ଭୁବନେଶ୍ୱର: ନେତାଙ୍କୁ ଆକ୍ରମଣ କରୁଛନ୍ତି ଅନ୍ୟ ରାଜନେତା ଅଥବା ସେମାନଙ୍କର କର୍ମକର୍ତ୍ତା। ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ଘଟଣାରେ କେନ୍ଦୁଝର ଟାଉନ୍ ଥାନା ପୋଲିସ ଦ୍ୱାରା ୪ ଜଣ ଅଭିଯୁକ୍ତ ଗିରଫ ହେବା ପରେ ଏହା କୁହାଯାଇ ପାରୁଛି। ରାଜନୈତିକ ଫାଇଦା ନ ମିଳିବା ପରେ ନେତାମାନେ ହିଂସ୍ର ହୋଇପଡୁଛନ୍ତି। ନିଜର ପତିଆରା ସଂପ୍ରସାରଣ କରିବା ପାଇଁ ନେତାମାନଙ୍କର ଷଡ଼ଯନ୍ତ୍ରରେ ଦଳୀୟ କର୍ମୀମାନେ ଏହି କାମରେ ନିୟୋଜିତ ହେଉଥିବା ସଂଦେହ କରାଯାଉଛି। ସାଧାରଣ ଜନତା ନେତାମାନଙ୍କର ଭାବମୂର୍ତ୍ତିକୁ ଚିହ୍ନି ପାରୁ ନାହାନ୍ତି। ଯେଉଁ ସଚେତନ ନାଗରିକ ଅଥବା ମତଦାତା କଳଙ୍କିତ ନେତାମାନଙ୍କୁ ଚିହ୍ନୁଛନ୍ତି, ସେମାନେ ନିରବ ରହୁଛନ୍ତି।
ଆକ୍ରମଣ ଘଟଣାରେ ୪ ଅଭିଯୁକ୍ତ ଗିରଫ
ଗତ ୧୭ ତାରିଖ ରାତିରେ ନିରଂଜନ ପଟ୍ଟନାୟକଙ୍କ ଗାଡି ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିସରିଛି। ଏହି ଘଟଣାରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଖୋଳତାଡ଼ କରୁଛି। ଅଭିଯୁକ୍ତମାନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।
ଗାଡ଼ି ଉପରେ ଚଢ଼ିଯାଇ ହଙ୍ଗାମା
ସୂଚନାଯୋଗ୍ୟ, କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ କାଶୀପୁର ନିକଟରେ ଗତ ୧୭ ତାରିଖି ରାତି ପ୍ରାୟ ୯ଟାରେ ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା। କିଛି ଅସାମାଜିକ ଯୁବକ ଗାଡ଼ି ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଅଭିଯୁକ୍ତମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଶ୍ରୀ ପଟ୍ଟନାୟକଙ୍କ ପିଏସ୍ଓ ରାଜେଶ ସିଂହଙ୍କୁ ମାଡ଼ ମାରିଥିଲେ। ସମ୍ପୃକ୍ତ ଯୁବକମାନେ ଗାଡ଼ି ଉପରେ ଚଢ଼ିଯାଇ ହଙ୍ଗାମା କରିଥିଲେ। ଖବର ପାଇ କିଛି କଂଗ୍ରେସ କର୍ମୀ ଘଟଣାସ୍ଥଳରେ ପହଞ୍ଚିବାରୁ ସମ୍ପୃକ୍ତ ଯୁବକମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ। ଘଟଣା ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।
ନିରଂଜନଙ୍କୁ ୨ୟ ଥର ପାଇଁ ଆକ୍ରମଣ
ନିରଂଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଏହା ପ୍ରଥମ ଥର ପାଇଁ ଆକ୍ରମଣ ହୋଇ ନାହିଁ। ବର୍ଷ ୨୦୧୯ ଏପ୍ରିଲ ୨୧ ତାରିଖରେ ମଧ୍ୟ ତାଙ୍କର ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା। ଘଟଣା ଦିନ ଶ୍ରୀ ପଟ୍ଟନାୟକ କେନ୍ଦୁଝର ଜିଲ୍ଲାର ଘଷିପୁରା ନିର୍ବାଚନ ମଣ୍ଡଳୀ ଭଣ୍ଡାରୀପଡ଼ା ଦେଇ ଯାଉଥିଲେ। ସାଥୀରେ ସହକର୍ମୀମାନେ ମଧ୍ୟ ଥିଲେ। ଆକ୍ରମଣରେ ପ୍ରାୟ ୧୫ ଜଣ କଂଗ୍ରେସ କର୍ମୀ ଆହତ ହୋଇଥିଲେ। ତତ୍କାଳୀନ କଂଗ୍ରେସ ଜିଲ୍ଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ଆଣିଥିଲେ ଯେ, ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ଉପସ୍ଥିତିରେ ଏହି ଆକ୍ରମଣ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କୁ ଏକାଧିକ ଥର ଟାର୍ଗେଟ
ରାଜନୈତିକ ଦଳର ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଅତୀତରେ ଟାର୍ଗେଟ କରିଛନ୍ତି। ୨୦୧୯ ଏପ୍ରିଲ ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀରରୁ ସାଲେଭଟା ଯିବା ସମୟରେ ତାଙ୍କର କାରକେଡକୁ ଆକ୍ରମଣ କରାଯାଇଥିଲା। ଅଭିଯୋଗ ହୋଇଥିଲା ଯେ, ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ରଙ୍କ ସମର୍ଥକମାନେ ଅଣ୍ଡା ଓ ଢେଲାମାଡ଼ କରିଥିଲେ। ଘଟଣା ଦିନ ଢେଲାମାଡ଼ରେ ୪ଟି ଗାଡ଼ିର କାଚ ଭାଙ୍ଗିଯାଇଥିଲା। ଏହା ପୂର୍ବରୁ ୨୦୧୭ ଡିସେମ୍ବର ୩୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ସେଦିନ ମୁଖ୍ୟମନ୍ତ୍ରୀ କଟକରେ ବିକାଶ ମୂଳକ କାର୍ଯ୍ୟର ଉଦ୍ଘାଟନ କରିବାକୁ ଯାଉଥିବା ବେଳେ ଗାଡ଼ି ଉପରକୁ ଆକ୍ରମଣ ହୋଇଥିଲା। ବିଜେପି କର୍ମୀମାନେ ଏହି ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।