Friday, September 13, 2024
Homeନୀତିକାନ୍ତିରେ ବିଳମ୍ବ, ଭକ୍ତ ପାଉଛନ୍ତି କଷ୍ଟ
Array

ନୀତିକାନ୍ତିରେ ବିଳମ୍ବ, ଭକ୍ତ ପାଉଛନ୍ତି କଷ୍ଟ

ଭୁବନେଶ୍ବର: ପ୍ରଭୁଙ୍କ ନୀତିକାନ୍ତିରେ ବାରମ୍ବାର ବିଳମ୍ବ ହେଉଛି। ବିଗତ କିଛି ବର୍ଷ ମଧ୍ୟରେ ଏଭଳି ସମସ୍ୟା ଦୃଷ୍ଟିଗୋଚର ହେଉଛି। ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହୁ ନଥିବାରୁ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜୁଛି। ଫଳରେ ଭକ୍ତଙ୍କୁ ଅସୁବିଧା ହେଉଛି। ପ୍ରଭୁଙ୍କ ଦର୍ଶନ ପାଇବାରେ ଭକ୍ତମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ସେଥିରୁ ଅନେକ ଶ୍ରଦ୍ଧାଳୁ ଉପବାସ ରହି ଛଟପଟ ହେଉଛନ୍ତି। ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଦିନ ଗଜବେଶ ପାଇଁ ପ୍ରାୟ ୪ ଘଣ୍ଟା ନୀତିକାନ୍ତି ବିଳମ୍ବ ହୋଇଛି। ପୂର୍ବରୁ ଏହା ଦିନ ୧୨ଟା ୪୫ରେ ହେବାକୁ ଥିବା ବେଳେ ଏହି କାମ ସନ୍ଧ୍ୟା ପ୍ରାୟ ୫ଟାରେ ଆରମ୍ଭ କରାଯାଇଛି।

ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ନୀତି ଜାରି ଥିବା ବେଳେ ଆଜି ଜଣେ ଶ୍ରଦ୍ଧାଳୁ ଗୁରୁତର ହୋଇଯାଇଥିଲେ। ରାଜସ୍ଥାନରୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଉଦ୍ଧାର କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଥମେ ସିଂହଦ୍ଵାର ପ୍ରାଥମିକ ଚିକିତ୍ସା କେନ୍ଦ୍ର ଓ ପରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ ଜଗନ୍ନାଥଙ୍କ ଦର୍ଶନ ଲାଗି ଆସିଥିବା ବେଳେ ସ୍ନାନମଣ୍ଡପ ନିକଟରେ ପଡ଼ିଯାଇଥିଲେ। ସ୍ନାନଯାତ୍ରାରେ ଏଭଳି ଅଭାବନୀୟ ପରିସ୍ଥିତି ଯୋଗୁଁ ଘଟଣାସ୍ଥଳକୁ ମହାସ୍ନାନ କରାଯାଇଥିଲା, ଯେଉଁଥି ପାଇଁ ପ୍ରାୟ ଦେଢ଼ ଘଣ୍ଟା ଲାଗିଥିଲା। କିନ୍ତୁ ଦୁର୍ଘଟଣା ବ୍ୟତୀତ ଅନ୍ୟ ନୀତିକାନ୍ତି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବ ହୋଇଥିଲା।

ଲିଙ୍ଗରାଜଙ୍କ ନୀତିକାନ୍ତି ୩ ଘଣ୍ଟା ବିଳମ୍ବ

ଗତ ଫେବ୍ରୁଆରି ମାସ ୧୮ ତାରିଖ ରାତିରେ ଭୁବନେଶ୍ବରସ୍ଥିତ ଏକାମ୍ର କ୍ଷେତ୍ରରେ ମଧ୍ୟ ଏଭଳି ପରିସ୍ଥିତି ଦେଖାଯାଇଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଖି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚୂଡ଼ାରେ ଲାଖି ରହିଥିଲା। ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିର ପାର୍ଶ୍ବବର୍ତୀ ଅଞ୍ଚଳର ସୌନ୍ଦର୍ଯ୍ୟ ନିଆରା ଅନୁଭବ ଦେଇଥିଲା। ଗତବର୍ଷ ଅପେକ୍ଷା ଏଥର ମଧ୍ୟ ଭକ୍ତଙ୍କ ଆଗମନ ଯଥେଷ୍ଟ ବଢ଼ିଥିଲା। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଦୀପ ପ୍ରାୟ ୩ ଘଣ୍ଟା ବିଳମ୍ବରେ ରାତି ୧ ଟା ୦୮ରେ ଉଠିଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା ଯେ, ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠାଯିବ। କିନ୍ତୁ ପ୍ରଶାସନ ଏବଂ ସେବାୟତଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ନୀତିକାନ୍ତି ବହୁ ବିଳମ୍ବରେ ସଂପନ୍ନ ହୋଇଥିଲା। ବ୍ରତଧାରୀମାନେ ଭୋକରେ ଆଉଟୁ ପାଉଟୁ ହୋଇଯାଇଥିଲେ। କିନ୍ତୁ ମାନସିକ ରଖିଥିବାରୁ ମହାଦୀପ ଦର୍ଶନ ନକରି କେମିତି ଖାଦ୍ୟ ଗ୍ରହଣ କରିଥାନ୍ତେ। ଶେଷରେ ରାତି ୧ଟା ୮ ମିନିଟରେ ମହାଦୀପ ଦର୍ଶନ ପରେ ବ୍ରତାଧାରୀମାନେ ନିଜ ବ୍ରତ ସମାପନ କରିଥିଲେ।

ଶୋଇପାରୁ ନାହାନ୍ତି ଠାକୁର

ସେବାୟତଙ୍କର ମନମୁଖୀ କାର୍ଯ୍ୟ ଯୋଗୁଁ ମହାପ୍ରଭୁଙ୍କୁ ବାରମ୍ବାର ଅନିଦ୍ରାରେ ରହିବାକୁ ପଡୁଛି। ଦୁଇ ବର୍ଷ ମଧ୍ୟରେ ଶ୍ରୀଜିଉମାନେ ୨ଥର ଅନିଦ୍ରା ରହିସାରିଛନ୍ତି। ଗତ ମେ’ ମାସ ୧୭ ତରିଖ ଶ୍ରୀମନ୍ଦିରରେ ଅହେତୁକ ନୀତି ବିଳମ୍ବ ହୋଇଥିଲା। ରାତିରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହେବା କଥା, ସେଠି ଭୋର ୫ଟା ୫ରେ ରାତ୍ର ପହୁଡ଼ ହୋଇଛି। ସେହି ଅନୁସାରେ, ଦ୍ବାରଫିଟା ବି ବିଳମ୍ବ ହୋଇଥିଲା। ସେହିଭଳି ୨୦୨୧ ଜୁନ ୧୪ ତାରିଖରେ ଆଡ଼ପମଣ୍ଡପ ବିଜେ ପରେ ନୀତିକାନ୍ତିରେ ବିଳମ୍ବରୁ ମହାପ୍ରଭୁଙ୍କୁ ଅନିଦ୍ରା ରହିବାକୁ ପଡ଼ିଥିଲା। ମହାପ୍ରଭୁଙ୍କ ରାତ୍ର ପହୁଡ଼ ନ ହୋଇ ଜୁନ ୧୫ ତାରିଖ ଦିନ ଦୈନନ୍ଦିନ ନୀତିକାନ୍ତି ଆରମ୍ଭ କରାଯାଇଥିଲା।  

ନିନ୍ଦିତ ହେଉଛି ରାଜ୍ୟ

ଓଡ଼ିଶାର ୨ଟି ପ୍ରମୁଖ ମନ୍ଦିର ତଥା ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରରେ ବାରମ୍ବାର ନୀତିକାନ୍ତି ବିଳମ୍ବ ହେବା ନେଇ ବୁଦ୍ଧିଜୀବୀ ମହଲରେ ଦୁଃଖ ପ୍ରକାଶ ପାଉଛି। ବହୁ ପୂରାତନ ମନ୍ଦିରରେ ଏକଦା ସେବାୟତମାନେ ସେବା ମନୋଭାବ ରଖି ନିୟୋଜିତ ହୋଇଥିବା ବେଳେ ତାଙ୍କର ପରବର୍ତ୍ତୀ ବଂଶଧର ତଥା ଆଜିକାଲିର ସେବାୟତମାନେ ଆର୍ଥିକ ଚିନ୍ତା ଅଧିକ କରୁଥିବା ଦୃଷ୍ଟିଗୋଚର ହେଉଛି। ଅନେକ ସମୟରେ ସେମାନେ ଯେତେବେଳେ ସରକାରଙ୍କ ଠାରେ ଦାବି କରୁଛନ୍ତି, ତାହା ଅର୍ଥକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଏହା କ୍ଷୋଭର ବିଷୟ। ଏଭଳି ମାନସିକତା ପାଇଁ ଓଡ଼ିଶା ବାହାର ରାଜ୍ୟରେ ନିନ୍ଦିତ ହେଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments