Monday, October 14, 2024
Homeପଞ୍ଚାୟତ ନିର୍ବାଚନ: ମତଦାନ ପୂର୍ବରୁ ହିଂସା
Array

ପଞ୍ଚାୟତ ନିର୍ବାଚନ: ମତଦାନ ପୂର୍ବରୁ ହିଂସା

ଭୁବନେଶ୍ୱର: ତ୍ରିସ୍ତରୀୟ ନିର୍ବାଚନ ପାଇଁ ସାରା ରାଜ୍ୟରେ ଉଷ୍ନତା ବଢ଼ିଛି। ନିର୍ବାଚନର ତାତି ଯୋଗୁଁ ଶୀତରେ ଶିଥିଳତା ପଡ଼ିଛି। ଫେବ୍ରୁଆରୀ ୧୬ରୁ ୨୪ ଯାଏଁ ୫ଟି ପର୍ଯ୍ୟାୟ (୧୬, ୧୮, ୨୦, ୨୨ ଓ ୨୪)ରେ ମତଦାନ ଜାରି ରହିବ। ନିର୍ବାଚନ ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଜାରି ଥିବା ବେଳେ ନିର୍ବାଚନୀ ପଡ଼ିଆରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କ ଠାରୁ ନିଦ ଉଭେଇ ଯାଇଛି। ମତଦାନର ଫଳାଫଳ ନବାହାରିବା ଯାଏଁ ଏମିତି ଆଶା-ଆଶଙ୍କାରେ ଦିନ କାଟିବାକୁ ପଡ଼ିବ। ଜିତିଗଲେ ୫ ବର୍ଷ ପାଇଁ ଏକ ପ୍ରକାର ରାଜା। ହାରିଗଲେ ତ ଅବସ୍ଥା ଖରାପ ହୋଇଯିବ। ବିଶେଷ କରି ସରପଞ୍ଚ ଓ ସମିତି ସଭ୍ୟରେ ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନେକ ପ୍ରାର୍ଥୀ ଜମିବାଡ଼ି କରିଦେଇଛନ୍ତି। ସେହିଭଳି ଘରେ ଥିବା ସୁନା ବିକିଦେଇଛନ୍ତି। ତେଣୁ ନିର୍ବାଚନରେ ହାରିଗଲେ ଦେବାଳିଆ ହୋଇଯିବା ଆଶଙ୍କା ରହୁଛି।

ପ୍ରାର୍ଥମାନେ କଳେ, ବଳେ ଓ କୌଶଳରେ ନିର୍ବାଚନରେ ବିଜୟୀ ହେବାକୁ ଉଦ୍ୟମ କରୁଛନ୍ତି। ଏଥି ପାଇଁ ମାସେ ହେଲା ଭୋଜି-ଭାତର ଆସର ଚାଲିଛି। ଯେଉଁଠି ଯେଉଁ ତାରିଖରେ ମତଦାନ ପାଇଁ ଦିନ ଧାର୍ଯ୍ୟ ହୋଇଛି, ସେଠାରେ ସାତ ଦିନ ପୂର୍ବରୁ ଟଙ୍କା ବର୍ଷା ହେଉଛି। ଯେଉଁଠି ଗୋଟିଏ ପଦବି ପାଇଁ ଏକାଧିକ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛ, ସେଠାରେ ମତଦାତାଙ୍କୁ ଅଧିକ ଲାଭ ହେଉଛି। ରାଜ୍ୟ ନିର୍ବାଚନ କମିସନଙ୍କ ଅନୁସାରେ ସରପଞ୍ଚ ଓ ସମିତି ସଭ୍ୟମାନେ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। କିନ୍ତୁ ଏତିକି ଟଙ୍କାରେ ଆଜିକାଲି ନିର୍ବାଚନ ଜିତିବା ସହଜ ନୁହେଁ। ଚର୍ଚ୍ଚା ହେଉଛି ଯେ, ପ୍ରାର୍ଥୀମାନେ ଭୋଟ ପିଛା ୧ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ କରୁଛନ୍ତି। ଜଣେ ଜଣେ ପ୍ରାର୍ଥୀ ୪୦ ଲକ୍ଷ ଟଙ୍କା ଯାଏଁ ଖର୍ଚ୍ଚ କରୁଛନ୍ତି।

ଗୋଷ୍ଠୀ ସଂଘର୍ଷରେ ଲହୁଲୁହାଣ

ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଦେଖାଯାଇଛି। କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ସୁଶୀଲ କୁମାର ମଲ୍ଲିକଙ୍କ ଘର ଉପରକୁ ଦୁର୍ବୃତ୍ତ ବୋମାମାଡ଼ କରିଥିବା ବେଳେ ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଟିକ୍ରାପଡ଼ା ଫାଣ୍ଡି ଅନ୍ତର୍ଗତ ଯୁରାବନ୍ଧ ପଞ୍ଚାୟତରେ ପ୍ରଚାର ଗାଡ଼ି ଭଙ୍ଗାରୁଜା ହୋଇଛି। ୨ ଜଣ ସମର୍ଥକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ରୁଣ୍ଡିମହୁଲ ପଞ୍ଚାୟତରେ ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଟଙ୍କା ବଣ୍ଟନକୁ ନେଇ ଗଣ୍ଡଗୋଳ ଓ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀ ଭୋଟ୍‌ ପ୍ରତି ୫ ହଜାର ଟଙ୍କା ଦେଉଥିବା ବେଳେ ବିପକ୍ଷ ଗୋଷ୍ଠୀ ୩ ହଜାର ଦେଉଥିବା ଆଲୋଚନା ହେଉଛି। ଗୋଷ୍ଠୀ ସଂଘର୍ଷରେ ୨ ଜଣ ଲହୁଲୁହାଣ ହୋଇଛନ୍ତି।

