Tuesday, October 15, 2024
Homeପଞ୍ଚାୟତ ନିର୍ବାଚନ ମୋହ କାହିଁକି?
Array

ପଞ୍ଚାୟତ ନିର୍ବାଚନ ମୋହ କାହିଁକି?

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟ ଉଠୁଛି ପଡୁଛି। ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବା ପରେ ଓ୍ଵାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ପ୍ରଚାରକୁ ତୀବ୍ର କରିଦେଇଛନ୍ତି। ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ନେତାମାନେ ଦିନରାତି ଏକ କରିଦେଇଛନ୍ତି। ଖାଇବା-ଶୋଇବା ଠିକ୍‌ ହୋଇପାରୁ ନାହିଁ। ସମସ୍ତ ନେତାମାନେ ଉଦ୍ୟମ କରୁଛନ୍ତି ଯେ,  ସଫଳତାର ସହିତ ନିର୍ବାଚନୀ ରୂପକ ନଦୀ ପାରିହେବା। ନିର୍ବାଚନରେ ବିଜୟୀ ହେବା ମାନେ ସବୁ ବେଳେ ଗଣିତ କଷାଚାଲିଛି। ନିର୍ବାଚନ ସରିଲା ପରେ ଯାହା ହେଉ ପଛେ, ନେତାମାନେ କିନ୍ତୁ ଏବେ ଭୋଜିଭାତ, ଲୋକଙ୍କର ସୁଖଦୁଃଖରେ ନେତା ଛିଡ଼ା ହେଉଛନ୍ତି।

ପଞ୍ଚାୟତ ନିର୍ବାଚନ ଯଦିଓ ଗ୍ରାମାଞ୍ଚଳରେ ହେଉଛି। ଏହାରି ଉଷ୍ନତା ସହରାଞ୍ଚଳରେ ମଧ୍ୟ ଦେଖାଯାଉଛି। ପଞ୍ଚାୟତ ନିର୍ବାଚନ ଉପରେ ସହରାଞ୍ଚଳରେ ମଧ୍ୟ ଜୋରଦାର୍‌ ଚର୍ଚ୍ଚା ହେଉଛି। ସହରାଞ୍ଚଳର ଚା’ ଦୋକାନ, ପାନ ଦୋକାନ, ହୋଟେଲ, ପାର୍କ, ସପିଂ ମଲ୍‌ ଚାରିଆଡେ ଆଲୋଚନା ହେଉଛି। ଗୋଟିଏ ଅଞ୍ଚଳର କିଛି ଲୋକ ଯେତେବେଳେ ଏକତ୍ର ହେଉଛନ୍ତି ଆହୁରି ଅଧିକ ସମୟ ଏବାବଦରେ ଆଲୋଚନା ହେଉଛି। ସହରାଞ୍ଚଳରେ ପଞ୍ଚାୟତ ନିର୍ବାଚନ ସଂପର୍କିତ ଆଲୋଚନା ହେବାର କାରଣ ହେଲା, ଲୋକମାନେ ଗାଁରୁ ଆସି ସହରାଞ୍ଚଳରେ ବସବାସ କରୁଛନ୍ତି। ଗାଁରେ ବଢ଼ି ଆସିଥିବା ମଣିଷ, କେବେ ବି ତା’ର ପୁରୁଣା ଦିନ ଓ ସ୍ମତିକୁ ଭୁଲି ପାରିବ ନାହିଁ। ଏହି କ୍ରମରେ ପଞ୍ଚାୟତ ନିର୍ବାଚନ ଅବା ବାଦ୍‌ ପଡ଼ିବ କେମିତି?

ନିର୍ବାଚନରେ ଉଚ୍ଚ ଶିକ୍ଷିତ ବ୍ୟକ୍ତି

ଚଳିତ ନିର୍ବାଚନରେ ଦେଖାଯାଉଛି ଯେ ଅନେକ ପ୍ରାର୍ଥୀ ସରକାରୀ ଚାକିରି ଛାଡ଼ି ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଇଂଞ୍ଜିନିୟର, ଶିକ୍ଷକ, ପୋଲିସ ଓ ଡାକ୍ତର ମଧ୍ୟ ସାମିଲ ଅଛନ୍ତି। ସେହିପରି ନିର୍ବାଚନ ମୋହ ଅନେକ ବ୍ୟକ୍ତିଙ୍କର ବ୍ୟକ୍ତିଗତ ଗତିପଥକୁ ବଦଳାଇ ଦେଉଛି। ବହୁ ସଂଖ୍ୟାରେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ଏଥିରୁ ଅନ୍ୟତମ ହେଉଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଜଣେ ମହିଳା। ଶାଶୂ ଘର ଲୋକଙ୍କ ପ୍ରେରଣାରେ ଏମେ୍‌ଟେକ୍‌ ପଢ଼ୁଥିବା ମହିଳା ଜଣକ ଏବେ ରାଜନୀତି ମୈଦାନରେ ପାଦ ଥାପିଛନ୍ତି। ସେହିପରି ଇଞ୍ଜିନିୟରିଂ ପାଠ ପରେ ରାଜନୀତିକୁ ଓହ୍ଲାଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ପଞ୍ଚାୟତ ଷ୍ଟେସନ ବଜାରର ଯୁବଇଂଜିନିୟର ଶିଳ୍ପା ସୁରେଖା ବେହେରା। ସେ ଜେନାପୁର ପଞ୍ଚାୟତର ସମିତି ସଭ୍ୟା ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ୍‌ କୁଟୁନିଆ ପଞ୍ଚାୟତର ଝିଅ ଆରତୀ ମାଝି ଏମ୍‌ବିଏ ଡିଗ୍ରୀ ଥାଇ ନିର୍ବାଚନକୁ ଓହ୍ଲାଇଛନ୍ତି।

ଡାକ୍ତରଙ୍କ ସହ ଭଉଣୀଙ୍କ ମୁକାବିଲା

ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଖିଲାପଦର ପଞ୍ଚାୟତର ସରପଞ୍ଚ ପଦ ଗତ ଛଅ ଦଶନ୍ଧି ହେଲା ଗମାଙ୍ଗୋ ପରିବାର ପାଖରେ ରହି ଆସିଛି। ୧୯୬୧ ମସିହାରେ ଖିଲାପଦର ପଞ୍ଚାୟତ ଗଠନ ହେବା ପରେ ସ୍ୱର୍ଗତ ଲିଙ୍ଗା ଗମାଙ୍ଗ ପ୍ରଥମ ସରପଞ୍ଚ ହୋଇଥିଲେ। ସେ ୩୬ ବର୍ଷ ଧରି ସରପଞ୍ଚ  ରହିଥିଲେ। ତାଙ୍କ ପରେ ତାଙ୍କର ପରବର୍ତ୍ତୀ ବଂଶଧର ସରପଞ୍ଚ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲାରେ ପେସାରେ ଡାକ୍ତର ଥିବା ମହିଳା ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି। ମହିଳା ଡାକ୍ତରଙ୍କୁ ତାଙ୍କ ଭଉଣୀ ସରପଞ୍ଚ ପଦ ପାଇଁ ମୁକାବିଲା କରୁଛନ୍ତି। ପାପଡ଼ାହାଣ୍ଡି ବ୍ଲକ୍‌ ଜୋନ୍‌-୨ରେ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି।

ପ୍ରକୃତରେ ସେବା ମନୋଭାବ!

ପଞ୍ଚାୟତ ନିର୍ବାଚନର ମୋହ କାହିକିର ଉତ୍ତର ହେଉଛି ମୁଖ୍ୟତଃ ଟଙ୍କା ଲାଳସା ବୋଲି ଅଧିକାଂଶ ଚର୍ଚ୍ଚା କରନ୍ତି। ଆଜିକାଲି ସରକାର ପଞ୍ଚାୟତକୁ କୋଟି କୋଟି ଟଙ୍କାର ଅନୁଦାନ ଦେଉଛନ୍ତି। ଓ୍ଵାର୍ଡ ଗୁଡ଼ିକରେ ଓ୍ଵାର୍ଡମେମ୍ବର ମୁଖ୍ୟତଃ ଭାବେ କାମ କରାଇଥାନ୍ତି। କିନ୍ତୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ନେତୃତ୍ୱରେ ତାଙ୍କ ସ୍ତରରେ କାମ ହୋଇଥାଏ। ସରପଞ୍ଚ ଯଦିଓ ସିଧାସଳଖ କାମ ନକରନ୍ତି, ତଥାପି ଠିକା ସଂସ୍ଥା ଠାରୁ ତାଙ୍କୁ ଭଲ କମିସନ୍‌ ମିଳିଥାଏ। ସରପଞ୍ଚ ଓ ସମିତି ସଭ୍ୟମାନେ ସର୍ବାଧିକ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିର୍ବାଚନ କମିସନ କହିଛନ୍ତି। ବାସ୍ତବ କଥା କିନ୍ତୁ ଓଲଟା। କିଛି ଧନୀ ପ୍ରାର୍ଥୀ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁଛନ୍ତି। କାରଣ ନିର୍ବାଚନ ଜିତିଲେ ଏହାର ୨ ଗୁଣ ଆଦାୟ କରିଦେବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି। ବହୁତ କମ୍‌ ପ୍ରାର୍ଥୀ ସେବା ମନୋଭାବ ନେଇ ନିର୍ବାଚନକୁ ଓହ୍ଲାଇଥାନ୍ତି।

୩୬,୯୭୬ ପ୍ରାର୍ଥୀ ନିର୍ବାଚିତ

ସୂଚନା ଯୋଗ୍ୟ ୯୧,୮୯୦ଟି ୱାର୍ଡମେମ୍ବର, ୬୭୯୩ଟି ସରପଞ୍ଚ, ୬୭୯୩ଟି ସମିତି ସଭ୍ୟ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌ରେ ନିର୍ବାଚନ ହେଉଛି। ଆଗାମୀ ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମତଦାନ ହେବ। ସେହିଭଳି ଫେବ୍ରୁଆରି ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ତେବେ ଏପର୍ଯ୍ୟନ୍ତ ୩୬ ହଜାର ୯୭୬ ଜଣ ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ସ୍ଥାନୀୟ ମତଦାତାଙ୍କ ଦ୍ଵାରା ନିଦ୍ଵନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ବଳକା ଆସନ ପାଇଁ ମତଦାନ ହେବ। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments