ଭୁବନେଶ୍ବର: ରାଜ୍ୟ ରାଜନୀତିରେ ପରିବର୍ତ୍ତନ ଆସୁ। ଏହା ଚାହୁଁ ନାହାନ୍ତି ଓଡ଼ିଶାବାସୀ। ଅର୍ଥାତ ରାଜ୍ୟବାସୀ ବିଜେଡି ସରକାର ଉପରେ ସନ୍ତୁଷ୍ଟ ଅଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଫଳାଫଳରୁ ମଧ୍ୟ ଏହା ଅନୁମାନ କରାଯାଇପାରିବ। ଆଗାମୀ ଦିନରେ ମଧ୍ୟ ବିଜେଡି ବହୁମତ ସହିତ ବିଜୟୀ ହେବ। ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ପଦ୍ମପୁର, ବ୍ରଜରାଜନଗର, ପିପିଲି, ତିର୍ତ୍ତୋଲ ଓ ବିଜେପୁରରେ ମତଦାତା ବିଜେଡିକୁ ଗ୍ରହଣ କରିଛନ୍ତି। ବିଜେଡି ଉପରେ ଭରସା ରଖି ଭୋଟ୍ ଦେଇଛନ୍ତି।
ଝାରସୁଗୁଡ଼ାରେ ପୁଣି ଥରେ ବିଜେଡି ବୃହତ୍ ବିଜୟ ହାସଲ କରିଛି। ସ୍ବର୍ଗତ ନବକିଶୋର ଦାସଙ୍କ ଝିଅ ଦୀପାଳିଙ୍କୁ ଝାରସୁଗୁଡ଼ାବାସୀ ସମର୍ଥନ ଜଣାଇ ବିପୁଳ ସଂଖ୍ୟାରେ ଭୋଟ ଦେବା ସହିତ ବିଜୟୀ କରାଇଛନ୍ତି। ନବ ଦାସଙ୍କୁ ଭଲ ପାଉଥିବା ଝାରସୁଗୁଡ଼ାବାସୀ ତାଙ୍କର ସୁଯୋଗ୍ୟା ସନ୍ତାନ ଯୁବ ଅଭିନେତ୍ରୀ ଦୀପାଳିଙ୍କୁ ମଧ୍ୟ ସମର୍ଥନ ଜଣାଇବା ପରେ ବିଜେଡି ଏଠାରେ ଶଙ୍ଖନାଦ କରିଛି। ଏହା ଦ୍ବାର ବିରୋଧୀ ବିଜେପି ଓ କଂଗ୍ରେସକୁ ବଡ଼ ଝଟକା ଲାଗିଛି।
ବାପାଙ୍କୁ ବଳିଗଲେ
ବାପା ନବ ଦାସଙ୍କ ରେକର୍ଡକୁ ଝିଅ ଦୀପାଳି ଭାଙ୍ଗିଛନ୍ତି। ବିଜୟ ବ୍ୟବଧାନକୁ ଯଦି ତୁଳନା କରିବା, ତାହେଲେ ସେ ବାପାଙ୍କଠାରୁ ପାଦେ ଆଗକୁ ଯାଇଛନ୍ତି। ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଜିତିଥିଲେ। ହେଲେ ତାଙ୍କର ମୃତ୍ୟୁ ପରେ ହୋଇଥିବା ଉପନିର୍ବଚନରେ ତାଙ୍କ ଝିଅ ଦୀପାଳି ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ, ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୧୯୮ ଖଣ୍ଡ ଭୋଟ ମିଳିଛି। ଏଣେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୪୭୭ ଭୋଟ। ସେହିପରି କଂଗ୍ରେସ ପ୍ରାର୍ଥୀ ମାତ୍ର ୪,୪୯୬ ଖଣ୍ଡ ଭୋଟ ମିଳିଛି।
ଧନ୍ୟବାଦ ଝାରସୁଗୁଡ଼ାବାସୀ
ଉପନିର୍ବାଚନରେ ବିଜୟୀ ହେଲା ପରେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ, ପ୍ରାର୍ଥୀ ଦୀପାଳି ଦାସ ଓ ଅନ୍ୟ କର୍ମୀମାନେ ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀପାଳୀ ବିଜୟ ହାସଲ ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ଝାରସୁଗୁଡାବାସୀଙ୍କ ଆଶୀର୍ବାଦ ବଳରେ ବିଜୟ ହୋଇଛନ୍ତି। ବାପାଙ୍କୁ ଓ ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡାବାସୀ କେତେ ଭଲପାଆନ୍ତି ତାହାର ଉତ୍ତର ଦେଇଦେଲେ ଝାରସୁଗୁଡାବାସୀ ବୋଲି କହିଛନ୍ତି। ବିଜେଡି ସବୁବେଳେ ବିକାଶ ପାଇଁ ଲଢିଛି, ବିକାଶକୁ ପ୍ରାଥମିକତା ଦେଇଛି । ଏ ଅଞ୍ଚଳରେ ବିକାଶ ପୁରୁଷଙ୍କ ପାଦ ପଡ଼ିଛି। ତେଣୁ ଝାରସୁଗୁଡାକୁ ବିକାଶ ପଥରେ ଆଗେଇ ନେବାକୁ କେହି ଅଟକାଇ ପାରିବେନି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡାକୁ ବିକାଶ ପଥରେ ଆଗେଇ ନେବି।
ଫଳାଫଳ ନେଇ କଂଗ୍ରେସ ଅସନ୍ତୁଷ୍ଟ
ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି। ପୂର୍ବରୁ ଏହା ଆଶା କରାଯାଉ ନଥିଲା। ୨୦୧୯ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ମହେନ୍ଦ୍ର ନାଏକ। ସେହି ସମୟରେ ସେ ୧୮,୮୨୩ ଖଣ୍ଡ ଭୋଟ ପାଇଥିଲେ। ଏହା ଥିଲା ମୋଟ ଭୋଟର ୧୦.୬୮%। କିନ୍ତୁ ଦଳ ଏହି ଉପନିର୍ବାଚନରେ ଏହି ସଂଖ୍ୟାକୁ ମଧ୍ୟ କାଏମ ରଖିବାରେ ବିଫଳ ହୋଇଛି। ଦଳ ଗତ ଥର ଠାରୁ ୧୪,୩୨୭ ଖଣ୍ଡ କମ୍ ଭୋଟ ପାଇଛି। କମ୍ ପାଇବାକୁ ନେଇ ବିଧାୟକ ତାରା ବାହିନୀପତି କହିଛନ୍ତି, ଏକତା ଓ ଅର୍ଥର ଅଭାବ ଯୋଗୁଁ ଆମେ ହାରିଲୁ। ଝାରସୁଗୁଡ଼ାରେ ଯେପରି ଟଙ୍କା ଖର୍ଚ୍ଚ ହେଉଥିଲା ଜିତିବା ସମ୍ଭବ ନ ଥିଲା। ନବବାବୁ ବିଜେଡିକୁ ଗଲା ପରେ କଂଗ୍ରେସ କର୍ମୀ ବିଜେଡି ପଳାଇଲେ। ଏହି ଉପନିର୍ବାଚନରେ ଆମ ଭୋଟ୍ ବିଜେଡିକୁ ପଳେଇଛି। ୪୦ ହଜାର ଭୋଟ ପାଇବୁ ବୋଲି ଆଶା ଥିଲା, ହେଲେ ୪ ହଜାରରେ ଅଟକିଗଲା। ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ କହିଛନ୍ତି, ଓଡ଼ିଶାରେ ଲୋକତନ୍ତ୍ର ନାହିଁ। ଜନସାଧାରଣଙ୍କ ସରକାର ଚାଲୁନାହିଁ, ଲୋକ ଭୋଟ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଦେଉନାହାନ୍ତି, ପ୍ରଦର୍ଶନ ନେଇ ଆତ୍ମସମୀକ୍ଷାର ଅନୁଭବ ଦରକାର।