରୋଶର ଶିକାର ମଧ୍ୟ ହେଉଛନ୍ତି । କଳକାରଖାନାରେ କାର୍ଯ୍ୟରତ ନାବାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । କିଛି ସ୍ଥାନରେ କାରଖାନାର ମାଲିକ ନିଜ ଦୋଷକୁ ସ୍ୱୀକାର କରୁନାହାନ୍ତି ।
କର୍ମ ସଂସ୍ଥାନ ଅଭାବ, ମିଳୁନି ରୋଜଗାର
ରାଜ୍ୟର ଜନସଂଖ୍ୟା ତୁଳନାରେ କର୍ମ ସଂସ୍ଥାନର ଘୋର ଅଭାବ ଦେଖାଯାଉଛି । ଯେଉଁ ପରିବାରରେ ଯେତିକି ଚାଷ କାମ ହେଉଛି ତାହା ସେମାନଙ୍କୁ ନିଅଣ୍ଟ । ରାଜ୍ୟର ମୁଖ୍ୟ ଫସଲ ହେଉଛି ଧାନ । ଖରିଫ ଚାଷ ରାଜ୍ୟସାରା ହେଉଥିବା ବେଳେ ବହୁତ କମ ଜମିରେ ରବି ଋତୁରେ ଚାଷ ହେଉଛି । ଧାନ ଚାଷ ପାଇଁ ବହୁ ପରିମାଣରେ ଶ୍ରମିକ ଦରକାର ପଡ଼ୁନାହିଁ । ଧାନ ବ୍ୟତୀତ ରାଜ୍ୟରେ କପା, ଡାଲି, ତୈଳ ଜାତୀୟ ଚାଷ କମ ହେଉଛି । କିନ୍ତୁ ଏସବୁ ଚାଷରେ ଶ୍ରମିକମାନଙ୍କୁ ଆବଶ୍ୟକତା ଅନୁସାରେ କାମ ମିଳିପାରୁ ନାହିଁ । ପରିବାରର ମୁଖ୍ୟ ଯେତେବେଳେ ଘର ଛାଡ଼ି ବାହାରକୁ ଯିବା ଅକ୍ଷମ ହେଉଛନ୍ତି, ସେହି ସମୟରେ ନାବାଳକ ପୁଅ ଗୋଡ଼ କାଢୁଥିବା ପରିଲକ୍ଷିତ ହେଉଛି ।
ଦଲାଲ କବ୍ଜାରେ ନାବାଳକ
ନାବାଳକମାନେ ବାହାର ରାଜ୍ୟକୁ ଯିବାରେ ଦଲାଲମାନଙ୍କର ଭୂମିକା ରହୁଛି । ଅଧିକ ଟଙ୍କା ରୋଜଗାର ଲୋଭ ଦେଖାଇ ଦଲାଲମାନେ ବାହାର ରାଜ୍ୟକୁ ନାବାଳକମାନଙ୍କୁ ଚାଲାଣ କରୁଥିବା ଅଭିଯୋଗ ହେଉଛି । କରୋନା ଭାଇସର ସଂକ୍ରମଣ ସମୟରେ ଲୋକଙ୍କୁ ପରିବାର ଚଳାଇବା କଷ୍ଟକର ହୋଇଯାଉଥିବା ବେଳେ ନାବାଳକମାନେ ଅନ୍ୟ ଉପାୟ ନପାଇ ଦାଦନ ଖଟିବାକୁ ଯାଉଛନ୍ତି । ଦାଦନମାନଙ୍କୁ ବାହାର ରାଜ୍ୟରେ ଲୋକଙ୍କର ଘରେ କାମ କରିବାକୁ ଦଲାଲମାନେ ମଜବୁର କରୁଛନ୍ତି । ସେହିପରି କିଛି ନାବାଳକ ହୋଟେଲ ଗୁଡ଼ିକରେ ନିୟୋଜିତ ହେଉଛନ୍ତି । ଏହି କାମ ପାଇଁ ଦଲାଲକୁ ମୋଟା ଅଙ୍କର କମିଶନ ମଧ୍ୟ ମିଳୁଛି ।
ଟ୍ରେନରେ ନାବାଳକ ଚାଲାଣ
କୋଭିଡ ସମୟରେ ପଡୋଶୀ ରାଜ୍ୟଗୁଡ଼ିକୁ ବସ୍ ଚଳାଚଳ ବନ୍ଦ ହୋଇଯାଇଥିବାରୁ ନାବାଳକମାନଙ୍କୁ ଟ୍ରେନ୍ରେ ନିଆଯାଉଛି । ନାବାଳକାନେ ଯେଉଁ ବଗିରେ ବସୁଛନ୍ତି, ଦଲାଲ ସେଠାରେ ରହୁ ନାହାନ୍ତି । ବହୁତ ଚତୁରାତାର ସହିତ ଏହି କାମ କରାଯାଉଛି । ଅନେକ ସମୟରେ ଦଲାଲମାନେ ଚାଇଲଡ ଲାଇନ, ପୋଲିସ ଏବଂ ଆରପିଏଫ ଆଖିରେ ଧରାପଡୁଥିଲେ ମଧ୍ୟ ଅନେକ ଖସି ଯାଉଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ପ୍ରଥମ ୬ମାସ ମଧ୍ୟରେ କେବଳ ରାଉରକେଲା ରେଳ ଷ୍ଟେସନରୁ ୧୫୦ରୁ ଅଧିକ ନାବାଳକ ଉଦ୍ଧାର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ବାହାରିଥିଲେ । ଯଦି ଗୋଟିଏ ଜିଲ୍ଲାରେ ଏତିକି ପରିମାଣରେ ନାବାଳକ ୬ ମାସ ମଧ୍ୟରେ ବାହାର ରାଜ୍ୟକୁ ଯାଇଛନ୍ତି, ତା’ହେଲେ ରାଜ୍ୟରୁ ଏକ ବର୍ଷ ମଧ୍ୟରେ କେତେ ନାବାଳକ ଯାଇଥିବେ ତାହା ସଚେତନ ନାଗରିକ ହିଁ କହିପାରିବେ ।