ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟନ ନିର୍ବାଚନ ପାଇଁ ରାଜ୍ୟରେ ଏବେ ପ୍ରଚାର ଜୋରଦାର୍ ଚାଲିଛି। ନେତାମାନେ ଦିନ-ରାତି ଏକ କରିଦେଇଛନ୍ତି। ଖାଇବା-ପିଇବା ମଧ୍ୟ ଭୁଲିଯାଇଛନ୍ତି। ନିର୍ବାଚନ ରୂପକ ବୈତରଣୀ ନଦୀରେ ଓ୍ଵାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ମାନଙ୍କୁ କିଭଳି ପାରି ହେବେ, ସେ ନେଇ ଚିନ୍ତା ଘାରିଛି। ଗୋଟିଏ ଥର ରାଜନୈତିକ କ୍ଷମତା ହାସଲ କରିପାରିଲେ, ୫ ବର୍ଷ ମଧ୍ୟରେ ଅତିକମ୍ରେ ଗୋଟିଏ ଭଲ ରୋଜଗାର ହୋଇଯିବ। ଜୀବନସାରା ଆଉ ଆର୍ଥିକ ସମସ୍ୟା ରହିବ ନାହିଁ। ତେଣୁ ଗୋଟିଏ ମାସ ଲୋକଙ୍କୁ ପ୍ରତିଶ୍ରୁତି ଦେଇ କଳେ ବଳେ ଓ କୌଶଳରେ କ୍ଷମତା ପ୍ରାପ୍ତି କରିପାରିଲେ ଅସୁବିଧା କେଉଁଠି? ଚଳିତ ମାସ ୩ୟ ସପ୍ତାହ ଠାରୁ ମତଦାନ ଆରମ୍ଭ ହୋଇଯିବ। ମାସ ଶେଷ ସୁଦ୍ଧା ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟ ସଫଳ ବ୍ୟକ୍ତିମାନଙ୍କୁ ଆସନ ମିଳିଯିବ। ଏହା ପୂର୍ବରୁ ରାଜ୍ୟର ଅନେକ ସ୍ଥାନରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିିଛି।
ଗ୍ରାମାଞ୍ଚଳର ଲୋକଙ୍କ ପାଖରେ ସରକାରଙ୍କ ଯୋଜନା ସହଜରେ ପହଞ୍ଚାଇବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା ହୋଇଛି। ତୃଣମୂଳ ସ୍ତରରେ ଗ୍ରାମପଞ୍ଚାୟତ କାମ କରୁଛି। ବ୍ଲକ ସ୍ତରରେ ପଞ୍ଚାୟତ ସମିତି ଓ ଜିଲ୍ଲା ସ୍ତରରେ ଜିଲ୍ଲା ପରିଷଦ ରହିଛି। ଏହି ୩ଟି ଅନୁଷ୍ଠାନର ଉଦ୍ଦେଶ୍ୟ ହେଲା ଗ୍ରାମାଞ୍ଚଳର ବିକାଶ। ଏଠାରେ ନେତା ପ୍ରତିନିଧି ସ୍ଥାନୀୟ ଲୋକଙ୍କର ସୁଖ-ଦୁଖରେ ଭାଗିଦାରୀ ହୋଇ ସେମାନଙ୍କର ଅସୁବିଧାକୁ ସରକାରଙ୍କ ଠାରେ ଉପସ୍ଥାପନ କରିବା ହେଉଛି ବଡ଼ କାମ। କିନ୍ତୁ ଆଜିକାଲି ନେତାମାନେ ଭୋଟ ସମୟରେ ମତଦାତାଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଭୋଟ୍ ହାତେଇ ଥାଆନ୍ତି। ଏକଦା କ୍ଷମତାକୁ ଆସିଯିବା ପରେ ସେମାନେ ମତଦାତାଙ୍କୁ ଭୁଲି ଯାଆନ୍ତି। ନିର୍ବାଚିତ ପ୍ରତିନିଧିଙ୍କ ଲୋଭ ଯୋଗୁଁ ଅତୀତରେ କ୍ରୋଧ ଓ ହିଂସା ମଧ୍ୟ ଦେଖାଯାଇଛି।
ଆଖି ତାଡ଼ି ଦେଲେ
ପଞ୍ଚାୟତ ନିର୍ବାଚନ ଅତୀତରେ ମତଦାତା ଭଲ ବ୍ୟକ୍ତି ଦେଖି ଭୋଟ ଦେଉଥିଲେ। ଆଜିକାଲି ମତଦାତାଙ୍କର ଚିନ୍ତାରେ ପରିବର୍ତ୍ତନ ଦେଖାଯାଇଛି। ଅଧିକ ଟଙ୍କା, ଭୋଜି-ଭାତ ଦେଇପାରୁଥିବା ବ୍ୟକ୍ତି ନିର୍ବାଚନରେ ବିଜୟୀ ହେଉଛି। ନିର୍ବାଚନରେ ହାରିଯାଉଥିବା ବ୍ୟକତି ପ୍ରତିଷୋଧ ପରାୟଣ ହେଉଛି। ଏପରିକି ହତ୍ୟା ପାଇଁ ମଧ୍ୟ ପଛାଉ ନାହାନ୍ତି। ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ କେନ୍ଦୁଢ଼ିପି ପଞ୍ଚାୟତର ସମିତି ସଭ୍ୟାଙ୍କ ସ୍ୱାମୀ ନକୁଳ ବାଣ୍ଠଙ୍କୁ ୨୦୧୬ରେ ୭ ଜଣ ବ୍ୟକ୍ତି ଗୋଡେଇ ଗୋଡେଇ ହତ୍ୟା କରିଥିଲେ। ଅଭିଯୁକ୍ତ ମାନେ ଏଭଳି ହିଂସ୍ର ହୋଇଯାଇଥିଲେ ଯେ, ସେମାନେ ନକୁଳଙ୍କ ଆଖି ତାଡ଼ି ଦେଇଥିଲେ। ଏହି ହତ୍ୟାକାଣ୍ଡ ଘଟଣା ସହିତ ଜଡ଼ିତ ୭ ଜଣ ଅଭିଯୁକ୍ତଙ୍କୁ ଜିଲ୍ଲା ଜଜ ରୂପଶ୍ରୀ ଚୌଧୁରୀ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।
ବିନା କାମରେ ସରକାରୀ ଅର୍ଥ ଲୁଟ୍
ପଞ୍ଚାୟତ ନିର୍ବାଚନରେ ଲଢ଼ିବାକୁ ହେଲେ ଆଜିର ଦିନରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ଅତିକମ୍ରେ ୨୦ ଲକ୍ଷ ଟଙ୍କା ଦରକାର ପଡୁଛି। ଭୋଟ୍ ପିଛା ୧୦୦୦ରୁ ୧୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏଥି ସହିତ ଭୋଜି-ଭାତ, ମଦ, ଯୁବଗୋଷ୍ଠୀଙ୍କୁ ଚାନ୍ଦା, ଧର୍ମାନୁଷ୍ଠାନ, କ୍ରୀଡ଼ା, ଯୁବକ ସଂଘ, ମହିଳା ଗୋଷ୍ଠୀଙ୍କୁ ଟଙ୍କା ଦେବାକୁ ପଡୁଛି। ତେବେ ଏତେ ଟଙ୍କା ଖର୍ଚ୍ଚ କରି ଯିଏ ସରପଞ୍ଚ ହେବେ, ତାଙ୍କର ଲାଭ ହେବ କ’ଣ। ସେଥିପାଇଁ ସରପଞ୍ଚ ପ୍ରାର୍ଥୀଙ୍କୁ ବାଧ୍ୟ ହୋଇ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ଟଙ୍କା ଲୁଟିବାକୁ ପଡୁଛି। କିନ୍ତୁ ଅସାଧୁର ସୀମା ଅତିକ୍ରମ କରୁଥିବା ବ୍ୟକ୍ତିମାନେ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛନ୍ତି। ସରକାରୀ ଅର୍ଥ ତୋଷାରପାତ ମାମଲାରେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର କୋଷାଗୁମୁଡା ପଂଚାୟତର ପୂର୍ବତନ ତଥା ଅବସରପ୍ରାପ୍ତ ପିଇଓ ବରେନ୍ଦ୍ର ମାଝି ଓ ପୂର୍ବତନ ସରପଂଚ ହରିବନ୍ଧୁ ମାଝୀଙ୍କୁ ସ୍ୱତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା ଉଭୟଙ୍କୁ ୨ବର୍ଷର ସଶ୍ରମ କାରାଦଣ୍ଡାଦେଶ ସହ ଜରିମାନା ୪୦ହଜାର ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୩ମାସ ଲେଖାଏଁ ସଶ୍ରମକାରାଦଣ୍ଡରେ ରହିବାକୁ ରାୟ ପ୍ରକାଶ କରିଛନ୍ତି। ଏମାନେ ୨୦୧୦ମସିହା ଅଗଷ୍ଠ ୧୩ତାରିଖରୁ ୨୦୧୨ମସିହା ଫେବ୍ରୁଆରି ୨ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଉନ୍ନୟନମୂଳକ କାମ ନାଁରେ ୪ଲକ୍ଷ ୬୮ହଜାର ୮୫୯ଟଙ୍କା ଖର୍ଚ୍ଚ କରିଥିବା କେସ୍ ବୁକରେ ଦର୍ଶାଇଥିଲେ।
ନିର୍ବାଚନୀ ପୋଷ୍ଟରରେ ଶିକ୍ଷକଙ୍କ ଫଟୋ
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ବୁଢିଦର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥନୀ ଯାଜ୍ଞସେନୀ ପଣ୍ଡାଙ୍କ ପୋଷ୍ଟରରେ ଶିକ୍ଷକ ସ୍ୱାମୀଙ୍କ ଫଟୋ ଥିିବା ଭିଡିଓ ଭାଇରାଲ ହେବାରେ ଲାଗିଛି। ଶଙ୍କରପଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସରପଞ୍ଚ ପ୍ରାର୍ଥନୀଙ୍କ ସ୍ୱାମୀ ସଞ୍ଜୟ କୁମାର ପଣ୍ଡାଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଅରିଫା ସୁଲତାନା ନିଲମ୍ବନ କରିଛନ୍ତି। ପ୍ରଧାନଶିକ୍ଷକଙ୍କ ଶ୍ରୀ ପଣ୍ଡା ଜଣେ ଭଲ ଶିକ୍ଷକ ହୋଇଥିବାରୁ ଲୋକଙ୍କର ବିଶ୍ୱାସ ଜିତିବାକୁ ଅଭିନବ ଉପାୟ କରିଥିଲେ। କିନ୍ତୁ ସେ ଜାଣି ନଥିଲେ ଏହା ଦ୍ୱାରା ତାଙ୍କୁ ବିପଦ ସାମ୍ନା କରିବାକୁ ପଡ଼ିବ। ଯାଜ୍ଞସେନୀ ପଣ୍ଡା ଯଦି ନିର୍ବାଚନରେ ଜିତନ୍ତି, ତା’ହେଲେ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଅଥଚ ଶିକ୍ଷକ ଶ୍ରୀ ପଣ୍ଡାଙ୍କ ଚିନ୍ତା ବଢ଼ିପାରେ। ଫଟୋ ଭାଇରାଲ ହେବାରେ ଲାଗିଛି ।