Saturday, January 18, 2025
Homeପରିବାର ଲୋକଙ୍କ ଅବହେଳା ଲାଗି ଶିଶୁଙ୍କ ଅସ୍ୱାଭାବିକ ମୃତ୍ୟୁ
Array

ପରିବାର ଲୋକଙ୍କ ଅବହେଳା ଲାଗି ଶିଶୁଙ୍କ ଅସ୍ୱାଭାବିକ ମୃତ୍ୟୁ

ଭୁବନେଶ୍ୱର: ଶିଶୁମାନଙ୍କର ମନ ଚଂଚଳ ଥାଏ । ପ୍ରତିଟି ଜିନିଷ ନିଜ ହାତରେ ଧରିବାକୁ ଚାହିଁଥାନ୍ତି । ଜଳ ଓ ଆକାଶକୁ ହାତ ମୁଠାରେ ଧରିବାକୁ ଚାହିଁଥାନ୍ତି । ଶିଶୁମାନେ ଯାହା ଦେଖିବେ, ତାକୁ ଧରିବା ପାଇଁ ମନ କରିବେ । ଭଲ ଓ ଖରାପ ଜାଣପାରନ୍ତି ନାହିଁ । ପିଲାମନ ହୋଇଥିବାରୁ ବିପଦ ଭିତରକୁ ପଶିଯିବାକୁ ଭୟ କରନ୍ତି ନାହିଁ । ଅନେକ ସମୟରେ ଶିଶୁମାନଙ୍କର ଦୁଷ୍ଟାମୀ ଯୋଗୁଁ ସେମାନଙ୍କର ଜୀବନ ମଧ୍ୟ ଚାଲିଯାଉଥିବାର ନଜରି ରହିଛି । ଅଳ୍ପ ବୟସର ଶିଶୁର ଅପମୃତ୍ୟୁ ହୋଇଥାଏ, ତା’ହେଲେ ଏଥି ପାଇଁ ସେ ଦାୟୀ ନୁହେଁ ବରଂ ତା’ର ପରିବାର ଲୋକ ଦାୟୀ କୁହାଯିବ ।

ଅନେକ ସମୟରେ ଦେଖାଯାଉଛି ଯେ, ଶିଶୁମାନଙ୍କର ସହିତ ପରିବାର ଲୋକଙ୍କ ଉପସ୍ଥିତି ନରହୁଥିବାରୁ ଅକାଳ ବିୟୋଗ ହେଉଛି । ଶିଶୁମାନେ ପୋଖରୀରେ ବୁଡ଼ ଯାଉଛନ୍ତି । ନଦୀରେ ଭାସିଯାଉଛନ୍ତି । କୂଅରେ ପଡ଼ଯାଉଛନ୍ତି । ସେହିପରି ରାସ୍ତାରେ ଖେଳୁଥିବା ସମୟରେ ଗାଡ଼ି ମାଡ଼ି ଯାଉଛି । ଏଭଳି ଘଟଣା ଗୁଡ଼ିକ ଗାଁ-ଗହଳିରେ ଅଧିକ ଦେଖାଯାଉଛି । ପରିବାର ଲୋକେ ନିଜ ନିଜ କାମରେ ବ୍ୟସ୍ତ ରହୁଥିବାରୁ ଶିଶୁକୁ ଅବହେଳା କରୁଛନ୍ତି । ପିଲା କେଉଁଠି ଖେଳୁଛି, କ’ଣ କରୁଛି ସେନେଇ ନଜର ରଖିପାରୁ ନାହାନ୍ତି । ତେଣୁ ବିପଦ ଦେଖାଯାଉଛି ।

ମା’ ସାମ୍ନାରେ ୨ ଶିଶୁ ବୁଡ଼ିଗଲେ

ସମ୍ବଲପୁର ଜିଲ୍ଲାରେ ଗତ ଜୁନ ୨୯ ତାରିଖରେ ପରିବାର ଲୋକଙ୍କର ଅବହେଳା ପାଇଁ ୪ ଜଣ ନିଷ୍ପାପ ଶିଶୁଙ୍କର ମୃତ୍ୟୁ ହୋଇଛି । ଚାରମାଳ ଥାନା ଅନ୍ତର୍ଗତ ସୁରୁବାଲି ଯୋରରେ ମା’ଙ୍କ ସହିତ ଗାଧୋଉଥିବା ବେଳେ ୨ ନାବାଳକ ବୁଡ଼ିଯାଇଥିଲେ । ଚୂଡ଼ାପୁରୁଗ ଗାଁର ଦୁଃଖବନ୍ଧୁ ଖାଡ଼ିଆଙ୍କ ସ୍ତ୍ରୀ ସୁନୀତା ଖାଡ଼ିଆ ଅପରାହ୍ନ ସମୟରେ ୨ ନାବାଳକ ପୁତ୍ର ଅମିତ ଖାଡ଼ିଆ (୬) ଓ ଅଜିତ ଖାଡ଼ିଆ (୪)ଙ୍କୁ ନେଇ ଯୋରକୁ ଗାଧୋଇବାକୁ ଯାଇଥିଲେ । ମା’ ଲୁଗା ସଫା କରୁଥିବା ବେଳେ ଶିଶୁ ଦ୍ୱୟ ପାଣିର ସ୍ରୋତରେ ଭାସିଯାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଅମିତ ଓ ଅଜିତଙ୍କୁ ଉଦ୍ଧାର କରାଯାଇଥିଲା । ରେଢାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ୨ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ ।

ଚୁଆରେ ବୁଡ଼ିଗଲେ ୨ ଶିଶୁ

ମାମୁ ଓ ମାମୁଙ୍କ ପୁଅ ସହିତ ଫାର୍ମ ହାଉସ୍‌ରେ ଖେଳୁଥିବା ସମୟରେ ସେଠାରେ ଥିବା ଏକ ଚୁଆରେ ପଡ଼ିଯିବାରୁ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ନୂଆବରଙ୍ଗାମାଳ ପଂଚାୟତ ଅନ୍ତର୍ଗତ ନୂଆଁରପଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଥିଲା । ପରିବାର ଲୋକଙ୍କର ଅବହେଳା ଯୋଗୁଁ ଗୋବର୍ଦ୍ଧନବଡ଼ମାଳ ଗାଁର ରତ୍ନମଣି ସାହୁଙ୍କ ପୁଅ ରାହୁଲ (୫) ଏବଂ ଜମନକିରା ବ୍ଲକ ମୁଣ୍ଢେନପାଲି ପଂଚାୟତ ଖରସନମାଳ ଗାଁର ରତ୍ନମଣି ବାରିକଙ୍କ ପୁଅ ଆୟୁଷ (୫)ର ମୃତ୍ୟୁ ହୋଇଥିଲା । ଫାର୍ମ ହାଉସରେ ବୟସ୍କ ବ୍ୟକ୍ତି କାମ କରୁଥିବା ବେଳେ ୨ ଜଣ ଶିଶୁ ଅଜାଣତରେ ଚୂଆ ଭିତରକୁ ପଶି ଯାଇଥିଲେ ।

ପରୀ ହତ୍ୟା ଘଟଣା ଭୁଲିହେବନି

ବହୁ ଚର୍ଚ୍ଚିତ ନୟାଗଡ଼ର ଯଦୁପୁର ନାବାଳିକା ପରୀ ହତ୍ୟା ଘଟଣା ଏକଦା ଚର୍ଚ୍ଚାର ବିଷୟ ଥିଲା । ରାଜ୍ୟବାସୀ ଏହି ଘଟଣାକୁ ନେଇ ଅନେକ ଚର୍ଚ୍ଚା କରିଥିଲେ । ଗାଁ ଦାଣ୍ଡରେ ଖେଳୁଥିବା ଶିଶୁକୁ ଅଭିଯୁକ୍ତମାନେ ନେଇଯାଇ ହତ୍ୟା କରି ଦେଇଥିଲେ । ଏହି ଘଟଣାକୁ ନେଇ ରାଜନୈତିକ ମାହୋଲ ଗରମାଗରମ ଥିଲା । ନୟାଗଡ଼ ଥାନା ଆଇଆଇସିଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଏସ୍‌ଡିପିଓଙ୍କୁ ବଦଳି ହୋଇଥିଲା । ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ପହଂଚିଥିଲା । ପରିବାର ଲୋକଙ୍କର ସାମାନ୍ୟ ଅବହେଳା ଯୋଗୁଁ ପରୀର ମୃତ୍ୟୁ ହୋଇଥିଲା କୁହାଯାଇ ପାରିବ । କାରଣ ପରିବାର ଲୋକେ ପିଲାକୁ ଘରେ ଖେଳିବାକୁ ସୁଯୋଗ ଦେଇଥିଲେ, ଗାଁ ଦାଣ୍ଡକୁ ଯାଇପାରି ନଥାନ୍ତା । କେବଳ ପରୀ ନୁହେଁ, ରାଜ୍ୟରେ ବହୁ ସଂଖ୍ୟାରେ ଶିଶୁମାନେ ପରିବାର ଲୋକଙ୍କର ଅବହେଳା ଯୋଗୁଁ ମୃତ୍ୟୁର ଶିକାର ହେଉଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments