ଭୁବନେଶ୍ୱର: ରାଜ୍ୟର ସାଢ଼େ ୪ କୋଟି ଜନତାଙ୍କ ମଧ୍ୟରୁ କୋଟି କୋଟି ଲୋକ ସରକାର ଓ ସ୍ଥାନୀୟ ପ୍ରଶାସନ ଉପରେ ସନ୍ତୁଷ୍ଟ ନାହାନ୍ତି। ଦୁର୍ଗମ ଅଞ୍ଚଳରେ ଏହା ଅଧିକ। ଏଠାରେ ବହୁବିଧ ସମସ୍ୟା ହେଉଛି ଏହାର ମୂଳ କାରଣ। ବଣ, ପାହାଡ଼, ଜଙ୍ଗଲ, ନଦୀ କୂଳରେ ରହୁଥିବା ଶହ ଶହ ଗାଁରେ ସରକାରଙ୍କ ଯୋଜନା ପହଞ୍ଚି ପାରୁ ନଥିବାରୁ ଲୋକ ଅମଙ୍ଗ ଦେଖାଯାଉଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଯୋଗାଯୋଗର ସଂଯୋଗୀକରଣ ଅଭାବ କାରଣରୁ ଆଜି ବି ରାଜ୍ୟର ହଜାର ହଜାର ଗାଁରେ ବହୁ ଅସୁବିଧା ଓ ସମସ୍ୟା ଦେଖାଯାଉଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ଥିବା ବେଳେ ସାଧାରଣ ଜନତା ଏହା ପ୍ରତିକ୍ରିୟା ଦେଉଛନ୍ତି।
ପଞ୍ଚାୟତ ନିର୍ବାଚନ ସମୟରେ ଶତପ୍ରତିଶ ଭୋଟ ଗ୍ରହଣ ପାଇଁ ରାଜ୍ୟ ନିର୍ବାଚନ କମିସନ ଉଦ୍ୟମ କରୁଥିବା ବେଳେ ଲକ୍ଷ ଲକ୍ଷ ମତଦାତା ଏହାକୁ ସ୍ୱୀକାର କରୁନାହାନ୍ତି। ଏହାର ପ୍ରମାଣ ହେଲା ଗତ ୧୮ ଓ ୨୦ ତାରିଖରେ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ପାଇଁ ପୋଲିଂ କର୍ମଚାରୀମାନେ ବୁଥକୁ ଯାଇଛନ୍ତି, ଅନେକ ସ୍ଥାନରେ ମତଦାତାମାନେ ମତଦାନ କେନ୍ଦ୍ର ପାଦ ମାଡ଼ିନାହାନ୍ତି। ସ୍ୱାଧୀନତାରେ ୭୪ ବର୍ଷ ପରେ ଲୋକ ଗଣତନ୍ତ୍ରକୁ ସମ୍ମାନ ଦେଇ ଭୋଟ କେନ୍ଦ୍ରକୁ ନ ଆସିବା ଦୁର୍ଭାଗ୍ୟର ବିଷୟ ବୋଲି କୁହାଯାଇପାରିବ। ସାଧାରଣ ଜନତା ସରକାରଙ୍କ ଠାରୁ ମୌଳିକ ସୁବିଧା ପାଇପାରୁ ନଥିବାରୁ ଅସନ୍ତୁଷ୍ଟ ହୋଇ ଭୋଟି ଦେବାକୁ ଆସୁ ନାହାନ୍ତି।
ଭୋଟ ଦେଲେ ନାହିଁ ଗ୍ରାମବାସୀ
ସରକାର ଓ ପ୍ରଶାସନ ଉପରେ ଅସନ୍ତୋଷ ଜାହିର କରି ରାଜ୍ୟରେ ଏକାଧିକ ଗାଁରେ ଚଳିତ ପଞ୍ଚାୟତ ନିର୍ବାଚନ ସମୟରେ ମତଦାତା ବୁଥକୁ ଆସିନାହିଁ। ଅନେକ ଗୁଡ଼ିଏ ଗାଁର ଲୋକେ ନିର୍ବାଚନ ପୂର୍ବରୁ ଭୋଟ୍ ବର୍ଜନ ନେଇ ଘୋଷଣା କଲା ପରେ ବି ସରକାର ଓ ପ୍ରଶାସନ ସାଧାରଣ ଜନତାଙ୍କ ସ୍ୱରକୁ ଅଣଦେଖା କରିଥିଲେ। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ରଣ୍ଡପାଲି ପଞ୍ଚାୟତର ରାମଗଡ ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି। ସରକାରଙ୍କ ଯୋଜନା ସେମାନଙ୍କ ପାଖରେ ପହଞ୍ଚି ପାରୁ ନଥିବାରୁ ଗ୍ରାମବାସୀ ଭୋଟଦାନରେ ସକ୍ରିୟ ଭାବେ ସାମିଲ ହେବାକୁ ଉଚିତ ମନେ କରିନାହାନ୍ତି। ଫଳରେ ପୋଲିଂ କର୍ମଚାରୀଙ୍କୁ ଘଣ୍ଟା ଘଣ୍ଟା ଧରି କିଛି କାମ ନ କରିବ ବସିବାକୁ ପଡିଛି। ଶେଷରେ ସେମାନେ ଖାଲି ବାକ୍ସ ଓ ସିଲ ପଡି ନଥିବା ବାଲାଟ୍ ଧରି ବ୍ଲକ କାର୍ଯ୍ୟାଳୟକୁ ଫେରିଛନ୍ତି। ଟାଙ୍କୁଆ ଗ୍ରାମପଞ୍ଚାୟତର ସୁକିଆଗୁଡା ଗ୍ରାମରେ ଭୋଟ ବର୍ଜନ ପାଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିଲେ। କିନ୍ତୁ ପୋଲିଂ କର୍ମଚାରୀ ବହୁ ବୁଝାସୁଝା କରିବା ପରେ ବିଳମ୍ବରେ ଭୋଟ ଗ୍ରହଣ ହୋଇଥିଲା।
ମନ୍ତ୍ରୀଙ୍କ ପ୍ରତିଶ୍ରତି ପୂରଣ ହେଲା ନାହିଁ
ଅସୁବିଧା କେବଳ ରାମଗଡ଼ ଓ ସୁକିଆଗଡ଼ରେ ଅଟକି ନାହିଁ। ବରଂ ରାଜ୍ୟର ହଜାର ହଜାର ଗାଁରେ ସରକାର ମୌଲିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି, ଯେଉଁଥି ପାଇଁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। କଳହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦୁଣ୍ଡା ଗ୍ରାମବାସୀ ମଧ୍ୟ ଭୋଟ ବର୍ଜନ କରିଛନ୍ତି। ଏଠାରେ ଭୋଟିଂ ପାଇଁ ପୋଲିଂ କର୍ମଚାରୀମାନେ ଆସିଥିବାବେଳେ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଖୁଦ୍ ନିଜେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗାଁକୁ ରାସ୍ତା ନିର୍ମାଣ ପାଇଁ ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇପାରି ନଥିବାରୁ ଦୁଣ୍ଡା ଗ୍ରାମବାସୀ ଭୋଟ୍ ଦେବା ପାଇଁ ବୁଥ୍କୁ ଯାଇ ନଥିଲେ।
ଦୁର୍ଗମ ଗାଁରେ ନାହିଁ ବୁଥ୍
ମାଲକାନଗିରି ଜିଲ୍ଲାର ଚର୍ଚ୍ଚିତ ବଣ୍ଡାଘାଟିରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ମୁଦୁଲିପଡ଼ା ପଞ୍ଚାୟତ ଠାରୁ ୨୫ କିମି ଦୂରରେ ଥିବା ଦୁର୍ଗମ ଗାଁ ‘ବରଗୁଡ଼ା’ର ମତଦାତା ପଞ୍ଚାୟତ ନିର୍ବାଚନରେ ସାମିଲ ହୋଇ ନାହାନ୍ତି। ଏହି ଗାଁର ଲୋକଙ୍କ ପାଇଁ ନିକଟରେ ବୁଥ୍ କରାଯାଇ ନଥିଲା। ଗାଁ ଠାରୁ ୨୫ କିଲୋମିଟର ଦୂରରେ ବୁଥ୍ କରାଯାଇଥିବାରୁ ମତଦାନ ଭୋଟ ଦେବାକୁ ଯାଇ ନଥିଲେ। ପ୍ରଶାସନ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟି ନଦେଇ ନିଜ ସୁବିଧାରେ ବୁଥ୍ କରିଥିଲା। ଏହି ବୁଥ୍ରେ ପ୍ରିଜାଇଡିଂ ଅଫିସର ଏବଂ ଅନ୍ୟ ଅଧିକାରୀମାନେ ସକାଳୁ ମତଦାନ କେନ୍ଦ୍ର ଖୋଲି ଭୋଟରମାନଙ୍କୁ ଜଗି ରହିଥିଲେ। କିନ୍ତୁ ଭୋଟ ଦେବାକୁ କେହି ଆସି ନଥିଲେ। ବରଗୁଡ଼ା ଗାଁକୁ ପକ୍କା ରାସ୍ତା ନଥିବା ବେଳେ ଯାତାୟାତ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ। ତେଣୁ ଭୋଟ ଦେବାକୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ବଣ୍ଡାଘାଟିରେ ବହୁ ସ୍ଥାନ ରହିଛି, ଯାହା ଗ୍ରାମ ଠାରୁ ବହୁ ଦୂରରେ ବୁଥ୍ କରାଯାଇଛି।