ନୂଆବର୍ଷ ୨୦୨୦ ଭଳି ନହେଉ; ସମସ୍ତଙ୍କ ମୁହଁରେ ଖୁସି ଆଣୁ

    0
    474

    ଭୁବନେଶ୍ୱର: ନୂଆବର୍ଷ-୨୦୨୧ ଆସିଛି। ଏହାରି ମଧ୍ୟରେ ଅନେକ ଆଶା ଓ ଆଶଙ୍କା ସୃଷ୍ଟି ମଧ୍ୟ ହୋଇଛି। ପୂର୍ବ ବର୍ଷମାନଙ୍କରେ ଯେଭଳି ନୂଆବର୍ଷରେ ଖୁସିର ବାତାବରଣ ଥାଏ, ଏଥର ଟିକେ ଅଲଗା ପରିସ୍ଥିତି ଦେଖାଯାଇଛି। ନୂଆବର୍ଷ ପାଳନ କରିବା ଦୂର କଥା, ଘରୁ ବାହାରକୁ ଯିବା ପୂର୍ବରୁ ଅନେକ କଥା ଚିନ୍ତା କରିବାକୁ ପଡୁଛି। ଭୋଜିଭାତର ଆସର ହେଉଛି, କିନ୍ତୁ ଏଥିରେ ଭୟ ସୃଷ୍ଟି ହେଉଛି। ନବବର୍ଷର ଶୁଭେଚ୍ଛା ଜଣାଇବାର ଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଛି। ଦୂରରୁ ଥାଇ ଏହି କାମ ହେଉଛି। ଏହାର କାରଣ ହୋଇଛି ମହାମାରୀ କରୋନା ଭାଇରସ। ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା ୨୦୨୧ ସମସ୍ତଙ୍କ ମୁହଁରେ ଖୁସି ଆଣୁ।

    ବର୍ଷ ୨୦୧୯ ଡିସେମ୍ବର ମାସରେ ଚୀନର ଉହାନ ସହରରୁ ବିଶ୍ୱକୁ ବ୍ୟାପିଥିବା ଏହି ଭୟଙ୍କର ଭାଇରସରେ ସମଗ୍ର ବିଶ୍ୱ ଥରିଉଠିଛି।  ବିଗତ ଏକ ବର୍ଷ ମଧ୍ୟରେ ବିଶ୍ୱବ୍ୟାପୀ ୮ କୋଟି ୩୭ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୧୮ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଭାରତରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିସାରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା କୋଟିଏ ୪୯ ଲକ୍ଷରେ ପହଂଚିଛି। ଓଡ଼ିଶାରେ ୩ ଲକ୍ଷ ୩୦ ହଜାର ଆକ୍ରାନ୍ତଙ୍କ ସଂଖ୍ୟା ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୧୯୦୦ ନିକଟତର ହୋଇଛି।

    ରାଜ୍ୟରେ ରୋଜଗାର ପାଇଁ ଉତ୍ସ ନାହିଁ 

    ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବ‌ସାଇଟରୁ ମିଳିଥିବା ତଥ୍ୟ ଅନୁସାରେ କରୋନା ମହାମାରୀ ସମୟରେ ସଡ଼କ, ରେଳ ଓ ବିମାନରେ ମୋଟ ୫ ଲକ୍ଷ ୬୮ ହଜାର ୩୫୩ ଜଣ ପ୍ରବାସୀ ଓଡ଼ିଆ ଘରକୁ ଆସିଥିଲେ। କିନ୍ତୁ ରାଜ୍ୟରେ ରୋଜଗାର ପାଇଁ ଉତ୍ସ କିଛି ନଥିବାରୁ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରୁ ଏବେ ଅଧିକାଂଶ ପୁଣି ଥରେ ବାହାର ରାଜ୍ୟକୁ ଫେରିଯାଇଛନ୍ତି। ଏମାନଙ୍କ ରୋଜଗାର ପାଇଁ ରାଜ୍ୟରେ ସେଭଳି ଆଖି ଦୃଶିଆ ବ୍ୟବସ୍ଥା ନାହିଁ। କୃଷି, ଶିଳ୍ପ, କାରଖାନାର ଅଭାବ ଯୋଗୁଁ ଓଡ଼ିଆ ଲୋକମାନେ ପରିସ୍ଥିତିରେ ପଡ଼ି ବାହାର ରାଜ୍ୟରେ କାମ କରୁଛନ୍ତି।

    ବଡ଼ ଧରଣର ବିପର୍ଯ୍ୟୟ 

     ବିଶେଷଜ୍ଞମାନଙ୍କ ମତରେ ବିଗତ ୧୦୦ ବର୍ଷ ମଧ୍ୟରେ ଏଭଳି ବଡ଼ ଧରଣର ବିପର୍ଯ୍ୟୟ ଦେଖାଯାଇ ନାହିଁ। ବର୍ଷ ବର୍ଷ ଧରି ଶକ୍ତିଶାଳୀ ରାଷ୍ଟ୍ରମାନେ କରୋନା ଟିକା ପ୍ରସ୍ତୁତ ପାଇଁ ଦିନରାତି କାମ କରୁଛନ୍ତି। ଏଯାଏଁ ଭାରତ, ଋଷିଆ, ବ୍ରିଟେନ୍‌, ଫ୍ରାନ୍ସ, ଆମେରିକା ଭଳି ଦେଶମାନେ ଟିକା ପ୍ରସ୍ତୁତ କରିସାରିଛନ୍ତି। କିନ୍ତୁ ଏହା କେତେ ସଫଳ ହେବ ତାହା ସ୍ପଷ୍ଟ ହୋଇପାରୁ ନାହିଁ।

    ଜୀବନଶୈଳୀ ଭାଙ୍ଗିଲା  

    ମହାମାରୀ କରୋନା ଭାଇରସ୍‌ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନଶୈଳୀକୁ ଭାଙ୍ଗିଦେଲା। ଅନେକଗୁଡ଼ିଏ ପରିବାର ଉଜାଡି ଦେଲା। ସେହିପରି କୋଟି କୋଟି ଜନତାଙ୍କ ଭାଗ୍ୟକୁ ପରିବର୍ତ୍ତନ କରିଦେଲା। ସାରା ବିଶ୍ୱରେ ବର୍ଷ ତମାମ ଶିକ୍ଷାନୁଷ୍ଠାନଗୁଡ଼ିକରେ ତାଲା ଝୁଲି ରହିଲା। ଶିଳ୍ପ, କାରଖାନା, ବ୍ୟବସାୟ ଆଦି ଉପରେ ମଧ୍ୟ ପ୍ରହାର ପକାଇଲା। ହସ୍‌ପିଟାଲ, ପୋଲିସ, ଅଗ୍ନିଶମ, ବ୍ୟାଙ୍କ, ପୋଷ୍ଟ ଅଫିସ, ଇ-କମର୍ସ, ପେଟ୍ରୋଲ ପମ୍ପ, ଗଣମାଧ୍ୟମର କର୍ମଚାରୀମାନେ କରୋନା ସଂକଟ କାଳରେ ଯେଭଳି ଭାବେ କାମ କରିଛନ୍ତି, ଜୀବନରେ କେବେ ଭୁଲି ପାରିବେ ନାହିଁ।   

    LEAVE A REPLY

    Please enter your comment!
    Please enter your name here