ଭୁବନେଶ୍ବର: ଉପାନ୍ତରେ ଉଚ୍ଚଶିକ୍ଷାର ବିକାଶ ନେଇ ନୂଆ ଆଶା ଦେଖାଯାଇଛି। ବଣ-ପାହାଡ଼ ଘେରା କୋରାପୁଟ, ରାୟଗଡ଼ା, ଗଂଜାମ, ଗଜପତି, କଳାହାଣ୍ଡି, ସୁନ୍ଦରଗଡ଼ ଓ ମୟୂରଭଂଜ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ରାଜ୍ୟ ସରକାର ୧୮ଟି ସରକାରୀ ସ୍ନାତକ ମହାବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନୂଆବର୍ଷ ଅବସରରେ ତଥା ସାଧାରଣ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଥିବାରୁ ଉପାନ୍ତ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ଖୁସି ଖବର ଆସିଛି। ନୂଆ ଆଶା ସଂଚାର ହୋଇଛି। ଏହି ମହାବିଦ୍ୟାଳୟଗୁଡ଼ିକ ଆରମ୍ଭ ହୋଇଯିବା ପରେ ଶିକ୍ଷକ ଓ ଅଣଶିକ୍ଷକ ପଦବି ମଧ୍ୟ ସୃଷ୍ଟି ହେବ, ଯାହାଦ୍ବାରା ଶତାଧିକ ଲୋକଙ୍କୁ ନିଯୁକ୍ତି ମଧ୍ୟ ମିଳିଯିବ।
ଉପାନ୍ତ ଅଞ୍ଚଳରେ ୧୮ଟି ବ୍ଲକରେ କଳା ବିଭାଗର ସରକାରୀ ସ୍ନାତକ ମହାବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଘୋଷଣା ନେଇ ନବୀନ ସରକାରଙ୍କ ନିଷ୍ପତ୍ତିକୁ ବୁଦ୍ଧିଜୀବୀମାନେ ସ୍ବାଗତ କରୁଛନ୍ତି। କିନ୍ତୁ ସମାଲୋଚକଙ୍କ ଭାଷାରେ ମନ୍ତବ୍ୟ ଓଲଟା। କାରଣ ରାଜ୍ୟ ସରକାର ଏତେ ଦିନ ଯାଏଁ କେଉଁଠି ଶୋଇଥିଲେ। ଦୀର୍ଘ ୨୩ ବର୍ଷ ହେଲା କ୍ଷମତାରେ ଥାଇ ମଧ୍ୟ ଉପାନ୍ତ ଅଞ୍ଚଳରେ ଉଚ୍ଚଶିକ୍ଷା କିଭଳି ଭାବେ ରହିଛି, ତାହାର ସମୀକ୍ଷା କରି ନଥିଲେ। ଦେଶ ସ୍ବାଧୀନତା ପ୍ରାପ୍ତିକୁ ୭୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ୧୮ଟି ବ୍ଲକରେ ସରକାରୀ ସ୍ନାତକ ମହାବିଦ୍ୟାଳୟ ପ୍ରତିଷ୍ଠା ନହେବା ସରକାରଙ୍କ ବିଫଳତାକୁ ପ୍ରମାଣିତ କରୁଛି ବୋଲି ବିରୋଧୀମାନେ ମତଦିଅନ୍ତି।
ଭବିଷ୍ୟତ ଗଢ଼ିବେ କାଶୀପୁରବାସୀ
ଦୁର୍ଗମ ଅଞ୍ଚଳ କଥା ଯଦି କହିବା, କାଶୀପୁର ଇତିହାସ ଆଗ ଆସେ। କାଶୀପୁର ମଦମୃତ୍ୟୁ ଓ ହଇଜା ମାମଲା ସହିତ ଉଣାଅଧିକେ ସମସ୍ତେ ଅବଗତ ଥିବେ। ଅତୀତରେ ଏଠାକାର ଆଦିବାସୀମାନେ ଶିକ୍ଷାର ବହୁଦୂରରେ ଥିବାରୁ ଅକାରଣରେ ମୃତ୍ୟୁର ଶିକାର ହୋଇଛନ୍ତି। କାଶୀପୁର ବ୍ଳକରେ କେବଳ ଏକ ଘରୋଇ ଯୁକ୍ତ ଦୁଇ କଲେଜ ରହିଛି। ଫଳରେ ଅଂଚଳର ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ନିମନ୍ତେ ସୁଦୂର ରାୟଗଡ଼ା ସହର ତଥା ପଡୋଶୀ ଜିଲ୍ଳା ଗୁଡ଼ିକ ଉପରେ ନିର୍ଭର କରିଥାନ୍ତି। କାଶୀପୁର ବ୍ଳକରେ ସରକାରୀ ସ୍ନାତକ କଲେଜ ଖୋଲିବା ପାଇଁ ବିଧାନସଭା ପ୍ରଶ୍ନକାଳରେ ବହୁବାର ଦାବି ହୋଇଥିଲା। ବର୍ତ୍ତମାନ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସ୍ନାତକ କଲେଜ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଏହି ଅଂଚଳର ହଜାର ହଜାର ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଗରିବ ପିଲାଙ୍କର ଉଚ୍ଚଶିକ୍ଷା ସହ ଭବିଷ୍ୟତ ଗଠନରେ ଅନେକ ସହାୟକ ହେବ ବୋଲି ଆଶା କରାଯାଉଛି।
୧୮ଟି ସରକାରୀ ସ୍ନାତକ ମହାବିଦ୍ୟାଳୟ
ଶିକ୍ଷା ବର୍ଷ ୨୦୨୪-୨୫ରୁ ରାଜ୍ୟର ଅପହଞ୍ଚ ଇଲାକାରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ସରକାର ୧୮ଟି ସରକାରୀ ସ୍ନାତକ ମହାବିଦ୍ୟାଳୟ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି, କୋଷାଗୁମୁଡ଼ା, ଝରିଗାଁ ଓ ରାଇଘରରେ ଏହି ମହାବିଦ୍ୟାଳୟଗୁଡ଼ିକ ଖୋଲିବ। ରାୟଗଡ଼ାର କାଶୀପୁର, ରାମନାଗୁଡ଼ା ଓ ଚନ୍ଦ୍ରପୁରରେ ସରକାରୀ ସ୍ନାତକ ମହାବିଦ୍ୟାଳୟ ଖୋଲିବାକୁ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ, ଗୁରୁଣ୍ଡିଆ ଓ କୁଆଁରମୁଣ୍ଡାରେ ଖୋଲିବ ଡିଗ୍ରୀ କଲେଜ। ସେହିପରି କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଓ ନାରାୟଣପାଟଣାରେ ମଧ୍ୟ ସରକାରୀ ସ୍ନାତକ ମହାବିଦ୍ୟାଳୟ ଖୋଲିବ। ଗଜପତିର ଗୁମ୍ମା ଓ ଗଂଜାମର ଧରାକୋଟ, କଳାହାଣ୍ଡିର ଥୁଆମୁଳ ରାମପୁର, କନ୍ଧମାଳର ଖଜୁରିପଡ଼ା, ମାଲକାନଗିରିର ଚିତ୍ରକୋଣ୍ଡା ଓ ମୟୂରଭଞ୍ଜର ତିରିଙ୍ଗରେ ଏହି ଡିଗ୍ରୀ କଲେଜ ଖୋଲିବ।
ଅଧ୍ୟାପକଙ୍କ ଗୁହାରି ଶୁଣୁ ନାହାନ୍ତି ସରକାର
ସମାନ ଗ୍ରେଡ୍ ପେ’ ଆଧାରରେ ସମାନ କାମକୁ ସମାନ ଦରମା, କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନସନ୍ ଭୁକ୍ତ କରିବା, ୨୦୧୮ ଜିଓରେ ଉପକୃତ କର୍ମଚାରୀଙ୍କୁ ସପ୍ତମ ବେତନ କମିସନ ଆଧାରରେ ଦରମା ଓ ବାଦ୍ ପଡ଼ିଥିବା କର୍ମଚାରୀଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଦାବିରେ ୬୬୨(ଯୁକ୍ତ୨ ଓ ଯୁକ୍ତ୩) ବର୍ଗ ବେସରକାରୀ କଲେଜ ଅଧ୍ୟାପକ କର୍ମଚାରୀମାନେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚଲାଇଛନ୍ତି। ପାଳି କରି ବିଭିନ୍ନ ଜିଲ୍ଲାର ଅଧ୍ୟାପକ ଓ କର୍ମଚାରୀମାନେ ଧାରଣା ଦେଇଛନ୍ତି। ୬ ଥର ମହାସମାବେଶ କରିସାରିଛନ୍ତି। ତତ୍କାଳୀନ ୫-ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଅଧ୍ୟାପକ ଓ କର୍ମଚାରୀମାନେ ଦାବିପତ୍ର ଦେଇଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ଏକାଧିକ ଥର ଆଲୋଚନା ହୋଇଥିଲେ ମଧ୍ୟ ଦାବି ପୂରଣ ହେଉ ନାହିଁ। ୩୦ ବର୍ଷରୁ ଅଧିକ ସମୟ ଧରି ଉଚ୍ଚଶିକ୍ଷାକୁ ବଞ୍ଚାଇ ରଖିଥିବା ଏହି ବର୍ଗ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଉଛି। କିନ୍ତୁ ସରକାର ସେମାନଙ୍କୁ କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି।