Saturday, September 14, 2024
Homeନୂପୁରଙ୍କ ବୟାନ: ଦେଶବ୍ୟାପୀ ହିଂସା
Array

ନୂପୁରଙ୍କ ବୟାନ: ଦେଶବ୍ୟାପୀ ହିଂସା

ନୂଆଦିଲ୍ଲୀ: ମହାପୁରୁଷ ମହମ୍ମଦଙ୍କ ବିରୋଧରେ ଟିପ୍ପଣୀ ଦେଇ ନୂପୁର ଶର୍ମା ନିଲମ୍ବିତ ହୋଇଥିବା ବେଳେ ଏହି ବୟାନକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଜାରି ରହିଛି। ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଆନ୍ଦୋଳନ ବ୍ୟାପକ ରୂପ ନେଇସାରିଛି। ଉତ୍ତରପ୍ରଦେଶର ପ୍ରୟାଗରାଜ ଠାରୁ ପଶ୍ଚିମବଙ୍ଗର ହାଓଡା ଓ ଝାଡ଼ଖଣ୍ଡର ରାଞ୍ଚି ପର୍ଯ୍ୟନ୍ତ   ହିଂସାତ୍ମକ ଘଟଣା ଘଟିଛି। ପୋଲିସ ଏହି ଘଟଣାକୁ ନେଇ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରୁଛି। ସେହିପରି ପୋଲିସର ଧରପଗଡ଼ ମଧ୍ୟ ଜୋର ଧରିଛି। ଶୁକ୍ରବାର ଜୁମେର ନମାଜ ପରେ ହୋଇଥିବା ହିଂସା ପରେ ଶନିବାର ସନ୍ଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ୨୬୦ ଜଣ ଅଭିଯୁକ୍ତ ଗିରଫ ହୋଇସାରିଛନ୍ତି। ରାଞ୍ଚିରେ ପ୍ରଶାସନ ଲୋକଙ୍କୁ ଘର ଭିତରୁ ନ ବାହରିବା ପାଇଁ ପରାମର୍ଶ ଦେବା ସହିତ କର୍ଫ୍ୟୁ ଜାରି କରିଛି। ପ୍ରଶାସନ ଜନସାଧାରଣଙ୍କର ଉଦ୍ଦେଶ୍ୟରେ କହିଛି ଯେ, ଲୋକେ ବେଆଇନ ଭାବେ ଘରୁ ବାହାରିଲେ, ସେମାନଙ୍କୁ ଅଟକ ରଖାଯିବ।

ଝାରଖଣ୍ଡର ରାଞ୍ଚିରେ ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ବେଳେ ଲଙ୍କାକାଣ୍ଡ ଘଟିଛି। ବ୍ୟାପକ ଭଙ୍ଗାରୁଜା ସମେତ ପୋଡ଼ାଜଳା ଦେଖିବାକୁ ମିଳିଛି। ଏଥିରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ନୂପୁର ଶର୍ମାଙ୍କ ଗିରଫଦାରୀ ପାଇଁ ଶୁକ୍ରବାର ବିକ୍ଷୋଭ ଚାଲିଥିବା ବେଳେ ଶୁକ୍ରବାର ବିକ୍ଷୋଭକାରୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ। ପ୍ରୟାଗରାଜ, ସହାରନପୁର, ମୁରାଦାବାଦ ଆଦି ଅଞ୍ଚଳରେ ପଥରମାଡ଼ ଓ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏବେ ସରକାରୀ ସଂପତ୍ତି କ୍ଷତି ପହଞ୍ଚାଉଥିବା ଏଭଳି ପ୍ରଦର୍ଶନକାରୀଙ୍କ ବିରୋଧରେ ରାଜ୍ୟ ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି । ଯେଉଁମାନେ ପ୍ରଦର୍ଶନ କରିବେ ସେମାନଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆଇନ୍ ଲାଗୁ ହେବ । ଏଡିଜି (ଲ ଆଣ୍ଡ ଅର୍ଡର) ପ୍ରଶାନ୍ତ କୁମାର ଜାତୀୟ ଗଣମାଧ୍ୟମକୁ ଏହା କହିଛନ୍ତି ।  

ନୂପୁର ଶର୍ମାଙ୍କ ବୟାନକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ଅସନ୍ତୋଷ ଘନେଇବାରେ ଲାଗିଛି। ଏହି ଅସନ୍ତୋଷ ଦେଶ ଭିତରେ ସୀମତି ନ ରହି ଅନ୍ତର୍ଜାତୀୟ ପ୍ରସଙ୍ଗ ପାଲଟିଛି। ଦେଶ ବାହାରେ ଦେଖାଦେଇଥିବା ତୀବ୍ର ପ୍ରତିକ୍ରିୟା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି। ବିଭିନ୍ନ ପ୍ରାନ୍ତରେ ଆରମ୍ଭ ହୋଇଥିବା ଆନ୍ଦୋଳନ ହିଂସାତ୍ମକ ରୂପ ନେଇଛି। ଜଣେ ରାଜନେତ୍ରୀଙ୍କ ବୟାନକୁ ନେଇ ଉପୁଜିଥିବା ହିଂସାକୁ ଦେଶର ବୁଦ୍ଧିଜୀବୀମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ହିଂସା ଦ୍ବାରା କୋଟି କୋଟି ଟଙ୍କା କ୍ଷତି ହେଉଛି। ଏଥିରେ ସରକାର ଓ ଘରୋଇ ସଂପତ୍ତି ରହିଛି। ଲୋକଙ୍କର ଜୀବନ ହାନୀ ମଧ୍ୟ ଘଟିଛି। 

କ’ଣ କହିଲେ ନସ୍ରିନ୍

ନୂପୁରଙ୍କ ବୟାନ ପରେ ଦେଖାଯାଇଥିବା ହିଂସାକୁ ନେଇ ବାଂଲାଦେଶରୁ ନିର୍ବାସିତ ତଥା ପ୍ରସିଦ୍ଧ ଲେଖିକା ତସଲିମା ନସରିନ୍ ନିଜର ପ୍ରତିକ୍ରୟା ଦେଇଛନ୍ତି। ସେ ଦୁଇଟି ଟ୍ୱିଟ୍ରେ ଉଲ୍ଲେଖ କରିଛନ୍ତି ଯେ, ଯଦି ଆଜିର ଦିନରେ ମହାପୁରୁଷ ମହମ୍ମଦ ବଞ୍ଚିଥାନ୍ତେ ତେବେ ସେ ଏଭଳି ହିଂସାତ୍ମକ ଆନ୍ଦୋଳନକୁ ଦେଖି ବିସ୍ମିତ ହୋଇ ଯାଇଥାନ୍ତେ। ସାରାବିଶ୍ୱରେ ମୁସଲମାନଙ୍କ ପାଗଳାମୀକୁ ଦେଇ ଚକିତ ହୋଇଥାନ୍ତେ।  ସମାଲୋଚନାଠାରୁ କେହି ଊର୍ଦ୍ଧ୍ୱରେ ନୁହନ୍ତି। କୌଣସି ମାନବ, ଋଷି, ମସିହା, ପ୍ରଫେଟ  ଏମିତିକି ଭଗବାନ ମଧ୍ୟ ନୁହନ୍ତି ବୋଲି ନସରିନ୍ କହିଛନ୍ତି।

ହିଂସା ପଛରେ ପାକିସ୍ତାନ: କେନ୍ଦ୍ରମନ୍ତ୍ରୀ

ଦେଶର ଭିନ୍ନ ଭିନ୍ନ ସ୍ଥାନରେ ହିଂସା ମାମଲା ସାମ୍ନାକୁ ଆସିଛି। କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଳାଦ ପଟେଲ ଏହାରି ମଧ୍ୟରେ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, କିଛି ଲୋକ ଦେଶର ପ୍ରତିଷ୍ଠାକୁ ଦେଖି ସହ୍ୟ କରିପାରୁ ନାହାନ୍ତି। ତେଣୁ ହିଂସା ସୃଷ୍ଟି କରିବାକୁ ଚାହୁଁଛନ୍ତି। ଏହି ହିଂସା ପଛରେ ପାକିସ୍ତାନର ହାତ ରହିଛି। ଧର୍ମ ନାମରେ କିଛି ଉନ୍ମାଦିମାନଙ୍କୁ ବ୍ୟବହାର କରି ଘଟଣା ଘଟାଉଛନ୍ତି। ଏଥି ପାଇଁ ସମାଜକୁ ସତର୍କ ରହିବାର ଅଛି। ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି ଯେ, ବାପୁଙ୍କ ଆଦର୍ଶ ହିଁ ସ୍ବାଧୀନ ଭାରତର ମାଇଲଖୁଣ୍ଟ। ଭାରତକୁ ଯୋଡ଼ିବା, ନିଜ ନିଜ ଭିତରେ ସଦ୍ଭାବନା ରଖିବା ସବୁ ଦେଶବାସୀଙ୍କର ଦାୟିତ୍ବ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments