ଭୁବନେଶ୍ୱର: ଓଡ଼ିଶା ପଞ୍ଚାୟତିରାଜ ନିର୍ବାଚନ-୨୦୨୨-୨୦୨୭ ପାଇଁ ପ୍ରକ୍ରିୟା ଜୋରଦାର୍ ଚାଲିଛି। ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନଙ୍କ ସହିତ ସେମାନଙ୍କ ସହକର୍ମୀ ଓ ଚେଲା-ଚାମୁଣ୍ଡାମାନେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି। ସେହିପରି ପୋଲିସ ଶାନ୍ତିଶୃଙ୍ଖଳା ଉପରେ ନଜର ରଖିଥିବା ବେଳେ ପ୍ରାର୍ଥୀମାନଙ୍କ ଠାରୁ କିପରି ଅଧିକ ଟଙ୍କା ପାଇପାରିବେ ସେହି ଚିନ୍ତାରେ ବ୍ୟସ୍ତ ଅଛନ୍ତି। ଆସନ୍ତା ୧୬ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ମତଦାନ ହେବ। ଏଥି ପାଇଁ ୧୪ ତାରିଖରେ ପ୍ରଚାର ଶେଷ ହେବ। ପ୍ରଥମ ପର୍ଯ୍ୟାୟରେ ୩୦ଟି ଜିଲ୍ଲାର ୭୧ଟି ବ୍ଲକରେ ୨୦୦ ଜିଲ୍ଲା ପରିଷଦ, ୧୬୬୯ ସରପଞ୍ଚ, ୧୬୬୯ ସମିତି ସଭ୍ୟ, ୨୨ ହଜାର ୩୭୯ ୱାର୍ଡମେମ୍ବର ପାଇଁ ହେବ ଭୋଟ ଗ୍ରହଣ ହେବ। ଏମାନଙ୍କୁ ୬୬ ଲକ୍ଷ ୫୧ହଜାର ମତଦାତା ନିଜର ମତଦାନ ସାବ୍ୟସ୍ତ କରିବେ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲ୍ଲାପାଳମାନଙ୍କ ସହ ଡିଜିଟାଲ ମାଧ୍ୟମରେ କଥା ହୋଇଛନ୍ତି। ବୈଠକରେ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ନେଇ ଆଲୋଚନା ହୋଇଛି। ପଞ୍ଚାୟତ ନିର୍ବାଚନ ନେଇ ନୂଆ ସରକୁଲାର ଜାରି ହୋଇଛି ବୋଲି ସେ କହିଛନ୍ତି। ଭୋଟ ପ୍ରଚାର ସାରିବା ପରେ ଭୋଟ ହେଉଥିବା ଅଞ୍ଚଳରେ ଏବଂ ଅନ୍ୟ ଅଞ୍ଚଳର ଲୋକ କିମ୍ବା କୌଣସି ଦଳର ନେତା ରହିପାରିବେ ନାହିଁ। ଅର୍ଥାତ ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ସମସ୍ତ ବାହାର ଅଞ୍ଚଳର ଲୋକ ନିର୍ବାଚନ ହେଉଥିବା ଅଞ୍ଚଳ ଖାଲି କରିବା ପାଇଁ ନିର୍ଦେଶ ରହିଛି। କିନ୍ତୁ ନିର୍ବାଚନ ଆୟୋଗଙ୍କ ଏହି ସର୍କୁଲାର ନେତାମାନେ ମାନିବା ଭଳିଆ ଲାଗୁ ନାହିଁ।
ଭୋଟ୍ ପିଛା ୧୦୦୦ରୁ ଅଧିକ
ପ୍ରତିଥର ପ୍ରଶାସନ ତରଫରୁ ଏଥର ଭଳି ସର୍କ୍ୟୁଲାର ଜାରି ହୋଇଥାଏ। ମତଦାନର ୩୬ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ବନ୍ଦ କରାଯାଇଥାଏ। ଏହି ଆଇନ୍ ସରକାରୀ କାଗଜପତ୍ରରେ କେବଳ ସୀମିତ ଥାଏ। ବାସ୍ତବରେ ନେତା-ଜନତା ଏହାକୁ ପାଳନ କରି ନଥାନ୍ତି। ନିର୍ବାଚନ ପ୍ରଚାର ଶେଷ ହେବା ପରେ ନେତାମାନେ ଅନ୍ଧାରୀ ବିଜେ କରିଥାନ୍ତି। ଏହିଠାରୁ ଅସଲ ଖେଳ ଆରମ୍ଭ ହୋଇ ଥାଏ। ମତଦାତାଙ୍କର ମୂଲ୍ୟ ମୁଲଚାଲ ହୋଇଥାଏ। ମତଦାତା ମାଲାମାଲ ହୋଇଯାଆନ୍ତି। ରାଜନୈତିକ ସମୀକରଣ ବଦଳି ଯାଇଥାଏ। ପଞ୍ଚାୟତ ପାଇଁ ଯୋଗ୍ୟ ବ୍ୟକ୍ତି ସରପଞ୍ଚ, ସମିତି ସଭ୍ୟ ହୋଇପାରନ୍ତି ନାହିଁ। ଟଙ୍କାର ଲାଳସାରେ ମତଦାତା ଅଧିକ ଟଙ୍କା ଦେଇଥିବା ପ୍ରାର୍ଥୀଙ୍କୁ ଭୋଟ ଦେଇ ବିଜୟୀ କରିଥାନ୍ତି। ମତଦାତା ଏହି ଦୁଇଦିନ ଖାଇପିଇ ବିଳାସମୟ ଜୀବନ ଜିଇଁଥାନ୍ତି। ସରପଞ୍ଚ-ସମିତି ସଭ୍ୟ ପ୍ରାର୍ଥୀମାନଙ୍କୁ ଗୋଟିଏ ଭୋଟ୍ ପାଇବା ପାଇଁ ୫୦୦ରୁ ୧୨ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥାଏ। ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ୨ ଲକ୍ଷ ରହିଛି। କିନ୍ତୁ ସରପଞ୍ଚ ପ୍ରାର୍ଥୀମାନଙ୍କୁ ନିର୍ବାଚନରେ ୨୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।
ବଢ଼ିଯାଏ ପୋଲିସର ଦାୟିତ୍ୱ
ନିର୍ବାଚନ ପାଇଁ ପ୍ରଚାର ଅବଧୀ ଶେଷ ହୋଇଯିବା ପରେ ହିଂସାତ୍ମକ ଗତିବିଧି ଅଧିକ ଦେଖିବାକୁ ମିଳଥାଏ। ତେଣୁ ପୋଲିସର ଦାୟିତ୍ୱ ବଢ଼ିଯାଇଥାଏ। କିନ୍ତୁ ପୋଲିସ ସବୁସ୍ଥାନକୁ ପହଞ୍ଚିପାରିବା ସମ୍ଭବ ହୋଇ ନଥାଏ। ଗୋଟିଏ ବ୍ଲକରେ ଶତାଧିକ ଗାଁ ରହୁଥିବାରୁ ଏଠାରେ ଥିବା ଥାନା ଓ ପାଣ୍ଡିରେ କାର୍ଯ୍ୟରତ ୧୫ରୁ ୨୦ ଜଣ କର୍ମଚାରୀ ସବୁ ସ୍ଥାନକୁ ପହଞ୍ଚିପାରିବା ସମ୍ଭବ ନୁହେଁ। ଫଳରେ ଆଇନ୍କାନୁନ୍ ଅନିୟନ୍ତ୍ରିତ ହୋଇଯାଇଥାଏ। ଅସମାଜିକ ବ୍ୟକ୍ତିମାନଙ୍କର ପ୍ରାଦୂର୍ଭାବ ବଢ଼ିଥାଏ। ଏଥି ପାଇଁ ସାଧାରଣ ଜନତା ମଧ୍ୟ କିଛି ପରିମାଣରେ ଦାୟୀ। ଅର୍ଥର ମୋହ କାରଣରୁ ସେମାନେ ଅସାମାଜିକ ବ୍ୟକ୍ତିମାନଙ୍କୁ ପ୍ରଶୟ ଦେଇଥାନ୍ତି।
ମଦ ବିକ୍ରି ବୃଦ୍ଧି
ନିର୍ବାଚନ ସମୟରେ ମଦ ବିକ୍ରି ନେଇ ସରକାର କଟକଣା ଜାରି କରିଛନ୍ତି। କିନ୍ତୁ ଏହା ପୂର୍ବରୁ ପ୍ରାର୍ଥୀମାନେ ମଦ ମହଜୁଦ୍ ରଖିସାରିଛନ୍ତି। ଲୋକଙ୍କୁ ଖାଇବା-ପିଇବା ଦେଇ ନେତାମାନେ ମତଦାତାଙ୍କ ହୃଦୟ ଜିତିବାକୁ ଉଦ୍ୟମ କରୁଛନ୍ତି। ପଞ୍ଚାୟତ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଆଇନ୍ ମଦ କାରବାର ବଢ଼ିଛି। ରାଜ୍ୟରେ ଗତ ଜାନୁଆରୀ ୧୯ ତାରିଖ ଠାରୁ ଫେବ୍ରୁଆରୀ ୬ ତାରିଖ ମଧ୍ୟରେ ୧ ଲକ୍ଷ ୧୩ ହଜାର ୬୮୬ ଲିଟର ମଦ ଜବତ ହୋଇଛି। ୨୭ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ବେଳେ ୪୭୧ ଗ୍ରାମ୍ ନିଶାଦ୍ରବ୍ୟ ଜବତ ହୋଇଛି। ଏହି କାରବାର୍ରେ ସଂପୃକ୍ତ ୧୪୯୨ ଓ୍ାରେଣ୍ଟ ଜାରି କରାଯାଇଛି।