ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପ୍ରତ୍ୟେକ ବର୍ଗର ମତଦାତାଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି। ଜାତୀୟ ସଂସ୍ଥା ଦ୍ବାରା ସର୍ଭେ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକଙ୍କର ଲୋକପ୍ରିୟତା ହ୍ରାସ ପାଇଛି। ଏହି ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବିଗତ ଏକ ସପ୍ତାହ ହେବ ସମାଜର ସବୁ ବର୍ଗକୁ ସନ୍ତୁଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ବଡ଼ବଡ଼ ଘୋଷଣା କରୁଛନ୍ତି। ୨୪ ବର୍ଷର ବିଜେଡି ସରକାରକୁ ଏବେ ନିର୍ବାଚନ ହାରିବା ଭୟ ହୋଇଛି ବୋଲି ବିରୋଧୀ ଓ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀ ଚର୍ଚ୍ଚା କରୁଛନ୍ତି।
ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ମହିଳା ଭୋଟର୍ଙ୍କ ମନ ଜିଣିବା ପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)ର ୭୦ ଲକ୍ଷ ସଦସ୍ୟାଙ୍କୁ ୟୁନିଫର୍ମ କିଣିବାକୁ ଏକ ହଜାର ଟଙ୍କାର ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି। ମହାସଂଘଗୁଡ଼ିକର କାର୍ଯ୍ୟନିର୍ବାହୀ କମିଟି(ଗ୍ରାମାଞ୍ଚଳ) ଓ ପରିଚାଳନା କମିଟି(ସହରାଞ୍ଚଳ)ର ପ୍ରାୟ ଦେଢ଼ ଲକ୍ଷ ସଦସ୍ୟା ବ୍ଲେଜର୍ କିଣିବାକୁ ୨ ହଜାର ଟଙ୍କା ପାଇବେ। ଏଥିପାଇଁ ମିସନ୍ ଶକ୍ତି ବିଭାଗକୁ ୭୩୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଲୋକସେବା ଭବନରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ୍ରେ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବରେ ମୋହର ବାଜିଛି।
ନିଜ ପସନ୍ଦର ୟୁନିଫର୍ମ କିଣିବେ ମହିଳା
ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ନିଜ ପସନ୍ଦର ୟୁନିଫର୍ମ କିଣିବା ପାଇଁ ସମସ୍ତ ଏସ୍ଏଚ୍ଜି ସଦସ୍ୟାଙ୍କୁ ହଜାରେ ଟଙ୍କା ଲେଖାଏ ଦିଆଯିବ। ଐତିହାସିକ ନିଷ୍ପତ୍ତି ମିସନ୍ ଶକ୍ତି ଅଧୀନରେ ଥିବା ଏସ୍ଏଚ୍ଜି ତଥା ସେମାନଙ୍କ ମହାସଂଘର ସଦସ୍ୟାମାନଙ୍କ ଅନନ୍ୟ ପରିଚୟକୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କ ମଧ୍ୟରେ ପରିବର୍ତ୍ତନକାରୀ ଭୂମିକାକୁ ଦୃଢ଼ କରିବ ଏବଂ ଏସ୍ଏମ୍ଇରେ ପରିଣତ ହେବା ପାଇଁ ଉତ୍ସାହିତ କରିବ। ମହିଳାମାନେ ନିଜ ପସନ୍ଦର ୟୁନିଫର୍ମ ଓ ବ୍ଲେଜର ଚୟନ କରିପାରିବେ । ଏହି ଅର୍ଥ ରାଶି ଏସଏଚଜି ଓ ମହାସଂଘର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା ହେବ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି।
କେତେ ସଫଳ ସ୍କୁଟି ଯୋଜନା?
ମହିଳା ସଶକ୍ତୀକରଣକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ମିସନ ଶକ୍ତିର ସଦସ୍ୟାମାନଙ୍କ ପାଇଁ ଗତ ଜୁଲାଇ ମାସରେ ମୋ ସ୍କୁଟି ଯୋଜନା ପ୍ରଣୟନ କରିଥିଲେ। ରାଜ୍ୟର ୭୫ ହଜାର ସ୍ବୟଂ ସହାୟକ ଗୋଷ୍ଠୀର କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ୧ ଲକ୍ଷ ୨୫ ହଜାର ସ୍ବୟଂ ସହାୟକ ଗୋଷ୍ଠୀର ଫେଡେରେସନ ଲିଡରମାନଙ୍କୁ କ୍ସୁଟି ବାବଦକୁ ଏକ ଲକ୍ଷ ଟଂକାର ଋଣ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଏହି ଯୋଜନା ପ୍ରଣୟନ ପରେ ଜିଲ୍ଲାୱାରି ଟାର୍ଗେଟ ଦିଆଯାଇଥିଲା। ଏ ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲାରେ ମୋଟ ୫୩୬୩ ଟାର୍ଗେଟ ରହିଥିଲା। କିନ୍ତୁ ଏହି ଯୋଜନାରୁ ବହୁ ମହିଳା ବଞ୍ଚିତ ହୋଇଥିଲେ। କାରଣ ଆବେଦନ ପାଇଁ ଯେଉଁ ସବୁ ପ୍ରମାଣ ପତ୍ର ଦରକାର ସେସବୁ ଯୋଗାଡ କରିବାରେ ବହୁ ମହିଳା ସଦସ୍ୟା ବିଫଳ ହୋଇଥିବା ଜଣାପଡିଛି। କେବଳ ସ୍କୁଟି ଯୋଜନା ନୁହେଁ, ବରଂ ମିସନ ଶକ୍ତି କାଫେ ମଧ୍ୟ ସଫଳ ହୋଇପାରି ନାହିଁ। ମହିଳାଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ଖୋଲାଯାଇଥିବା କାଫେରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ପ୍ରାଧାନ୍ୟ ରହୁଛି।
‘ଆକ୍ରମଣ ପାଇଁ ମିସନ ଶକ୍ତିକୁ ବ୍ୟବହାର’
ଗତ ଅଗଷ୍ଟ ୨୮ ତାରିଖରେ ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ ଖୋର୍ଦ୍ଧା ବାଲିପାଟଣା ବ୍ଲକରେ ଆୟୋଜିତ ସାଙ୍ଗଠନିକ ବୈଠକକୁ ଯିବା ବେଳେ ବିଜେଡି ସମର୍ଥକ ମହିଳାମାନେ ବିରୋଧ କରିଥିଲେ। ଏନେଇ ବିଜେପି ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ଢେଲା ଓ ପଥରମାଡ଼ ହୋଇଥିଲା। ଅପରାଜିତାଙ୍କ ଏକ ଟୁଇଟ୍ରେ ବିଜେଡି ସମର୍ଥକମାନେ କଳା ପତାକା, ଅଣ୍ଡା ଓ ଢ଼େଲା ଧରିଥିବା ଦେଖା ଯାଉଥିଲା। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ- ‘‘ମୁଁ ଲୋକଙ୍କ ଦ୍ବାରା ନିର୍ବାଚିତ ଜଣେ ମହିଳା ସାଂସଦ। କିନ୍ତୁ ମହିଳା ସଶକ୍ତିକରଣ ନାଁରେ ମୋ’ ଉପରେ ଆକ୍ରମଣ କରିବାଲାଗି ରାଜ୍ୟ ସରକାର ମିସନ ଶକ୍ତିର ମହିଳାମାନଙ୍କୁ ବ୍ୟବହାର କରୁଛନ୍ତି।’