Tuesday, September 10, 2024
Homeନୟାଗଡ଼ରେ ଆଉ ଜଣେ ପରୀ ନିଖୋଜ
Array

ନୟାଗଡ଼ରେ ଆଉ ଜଣେ ପରୀ ନିଖୋଜ

ଭୁବନେଶ୍ୱର: ନୟାଗଡ଼ ସଦର ଥାନା ଅଂଚଳରେ ପାଂଚ ବର୍ଷର ନାବାଳିକା ଅମ୍ରିତାସ୍ନେହା ଓରଫ୍ ପରୀ ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ରଣପୁର ବ୍ଲକ ଅନ୍ତର୍ଗତ ସୁନାଖଳା ଫାଣ୍ଡି ଅଧୀନ ଏକ ଗାଁରୁ ଡିସେମ୍ବର ୧୧ ତାରିଖ ଅପରାହ୍ନ ଠାରୁ ପୁଣି ଜଣେ ୩ ବର୍ଷର ଶିଶୁକନ୍ୟା ନିଖୋଜ ଅଛି । ଏକ ସାଧାରଣ ପରିବାର ନାବାଳିକାକୁ ଗତକାଲି ଠାରୁ ପରିବାର ଲୋକ, ବନ୍ଧୁବାନ୍ଧବ ଓ ଗାଁ ଲୋକେ ଖୋଜୁଥିଲେ ମଧ୍ୟ ଘଟଣାର ୪୮ ଘଣ୍ଟା ପରେ ମଧ୍ୟ କିଛି ସୁରାକ ମିଳିପାରି ନାହିଁ । ଥାନାରେ ଅଭିଯୋଗ ହେବା ପରେ ଓ ରଣପୁର ଓ ସୁନାଖଳାର ଏକ ପ୍ଲାଟୁନ ପୋଲିସ ନିଖୋଜ ଝିଅକୁ ଖୋଜିଛନ୍ତି । ଓଡ୍ରାଫର ଟିମ୍ ମଧ୍ୟ ଗାଁର ୩ଟି ପୋଖରୀରେ ନିଷ୍ପାପ ଶିଶୁକନ୍ୟାକୁ ଖୋଜି ପାଇବାରେ ବିଫଳ ହୋଇଛନ୍ତି ।

ଗାଁ ଦାଣ୍ଡରେ ଖେଳୁଥିଲା ୩ ବର୍ଷର ଶିଶୁକନ୍ୟା

ଦଧୀପାଟଣା ଗ୍ରାମର ସାଧାରଣ ଚାଷୀ ସଂଜୟ କୁମାର ସାହୁଙ୍କ ଝିଅ ହରପ୍ରିୟା ଶୁକ୍ରବାର ଅପରାହ୍ନ ପ୍ରାୟ ୨ଟାରେ ଗାଁ ଦାଣ୍ଡରେ ଖେଳୁଥିଲା । ହରପ୍ରିୟା ପରିବାର ଲୋକେ ଘରେ ଥିଲେ । ଝିଅ ପ୍ରାୟ ୨ ଘଣ୍ଟା ଯାଏଁ ଘରକୁ ଆସି ନଥିଲା । ଫଳରେ ବାପା-ମା ବ୍ୟସ୍ତ ହୋଇପଡ଼ିଥିଲେ । ସେମାନେ ପୋଡିଶା ଘର, ଗାଁର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେଲେ । ଶେଷରେ ଝିଅର କୌଣସି ସନ୍ଧାନ ନମିଳିବାରୁ ପୁଲିସ ନିକଟରେ ଅଭିଯୋଗ କରିଥିଲେ ।

ଦିନକ ପରେ ବି ମିଳିନି ସନ୍ଧାନ

ହରପ୍ରିୟା ନିଖୋଜ ହେବାକୁ ଗୋଟିଏ ଦିନ ବିତିଯାଇଛି । କିନ୍ତୁ କୌଣସି ସନ୍ଧାନ ମିଳିପାରି ନାହିଁ । ଝିଅ ନିଖୋଜ ହୋଇଥିବାରୁ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ଘରେ ଚୁଳି ଜଳିନାହିଁ । କାହାରି ମୁହଁରେ ଭାଷା ନାହିଁ । ଗାଁରେ ପୋଲିସ ଡେରା ପକାଇଥିବା ବେଳେ ଓଡ୍ରାଫ ଟିମ ଗାଁର ଆଖପାଖ ଅଂଚଳରେ ବହୁ ଖୋଜାଖୋଜି କରିସାରିଛି । ହରପ୍ରିୟାର ନିଖୋଜ ନେଇ ସଂପୃକ୍ତ ଅଂଚଳରେ ନାନା ଚର୍ଚ୍ଚା ହେଉଛି । ଲୋକେ ନାନା କଥା କହୁଛନ୍ତି ।

ପରୀ ବି ସମାନ ଅବସ୍ଥାରେ ନିଖୋଜ ଥିଲା

ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରର ଝିଅ ପରୀ ମଧ୍ୟ ସମାନ ସ୍ଥିତିରେ ନିଖୋଜ ହୋଇଯାଇଥିଲା । ଗତ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରୁ ନିଖୋଜ ହୋଇଯାଇଥିଲା । ପରିବାର ଲୋକେ ଝିଅକୁ ନପାଇବାରୁ ଥାନାରେ ଏତଲା ଦେଇଥିଲେ । ୮ ଦିନ ଅନ୍ତରାଳେ ଅର୍ଥାତ ଜୁଲାଇ ୨୩ରେ ପରୀର ମୃତଦେହ ମିଳିଥିଲା । ସେହିଦିନ ଠାରୁ ପୁଲିସ ଘଟଣାର ତଦନ୍ତ କରୁଛି । କିନ୍ତୁ ହତ୍ୟାକାରୀ କିଏ, ତାହା ଜଣାପଡ଼ି ନାହିଁ । ଗତ ୨୪ ତାରିଖରେ ପରୀର ବାପା-ମା’ ଆତ୍ମହୁତି ଉଦ୍ୟମ କରିବା ପରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ଓ ଏସଆଇଟି ଗଠନ କରି ତଦନ୍ତ କରିବାକୁ କହିଛନ୍ତି ।

ରାଜନୈତିକ ବାତାବରଣ ଗରମ

ନାବାଳିକା ପରୀ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ରାଜନୈତିକ ଦଳ ଓ ଅନ୍ୟ ସଂଗଠନ ମଧ୍ୟରେ ତତ୍ପରତା ବଢ଼ିଛି । ବିଜେପି ମହିଳା ମୋର୍ଚ୍ଚା ଭୁବନେଶ୍ୱର ସର୍କିଟ ହାଉସ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୋଧରେ ଶ୍ଲୋଗାନ ଦେଇଥିଲେ । ବାରିପଦାରେ କେଶରୀଆ ହିନ୍ଦୁ ବାହିନୀ ପକ୍ଷରୁ ମଧ୍ୟ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦାବି କିରିଥିଲା । ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ଓ ବିଜେପି ରାଜ୍ୟ ପ୍ରଭାରୀ ଡି. ପୂରନ୍ଦେଶ୍ୱରୀ ପରୀର ବାପା-ମା’ଙ୍କୁ ଭେଟି ଘଟଣା ଦିନର ସମସ୍ତ ତଥ୍ୟ ସଂପର୍କରେ ଅବଗତ ହୋଇଥିଲେ । ଚେଲ୍ଲାକୁମାରଙ୍କ ସହିତ ପିସିସି ସଭାପତି ନରଂଜନ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ପ୍ରମୁଖ ଥିଲେ । ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ନରସିଂହ ଦାବି କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments