Monday, October 14, 2024
Homeନୂଆବର୍ଷରେ ସରକାରୀ ଚାକିରିଆଙ୍କ ଖୁସି
Array

ନୂଆବର୍ଷରେ ସରକାରୀ ଚାକିରିଆଙ୍କ ଖୁସି

ଭୁବନେଶ୍ୱର: ବର୍ଷ ୨୦୨୧ ଶେଷ ହେବା ପୂର୍ବରୁ ନୂଆବର୍ଷରେ ନିଜ କର୍ମଚାରୀଙ୍କୁ ଖୁସି କରାଇବା ପାଇଁ ରାଜ୍ୟ ସରକାର ଆର୍ଥିକ ଉପହାର ଦେଇଛନ୍ତି। ରାଜ୍ୟ ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ସହିତ ମହଙ୍ଗା ଭତ୍ତା ମଧ୍ୟ ବଢ଼ାଇଛନ୍ତି। ଫଳରେ କର୍ମଚାରୀଙ୍କୁ ନୂଆବର୍ଷ ଓ ପୌଷ ପୂର୍ଣ୍ଣିମା (ସମ୍ବଲପୁରୀ ଭାଷାରେ ପୁଷ୍‌ପୁନି) ପାଳନ କରିବାରେ ଅଧିକ ଉତ୍ସାହ ମିଳିବ। କମ୍‌ ଦରମା ପାଉଥିବା କର୍ମଚାରୀଙ୍କ ଆଉ ପୂର୍ବ ଭଳି ଆର୍ଥିକ ସଂକଟରେ ରହିବାକୁ ପଡ଼ିବ ନାହିଁ। ଯେଉଁ କର୍ମଚାରୀ ମାନେ ପୂର୍ବରୁ ଭଲ ଦରମା ପାଉଥିବେ ସେମାନଙ୍କୁ ଘର, ଗାଡ଼ି, ଜମି ଆଦି କିଣିବାକୁ ସହଜ ହୋଇଯିବ। କାରଣ ରାଜ୍ୟ ସରକାର ନୂଆବର୍ଷ ଠାରୁ ସପ୍ତମ ବେତନ କମିଶନ ଲାଗୁ କରି ଦେଇଛନ୍ତି।

ନୂଆଖାଇ ପରେ ପୌଷ ପୂର୍ଣ୍ଣିମା (ପୁଷ୍‌ପୁନି) ହେଉଛି ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ବଡ଼ ପର୍ବ। ଏହା ଏକ ଚାଷୀ ଭିତ୍ତିକ ପର୍ବ। ପୁଷ୍‌ପୁନି ପ୍ରାୟତଃ ଜାନୁଆରୀ ମାସରେ ପଡ଼ିଥାଏ। ଏହି ସମୟରେ ଚାଷୀମାନେ ସେମାନଙ୍କର ମୁଖ୍ୟ ଫସଲ ‘ଧାନ’ ଅମଳ କରିସାରିଥାନ୍ତି। ଯଦିଓ ଏହା ଚାଷୀମାନଙ୍କର ଅନ୍ୟତମ ବଡ଼ପର୍ବ, ଆଜିକାଲି ଏହି ପର୍ବରେ ପୂର୍ବ ଭଳି ଚମକ ପ୍ରଦ ନାହିଁ। କାରଣ ଚାଷକାମ ଓ ଚାଷୀ ସଂକଟ ପରିସ୍ଥିତି ଦେଇ ଦିନ କାଟୁଥିବା ବେଳେ ଚାଷୀ ମାନଙ୍କର ଭେଣ୍ଡା ପୁଅ ମାନେ ବାହାର ରାଜ୍ୟରେ ଯାଇ ଦାଦନ ଖଟୁଛନ୍ତି। ପର୍ବପର୍ବାଣୀରେ ଘରେ ସମସ୍ତେ ଥିଲେ ଖୁସି ଥାଏ। ଯଦି ଘରର କିଛି ସଦସ୍ୟ ବାହାର ଦାଦନ ଖଟୁଛନ୍ତି, ତା’ ହେଲେ ସେମାନଙ୍କ ପାଇଁ ପର୍ବର ମାନେ କିଛି ନାହିଁ। କିନ୍ତୁ ସରକାରୀ କର୍ମଚାରୀଙ୍କୁ ଖୁସି ମିଳିପାରୁଛି। ସେମାନେ ଲୋକଙ୍କର ସେବା ଯାହା କରନ୍ତୁ ପଛେ, ଦରମା ତ ଠିକ୍‌ରେ ପାଉଛନ୍ତି।

