ଭୁବନେଶ୍ୱର: ରାଜ୍ୟରେ ଆଇନ୍କାନୁନ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ବାହୁବଳ ଓ ଅର୍ଥବଳ କାମ କରୁଛି। ପ୍ରଭାବଶାଳୀ ଲୋକମାନେ ଆର୍ଥିକ ରୂପେ ଅନଗ୍ରସର ଲୋକଙ୍କୁ ମଣିଷ ଭଳି ଦେଖୁ ନାହାନ୍ତି। ନିଜେ ବଡ଼ ହେବା ପାଇଁ ଅନ୍ୟ ଉପରେ ଆକ୍ରମଣ କରିବା, କ୍ଷମତା ହାତେଇବା ପାଇଁ ଏକ ଗୋଷ୍ଠୀର ଲୋକେ ସବୁବେଳେ ଚିନ୍ତା କରୁଛନ୍ତି। ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ହାରିବା ଭୟରେ ବୁଥ କ୍ୟାପଚରିଂ, ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼, ପୁଲିସ ଗାଡ଼ି ଭାଙ୍ଗିବା ଆଦ ଅରାଜକତା କରିଛନ୍ତି। ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ଢିଲା ହୋଇଥିବାରୁ ଏଭଳି ଅବସ୍ଥା ଦେଖିବାକୁ ମିଳିଛି ପଞ୍ଚାୟତ ନିର୍ବାଚନ ହେଉଛି ଏହାର ମୁଖସାଖି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ମତଦାନ ଶେଷ ହୋଇଥିବା ବେଳେ ପ୍ରାୟତଃ ୩୦ ଜିଲ୍ଲାର ଯେକୌଣସି ସ୍ଥାନରେ ନିର୍ବାଚନୀ ହିଂସ ଦେଖିବାକୁ ମିଳିଛି।
ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ କହିଛନ୍ତି ଯେ, ମତଦାନ ସମୟରେ କିଛି ସ୍ଥାନରେ ହିଂସା ଓ ଉତ୍ତେଜନା ଦେଖାଯାଇଛି। ତଥାପି ପାଖାପାଖି ୭୦ ପ୍ରତିଶତ ମତଦାନ ହୋଇଛି। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ତୁଣ୍ଡାମେଲା ଗ୍ରାମପଞ୍ଚାତର ୧୧ ନମ୍ବର ଓ୍ଵାର୍ଡରେ ନିର୍ବାଚନ ହୋଇ ପାରିନାହିଁ। କିଛି ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଏବଂ ବିଶୃଙ୍ଖଳା ଦେଖାଯାଇଛି। ଢେଙ୍କାନାଳ ଜିଲ୍ଲାର ୩ଟି ବୁଥ, ଯାଜପୁର ଜିଲ୍ଲାର ୭ଟି ବୁଥ ଏବଂ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଏସଂପର୍କରେ ଜିଲ୍ଲାପାଳଙ୍କ ଠାରୁ ବିସ୍ତୃତ ରିପୋର୍ଟ ପାଇଲା ପରେ ରାଜ୍ୟ ର୍ନିବାଚନ କମିିସନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ରାଜ୍ୟ ନିର୍ବାଚନ କମିସନଙ୍କ କହିବା ଅନୁସାରେ ୧୫ଟି ବୁଥରେ ବିଶୃଙ୍ଖଳା ଦେଖାଯାଇଛି। କିନ୍ତୁ ଅଣଅଧିକାରୀ ସୂତ୍ରରୁ ଜଣାଯାଇଛି ଯେ, ଶତାଧିକ ସ୍ଥାନରେ ହିଂସାକାଣ୍ଡ ହୋଇଛି।
କ’ଣ କହିଲେ କେନ୍ଦ୍ରମନ୍ତ୍ରୀ
ମତଦାନ ସମୟରେ ଶାସକ ଦଳର ହିଂସା ଓ ଅରାଜକତା ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ତୃଣମୂଳ ସ୍ତରରେ ଭୋଟ୍ ଦେବା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖାଯାଇଛି। ଏହା ଆମର ଗଣତନ୍ତ୍ର ପାଇଁ ଏକ ଶୁଭ ସଙ୍କେତ। କିନ୍ତୁ ଧର୍ମଶାଳା, ଯାଜପୁର, ବ୍ରହ୍ମଗିରି, ଅନୁଗୋଳ, ହିନ୍ଦୋଳ, ଭଦ୍ରକ, କଣାସ, ଜଳେଶ୍ୱର, ବାଙ୍ଗିରିପୋଷୀ, ଭଟଲି ଓ ପାଟଣାଗଡ଼ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସା ଘଟିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ପ୍ରାକ୍ ନିର୍ବାଚନୀ ହିଂସା ମଧ୍ୟ ଘଟିଛ।ଏହା ଚିନ୍ତାଜନକ ଓ ଦୁଃଖଦାୟକ।
ବାହାଦୂରୀ ମିଛ: ନିରଞ୍ଜନ
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କହିବା ଅନୁସାରେ ବହୁ ସ୍ଥାନରେ ବୁଥ ଜବରଦଖଲ ଏବଂ ନିର୍ମମ ଭାବରେ ମାଡପିଟ ହୋଇଛି। ଖାଲି ସେତିକି ନୁହେଁ କର୍ତ୍ତବ୍ୟରତ ଗଣମାଧ୍ୟମର କର୍ମୀଙ୍କୁ ଆକ୍ରମଣ କରାଯିବା ଦୁର୍ଭାଗ୍ୟର କଥା। ରାଜ୍ୟ ସରକାର ପୂର୍ବରୁ ଯେଉଁ ବାହାଦୂରି ମାରୁଥିଲେ ଯେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରକାର ପ୍ରସ୍ତୁତ ଏବଂ ସ୍ୱଚ୍ଛ, ନିର୍ମଳ, ଅବାଧ ଓ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସମ୍ପନ୍ନ କରିବେ ବୋଲି ତାହା ଆଜି ମିଛ ପ୍ରମାଣିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେଉଁ ସ୍ତରକୁ ଖସିଯାଇଛି।
ହାରିବା ଭୟ: ବିଜେଡି
ବିଜୁ ଜନତା ଦଳ ସବୁ ବେଳେ ଅହିଂସାରେ ବିଶ୍ୱାସ କରେ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ଦ୍ୱାରା ହିଁ ଗଣତନ୍ତ୍ରକୁ ସୁଦୃଢ଼ କରାଯାଇ ପାରିବ ବୋଲି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏବଂ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି। ବିଜେପି ଚଳିତ ପଞ୍ଚାୟତ ନିର୍ବାଚନରେ ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସରକାରୀ କର୍ମଚାରୀଙ୍କୁ ଧମକାଉଛନ୍ତି। ବିଜେପି ନେତା କର୍ମୀମାନେ ଗଜପତି ଓ ପିପିଲିରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଛନ୍ତି। କୋରାପୁଟ, ସାଲେପୁର, ବ୍ରହ୍ମଗିରି, କଣାସ, ଢେଙ୍କାନାଳ ଏବଂ ଆହୁରି ଅନେକ ଜିଲ୍ଲାମାନଙ୍କରେ ବିଜେପି ନିର୍ବାଚନୀ ହିଂସା କରିଛି ବୋଲି ସେ କହିଛନ୍ତି।