ଭୁବନେଶ୍ବର: ଅଳ୍ପ କିଛି ଦିନ ପରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯିବ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। ସରକାରୀ ଟଙ୍କାରେ ଶାସକଦଳମାନେ ଗଣମାଧ୍ୟମରେ ବିଜ୍ଞାପନ ମାଧ୍ୟମରେ କରୁଥିବା ପ୍ରଚାର ମଧ୍ୟ ବନ୍ଦ ହୋଇଯିବ। ଏହା ପୂର୍ବରୁ ସରକାର ମାଗଣା ଯୋଜନା ବର୍ଷା କରୁଛନ୍ତି। ୨୪ ବର୍ଷର ବିଜେଡି ସରକାର ଆଖିଦୃଶିଆ ବିକାଶ କରିପାରି ନଥିବା ବେଳେ ଉପାୟ ଶୂନ୍ୟ ହୋଇ ଏବେ ମାଗଣା ଯୋଜନା ଘୋଷଣା କରି ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ କରୁଛନ୍ତି। ନେତାମାନେ ମଧ୍ୟ ବିଧାୟକ ହେବା ପାଇଁ ପ୍ରବଳ ଆଗ୍ରହୀ। କାରଣ ରାଜନୀତୀଆ ମାନେ ନେତା ହେଲେ, ଲୋକଙ୍କର ସେବା କରିବେ। ପ୍ରଥମେ ଲୋକଙ୍କ ସେବା କରି ପରେ ନେତା ହେବା ଲୋକ ସଂଖ୍ୟା ବହୁତ କମ। ଆଗାମୀ ନିର୍ବାଚନରେ ବିଧାୟକ ହେବା ପାଇଁ ହଜାର ହଜାର ଆଶାୟୀ ଏବେ ଠାରୁ ପ୍ରସ୍ତୁତ ହୋଇସାରିଛନ୍ତି।
ଆଗାମୀ ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ କେଉଁ ଆସନରେ କାହାକୁ ଟିକେଟ୍ ଦେବେ ସେନେଇ ମନ୍ଥନ କରୁଛନ୍ତି। ନେତାମାନେ ମଧ୍ୟ ଦଳୀୟ ଟିକେଟ୍ ପାଇଁ ଶୋଇପାରୁ ନାହାନ୍ତି। ବଡ଼ବଡ଼ିଆଙ୍କ ଶରଣ ନେଉଛନ୍ତି। କିନ୍ତୁ ଯେଉଁମାନେ ବହୁଦିନ ଧରି ଦଳରେ ରହି ମଧ୍ୟ ଟିକେଟ୍ ମିଳିବା ନେଇ ଆଶଙ୍କାରେ ରହୁଛନ୍ତି, ସେମାନେ ବାଧ୍ୟ ହୋଇ ଦଳ ପରିବର୍ତ୍ତନ କରୁଛନ୍ତି। ଭୁବନେଶ୍ବରସ୍ଥିତ ବିଜେଡିର କାର୍ଯ୍ୟାଳୟ ‘ଶଙ୍ଖଭବନ’, ବିଜେପି ରାଜ୍ୟ କାର୍ଯ୍ୟାଳୟ ଓ କଂଗ୍ରେସ ଭବନରେ ଦୂରଦୂରାନ୍ତରୁ ନେତାମାନେ ପହଞ୍ଚି ମିଶ୍ରଣ ପର୍ବରେ ଯୋଗଦେଉଛନ୍ତି। କିଛି ଦିନ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ପଦ୍ମ ଧରିଥିଲେ। ଏବେ ବିଜେଡି ଟିକେଟ୍ରେ ବରୀରୁ ୪ଥର ବିଧାୟକ ଓ କଂଗ୍ରେସ ଟିକେଟରେ ଅତାବିରାରୁ ବିଧାୟକ ନିହାର ମହାନନ୍ଦ ବିଜେପିରେ ଯୋଗ ଦେଇଛନ୍ତି। ସେହିପରି କଂଗ୍ରେସ ନେତା ଅଂଶୁମାନ ମହାନ୍ତି ଓ ପୂର୍ବତନ ବିଧାୟକ ମନୋରଂଜ ସେଠୀ ବିଜେଡିରେ ଯୋଗଦେଇଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ବିବାଦକୁ ଆସିଥିବା ମନୋଜ ମିଶ୍ର କଂଗ୍ରେସର ହାତ ଧରିଛନ୍ତି। ଆଗକୁ ଆହୁରି ନେତାମନେ ଦଳୀୟ ଟିକେଟ ନପାଇ ଦଳ ଡେଇଁବେ।
ବିଜେଡି ଟିକେଟ ପାଇଁ ୧୦,୦୦୦ ଆଶାୟୀ!
ଦଳୀୟ ଟିକେଟ୍ ପାଇଁ ଆଶାୟୀଙ୍କ ତାଲିକା ବଢ଼ି ଚାଲିଛି ବୋଲି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କର ଏକ୍ସ କରି କହିଛନ୍ତି। ବିଜେଡି ଟିକେଟ୍ ପାଇଁ ୧୦ ହଜାରରୁ ଅଧିକ ଆବେଦନ ମିଳିସାରିଲାଣି ବୋଲି କହିଛନ୍ତି। ବହୁସଂଖ୍ୟକ ପେସାଦାର ବ୍ୟକ୍ତି ଓ ଜାତୀୟ ରାଜନୈତିକ ଦଳଗୁଡ଼ିକର ନେତାମାନେ ମଧ୍ୟ ବିଜେଡି ଟିକେଟ୍ ପାଇଁ ଆବେଦନ କରୁଛନ୍ତି। ଏହି ବିପୁଳ ସଂଖ୍ୟକ ଆବେଦନ ଦର୍ଶାଉଛି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢ଼ି ବଢ଼ି ଚାଲିଛି। ନବୀନ ବାବୁଙ୍କୁ ଲଗାତାର ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ଓଡ଼ିଶାବାସୀ ମନ ସ୍ଥିର କରିସାରିଛନ୍ତି। କିନ୍ତୁ ଶ୍ରୀ ଦାସ କହି ନାହାନ୍ତି ଯେ, ବିଜେଡି ଟିକେଟ୍ ପାଇଁ ଆବେଦନ ପ୍ରକ୍ରିୟା କେବେ ଠାରୁ ଆରମ୍ଭ ହେଲା? ବିଜେଡିର ଅନ୍ୟ କାମଗୁଡ଼ିକ ଯେପରି ପୂର୍ବରୁ ଜଣାପଡ଼ିଥାଏ। ବିଜେଡି ଟିକେଟ ଆବେଦନ ପାଇଁ ତାରିଖ କେବେ ଆରମ୍ଭ ହେଲା ଏନେଇ ଶ୍ରୀ ଦାସ ଉଲ୍ଲେଖ କରିନାହାନ୍ତି।
୨୫ ଶହରୁ ଊର୍ଦ୍ଧ୍ବ କଂଗ୍ରେସ ଟିକେଟ୍ ଆଶାୟୀ
କଂଗ୍ରେସ ଟିକେଟ୍ ପାଇବା ପାଇଁ ରାଜ୍ୟ କଂଗ୍ରେସ ଭବନରେ ଆଶାୟୀଙ୍କ ଭିଡ଼ ଦୃଷ୍ଟିଗୋଚର ହେଉଛି। ୧୪୭ ନିର୍ବାଚନ ମଣ୍ଡଳୀରୁ ୨୫ ଶହରୁ ଅଧିକ ଲୋକ କଂଗ୍ରେସ ଟିକେଟ୍ ପାଇଁ ଅନଲାଇନରେ ଆବେଦନ କରିଛନ୍ତି। ଟିକେଟ୍ ପାଇଁ ଆବେଦନ କରିଥିବା ଆଶାୟୀ ପ୍ରାର୍ଥୀ କଂଗ୍ରେସ ଭବନରେ ପହଂଚିଛନ୍ତି । ରାଜ୍ୟ ପ୍ରଭାରୀ ଓ ପିସିସି ସଭାପତି ସେମାନଙ୍କ ସହ ଆଲୋଚନା କରୁଛନ୍ତି । ଏଠାରେ ପ୍ରତି ନିର୍ବାଚନମଣ୍ଡଳୀରୁ ଆସିଥିବା ନାଁ ଉପରେ ବିଚାର ବିମର୍ଷ କରାଯିବ। ଟିକେଟ୍ ଚୂଡାନ୍ତ ପରେ ଏଆଇସିସିକୁ ତାଲିକା ପଠାଯିବ ବୋଲି ଜଣାପଡ଼ିଛି । ଜିତିବା ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ପୂର୍ବରୁ କଂଗ୍ରେସ ଟିକେଟ ବଣ୍ଟନରେ ଅର୍ଥ କାରବାର ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। କିନ୍ତୁ ଚଳିତଥର କଂଗ୍ରେସର ଟିକେଟ ବଣ୍ଟନରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଆଣିବାକୁ ଅନଲାଇନରେ ଟିକେଟ ଆବେଦନ ବ୍ୟବସ୍ଥା କରାଯାଇଛି, ଯାହାକୁ ଦଳୀୟ କର୍ମୀ ବେଶ ପସନ୍ଦ କରିଥିଲେ।
ମାର୍ଚ୍ଚ ୨୯ରେ ବିଜେପିର ପ୍ରାର୍ଥୀ ତାଲିକା!
ଆଗାମୀ ନିର୍ବାଚନ ପାଇଁ ଭାରତୀୟ ଜନତା ପାଇଁ ନୂଆ ରଣନୀତି ଆପଣାଇଛି। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ନେତାଙ୍କ ହାତରେ ଦଳୀୟ ଟିକେଟ୍ ଥିବ। କିଏ କେଉଁ ଆସନକୁ ଲଢ଼ିବେ, ଚୂଡ଼ାନ୍ତ ହୋଇସାରିଥିବ। କାହିଁକି ନା, ଆଗୁଆ ୧୦୦ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ନେଇ ବିଜେପି ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୯ ତାରିଖରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ପରେ ଏହି ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆସିବାର ସମ୍ଭାବନା ରହିଛି । ତେବେ ଏହି ଶହେ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଓଡ଼ିଶାର ୫ଜଣଙ୍କ ନେତାଙ୍କ ନାଁ ରହିଥିବା ଚର୍ଚ୍ଚା ହେଉଛି। ଏହି ସମ୍ଭାବ୍ୟ ତାଲିକାରେ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀରୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ଭୁବନେଶ୍ୱରରୁ ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁନ୍ଦରଗଡ଼ରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଏବଂ କଟକରୁ ବରିଷ୍ଠ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିପାରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି।