ଭୁବନେଶ୍ୱର: ଭାରତରେ ପାଳନ ହେଉଥିବା ପର୍ବପର୍ବାଣୀଗୁଡ଼ିକ ମଧ୍ୟରୁ ଅନ୍ୟତମ ବଡ଼ ପର୍ବ ହେଉଛି ହୋଲି। ଏହି ପର୍ବକୁ ନେଇ ଗାଁରୁ ସହର ପର୍ଯ୍ୟନ୍ତ ଉତ୍ସାହ ଦେଖାଯାଇଥାଏ। ଦେଶର ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଚାରିଆଡେ ହୋଲିର ମାହୋଲ ଅନ୍ୟ ପର୍ବ ତୁଳନାରେ ଅଧିକ ଉତ୍ସାହ ଅନୁଭୂତ ହୋଇଥାଏ। ଅନ୍ୟ ପର୍ବଗୁଡ଼ିକ ତୁଳନାରେ ହୋଲିରେ ଅଧିକାଂଶ ଲୋକ ଅଂଶଗ୍ରହଣ କରିଥାନ୍ତି। ଦୁଃଖର କଥା ହେଲା ଯେ, ହୋଲି ଏକାଧିକ ରଂଗର ଖେଳ ହୋଇଥିବା ବେଳେ କିଛି ଅସାମିଜକ ବ୍ୟକ୍ତି କେବଳ ରକ୍ତରେ ହିଁ ଖେଳିବାକୁ ଚିନ୍ତା କରିଥାନ୍ତି। ହୋଲି ଦିନ ଅଘଟଣ ଘଟାଇ ପର୍ବକୁ ଫିକା କରିବାକୁ ଉଦ୍ୟମ କରିଥାନ୍ତି। ହିଂସା ଯୋଗୁଁ ଅନେକ ପରିବାରର ଲୋକଙ୍କୁ ଆଖିରୁ ଲୁହ ନିଗିଡ଼ି ଥାଏ।
ହୋଲି ଏକ ଭାଇଚାରାର ପର୍ବ ହୋଇଥିବା ବେଳେ କିଛି ଅସାମାଜିକ ବ୍ୟକ୍ତିମାନେ ଏହି ଦିନରେ ନିଜର ପୂର୍ବ ପ୍ରତିଷୋଧ ନେବାକୁ ଚିନ୍ତା କରିଥାନ୍ତି। ନିଜ ଭିତରେ ଥିବା ହିଂସାଭାବକୁ ହୋଲି ଦିନରେ ଯବନିକା ପକାଇବାକୁ ଉଦ୍ୟମ କରିଥାନ୍ତି। ସେଥିପାଇଁ ସେମାନେ ହୋଲି ଅବସରରେ ପ୍ରତିଷୋଧ ନେବା ପାଇଁ ଭଲଭାବରେ ଯୋଜନା କରିଥାନ୍ତି। ବିଗତ ୨ ବର୍ଷ ହେବ କରେନା କଟକଣା ଯୋଗୁଁ ଓଡ଼ିଶାରେ ସର୍ବସାଧାରଣ ସ୍ଥଳରେ ହୋଲି ଖେଳ ହୋଇ ନଥିଲା। କିନ୍ତୁ ଏଥର ସରକାରୀ ଭାବେ ସର୍ବସାଧାରଣରେ ହୋଲି ଖେଳିବା ନେଇ ବାରଣ ଥିବା ସତ୍ତ୍ୱେ ଲୋକେ ରଂଗ ଖେଳରେ ମସଗୁଲ ଥିଲେ। ହୋଲି ଅବସରରେ ରାଜ୍ୟର ଏକାଧିକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଆକ୍ରମଣରେ ଅତି କମ୍ରେ ୧୨ ଜଣ ଆହତ ହୋଇଛନ୍ତି।
ଦିନ ଦିପହରରେ ଆକ୍ରମଣ
ହୋଲି ପାଇଁ ସାରା ଓଡ଼ିଶା ଉତ୍ସବମୁଖର ଥିବା ବେଳେ ପୁରୀ ଜିିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ଗଡ଼ିଶାଗଦା ଅଞ୍ଚଳରେ ରକ୍ତର ଛିଟା ପଡ଼ିଛି। ଜାଗୁଳାଇପଦର ଗାଁରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକେ ଅନ୍ୟ ଦଳର ଲୋକଙ୍କୁ ଦିନଦିପହରରେ ଧାରୁଆ ଅସ୍ତ୍ର ଧରି ଗୋଡେଇ ଗୋଡେଇ ହାଣିଛନ୍ତି। ପ୍ରତକ୍ଷ୍ୟଦର୍ଶୀମାନେ କୁହନ୍ତି ଯେ, ଏହି ଦୃଶ୍ୟ ଚଳଚ୍ଚିତ୍ର ଭଳି ଲାଗୁଥିଲା। ଦୁର୍ବୃତ୍ତମାନଙ୍କ ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ମହୁମୁହାଣ ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପରୁ ଗାଁରେ ମଧ୍ୟ ହୋଲିରେ ହିଂସା ଦେଖାଯାଇଛି। ଦୁଇ ଗୋଷ୍ଠୀର ଗଣ୍ଡଗୋଳରେ ୩ ଜଣ ଆହତ ହୋଇଛନ୍ତି।
ରାଜନୈତିକ ହିଂସା
ଏତିକିରେ ହୋଲିର ହିଂସା ଶେଷ ହୋଇନାହିଁ। କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ତଥା ରାମଚନ୍ଦ୍ରପୁର ଥାନା ଗଡ଼ବାନ୍ଧଗୋଡା ଗାଁରେ ମଧ୍ୟ ହୋଲି ଦିନରେ ହିଂସା ଦେଖିବାକୁ ମିଳିଛି। ଏଠାରେ ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନ ସମୟରୁ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହିଥିଲା ବୋଲି ଚର୍ଚ୍ଚା ହେଉଛି, ଯାହାକି ଆଜି ଉଗ୍ର ରୂପ ନେଇଥିଲା। ୨ ଗୋଷ୍ଠୀର ବିବାଦ ଯୋଗୁଁ ୬ ଜଣ ଯୁବକ ଆହାତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯଦି ପ୍ରକୃତରେ ରାଜନୈତିକ ଶତ୍ରୁତାକୁ ନେଇ ଏହି ଘଟଣା ଘଟିଛି, ତା’ହେଲେ ଲୋକମାନଙ୍କୁ ଜାଣିବାକୁ ହେବ ଯେ, ଏହି ଘଟଣା ସହିତ ସଂପୃକ୍ତ ବ୍ୟକ୍ତିମାନେ କେତେ ଭୟଙ୍କର। ଏହା ବି ଚର୍ଚ୍ଚା ହେଉଛି ଯେ, ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଏବଂ ରାଜ୍ୟ ଯୁବ ବିଜେଡି ଉପସଭାପତି ସୌମ୍ୟ ଶଙ୍କର ଚକ୍ରଙ୍କ ପୈତୃକ ଗାଁ ଗଡବାନ୍ଧଗୋଡା ହୋଇଥିବାରୁ ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ ରାଜନୈତିକ ପତିଆରା ପାଇଁ ଦୀର୍ଘଦିନ ହେଲା ଛକାପଞ୍ଝା ଲାଗି ରହିଛି ବୋଲି ଚର୍ଚ୍ଚା ହେଉଛି।
ଉତ୍ତର ପ୍ରଦେଶରେ ୭ ଜଣଙ୍କୁ ହତ୍ୟା
ହୋଲି ଦିନରେ ହିଂସା କେବଳ ଓଡ଼ିଶାରେ ନୁହେଁ। ବରଂ ଅନ୍ୟ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳୁଛି। ଉତ୍ତର ପ୍ରଦେଶରେ ମଧ୍ୟ ଏକାଧିକ ସ୍ଥାନରେ ହିଂସା ଦେଖାଯାଇଛି। ଗୁରୁଗାଓରେ ଜଣେ ୪୫ ବର୍ଷୀୟ ପୁରୁଷଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଆମେଥୀରେ ୨ ଗୋଷ୍ଠୀ ମଧ୍ୟରେ ହିଂସା ଦେଖାଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣ ଆହତ ହୋଇଛନ୍ତି। ପ୍ରୟାଗରାଜରେ ମଧ୍ୟ ହୋଲି ଉତ୍ସବ ସମୟରେ ୨ ଜଣଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଲଖନଉରେ ମଧ୍ୟ ଜଣଙ୍କୁ ହତ୍ୟା କରାଯାଇଛି।