Wednesday, January 22, 2025
Homeଖବରନିର୍ମାଣ ବେଳେ ଅସାବଧାନ ନେଉଛି ଜୀବନ

ନିର୍ମାଣ ବେଳେ ଅସାବଧାନ ନେଉଛି ଜୀବନ

ଭୁବନେଶ୍ବର: ନିର୍ମାଣାଧୀନ ପ୍ରକଳ୍ପରେ ବାରମ୍ବାର ଅଘଟଣ ଘଟୁଛି। ନିର୍ମାଶ କାମ ପୂର୍ବରୁ ସତର୍କତାକୁ ଦୃଷ୍ଟି ନଯିବାରୁ ପ୍ରକଳ୍ପ ଭୁଶୁଡ଼ିପଡୁଛି। ଠିକା ସଂସ୍ଥାର ଅବହେଳା ଯୋଜୁଁ ନିରିହ ଶ୍ରମିକମାନଙ୍କର ଅକାରଣରେ ଜୀବନ ଚାଲିଯାଉଛି। ଶ୍ରମିକଙ୍କ ପରିବାର ସବୁଦିନ ପାଇଁ ବେସାହାରା ହୋଇଯାଉଛି। ଶ୍ରମିକଙ୍କ ଛୋଟଛୋଟ ପିଲା ଅଭିଭାବକଙ୍କର ସ୍ନେହରୁ ବଞ୍ଚିତ ହେଉଛନ୍ତି। ସତର୍କତାମୂଳକ ପଦକ୍ଷେପ ଅଭାବରେ ପୀଡିତ ପରିବାରକୁ ଲୁହ ପିଇପିଇ ଜୀବନ ବିତାଇବାକୁ ପଡୁଛି।  

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ସାଲେପାଲି ନିକଟସ୍ଥ ସାନ୍ଦୁଲ ବ୍ୟାରେଜ୍‌ ନିର୍ମାଣ କାର୍ଯ୍ୟ ବେଳେ ମଙ୍ଗଳବାର ମାଟି ଅତଡ଼ା ଖସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ଏହି ପ୍ରକଳ୍ପର ନିର୍ମାଣ କାମ ପୂରା ହେବା ପୂର୍ବରୁ ଅର୍ଥାତ ଅଧପନ୍ତରିଆ କାମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୩ ତାରିଖ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ।  ସେହି ଅର୍ଧନିର୍ମିତ କାମକୁ ପୂର୍ଣ୍ଣାଙ୍ଗ କରୁଥିବା ବେଳେ ହଠାତ୍ ମାଟି ଅତଡ଼ା ଖସି ପଡ଼ିବାରୁ ତିନି ଜଣ ଶ୍ରମିକ ମାଟି ତଳେ ଚାପି ହୋଇ ଥିଲେ। ମଙ୍ଗଳବାର ଅନ୍ୟ ଏକ ଘଟଣା ଛତିଶଗଡର ଦନ୍ତେୱାଡା ନିକଟ ଏନଏମଡିସି ପଥର ଖଣିରେ ଘଟିଛି। କାମ ଚାଲିଥିବା ବେଳେ ନୂତନ ଭାବେ ନିର୍ମିତ ଏସପି-୩ରେ ଲୁହାପଥର ଓ ମାଡି ଅତଡ଼ା ଖସିବାରୁ ୫ ଜଣ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିବା ବେଳେ ସେମାନଙ୍କର ମଧ୍ୟରୁ ୨ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି।

ବର୍ଷକ ମଧ୍ୟରେ ଏକାଧିକ ଅଘଟଣ

ରାଜ୍ୟର ବର୍ଷକ ମଧ୍ୟରେ ଏକାଧିକ ଏହିଭଳି ଅଘଟଣ ଘଟିସାରିଛି। ନିର୍ମାଣଧୀନ ସ୍ଥାନରେ ସତର୍କତାକୁ ପ୍ରାଥମିକତା ଦିଆଯାଉ ନଥିବାରୁ ବାରମ୍ବାର ଏଭଳି ଅଘଟଣ ଘଟୁଛି। ଗତମାସ ୨୨ ତାରିଖରେ ରାୟଗଡା ଜିଲ୍ଲା ଥେରୁବାଲି ନିକଟସ୍ଥ ଗୋପୀସଂକାବଡୁ ଗ୍ରାମରେ ଅମ୍ବାଦୋଳା ଗ୍ରାମର ଧୋବା ଗୁରୁଡିଆଙ୍କ ମାଟି ଅତଡା ଖସି ମୃତ୍ୟୁ ଘଟିଥିଲା। ଘଟଣା ଦିନ ସେ ଧୋବା ଗୁରୁଡିଆ ଗୋପୀସଂକାବଡୁ ଗ୍ରାମରେ ପାଇପ ଲାଇନ ବିଛାଯାଉଥିଲେ। ସେହିପରି ଗତବର୍ଷ ଫେବ୍ରୁଆରି ୨୮ ତାରିଖରେ ଗଜପତି ଜିଲ୍ଲା ରତ୍ନଗିରି ଉଦୟଗିରି ଥାନା ଛେଳିଗଡ଼ ପଞ୍ଚାୟତ ପାଟପାଣି ଗାଁ ନିକଟରେ ଥିବା ଏକ ନଦୀପଠାରେ ଖେଳୁଥିବାବେଳେ ପିଲାଙ୍କ ଉପରେ ମାଟି ଅତଡ଼ା ଖସିପଡ଼ିଥିଲା। ଏଥିରେ ପୋତିହୋଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଥିଲେ।

୪ଶିଶୁ ସମେତ ୫ ମୃତ

ଗତ ଜୁଲାଇ ୩୧ ତାରିଖ ଦିନ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଏକ ବଡ଼ ଅଘଟଣ ଘଟିଥିଲା। ଉପରସାଜା ଗ୍ରାମ ନିକଟରେ ଏକ ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ମୃତକମାନଙ୍କ ମଧ୍ୟରେ ୪ ଜଣ ଶିଶୁ ଥିଲେ। ଏହି ଘଟଣାରେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଘଟଣା ଦିନ ସକାଳେ ପୋଲ ନିକଟରେ ଥିବା ଏକ ନାଳକୁ ୯ ଜଣ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ପୋଲଟି ଭୁଶୁଡ଼ି ପଡ଼ିବାରୁ ପୋଲ ତଳେ ୭ ଜଣ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ୫ ଜଣଙ୍କୁ ମୃତ ଅବସ୍ଥାରେ ପାଇଥିବାବେଳେ ଅନ୍ୟଦୁଇ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ।

ରେଳପାଲ ଭୁଶୁଡ଼ି ୧୭ ମୃତ

ମିଜୋରାମର ସାଇରଙ୍ଗ ଅଞ୍ଚଳରେ ଗତବର୍ଷ ଅଗଷ୍ଟ ୨୩ ତାରିଖ ଦିନ ଘଟିଥିବା ଅଘଟଣ ପୂରା ଭାରତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏକ ନିର୍ମାଣାଧୀନ ରେଳ ପୋଲ ଭୁଶୁଡ଼ି ୧୭ ଜଣଙ୍କ ମୃତ୍ୟୁ ହୋଇଯାଇଛି। ରାଜ୍ୟର ରାଜଧାନୀ ଅଇଜଲଠାରୁ ୨୧ କିମି ଦୂରରେ ଏହି ଘଟଣା ଘଟିଥିଲା। ପୋଲ ଭୁଶୁଡ଼ିବା ସମୟରେ ଘଟଣାସ୍ଥ‌ଳରେ ୩୫-୪୦ କର୍ମଚାରୀ ଉପସ୍ଥିତ ଥିଲେ। ପୂରା ଅଞ୍ଚଳ ସ୍ତବ୍ଧ ପାଲଟି ଯାଇଥିଲା। ଉଦ୍ଧାର କାର୍ଯ୍ୟରେ ଏନ୍‌ଡିଆରଏଫ୍‌, ରେଳବାଇ ପୁଲିସ, ସ୍ଥାନୀୟ ପୁଲିସ, ଅଗ୍ନିଶମ ବାହିନୀ, ସ୍ଥାନୀୟ ସ୍ବେଚ୍ଛାସେବୀ ସଂସ୍ଥାର ସଦସ୍ୟ ଆଦି ନି‌ୟୋଜିତ ଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments