ଭୁବନେଶ୍ବର: ପଦ୍ମପୁର ପାଇଁ ରାଜ ନେତାମାନେ କୁମ୍ଭୀର କାନ୍ଦଣା ଆରମ୍ଭ କରିଦେଇଛନ୍ତି। ଉପନିର୍ବାଚନ ବୈତରଣୀ ପାରି ହେବା ପାଇଁ ରାଜ୍ୟର ପ୍ରମୁଖ ୩ ଦଳର ନେତାମାିନେ ପଦ୍ମପୁରରେ ଆଡ୍ଡା ଜମାଇଛନ୍ତି। ପ୍ରଚାର ପାଇଁ ଏତେ ବ୍ୟସ୍ତ ଅଛନ୍ତି ଯେ, ପ୍ରବଳ ଶୀତୁଆ ରାତି ମଧ୍ୟ ଜାଣିପାରୁ ନାହାନ୍ତି। ତିନି ଦଳ (ବିଜେଡି, ବିଜେପି ଓ କଂଗ୍ରେସ) ନିଜ ନିଜର ୪୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବାରୁ ଆସନ୍ତା ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ପ୍ରଚାର ଜୋରଦାର ଚାଲିବ। ମନ୍ତ୍ରୀ, ବିଧାୟକ, ବରିଷ୍ଠ ନେତା ଆସି ମତଦାତାଙ୍କୁ ପ୍ରତୁଶ୍ରୁତି ଦେବେ। ଭୋଟ ହାତେଇବା ପାଇଁ ଅଭିନବ ଉପାୟ ବାହାର କରିବେ।
ବରଗଡ଼ ଜିଲ୍ଲା ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଝାରବନ୍ଧ, ପାଇକମାଲ, ରାଜବୋଢ଼ାସମରକୁ ନେଇ ଗଠିତ। ୧୯୫୧ ମସିହାରେ ଏହା ନିର୍ବାଚନ ମଣ୍ଡଳୀ ଗଠିତ ହୋଇଥିଲା। ଏବେ ଏଠାକାର ମତଦାତାଙ୍କ ସଂଖ୍ୟା ୨,୫୫,୪୪୫ ଜଣ। ସ୍ବର୍ଗତ ବିଜୟ ରଂଜନ ସିଂ ବରିହାଙ୍କ ପରଲୋକ ପରେ ଉପନିର୍ବାଚନ ହେଉଛି। ବିଗତ ୬୨ ବର୍ଷ ମଧ୍ୟରେ ବରିହା ପରିବାର ଏହି ଆସନରୁ ୮ ଥର ବିଧାୟକ ହୋଇଛନ୍ତି। ଅର୍ଥାତ ବିଜୟ ରଂଜନ ସିଂ ବରିହା ୫ ଥର ଓ ତାଙ୍କ ବାପା ବିକ୍ରମ ସିଂ ବରିହା ୩ ଥର ବିଧାୟକ ହୋଇଛନ୍ତି। ଏତେ ଥର ବିଧାୟକ ହେଲା ପରେ ମଧ୍ୟ ବିକାଶ କାମ ପୂରା କରିପାରି ନ ଥିବାରୁ ଏହି ପରିବାର ଆଗାମୀ ଦିନରେ ମଧ୍ୟ ବିଧାୟକ ହେବାର ଆଗ୍ରହ ରହିଛି।
ବରିହା ପରିବାର ହାତରେ ରାଜନୀତି
ପଦ୍ମପୁର ନିର୍ବାଚନ ମଣ୍ଡଳୀ ଏପର୍ଯ୍ୟନ୍ତ ୫ ଜଣ ଲୋକଙ୍କୁ ବିଧାୟକ ରୂପେ ପାଇଛି। ବରିହା ବାପାଙ୍କ ବ୍ୟତୀତ କଂଗ୍ରେସ ନେତା ସତ୍ୟଭୂଷଣ ସାହୁ ଓ କୃପାସିନ୍ଧୁ ଭୋଇ କ୍ରମାଗତ ଭାବେ ୩ ଓ ୨ ଥର ବିଧାୟକ ହୋଇଛନ୍ତି। ପ୍ରଦୀପ ପୁରୋହିତ ବିଜେପି ଟିକେଟରେ ୨୦୧୪ ନିର୍ବାଚନରେ ବିଧାୟକ ହୋଇଥିଲେ। ନର୍ବାଚନୀ ଫଳାଫଳକୁ ସମୀକ୍ଷା କଲେ ଜଣାଯାଉଛି ଯେ, ପଦ୍ମପୁର ଆସନରେ ଅଧିକ ସମୟ ବିଜେଡି ଓ ଜନତା ଦଳ ରହିଛି। ବିଜେଡି ପରେ କଂଗ୍ରେସ ମଧ୍ୟ ଏହି ଆସନରେ ରାଜ୍ କରିଛି। ବିଜେପିକୁ ମାତ୍ର ୫ ବର୍ଷ ପାଇଁ ସୁଯୋଗ ମିଳିଛି। ତେଣୁ ମତଦାତାଙ୍କୁ ଉପଯୁକ୍ତ ପ୍ରାର୍ଥୀଙ୍କୁ ହିଁ ଭୋଟ ଦେବାର ଆବଶ୍ୟକ ରହିଛି।
ପ୍ରଚାର ବେଳେ କାନ୍ଦିଲେ ପ୍ରାର୍ଥୀ
ପଦ୍ମପୁରରେ ପ୍ରଚାର ଜମୁଛି। ପ୍ରାର୍ଥୀ ଓ ନେତାମାନେ ଲୋକଙ୍କ ନିକଟରେ ପହଞ୍ଚି ଭୋଟ ନିବେଦନ କରୁଛନ୍ତି। ଶୁକ୍ରବାର ମଞ୍ଚ ଉପରେ ଭାଷଣ ଦେଉଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା କାନ୍ଦି ପକାଉଥିଲେ। ବର୍ଷା କାନ୍ଦୁଥିବାର ଭିଡିଓ ସାମ୍ନାକୁ ଆସିଛି। ପ୍ରଚାର ସମୟରେ ସେ କାନ୍ଦୁଥିବା ଦେଖି ଜନତା ତାଙ୍କ ପାଖକୁ ଆସି ଆଶ୍ବାସନା ଦେଉଥିଲେ। ବର୍ଷାଙ୍କ କାନ୍ଦକୁ କେହି କେହି ଅଭିନୟ କହୁଥିଲେ ମଧ୍ୟ ଏହା ଭାବପ୍ରବଣତା ସୃଷ୍ଟି କରୁଥିଲା। ଲୋକମାନେ ତାଙ୍କ ଲୁହ ପୋଛି ଦେଉଥିବା ଦେଖିବାକୁ ମିଳିଥିଲା।
ତିନି ଦଳର ପ୍ରାର୍ଥୀ ତାଲିକା
ଉପନିର୍ବାଚନ ପାଇଁ ପ୍ରଚାର ତାଲିକା ଘୋଷଣା କରିଛନ୍ତି ୩ ଦଳ। ବିଜେଡିର ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗୁଆଳ ସାଜିଛନ୍ତି। ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବ୍ୟତୀତ ଶାସକ ଦଳର ମନ୍ତ୍ରୀ, ବିଧାୟକ ଓ ବରିଷ୍ଠ ନେତାନେତ୍ରୀ ସାମିଲ ଅଛନ୍ତି। ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା ଏବଂ ବିଶେଶ୍ୱର ଟୁଡୁ ରହିଛନ୍ତି। ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଥିବା ବେଳେ କଂଗ୍ରେସର ପ୍ରଚାର ତାଲିକାରେ ପ୍ରଭାରୀ ଡ. ଏ ଚେଲ୍ଲା କୁମାର, ସହପ୍ରଭାରୀ ଜି ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ନରସିଂହ ମିଶ୍ର ସାମିଲ ଅଛନ୍ତି।