ଭୁବନେଶ୍ବର: ‘ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହଶ୍ବେର, ଗୁରୁ ସାକ୍ଷାତ୍ ପରମବ୍ରହ୍ମଂ ତସ୍ମଇ ଶ୍ରୀ ଗୁରୁବେ ନମଃ।’ ଏହି ଉକ୍ତିର ଯଥାର୍ଥତା ଦିନକୁ ଦିନ ଛାତ୍ରଛାତ୍ରୀ, ଅଭିଭାବକ ଓ ବୁଦ୍ଧିଜୀବୀଙ୍କ ମନରୁ ଲିଭିବାକୁ ବସୁଛି। ଏହାର କାରଣ ହେଲା କିଛି ଖଳ ଶିକ୍ଷକଙ୍କ ପାଇଁ ଅନ୍ୟମାନେ ମଧ୍ୟ ଭରସାଯୋଗ୍ୟ ହୋଇପାରୁ ନାହାଁନ୍ତି। ଅନେକ ଶିକ୍ଷକ ସରକାରୀ ଚାକିରି କରି ବେସରକାରୀ ଶିକ୍ଷାନୁଷ୍ଠାନ ସହିତ ଜଡ଼ିତ ରହୁଛନ୍ତି। ଶିକ୍ଷାକୁ ବ୍ୟବସାୟରେ ପରିଣତ କରୁଛନ୍ତି। ଏହି ଭଳି ଶିକ୍ଷକମାନେ ଅର୍ଥ ଉପାର୍ଜନକୁ ଅଧିକ ଗୁରୁତ୍ବ ଦିଅନ୍ତି। ଶିକ୍ଷକମାନେ ହେଉଛନ୍ତି ବିଦ୍ୟାଳୟ ରୂପି ମନ୍ଦିରର ପୂଜାରୀ। ମାତ୍ର କ୍ଷୋଭର ବିଷୟ ଯେ, କ୍ବଚିତ ଶିକ୍ଷକଙ୍କୁ ଛାଡ଼ି ଦେଲେ ଆଜିକାଲିର ଶିକ୍ଷକମାନେ ନିଜର ଛାତ୍ରଛାତ୍ରୀଙ୍କୁ ଦେବତା ଭଳି ଦେଖୁ ନାହାନ୍ତି। ଫଳରେ ଶିକ୍ଷକ ସମାଜ କଳଙ୍କିତ ହେଉଛି।
ଆଜିକାଲିଆ ଶିକ୍ଷକମାନେ ଶିକ୍ଷା ବୃତ୍ତିକୁ ନିଜର ପ୍ରଥମ କର୍ତ୍ତବ୍ୟ ବୋଲି ଭୁଲି ଯାଉଛନ୍ତି। ନିଜ ବୃତ୍ତିରେ ମନ ନିବେଶ ନ କରି ଅନାବଶ୍ୟକ କାମରେ ଅଧିକ ନିୟୋଜିତ ହେଉଛନ୍ତି। ସରକାରଙ୍କ ତରଫରୁ ଦିଆଯାଉଥିବା ଅତିରିକ୍ତ କାମକୁ ବୋଝ ଭାବନ୍ତି। ପୁଣି ଶିକ୍ଷକମାନେ ନିଜର କର୍ତ୍ତବ୍ୟକୁ ଭୁଲିଯାଇ ଅନୈତିକ ଓ ବେଆଇନ କାମରେ ନିୟୋଜିତ ହେଉଥିବା ଦୃଷ୍ଟିଗୋଚର ହେଉଛି। ଶିକ୍ଷକମାନଙ୍କ କାର୍ଯ୍ୟକଳାପ ନେଇ ଅନେକ ସମୟରେ ଅଭିଯୋଗ ଆସୁଛି। ଚଳିତ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରେ ଶିକ୍ଷକମାନଙ୍କ କର୍ତ୍ତବ୍ୟ ନେଇ ଗଣମାଧ୍ୟମରେ ଖବର ଆସିଛି ଯାହାକି ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ଙ୍କୁ ଆଘାତ ଦେଉଛି।
ମଦପିଇ ପିଲାଙ୍କୁ ପିଟିଲେ ଶିକ୍ଷକ
ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଲୁଧିଗୁଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଜଗଦୀଶ ବେହେରା ମଦ୍ୟପାନ କରି କୋମଳମତୀ ପିଲାମାନଙ୍କୁ ମାଡ଼ ମାରିବା ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି। ସେ ନିଶାସକ୍ତ ଅବସ୍ଥାରେ ଡେଙ୍ଗାସଖାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯାଇ ବିନା କାରଣରେ ୨୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ୨ଟି ବାଉଁଶ ବେତରେ ପିଟିଥିଲେ। ଏହି ସମୟରେ କିଛି ଶିକ୍ଷକ ବୁଝାସୁଝା କରିବାକୁ ଆସିଥିବା ବେଳେ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ପିଲାମାନଙ୍କୁ ୨ଟି ଅଟୋରେ ସେଠାରୁ ଆଡ଼ବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ପହଞ୍ଚିଥିଲେ। ପିଲାମାନଙ୍କ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିଲା। ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବଦାସ ତାମରାପୁ ମଦ୍ୟପାନ କରି ଛାତ୍ରଛାତ୍ରୀଙ୍କୁ ମାଡ଼ ଘଟଣାରେ ଅଭିଯୁକ୍ତ ଶିକ୍ଷକ ଜଗଦୀଶ ବେହେରାଙ୍କୁ ନିଲମ୍ବନ କରିଛନ୍ତି।
ବିଦ୍ୟାଳୟରେ ତାଲା ଠୁଙ୍କିଲେ
ଦୁଇ ଜଣ ଶିକ୍ଷୟିତ୍ରୀଙ୍କ ପୂର୍ବ ଶତ୍ରୁତା ବିଦ୍ୟାଳୟ ପରିସରରେ ଦେଖିବାକୁ ମିଳିଛି। ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ନାଚିନ୍ଦା ପଞ୍ଚାୟତ ଉଲୁଡ଼ା ଗ୍ରାମର ବନମାଳୀ ମାଝୀ ପ୍ରାଥମିକ ବିଦ୍ୟାଳୟରେ ୨ ଜଣ ଶିକ୍ଷୟିତ୍ରୀ ପିଟାପିଟି ହୋଇଛନ୍ତି। ସ୍କୁଲ ଆସିବା ବେଳେ ଜଣେ ଶିକ୍ଷୟିତ୍ରୀଙ୍କ ଫଟୋ ଅନ୍ୟ ଜଣେ ଶିକ୍ଷୟିତ୍ରୀ ନିଜ ମୋବାଇଲରେ ଉଠାଇବା ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ନିଜ ନିଜର ବ୍ୟକ୍ତିଗତ କଥାକୁ ନେଇ ବୃତ୍ତିଗତ ଆକ୍ରୋଶରୁ ଏଭଳି ଅଭାବନୀୟ ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ଘଟଣାରେ ୨ ଶିକ୍ଷୟିତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୁଣ୍ଡ ଫାଟିଛି। ଏନେଇ ଥାନାରେ ଦୁଇଟି ପୃଥକ୍ ପୃଥକ୍ ଅଭିଯୋଗ ହୋଇଥିବା ଜଣାପଡିଛି । ସେପଟେ ବିଦ୍ୟାଳୟର ଶୃଙ୍ଖଳା ଭଙ୍ଗ କରୁଥିବା ୨ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟରୁ ବାହାର କରି ସେମାନଙ୍କ ବଦଳି ଦାବିରେ ନ୍ତି ଛାତ୍ରାଭିଭାବକ ଓ ଉତ୍ତ୍ୟକ୍ତ ଗ୍ରାମବାସୀ ସ୍କୁଲ ଫାଟକରେ ତାଲା ପକାଇଛନ୍ତି।
୪ ବର୍ଷୀୟ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ!
ଭଗବାନ ସ୍ବରୂପ ଛାତ୍ରଛାତ୍ରୀଙ୍କ ଶରୀର ଉପରେ ନଜର ପକାଇବାଠାରୁ ବୋଧେ ଆଉ ବଡ଼ ଘୃଣ୍ୟକାମ ନାହିଁ। କିନ୍ତୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର କୁତୁର୍ଲା ପଞ୍ଚାୟତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ବନାଥ ବୁଦ୍ଧିଆ ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ୧୦ ମାସ ପୂର୍ବରୁ କୁତୁର୍ଲା ପଞ୍ଚାୟତ ବହଲି ସ୍କୁଲର ଶିକ୍ଷକ ବିଶ୍ବନାଥ ବୁଦ୍ଧିଆ ପଦୋନ୍ନତି ପାଇ ଏହି ପଞ୍ଚାୟତର ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ ଯୋଗ ଦେଇଥିଲେ। ହେଲେ ଶ୍ରୀ ବୁଦ୍ଧିଆ କିଛି ଦିନ ହେଲା ସ୍କୁଲର ବିଭିନ୍ନ କୋମଳମତୀ ଛାତ୍ରୀଙ୍କୁ ଉପରେ ଖରାପ ନଜର ପକାଇ ଥିବା ଅଭିଯୋଗ ହୋଇ ଆସୁଥିଲା। ଅଭିଯୋଗ ଅନୁସାରେ ପ୍ରଧାନଶିକ୍ଷକ ତାଙ୍କ ପାଖକୁ ଡାକି ନିଜ ଛାତ୍ରୀର ଆପତ୍ତିଜନକ ସ୍ଥାନକୁ ବାରମ୍ବାର ଛୁଁଇବା ସହ ଖରାପ ବ୍ୟବହାର କରୁଥିଲେ।
୧୨ ହଜାର ଲାଞ୍ଚ ନେଲେ ପ୍ରଧାନଶିକ୍ଷକ
ସୁନ୍ଦରଗଡ଼ ଜିଲ୍ଲା କୁମଝରିଆ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୀତ ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପଧାନଶିକ୍ଷକ ସଂଜୟ ସାମଲ ୧୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଛାତ୍ରୀଙ୍କୁ ଅସଲି ବୋର୍ଡ ସାର୍ଟିଫିକେଟ, ମାର୍କସିଟ୍ ଓ ସ୍କୁଲ ଲିଭିଂ ସାର୍ଟିଫିକେଟ ଦେବା ପାଇଁ ସେ ଏହି ଟଙ୍କା ନେଉଥିଲେ। ପିଲାମାନଙ୍କୁ ତାଙ୍କର ସାର୍ଟିଫିକେଟ ଦେବା ନିଜର କର୍ତ୍ତବ୍ୟ ବୋଲି ଭୁଲିଯାଇଥିଲେ। ଶିକ୍ଷକ ଚାକିରି କରିବା ପାଇଁ ଲୋକେ ଯେମିତ ବ୍ୟସ୍ତ ହୋଇପଡ଼ନ୍ତି, ନିଜ କର୍ତ୍ତବ୍ୟକୁ ନେଇ ଅଧିକାଂଶ ସଚେତନ ନ ଥାନ୍ତି। ବହୁତ କମ୍ ଶିକ୍ଷକ ନିଃସ୍ବାର୍ଥ ମନ ନେଇ ନିଜକୁ ପୂଜାରୀ ମନେ କରନ୍ତି। ନିଜର ଶିକ୍ଷାର୍ଥୀ ଆଗାମୀ ଦିନରେ ବଡ଼ ମଣିଷ ହେଉ, ତାହା କମ୍ ଶିକ୍ଷକ ହିଁ ସ୍ବପ୍ନ ଦେଖନ୍ତି।