ଶିକ୍ଷକ-ଅଣଶିକ୍ଷକ ଉପକୃତ

ରାଜ୍ୟ ସରକାର ଶିକ୍ଷକ ଓ ଅଣଶିକ୍ଷକ ମାନଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କରିଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ। ଏଥିପାଇଁ ସରକାର ରାଜକୋଷରୁ ବାର୍ଷିକ ୧୨୬ କୋଟି ଟଙ୍କା ଅଧିକ ଖର୍ଚ୍ଚ କରିବେ। ୨୦୨୧ ବର୍ଷର ଶେଷ ଦିନରେ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ମୋହର ବାଜିଲା ପରେ ଶିକ୍ଷକ ଓ ଅଣଶିକ୍ଷକ ମହଲରେ ଖୁସିର ଲହରି ଦେଖାଯାଇଛି। ଅନୁଦାନପ୍ରାପ୍ତ ଘରୋଇ କଲେଜର ଶିକ୍ଷକ ଓ ଅଣଶିକ୍ଷକ ମଧ୍ୟ ସପ୍ତମ ବେତନ କମିଶନ ଦ୍ୱାରା ଉପକୃତ ହେବେ। ଏହି ବର୍ଗରେ ୧୫,୬୬୪ ଜଣ କର୍ମଚାରୀ ଅଛନ୍ତି। ସେମାନଙ୍କ ପାଇଁ ସରକାର ୧୬୬କୋଟି ଟଙ୍କା ଖର୍ଚ୍ଚ କରିବେ।  

ବଢ଼ିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୩୧ରେ ଏହି ଘୋଷଣା କରିଛନ୍ତି। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତବର୍ଷ ଜୁଲାଇ ମାସ ଠାରୁ ପିଛିଲା ଭାବରେ ଏହା ଲାଗୁ ହେବ। ସଂଶୋଧିତ ହାରରେ ପେନସନ ପାଉଥିବା ପେନସନଭୋଗୀମାନଙ୍କ ଟି.ଆଇରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି। ଏହାଦ୍ଵାରା ରାଜ୍ୟର ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ତଥା ପେନ୍‌ସନଭୋଗୀ ଉପକୃତ ହେବେ। ଏଥି ସହିତ ସପ୍ତମ ବେତନ କମିଶନ ବାବଦ ୩୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ମହାନଗର ବସ୍ତିବାସିନ୍ଦା ଉପକୃତ

କେବଳ ସରକାରୀ କର୍ମଚାରୀ ନୁହଁନ୍ତି, ସରକାର ରାଜ୍ୟ କ୍ୟାବିନେଟ ବୈଠକରେ ଅନ୍ୟ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ଯୋଗାଇ ଦେବେ। ବସ୍ତିର ଉନ୍ନତି କରିବେ। ରାଜ୍ୟର ଏହି ୫ଟି ସହରର ୯୩୮ଟି ବସ୍ତିର ଲୋକେ ଉପକୃତ ହେବେ। ୧ ଲକ୍ଷ ୯୦ ହଜାର ପରିବାରର ୮ ଲକ୍ଷ ୫୮ ହଜାର ଲୋକ ଉପକୃତ ହେବେ। ପୂର୍ବରୁ ୧୦୯ଟି ମୁନିସିପାଲଟି ଓ ଏନ୍‌ଏସିର ୧ ଲକ୍ଷ ୭୫ ହଜାର ପରିବାର ଉପକୃତ ହୋଇସାରିଛନ୍ତି । 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments