ଭୁବନେଶ୍ବର: ସରକାର ସଡ଼କରେ ଯାତାୟତ କରୁଥିବା ଲୋକଙ୍କ ପାଇଁ ପରିବହନ ନିୟମ ପ୍ରସ୍ତୁତ କରୁଛନ୍ତି। ରାସ୍ତାରେ ଯାଉଥିବା ଅନେକ ଲୋକଙ୍କର ପରିବହନ ନିୟମ ଜଣା ନଥାଏ। ଆଉ କିଛି ଲୋକ ପରିବହନ ନିୟମ ବାବଦରେ ଜାଣି ମଧ୍ୟ ଅଣଦେଖା କରିଥାନ୍ତି। ତେବେ ଅବହେଳା କାରଣରୁ ରାସ୍ତାରେ ପ୍ରତିଦିନ ଦୁର୍ଘଟଣାରେ ଲୋକଙ୍କର ମୃତ୍ୟୁ ଘଟୁଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥଗୁଡ଼ିକ ପ୍ରଶସ୍ତ ହୋଇଥିଲେ ମଧ୍ୟ ଦ୍ରୁତଗତିରେ ଯାନବାହନ ଚଳାଚଳ ପାଇଁ ଦୈନିକ ମୃତ୍ୟୁ ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ବୁଦ୍ଧିଜୀବୀଙ୍କୁ ଏହା ଗଭୀର ଆଘାତ ଦେଉଛି।
ଟ୍ରକ୍ ଧକ୍କାରେ ରାଜ୍ୟରେ ଏକାଧିକ ଦୁର୍ଘଟଣା ଘଟିଛି। ଅଧିକାଂଶ ଟ୍ରକ୍ ଚାଳକ ନିଶାପାନ କରନ୍ତି। ପୁଣି ସେମାନଙ୍କର ମଧ୍ୟରୁ ଅଧିକାଂଶ ଚାଳକଙ୍କ ଶିକ୍ଷାଗତ ଯୋଗ୍ୟତା ଦଶମ ଅଥବା ଦ୍ବାଦଶ ହୋଇଥାଏ। ଟ୍ରକ୍ ଦୁର୍ଘଟଣାଗୁଡ଼ିକ ଜାତୀୟ ରାଜପଥରେ ଅଧିକ ହୋଇଥାଏ। ଟ୍ରକ୍ ଚାଳକମାନେ ଖାମଖିଆଲି ମନୋଭାବ ନେଇ ଗାଡ଼ି ଚଳାଉଥିବା କାରଣରୁ ଦୁର୍ଘଟଣା ଘଟୁଛି। ଟ୍ରକ୍ଗୁଡ଼ିକ ଓଜନିଆ ଗାଡ଼ି ହୋଇଥିବାରୁ, ଏହାକୁ ଚଳାଇବା ବେଳେ ବେଗ ପ୍ରତି ଚାଳକମାନେ ସତର୍କ ରହିବା ଉଚିତ। କିନ୍ତୁ ମାଲିକଙ୍କ ଚାପରେ ହେଉ ଅଥବା ଅନ୍ୟ କୌଣସି କାରଣରୁ ଟ୍ରକ୍ ଦ୍ରୁତଗତିରେ ଯିବାବେଳେ ଦୁର୍ଘଟଣାଗ୍ରସ୍ତ ହେଉଛି। ଏହି କାରଣରୁ ଅନ୍ୟ ଆରୋହୀଙ୍କ ମୃତ୍ୟୁ ହେଉଛି। ବେଳେବେଳେ ଟ୍ରକ୍ ଚାଳକ ମଧ୍ୟ ଗାଡ଼ି ଭିତରେ ଚାପି ହୋଇ ପ୍ରାଣ ହରାଉଛନ୍ତି।
୨୪ ଘଣ୍ଟା ମଧ୍ୟରେ ୨ ଦଂପତି ମୃତ
ଅନୁଗୁଳ ଜିଲ୍ଲାରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୨ ଦଂପତିଙ୍କ ମୃତ୍ୟୁ ଘଟିଥିଲା। ଗତ ୨ ତାରିଖ ଦିନ ୫୫ ନମ୍ବର ଜାତୀୟ ରାଜପଥର ବଡ଼କେରା ପଟରୁ ଅନୁଗୁଳ ଆଡ଼କୁ ଅକ୍ଷୟ ବେହେରା (୪୦) ଓ ତାଙ୍କ ସ୍ତ୍ରୀ ମମତା ବେହେରା (୩୫) ବାଇକ୍ରେ ଯିବା ବେଳେ କରଡ଼ଗାଡ଼ିଆ ଠାରେ ଏକ ଦ୍ରୁତଗାମୀ ଟ୍ରକ୍ ସେମାନଙ୍କ ଉପରେ ଚଢ଼ିଯାଇଥିଲା। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ଏହି ଘଟଣାକୁ ୨୪ ଘଣ୍ଟା ନପୂରୁଣୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଗାଁରେ ସ୍ୱାମୀ ବିଜୟ କୁମାର ମାଝୀଙ୍କ ସହ ବିବୁନା ମାଝୀ ଚାଷ କାମକୁ ଯାଉଥିବା ବେଳେ ହମ୍ପସରେ ବାଇକ୍ରୁ ପଡ଼ିଗଲେ ସ୍ତ୍ରୀ। ସଙ୍ଗେ ସଙ୍ଗେ ପଛରେ ଆସୁଥିବା ଟ୍ରକ ତାଙ୍କ ଉପରେ ଚଢି଼ଗଲା। ଫଳରେ ଘଟଣା ସ୍ଥଳରେ ହିଁ ଦଂପତ୍ତିଙ୍କ ଜୀବନ ଚାଲିଗଲା ।
୨ ଦୁର୍ଘଟଣା, ୪ ମୃତ
ଗତବର୍ଷ ଅକ୍ଟୋବର ୩୦ ତାରିଖରେ ଢେଙ୍କାନାଳ ଓ ଗଂଜାମ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥରେ ୨ଟି ଦୁର୍ଘଟଣା ଘଯିଥିଲା, ଯେଉଁଥିରେ କି ୪ ଜଣଙ୍କର ମୃତ୍ୟୁ ଘଟିଥିଲା। ୫୫ ନମ୍ବର ଜାତୀୟ ରାଜପଥର ସଦର ଥାନା ଗୋବିନ୍ଦପୁର ଛକରେ ଏକ ୧୮ ଚକିଆ କୋଇଲା ବୋଝେଇ ଟ୍ରକ୍ (ଓଡି-୨୩ଏଚ୍-୪୫୭୯) ଟ୍ରକ୍ କଟକ ଅଭିମୁଖେ ଯିବା ବେଳେ ତୁମୁସିଙ୍ଗା ଥାନା ଅନ୍ତର୍ଗତ ଅଁଳାବେରେଣୀ ଗ୍ରାମର ଭରତଚନ୍ଦ୍ର ଦେହୁରୀ(୪୮) ଏବଂ ମହୁଲି ଗ୍ରାମର ମୁରଲୀ ବିଶ୍ବାଳ(୪୬)ଙ୍କ ଉପରେ ଚଢ଼ି ଯାଇଥିଲା। ଉଭୟ କଟକର ଏଲ୍ଆଇସି କାର୍ଯ୍ୟାଳୟକୁ ଏକ ବାଇକ୍ରେ ଯାଉଥିଲେ। ସେହିଭଳି, ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥ ଡିମିରିଆ ନିକଟ ସାନଘାଟି ଠାରେ ଦୁଇଟି ବାଇକ୍ ଚାଳକଙ୍କ ଉପରେ ଟ୍ରକ୍ ଚଢ଼ିଯିବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା।
୫୫ ନମ୍ବର ଜାତୀୟ ରାଜପଥ
ରାଜ୍ୟରେ ଟ୍ରକ୍ଜନିତ ଯେତେ ଦୁର୍ଘଟଣା ଘଟୁଛି, ସେଥିରୁ କଟକ ଜିଲ୍ଲା ନିର୍ଗୁଣ୍ଡି ଠାରୁ ସମ୍ବଲପୁରକୁ ଯୋଡୁଥିବା ୫୫ ନମ୍ବର ଜାତୀୟ ରାଜପଥରେ ସର୍ବାଧିକ। ୨୦୧୭ ମସିହାରୁ ପ୍ରଶସ୍ତୀକରଣ ଚାଲିଥିବା ୫୫ ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ୨ ବର୍ଷ ନିର୍ଦ୍ଧାରଣ କରାଯାଇଥିବା ବେଳେ ୬ ବର୍ଷରେ ମଧ୍ୟ ଶେଷ ହୋଇପାରି ନାହିଁ। ଏହାରି ଭିତରେ ବହୁ ସଂଖ୍ୟାରେ ଦୁର୍ଘଟଣା ଘଟିଛି। ୫୫ ନମ୍ବର ଜାତୀୟ ରାଜପଥ ତଳକୁ ରହିଛି କୋଲକାତାରୁ ଚେନ୍ନାଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ। ଏହି ରାଜପଥର ବାଲେଶ୍ବରରୁ ଭଦ୍ରକ ସୀମା ଭିତରେ ଅଧିକ ଦୁର୍ଘଟଣା ଘଟୁଛି।
୧୫ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ୍
ନିକଟରେ ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଏକ ଦ୍ରୁତଗାମୀ ଟ୍ରକ୍ ନିୟନ୍ତ୍ରଣ ହରାଇ କାର ଓ ଦୁଇଟି ବାଇକ୍କୁ ଧକ୍କା ଦେବା ପରେ ରାସ୍ତା କଡ଼ରେ ଥିବା ଗୋଟିଏ ଢାବା ଉପରେ ଚଢ଼ି ଯାଇଥିଲା। ଏଥିସହ ଗୋଟିଏ ବସ୍ ଷ୍ଟପ୍କୁ ମଧ୍ୟ ଏହା ଧକ୍କା ଦେଇଥିଲା, ଯେଉଁଥିରେ କି ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଗତ ୪ ତାରିଖ ଦିନ ମୁମ୍ବାଇ-ଆଗ୍ରା ରାଜପଥର ପାଲାସନେର ଗାଁ ନିକଟରେ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା। ଟ୍ରକ୍ଟି ଧୁଲେରୁ ମଧ୍ୟପ୍ରଦେଶ ଯାଉଥିଲା। ରାଜପଥରେ ଏହା ଦ୍ରୁତଗତିରେ ଯାଉଥିବା ବେଳେ ହଠାତ୍ ଏହାର ବ୍ରେକ୍ ଫେଲ ହୋଇଯାଇଥିଲା। ଫଳରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ।
କେନିଆରେ ୪୮ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ୍
କେନିଆ ଅନ୍ତର୍ଗତ ଲୋଣ୍ଡିଆନିରେ ଚଳିତ ଜୁଲାଇ ପହିଲାରେ ଏକ ଟ୍ରକ୍ ହଠାତ୍ ଚାଳକଙ୍କ ନିୟନ୍ତ୍ରଣରୁ ବାହାରିଯାଇ କେତେକ ଯାନବାହନ ଓ ପଥଚାରୀଙ୍କ ଉପରେ ମାଡ଼ିଯିବାରୁ ଅନ୍ୟୂନ ୪୮ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ଏହା ଅନ୍ତର୍ଜାତୀୟ ଖବର ହୋଇଥିଲା। ଏହି ଦୁର୍ଘଟଣାର ସାମ୍ନା କରିଥିବା ଅନେକ ଲୋକ ଆହତ ହୋଇଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଦ୍ରୁତ ଗତିରେ ଆସୁଥିବା ଟ୍ରେଲର୍-ଟ୍ରକ୍ଟାଏ ଦେଖି ରାସ୍ତାକଡ଼କୁ ଗାଡ଼ି କାଟି ନେବାରୁ ସେ ମୁହାଁମୁହିଁ ଧକ୍କା ହେବାରୁ ବର୍ତ୍ତି ଯାଇଥିଲେ। କିନ୍ତୁ, ତାଙ୍କ ପଛରେ ଗାଡ଼ି ନେଇ ଆସୁଥିବା ଜଣେ ଡ୍ରାଇଭର୍ଙ୍କର ମନେହେଲା କି, ସମ୍ଭବତଃ କିଛି କିଣାକିଣି କରିବାକୁ ସେ ରାସ୍ତାକଡ଼କୁ ଗାଡ଼ି କାଟିନେଲେ। ଫଳରେ ତାଙ୍କ ଗାଡ଼ି ସହିତ ଉକ୍ତ ଟ୍ରଲର୍-ଟ୍ରକ୍ ମୁହାଁମୁହିଁ ଧକ୍କା ଖାଇ ରାସ୍ତାରୁ ହଟିଗଲା ଓ ଅନ୍ୟ ଯାନବାହନ ଉପରେ ଚଢ଼ିଗଲା।