ରାଜନୈତିକ ଦଳର ଲଢ଼େଇ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍‌ ଚାନ୍ଦିବାଉଁଶମୂଳ ପଂଚାୟତର ବାହାରଗଡ଼ ଗାଁରେ କଂଗ୍ରେସ ଓ ବିଜେଡି ଦୁଇ ଗୋଷ୍ଠୀ ମାଡ଼ପିଟ୍‌ ହୋଇଛି। ଏହି ଘଟଣାରେ ୨ ଦଳର ୬ଜଣ ଲୋକ ଆହତ ହୋଇଛନ୍ତି। ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଥାନୁଆଳ ପଞ୍ଚାୟତରେ ହୋଇଥିବା ନିର୍ବାଚନୀ ହିଂସାରେ ବିଜେଡି ପ୍ରଚାର ଗାଡ଼ିକୁ ବିରୋଧୀ ଦଳ ସମର୍ଥକ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ବିରୋଧୀ ଦଳ ଗାଡ଼ି କାଚକୁ ଭାଙ୍ଗିବା ସହିତ ଏଥିରେ ଲଗା ଯାଇଥିବା ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ବ୍ୟାନରକୁ ଚିରି ଫିଙ୍ଗି ଦେଇଛନ୍ତି।

ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ପୁରୀ ଜିଲ୍ଲା ଚନ୍ଦନପୁର ନିକଟରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ନିର୍ବାଚନୀ ହିଂସା କେବଳ ପୂର୍ବ, ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ସୀମତି ହୋଇ ରହିନାହିଁ। ଗଞ୍ଜାମ ବ୍ଲକ୍‌ ରମ୍ଭା ଥାନା ରାମଚନ୍ଦ୍ରପୁରରେ  ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକ ତଥା ବିଜେପି କର୍ମୀ ଜୟକୃଷ୍ଣ ବେହେରାଙ୍କୁ ଘରୁ ଅପହରଣ କରି ନେଇ ନିର୍ଧୁମ୍‌ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ରମ୍ଭା ଥାନା ପୁଲିସ ଜୟକୃଷ୍ଣଙ୍କୁ ଅଭିଯୁକ୍ତଙ୍କ କବଳରୁ ଉଦ୍ଧାର କରିଛି। କେନ୍ଦୁଝର ଜିଲ୍ଲା ବାମେବାରି ଥାନାତଥା ଯୋଡ଼ା ବ୍ଲକ୍‌ ପଲସାଗ୍ରାମ ପଞ୍ଚାୟତର ବେଲଦା ଗ୍ରାମରେ ହିଂସା ଘଟି ୩ ଜଣ ଆହତ ହୋଇଛନ୍ତି। ବିରୋଧୀ ଗୋଷ୍ଠୀର ୧୦ ରୁ ଊର୍ଦ୍ଧ୍ଵ ସଂଘବଦ୍ଧ ଭାବେ ପ୍ରଚାରରୁ ଫେରୁଥିବା ସ୍କର୍ପିଓ ଗାଡ଼ିକୁ ଭଙ୍ଗା ରୁଜା କରିବା ସହିତ ଡ଼୍ରାଇଭରଙ୍କୁ ମାଡ଼ ମାରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ସମିତି ସଭ୍ୟା ପାର୍ଥୀ ପୁଷ୍ପିତା ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେହିପରି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ବଦାଳୋ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରାଥୀଙ୍କୁ ଆକ୍ରମଣ ହୋଇଛି।

୨୨,୩୭୯ କେନ୍ଦ୍ରରେ ମତଦାନ

ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସବୁ ସ୍ଥାନରେ ପୋଲିଂ ପାର୍ଟି ପହଞ୍ଚି ସାରିଛନ୍ତି। ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,  ୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନ୍‌ ଓ ୧୬୬୯ ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଉଛି। ୨୨ ହଜାର ୩୭୯ ବୁଥ କରାଯାଇଛି। ପଞ୍ଚାୟତ ନିର୍ବାଚନରେ ୬୭୯୪ ଗ୍ରାମପଞ୍ଚାୟତର ୯୧,୯୧୩ ୱାର୍ଡରେ ୨ କୋଟି ୭୯ ଲକ୍ଷରୁ ଅଧିକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିବେ। ୯୧,୯୧୩ଟି ବୁଥ୍‌ ଭିତରୁ ୧୩, ୭୮୫ଟି ବୁଥ୍‌ ଉତ୍ତେଜନା ପ୍ରବଣ ରହିଛି। ବୁଧବାର ୬୭ଲକ୍ଷ ୫୧ହଜାର ୬୮ଜଣ ମତଦାତା ଭୋଟ୍‌ ଦେବେ। ଭୋଟର ପରିଚୟ ପତ୍ର ଦେଖାଇ ମତଦାନ କରିପାରିବେ। ଏହାଛଡ଼ା ଏଥିଲାଗି ଅନ୍ୟ ୧୩ଟି ଦସ୍ତାବିଜ୍‌ ଭିତରୁ କୌଣସି ଗୋଟିଏ ବି ଦେଖାଇପାରିବେ। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments