Wednesday, October 9, 2024
Homeପଞ୍ଚାୟତ ନିର୍ବାଚନରେ ଥମୁନି ହିଂସା
Array

ପଞ୍ଚାୟତ ନିର୍ବାଚନରେ ଥମୁନି ହିଂସା

ଭୁବନେଶ୍ବର: ଓଡ଼ିଶାରେ ୨୦୨୨-୨୭ ପାଇଁ ଚାଲିଥିବା ପଞ୍ଚାୟତ ନିର୍ବାଚନ ଲାଗି ହିଂସା ଜାରି ରହିଛି। ଗତ ୧୬ ତାରିଖ ଠାରୁ ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ଏହାରି ମଧ୍ୟରେ ୨ଟି ପର୍ଯ୍ୟାୟ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ (ଫେବ୍ରୁଆରୀ ୧୮ ତାରିଖ) ମଧ୍ୟ ରାଜ୍ୟର କିଛି ବୁଥ୍‌ରେ ହିଂସା ଦେଖାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ କରିବାକୁ ଚାହିଁଥିବା ସରକାର ଓ ପ୍ରଶାସନର ଉଦ୍ୟମ ଫେଲ୍‌ ହୋଇଛି। ୨ୟ ପର୍ଯ୍ୟାୟର ମତଦାନ ସମୟରେ ଯାଜପୁର ଓ ଜଗତସିଂହପୁର ଜିଲ୍ଲାର କିଛି ବୁଥ୍‌ରେ ମତଦାନରେ ବିଭ୍ରାଟ ଦେଖାଯାଇଛି, ଯାହାକି ଗଣମାଧ୍ୟମର ଖବରରୁ ଜଣାପଡ଼ିଚି। କିନ୍ତୁ ଆହୁରି ଅନେକ ସ୍ଥାନରେ ଭୋଟ୍‌ ପାଇଁ ଅଶାନ୍ତି ଦେଖାଯାଇଛି, ଯେଉଁଥି ପାଇଁ ଭୋଟ୍‌ ବର୍ଜନ କରିଛନ୍ତି ମତଦାତା।

ପ୍ରଥମ ପର୍ଯ୍ୟାୟରେ ମତଦାନ ସମୟରେ ଭଦ୍ରକ, ଯାଜପୁର, ପୁରୀ ଓ ଢେଙ୍କାନାଳ ଜିଲ୍ଲାର ୨୫ଟି ବୁଥରେ ବିଭ୍ରାଟ ଦେଖାଯାଇଥିଲା। ଯାଜପୁର ଜିଲ୍ଲାର ଏକ ବୁଥ୍‌ରେ ଭୋଟ କ୍ୟାପଚରିଂ ହୋଇଥିଲା। ବ୍ରହ୍ମବଦଦାରେ ଉତ୍ତେଜିତ ଲୋକେ ପୋଲିସର ଗାଡ଼ି ଭାଙ୍ଗି ଦେଇଥିବା ବେଳେ ମହିଳା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଯାଜପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ବ୍ୟାଘାତ ସୃଷ୍ଟି କରିଥିବା ୧୪ ଜଣ ଗିରଫ ହୋଇଥିଲେ। ପୁରୀରେ ମତଦାନରେ ବିଭ୍ରାଟ ସୃଷ୍ଟି କରିଥିବା ୧୮ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ସେହିପରି ଢେଙ୍କାନାଳ ଜିଲ୍ଲାରେ ୬ ଜଣ ଗିରଫ ହୋଇଥିଲେ। ପ୍ରଥମ ପର୍ଯ୍ୟାୟରେ ହିଂସା ସୃଷ୍ଟି ହେବା ପରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶ ସୁନୀଲ ବଂଶଲ କହିଥିଲେ ହିଂସା କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

ପୋଲିସ ନିରବ ଦ୍ରଷ୍ଟା

ପଞ୍ଚାୟତ ନିର୍ବାଚନ ବେଳେ ଗଣ୍ଡଗୋଳ ହେଉଛି, ପୋଲିସ-ପୋଲିଂ କର୍ମଚାରୀ ମାଡ଼ ଖାଉଛନ୍ତି। ସେହିପରି ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରାଯାଉଛି। ବୁଥ କ୍ୟାପଚରିଂ ଓ ଭୋଟ ବାକ୍ସ ବଳପୂର୍ବକ ଛଡ଼ାଇ ନିଆଯାଉଛି। ଏସବୁ ଘଟଣା ଘଟିବା ହେଉଛି ପୋଲିସର ଦୁର୍ବଳତା। କାରଣ ଘଟଣା ଘଟିବା ପୂର୍ବରୁ ପୋଲିସ ନିଜକୁ ଶକ୍ତ କରିପାରୁ ନାହିଁ। ଅନ୍ୟପଟରେ ନିର୍ବାଚନରେ ହିଂସା ଦେଖାଯାଉଥିବାରୁ ସାଧାରଣ ଜନତାଙ୍କର ପ୍ରବଳ କ୍ଷତି ହେଉଛି। ସରକାରଙ୍କୁ ରାଜସ୍ୱ କ୍ଷତିର ସାମ୍ନା କରିବାକୁ ପଡୁଛି। ଯେଉଁ ବୁଥରେ ହିଂସାକାଣ୍ଡ ହେଉଛି, ସେଠାରେ ପୁଣି ଥରେ ମତଦାନ କରାଯିବାକୁଯୋଜନା କରାଯାଉଛି।

ବିଚ୍‌ ରାସ୍ତାରେ ଭୋଟ୍‌ ବାକ୍ସ ଲୁଟିଲେ

ପୋଲିଂ କର୍ମଚାରୀମାନେ ଭୋଟ ସରିଲା ପରେ ଭୋଟ ବାକ୍ସ ନେଇ ଷ୍ଟ୍ରଙ୍ଗ୍‌ରୁମକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଭୋଟ ବାକ୍ସକୁ ଛଡାଇ ନେଇ ପୋଖରୀକୁ ଫିଙ୍ଗିଦେଇଛନ୍ତି। ଏହି ଘଟଣା ବଣପାହାଡ଼ କୌଣସି ବଡ଼ପାହାଡ଼ ଘେରା ଦୁର୍ଗମ ଅଞ୍ଚଳରେ ଘଟି ନାହିଁ। ବରଂ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦଶରଥପୁର ପଞ୍ଚାୟତର ୯ ନଂ ବୁଥର ଭୋଟ ବାକ୍ସକୁ ଦୁର୍ବୃତ୍ତମାନେ ବଳପୂର୍ବକ ଲୁଟିଛନ୍ତି। ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ ଥିବାର ପୋଲିଂ ବୁଥ୍‌ ଠାରୁ କର୍ମଚାରୀମାନେ ଚାଲିଚାଲି ଭୋଟ ବାକ୍ସ ଲୁଟ୍‌ ହୋଇଛି। ଏହି ଘଟଣା ଆମ ରାଜ୍ୟର ସୁରକ୍ଷା ବ୍ୟବସ୍ଥାର ପାରିବାପଣିଆକୁ ଦର୍ଶାଉଛି। ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ, ଦୁର୍ବୃତ୍ତମାନେ ଯେତେବେଳେ ଭୋଟ ବାକ୍ସ ଛଡ଼ାଉ ଥିଲେ ପୋଲିସ କର୍ମଚାରୀ କରୁଥିଲେ କ’ଣ?

୭୧ ପ୍ରତିଶତ ମତଦାନ

ଦ୍ଵିତୀୟ ପର୍ଯ୍ୟାୟରେ ହୋଇଥିବା ମତଦାନ ନେଇ ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରତିକ୍ରିୟା ଦେଇଛନ୍ତି। ଶ୍ରୀ ପାଢ଼ୀ କହିଛନ୍ତି ଯେ, ୬୮ଟି ବ୍ଲକରେ ମୋଟ ୧୫୬୪ ଗ୍ରାମପଞ୍ଚାୟତରେ ମତଦାନ ହୋଇଛି। ମୋଟ ୨୦,୪୩୬ଟି ବୁଥରେ ମତଦାତା ଭୋଟ ଦେଇଛନ୍ତି। ରାଜ୍ୟରେ ଫେବ୍ରୁଆରୀ ୧୮ ତାରିଖରେ ହୋଇଥିବା ମତଦାନ ବିଭ୍ରାଟକୁ ଶ୍ରୀ ପାଢ଼ୀ ସାମାନ୍ୟ କହିଛନ୍ତି। ସେ କହିଛନ୍ତି ଯେ, କିଛି ସ୍ଥାନ ବ୍ୟତୀତ ଅନ୍ୟ ଜାଗାରେ ଶାନ୍ତିଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଛି। ଯାଜପୁର ଓ ଜଗତସିଂହପୁର ଜିଲ୍ଲାର କିଛି ବୁଥରେ ମତଦାନ ବିଭ୍ରାଟ ହୋଇଥିବା ସୂଚନା ମିଳିଛି। ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ପ୍ରାରମ୍ଭିକ ଆକଳନ ଅନୁସାରେ ୭୧ ପ୍ରତିଶତ ମତଦାନ ହୋଇଛି। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments