ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳ (ବିଜେଡି) ସରକାର ୨୪ ବର୍ଷ ହେଲା ରାଜ୍ୟ ଶାସନର ଗାଦି ମାଡ଼ି ବସିଛି। ସରକାରଙ୍କ ଉଦ୍ଦେଶ୍ୟକୁ ନବୁଝି ତଥା ମାଗଣା ଯୋଜନାର ପ୍ରଲୋଭନରେ ସାଧାରଣ ଜନତା ଲଗାତାର ଭୋଟ ଦେଇ ବିଜେଡିକୁ ଜୟଯୁକ୍ତ କରାଉଛନ୍ତି। କାଗଜପତ୍ର ଓ ରଂଗଦେଇ ସରକାର ବିକାଶର ଡେଙ୍ଗୁରା ବଜାଉଥିବା ବେଳେ ତୃଣମୂଳସ୍ତରରେ ବିକାଶର ଅର୍ଥ ଓଲଟା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ବିଗତ ୫ ବର୍ଷ ମଧ୍ୟରେ ୫୩,୩୮୯ ଜଣଙ୍କୁ ସରକାରୀ ଚାକିରି ଦେଇଥିବା ବେଳେ ଏବେ ୯୮,୦୦୦ ପଦବି ଖାଲି ପଡ଼ିଛି। ବର୍ତ୍ତମାନ ଯେଉଁଭଳି ଭାବେ ନିଯକ୍ତି ଚାଲିଛି, ଏହା ପୂରା ହେବାକୁ ଆହୁରି ୧୦ ବର୍ଷ ଲାଗିପାରେ।
ଆଜିର ଦିନରେ ପଡ଼ୋଶୀ ରାଜ୍ୟ ତୁଳନାରେ ଓଡ଼ିଶା ବହୁ ପଛରେ ଥିଲେ ମଧ୍ୟ ସଭା ସମିତିରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ଅଧିକାରୀ କାଗଜପତ୍ରରେ ବିକାଶ ମୂଳକ ହିସାବ ଦେଇଥାନ୍ତି। ବାସ୍ତବରେ ଓଡ଼ିଶାବାସୀ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଯୋଗାଯୋଗ, କୃଷି, ଶିଳ୍ପ, ରୋଜଗାର, ନିଯୁକ୍ତି କ୍ଷେତ୍ରରେ କେତେ ପଛରେ ରହିଛି, ତାହା ଉପାନ୍ତ ଅଞ୍ଚଳ ବୁଲିଲେ ତାହା ସ୍ପଷ୍ଟ ହୋଇଥାଏ। ରାଜ୍ୟର ସବୁଠାରୁ ବଡ଼ ସମସ୍ୟା ଦାଦନ ଓ ଶିକ୍ଷିତ ବେକାରୀ। ଯେଉଁଦିନ ଓଡ଼ିଶାରୁ ଯୁବପିଢ଼ି ବାହାରକୁ ଯିବେ ନାହିଁ କି ଚାକିରି ପାଇଁ ବିକଳ ହେବେନି, ସେଦିନ ଆମେ ବିକଶର ଶୀର୍ଷରେ ପହଞ୍ଚିଛେ କହିଲେ ଯୁକ୍ତିଯୁକ୍ତ ହେବ।
ରାଜ୍ୟରେ ୯୮ ହଜାର ପଦବି ଖାଲି
ବେସରକାରୀ ଆକଳନ ଅନୁସାରେ ରାଜ୍ୟରେ ଏବେ ଚାକିରି ପାଇଁ ୧୦ ଲକ୍ଷରୁ ଅଧିକ ଆଶାୟୀ ଅଛନ୍ତି। ଏଥିରେ ସିଟି ଓ ବିଇଡି ଯୋଗ୍ୟତା ଥିବା ବେକାରୀଙ୍କ ସଂଖ୍ୟା ୭୦ ହଜାରରୁ ଊର୍ଦ୍ଧ୍ବ। ଅନ୍ୟ ଶିକ୍ଷିତ ସ୍ନାତକଙ୍କ ସଂଖ୍ୟା ଲକ୍ଷାଧିକ। ରାଜ୍ୟ ସରକାରଙ୍କ ୪୧ ବିଭାଗରେ ୯୮ ହାଜର ୩୪୮ ପଦବି ଖାଲି ପଡ଼ିଛି। ଚଳିତବିଧାନସଭାର ବଜେଟ୍ ଅଧିବେଶନରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଲିଖିତ ପ୍ରଶ୍ନରେ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଏହା ସ୍ବୀକାର କରିଥିଲେ। ଶ୍ରୀ ଘଡ଼େଇ କହିଥିଲେ, ସ୍ବାସ୍ଥ୍ୟ ବିଭାଗର ୨୬ ହାଜର ୮୧୫, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗରେ ୨୧ ହାଜର ୮୪୪, ଗୃହ ବିଭାଗରେ ମଧ୍ୟ ୭ ହାଜର ୩୧, ରାଜସ୍ବ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ୫ ହାଜର ୮୨୯ ଓ ଉଚ୍ଚଶିକ୍ଷା ବିଭାଗରେ ୩ ହାଜର ୭୭୭ ପଦବି ଖାଲି। କୃଷି ବିଭାଗର ୨ ହାଜର ୮୨୧ ପଦବି ଖାଲି ପଡ଼ିଛି।
୫ବର୍ଷରେ ୫୩୩୮୯ଜଣଙ୍କୁ ନିଯୁକ୍ତି
ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନ ପୂର୍ବରୁ ନିଜର ଅଭିଭାଷଣରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ସରକାରଙ୍କୁ ପ୍ରଶଂସାରେ ପୋତିଦେଇଥିଲେ।ରାଜ୍ୟପାଳ ରଘୁବର ଦାସ କହିଥିଲେ ଯେ, ରାଜ୍ୟରେ ୫ବର୍ଷରେ ମାତ୍ର ୫୩୩୮୯ଜଣଙ୍କୁ ସରକାରୀ ନିଯୁକ୍ତି ମିଳିଛି। ରାଜ୍ୟ ସରକାରଙ୍କ ନିଯୁକ୍ତି ସଂସ୍ଥା ଓଡ଼ିଶା ଲୋକସେବା ଆୟୋଗ ୧୫୦୬୯ଜଣଙ୍କୁ, ଓଡ଼ିଶା ଷ୍ଟାଫ ସିଲେକ୍ସନ ଆୟୋଗ ୧୨୯୮୮ଜଣଙ୍କୁ ଓ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ କମିଶନଙ୍କ ମାଧ୍ୟମରେ ୧୮୯୦୨ଜଣ ଏବଂ ପୁଲିସ ବୋର୍ଡ ମାଧ୍ୟମରେ ୬୪୪୦ଜଣଙ୍କୁ ସରକାରଙ୍କ ବିଭିନ୍ନ ବିଭାଗ ଓ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟରେ ନିଯୁକ୍ତି ଦେବାକୁ ସୁପାରିଶ କରିଥିଲେ। ଏହି ୫ବର୍ଷ ମଧ୍ୟରେ ସରକାର ୬୬ଟି ନୂଆ ଥାନା, ୨ଟି ପୁଲିସ ଆଉଟପୋଷ୍ଟ ଓ ୨ଟି ଏସଡିପିଓ ଅଫିସ୍ ଖୋଲି ମୋଟ ୫୫୭୭ଟି ନୂଆ ପଦବି ସୃଷ୍ଟି କରିଥିଲେ ମଧ୍ୟ ପୁଲିସ ବାହିନୀରେ ମାତ୍ର ୬୪୪୦ଜଣଙ୍କୁ ନିଯୁକ୍ତି ମିଳିଛି। ଏହି ୫ବର୍ଷ ମଧ୍ୟରେ ବହୁ ସଂଖ୍ୟାରେ ପୁଲିସ କର୍ମଚାରୀ ଅବସର ନେଇଥିବେ ବୋଲି ଆଶା କରାଯାଉଛି।
ପ୍ରଶଂସାରେ ପୋତିଥିଲେ ରାଜ୍ୟପାଳ
ରାଜ୍ୟପାଳ ଶ୍ରୀ ଦାସ ପ୍ରଥମଥର ପାଇଁ ଅଭିଭାଷଣ ରଖିବା ବେଳେ ରାଜ୍ୟ ସରକାର ନିଜ ପିଠି ଥାପୁଡ଼ାଇବାର କୌଣସି ସୁଯୋଗ ହାତଛଡ଼ା କରିନଥିଲେ। ମଠମନ୍ଦିରର ଭଙ୍ଗାଗଢ଼ା, ସ୍କୁଲ-କଲେଜ କାନ୍ଥରେ ରଙ୍ଗବୋଳି ରୂପାନ୍ତରଣର ନୂଆ ପରିଭାଷା ଦେଇଥିବା ରାଜ୍ୟ ସରକାର ‘ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’କୁ ବିରଳ ପଦକ୍ଷେପ ବୋଲି କହିବାକୁ ପଛାଇ ନଥିଲେ। ଅନ୍ୟପଟରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ମାଧ୍ୟମରେ ୨୦୦୮-୦୯ରୁ ୨୦୨୨-୨୩ ମସିହା ମଧ୍ୟରେ ବିଗତ ୧୫ବର୍ଷରେ ମୋଟ ୪୧୪୫୨ଟି ଉଦ୍ୟୋଗକୁ ସର୍ବାଧିକ ୯୪୯.୯୯କୋଟି ଟଙ୍କା ସହାୟତା ଦିଆଯାଇଥିବାବେଳେ ୩ଲକ୍ଷ ୩୭ହଜାର ୮୩ଜଣଙ୍କ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ।
—