ନୂଆଦିଲ୍ଲୀ: ଦେଶର ବିକାଶରେ ଦୁର୍ନୀତି ତୀବ୍ର ବାଧା ସୃଷ୍ଟି କରୁଛି। ସରକାରୀ କର୍ମଚାରୀ ହୁଅନ୍ତୁ କି ନେତା ହୁଅନ୍ତୁ ଦୁର୍ନୀତିର ଚେର ଚାରିଆଡେ ବ୍ୟାପିଛି। ତେବେ ସରକାରୀ କର୍ମଚାରୀଙ୍କ ତୁଳନାରେ ନେତାମାନେ ଅଧିକ ମାରାତ୍ମକ। ଯଦିଓ ସେମାନେ ଧରାପଡ଼ନ୍ତି ନାହିଁ, ତଥାପି ଯେତେବେଳେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ହେଉଛି, ସେହି ସମୟରେ ନେତାମାନଙ୍କର ସଂପତ୍ତି ଓ କାର୍ଯ୍ୟକଳାପ ଦେଖି ତାଜୁବ ହୋଇଯାଉଛନ୍ତି ଜନତା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ନିକଟରେ ପଶ୍ଚିବମଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହେଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଠାରୁ ଜବତ ହୋଇଥିବା ନଗଦ ଟଙ୍କା ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ। ବାଃ ବାଃ ରେ ରାଜନେତା କହିବ।
ରାଜନେତାମାନଙ୍କର ଜୀବନ ଭିନ୍ନ ପ୍ରକାରର। କାରଣ ସେମାନେ ଯାହା କୁହନ୍ତି ତାହା କରନ୍ତି ନାହିଁ। ଲୋକଙ୍କ ଆଗରେ ଅତି ଭଦ୍ର ଦେଖାଯାଉଥିବା ନେତା କେତେଯେ ମାରାତ୍ମକ ତାହା ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଆଡ଼କୁ ନଜର ପକାଇଲେ ଜାଣିହେବ। ଜନସାଧାରଣଙ୍କର ଟଙ୍କାକୁ ବେଆଇନ ଭାବରେ ଠୁଳ କରି ଜଣେ ମହିଳା ସହଯୋଗୀଙ୍କ ପାଖରେ ରଖିବା ମନ୍ତ୍ରୀଙ୍କ କାମକୁ ଦେଖିଲେ ନିଶ୍ଚିତ ଭାବେ ମନରେ ଏକ ବିତୃଷ୍ଣା ଭାବ ଜାତ ହେବ। ଅର୍ପିତାଙ୍କ ଠାରୁ ଜବତ ହୋଇଥିବା ଟଙ୍କା ପୈତୃକ ସଂପତ୍ତି ନୁହେଁ। ପାର୍ଥଙ୍କ ସହିତ ଯୋଗାଯୋଗ ପୂର୍ବରୁ ଅର୍ପିତା ମଧ୍ୟ ଜଣେ ସାଧାରଣ ମଣିଷ ଥିଲେ। କିନ୍ତୁ ସମୟ କ୍ରମେ କୋଟିପତି ହୋଇପାରିଛନ୍ତି। ଯେତେବେଳେ ଧରାପଡ଼ିଯାଉଛନ୍ତି ବିଭିନ୍ନ ଆଳ ଦେଖାଉଛନ୍ତି।
ପାର୍ଥ କହିଲେ ଟଙ୍କା ତାଙ୍କର ନୁହେଁ
ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ରବିବାର ଦାବି କରିଛନ୍ତି ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଚଢ଼ଉ ସମୟରେ ଜବତ ହୋଇଥିବା ଟଙ୍କା ତାଙ୍କର ନୁହେଁ। ଏଥି ସହିତ ସେ କହିଛନ୍ତି ଯେ, ସମୟ କହିବ ଯେ, କିଏ ତାଙ୍କର ବିରୋଧରେ ଷଡ଼ଯନ୍ତ୍ର କରୁଛି। ଅନ୍ୟପଟରେ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ପୂର୍ବରୁ କହିଥିଲେ ଯେ, ନଗଦ ଟଙ୍କା ପାର୍ଥ ଚାଟାର୍ଜୀଙ୍କର। କିନ୍ତୁ ଏବେ ଉଭୟ ପାର୍ଥ ଓ ଅର୍ପିତା ମନା କରିବା ପରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାର ସାମ୍ନାରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ଯେ, ଚଢ଼ଉ ସମୟରେ ଜବତ ହୋଇଥିବା ସଂପତ୍ତି କାହାର?
ଅର୍ପିତାଙ୍କ ଠିକଣାରୁ ୫୦ କୋଟି ଜବତ
କେନ୍ଦ୍ରୀୟ ତଦନ୍ତ ସଂସ୍ଥା ପାଥଁ ଚାଟାର୍ଜୀଙ୍କ ଜୀବନ ସହିତ ଜଡ଼ିତ ୧୭ଟି ସ୍ଥାନରେ ଚଢ଼ଉ କରିଛି। ଆହୁରି ଅନେକଗୁଡ଼ିଏ ସ୍ଥାନରେ ଚଢ଼ଉ କରିପାରେ। ଡାଇମଣ୍ଡ ସିଟିର ଫ୍ଲାଟରେ ଜୁଲାଇ ୨୨ରେ ଚଢ଼ଉ ହୋଇଥିଲା। ବେଲଘୋରିଆର ୨ଟି ଫ୍ଲାଟରେ ଜୁଲାଇ ୨୭ରେ ଚଢ଼ଉ ହୋଇଥିଲା। ଚିନାର ପାର୍କର ଫ୍ଲାଟରେ ଜୁଲାଇ ୨୮ରେ ଇଡି ଚଢ଼ଉ କରିଥିଲା। ଏବେ ଅର୍ପିତାଙ୍କ ୪ଟି ଫ୍ଲାଟରେ ଇଡି ଚଢ଼ଉ କରିସାରିଛି। ଅର୍ପିତା ମୁଖାର୍ଜୀଙ୍କ ଘରୁ ଚଢ଼ଉ ସମୟରେ ପୂର୍ବରୁ ପାଖାପାଖି ୨୨ କୋଟି ଟଙ୍କା ଓ ୭୦ ଲକ୍ଷ ମୂଲ୍ୟର ସୁନା ଏବଂ ଦ୍ବିତୀୟ ଥର ଚଢ଼ଉ ସମୟରେ ୨୮ କୋଟି ନଗଦ ଟଙ୍କା ଓ ୪ କୋଟି ସୁନା ଜବତ ହୋଇଥିଲା।
୩ କଂଗ୍ରେସ ନେତା
ପଶ୍ଚିମବଙ୍ଗ ପୋଲିସ ଶନିବାର ବିଳମ୍ବିତ ରାତିରେ ହାୱଡା ଜିଲ୍ଲାରେ ଝାଡ଼ଖଣ୍ଡର ୩ ଜଣ ବିଧାୟକଙ୍କ ଠାରୁ ବ୍ୟାପକ ପରିମାଣରେ ଟଙ୍କା ଜବତ କରିଛି। ଏହି ଟଙ୍କାକୁ ଝାଡ଼ଖଣ୍ଡର ୩ ଜଣ କଂଗ୍ରେସ ବିଧାୟନ ନେଇକି ଯାଉଥିବା ବେଳେ ପଂଚଲା ଥାନା ଅଞ୍ଚଳର ରାନୀହାଟୀରେ ୧୬ ନମ୍ବର ଜାତୀୟ ରାଜପଥରେ ପୋଲିସ ଆଗରେ ଧରାପଡ଼ିଥିଲେ। କାରଣ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିବା ପରେ ପୋଲିସ ଚଢ଼ଉ ପାଇଁ ପୂର୍ବରୁ ପ୍ରସ୍ତୁତ ଥିଲା। ହାଓଡା ସିଟିର ଡିସିପି (ଦକ୍ଷିଣ) ପ୍ରତିକ୍ଷା ଝାଖରିଆ ଗଣମାଧ୍ୟମକୁ କହିଛନ୍ତି ଯେ, ରାଜେଶ କଛପ, ନମନ ଭିକ୍ସେଲ କୋଙ୍ଗାରୀ ଓ ଝରଫାନ ଅଂସାରୀଙ୍କ ନିକଟରୁ ନଗଦ ଟଙ୍କା ମିଳିଛି । ଏହି ୩ ଜଣ ଝାଡ଼ଖଣ୍ଡର କଂଗ୍ରେସ ନେତା । ହାୱଡା ଗ୍ରାମାଞ୍ଚଳ ପୋଲିସ ଅଧୀକ୍ଷକ ସ୍ୱାତି ଭଙ୍ଗାଲିଆ କହିଛନ୍ତି ଯେ, ଅଂସାରୀ ଜାମତାଡାରୁ, କଛପ ରାଂଚୀର ଖିଜରୀରୁ ଓ କୋଙ୍ଗାରୀ ସିମଡେଗାର କୋଲେବିରାରୁ ବିଧାୟକ ଅଛନ୍ତି । ତିନି ବିଧାୟକ ଗିରଫ ହୋଇଛନ୍ତି।
ସଂଜୟ ରାଉତଙ୍କ ପାଳି ପଡ଼ିଛି
ମହାରାଷ୍ଟ୍ର ରାଜନୀତିରେ ଅନ୍ୟତମ ଟାଣୁଆ ନେତା ସଂଜୟ ରାଉତଙ୍କର ଏବେ ପାଳି ପଡ଼ିଛି। ଶିବସେନାର ନେତା ସଂଜୟ ରାଉତ ୧୦୩୪ କୋଟି ଟଙ୍କାର ପାତ୍ର ଚଲ ଦୁର୍ନିୀତି ସହିତ ମନି ଲଣ୍ଡରିଙ୍ଗ୍ ମାମଲା ଚାଲିଛି । ତାଙ୍କୁ ଇଡି ପକ୍ଷରୁ ଏକାଧିକ ଥର ସମନ ହୋଇଛି । କିନ୍ତୁ ଯେକୌଣସି କାରଣରୁ ସଂଜୟ ରାଉତ ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି । ତେଣୁ ଇଡି ରବିବାର ଭୋର ସକାଳୁ ସଂଜୟ ରାଉତଙ୍କର ମୁମ୍ବାଇସ୍ଥିତ ବାସଭବନରେ ଅତର୍କିତ ଚଢ଼ଉ କରି ନିଜ ହେପାଜତକୁ ନେଇଛି।