Friday, September 13, 2024
Homeନୂଆ ରାଜ୍ୟପାଳ ରଘୁବର ଦାସ
Array

ନୂଆ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ବର: ଏକଦା ଅବିଭକ୍ତ ବିହାରରେ ପରିଚାଳିତ ଟାଟା କଂପାନିରେ ଶ୍ରମିକ ଭାବେ କାମ କରୁଥିବା ରଘୁବର ଦାସ ରାଜ୍ୟପାଳ ହୋଇଛନ୍ତି। ସେ ୨୦୦୩ ଅକ୍ଟୋବର ୩୧ ତାରିଖ ଠାରୁ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ସେ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସ୍ଥାନ ନେଇଛନ୍ତି। ରାଜଭବନର ନୂଆ ହଲରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବାଚସ୍ପତି ପ୍ରମିଳା ମଲ୍ଲିକ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମନ୍ତ୍ରିମଣ୍ଡଳର କେତେକ ସଦସ୍ୟ, ବିଧାୟକ ଓ କେତେକ ବିଚାରପତି ଉପସ୍ଥିତ ଥିଲେ। ସମାରୋହରେ ନବନିଯୁକ୍ତ ରାଜ୍ୟପାଳ  ରଘୁବର ଦାସଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।

ରାଜ୍ୟପାଳ ରଘୁବର ଦାସ, ଯେତେବେଳେ ଅକ୍ଟୋବର ୩୦ ତାରିଖ ପୂର୍ବାହ୍ଣରେ ଓଡ଼ିଶା ମାଟିରେ ପାଦ ରଖିଥିଲେ, ସେ ପ୍ରଥମେ ଶ୍ରୀକ୍ଷେତ୍ର ଧାମରେ ପହଞ୍ଚି ଥିଲେ। ପତ୍ନୀଙ୍କ ସହିତ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଓଡ଼ିଶାରେ ସାମ୍ବିଧାନିକ ପଦବି ଗ୍ରହଣ କରିବା ପୂର୍ବରୁ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିଥିଲେ। ପ୍ରାୟ ଏକ ଘଣ୍ଟା କାଳ ଶ୍ରୀମନ୍ଦିରରେ ରହିବା ସହ ମହାପ୍ରଭୁଙ୍କୁ ଦେଖି ଭାବବିହ୍ୱଳ ହୋଇଥିଲେ। ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଅକ୍ଟୋବର ୩୧ ତାରିଖ ପୂର୍ବାହ୍ଣରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଥିଲେ। ସାମ୍ବିଧାନିକ ପଦବିରେ ଅଧିଷ୍ଠିତ ହେବା ପୂର୍ବରୁ ଉଭୟ ଶ୍ରୀଜଗନ୍ନାଥ ଓ ଶିବଙ୍କ ଶରଣ ନେଇଥିଲେ।

ମହାପ୍ରଭୁଙ୍କ ଆଶୀର୍ବାଦ ନେଲି: ରଘୁବର ଦାସ
ମହାପ୍ରଭୁଙ୍କ ଦର୍ଶନ ପରେ ରାଜ୍ୟପାଳ ରଘୁବର ଦାସ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଥିଲେ ଯେ, ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରିଛି। ଗରିବ, ନିଷ୍ପେଷିତଙ୍କ ସେବା ପାଇଁ ମୋତେ ମହାପ୍ରଭୁ ଏଠାକୁ ଆଣିଛନ୍ତି। ମୋ ପାଇଁ ଓଡ଼ିଶାର ବିକାଶ ସର୍ବାଗ୍ରେ ରହିବ। ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ କରିବି। ରାଜ୍ୟପାଳଙ୍କ ରାଜଭବନର ଦ୍ବାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିବ। ରାଜ୍ୟକୁ ଆଗକୁ ନେବା ଲାଗି ପ୍ରୟାସ କରିବି। ଓଡ଼ିଶାର ପ୍ରଗତି ଦେଶର ପ୍ରଗତି ତେଣୁ ଓଡ଼ିଶାରେ ଏକପାଖିଆ ନହୋଇ ସୁଶାସନ ହୋଇପାରିବ ସେଦିଗରେ ଧ୍ୟାନ ରହିବ। ଓଡ଼ିଶାର ଗରିବୀ ହଟେଇବା ମୁଖ୍ୟ ଲକ୍ଷ୍ୟ ରହିବ। ଧର୍ମ ପରମ୍ପରା ବଞ୍ଚି ରହିବା ଦ୍ୱାରା ଭାରତ ଖୁବଶୀଘ୍ର ବିଶ୍ୱଗୁରୁ ହୋଇପାରିବ। ଦେଶ ଏବଂ ଓଡ଼ିଶାବାସୀଙ୍କ ବିକାଶ ଓ ସମୃଦ୍ଧି ଲାଗି ଲିଙ୍ଗରାଜଙ୍କ ନିକଟରେ ପ୍ରାର୍ଥନା କରିଛି।

ସଂକ୍ଷେପରେ ରାଜ୍ୟପାଳ ରଘୁବର ଦାସ
ରଘୁବର ଦାସ ୧୯୫୫ ମସିହା ମେ’ ୩ ତାରିଖରେ ଅବିଭକ୍ତ ବିହାର (ବର୍ତ୍ତମାନର ଝାଡ଼ଖଣ୍ଡ)ର ଜାମସେଦପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଝାଡ଼ଖଣ୍ଡର ୬ଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ୨୦୧୪ ଡିସେମ୍ବର ୨୮ ତାରିଖରେ ଶପଥ ନେଇଥିଲେ। ଝାଡ଼ଖଣ୍ଡ ବିଜେପିରେ ସେ ୨ ଥର ସଭାପତି ହୋଇଥିଲେ। ଏହା ପୂର୍ବରୁ ରଘୁବର ଦାସ ଟାଟା ଷ୍ଟିଲର ଜଣେ କର୍ମଚାରୀ ଥିଲେ। ସେ ବିଧାନସଭାକୁ ୫ଥର ନିର୍ବାଚିତ ହୋଇଥିଲେ। ଏତଦ୍ବ୍ୟତୀତ ସେ ଝାଡ଼ଖଣ୍ଡର ଉପମୁଖ୍ୟମନ୍ତ୍ରୀ ଓ ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ହୋଇଥିଲେ। ଜଣେ ବିଧାୟକ ଓ ମୁଖ୍ୟମନ୍ତ୍ରୀ ଭାବେ ଜନସାଧାରଣଙ୍କ ସେବା କରିବା ତାଙ୍କର ଅଭିଜ୍ଞତା ରହିଛି। ରାଜ୍ୟପାଳ ଭାବେ ଏହାକୁ ଆହୁରି ଭଲ ଭାବରେ ପରିଚାଳନା କରିବା ନେଇ ତାଙ୍କ ଠାରୁ ଆଶା କରାଯାଉଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments