ପଶ୍ଚିମବଙ୍ଗରେ ସୀମା ଟପିଲା ନରସଂହାର

    0
    207

    ଭୁବନେଶ୍ୱର: ପଡୋଶୀ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲା ବୋଗତୁଇ ଗାଁରେ ତୃଣମୂଳ କଂଗ୍ରେସ ନେତାଙ୍କ ହତ୍ୟା ପରେ ଯେଉଁ ନରସଂହାର ହୋଇଛି, ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ରାଜନୈତିକ ହେଉକି ପାରିବାରିକ କିମ୍ବା ଗୋଷ୍ଠୀ ବିବାଦ ହେଉ ଯେଭଳି ଭାବେ ୮ ଜଣଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ବଳ ପୂର୍ବକ ଏକ ଘଣ ଭିତରେ ବନ୍ଦ କରି ଦିଆଯାଇ ନିଆଁ ଲାଗାଇ ହତ୍ୟା କରାଯାଇଛି, ତାହା ଏକ ସଭ୍ୟ ସମାଜକୁ କୁଠାର ଘାତ କରୁଛି। ଅଗ୍ନିକାଣ୍ଡ ୩ ଜଣ ମହିଳା ଓ ୨ ଶିଶୁଙ୍କ ସମେତ ମୋଟ ୮ ଜଣ ପ୍ରାଣ ହରାଇଛନ୍ତି। ହିଂସା ଯେଉଁଥି ପାଇଁ ବି ହେଉ, ଦୋଷ କରୁଛି ଜଣେ। କିନ୍ତୁ ଦୁର୍ଦ୍ଦଶା ଭୋଗିଛନ୍ତି ଅନେକ। ଏହି ନରସଂହାର ଘଟଣା ସହିତ ଜଡ଼ିତ ମୋଯ ୨୩ ଜଣଙ୍କୁ ପୁଲିସ ଗିରଫ କରିସାରିଛି। କଲିକତା ହାଇକୋର୍ଟ ଏହି ମାମଲାରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିବା ବେଳେ ଜାତୀୟ ମାନବାଧିକାର କମିସନ ମଧ୍ୟ ଏବାବଦରେ ଅବଗତ ହୋଇଛନ୍ତି।

    ରାଜନୈତିକ ଦଳର ନେତାମାନଙ୍କ କହିବା ଅନୁସାରେ ପଶ୍ଚିମବଙ୍ଗରେ ଆଇନକାନୁନ ଦୁର୍ବଳ ହୋଇଛି। ତୃଣମୂଳ ସରକାର ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି। ରାଜ୍ୟରେ ତୃଣମୂଳ ସ୍ତରରେ କାର୍ଯ୍ୟରତ କର୍ମୀଙ୍କୁ ହତ୍ୟା କରାଯିବା ନୂଆ କଥା ନୁହେଁ। ନିର୍ବାଚନ ସମୟରେ ଗୁଳିମାଡ଼, ବୋମାମାନ, ଆକ୍ରମଣ ହେଉଛି। ଅନ୍ୟପଟରେ ଏବେ ପଶ୍ଚିମବଙ୍ଗରେ ନିର୍ବାଚନ ନଥିଲେ ବି ପୂର୍ବ ଶତ୍ରୁତାକୁ ନେଇ ହିଂସା ଦେଖାଯାଉଛି। ଅପରାଧୀଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ଅଭାବ ଯୋଗୁଁ ରାଜ୍ୟରେ ଆଇନକାନୁନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାରେ ଲାଗିଛି କହିଲେ କିଛି ଭୁଲ ହେବ ନାହିଁ।

    ପୀଡିତଙ୍କୁ ଭେଟିଲେ ମମତା

    ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତକଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପମୂଳକ ରାଶି ଘୋଷଣା କରିଛନ୍ତି। ସେହିପରି ଅଗ୍ନିକାଣ୍ଡ ଘଟଣାରେ ଯେଉଁମାନେ ଶିଶୁଙ୍କୁ ହରାଇଛନ୍ତି, ସେମାନଙ୍କ ପରିବାରକୁ ଅତିରିକ୍ତ ୫୦ ହଜାର ଟଙ୍କା ଓ ଘର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି। ଘଟଣା ସହିତ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଥିବା କଥା କହିଛନ୍ତି। ଏହି ଘଟଣା ପାଇଁ ନିଶ୍ଚିତ ଭାବେ ବଡ଼ଧରଣର ଷଡ଼ଯନ୍ତ୍ର ହୋଇଛି। ତେଣୁ ପୋଲିସ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେବ। ଅନ୍ୟପଟରେ ପଶ୍ଚିମବଙ୍ଗରେ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯର୍୍ୟସ୍ତ ହୋଇପଡ଼ଥିବାରୁ ବିଜେପି ରାଜ୍ୟ ସରକାରକୁ ଟାର୍ଗେଟ କରିଛି।

    ଲୋମହର୍ଷଣକାରୀ କାହାଣୀ

    ବୀରଭୂମ ନରସଂହାରରେ ଏକ ଲୋମହର୍ଷଣ କାହାଣୀ ମଧ୍ୟ ଗଣମାଧ୍ୟମକୁ ଆସିଛି। ଗତ ଜାନୁଆରୀ ମାସରେ ବିବାହ କରିଥିବା ନବ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ବୀରଭୂମ ଜିଲ୍ଲା ନାନୁର ନିବାସୀ କାଜୀ ସାଜୀଦୂରଙ୍କ ବିବାହ ବୋଗତୁଇ ଗାଁର ମିଜାରୁଲ ଶେଖଙ୍କ ଝିଅ ଲିଲି ଖାତୁନଙ୍କ ସହିତ ହୋଇଥିଲା। ଉଭୟ ସ୍ୱାମୀ-ସ୍ତ୍ରୀ ବୋଗତୁଇ ଗାଁକୁ ଯାଇଥିଲେ। ଘଟଣା ଦିନ ୮ ଜଣଙ୍କ ସମେତ ନବ ଦମ୍ପତିଙ୍କୁ ମଧ୍ୟ ଉପଦ୍ରବକାରୀମାନେ ଏକ ଘର ଭିତରେ ବନ୍ଦ କରି ଦେଇଥିଲେ। ସେମାନଙ୍କୁ ମଧ୍ୟ ଅନ୍ୟମାନଙ୍କ ପରି ନିସ୍ତୁକ ମାଡ଼ ମରାଯାଇଥିଲା। ମାଡ଼ ମାରିବା ପରେ ବନ୍ଦ ଘରରେ ଅଗ୍ନି ସଂଯୋଗ କରି ଦିଆଯାଇଥିଲା।  

    ପଶ୍ଚିମବଙ୍ଗରେ ବଢ଼ିଛୁ ହିଂସା

    ମାର୍ଚ୍ଚ ୨୧ ତାରିଖର ଘଟଣାକୁ ନେଇ ପଶ୍ଚିମବଙ୍ଗରେ ରାଜନନୈତିକ ପାରା ବଢ଼ିଥିବା ବେଳେ ୨୩ ତାରିଖରେ ପୁଣି ହିଂସା ଘଟଣା  ଦେଖିବାକୁ ମିଳିଛି। ନଦିଆ ଜିଲ୍ଲାରେ ଜଣେ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ହେଲେ ସହଦେବ ମଣ୍ଡଳ। ତାଙ୍କର ପତ୍ନୀ ଅନୀମା ମଣ୍ଡଳ ୨ ନମ୍ବର ବଗୁଳା ଗ୍ରାମପଞ୍ଚାୟତର ସଦସ୍ୟା ଅଟନ୍ତି। ଲହୁଲୁହାଣ ଅବସ୍ଥାରେ ସହଦେବଙ୍କୁ ବୁଧବାର ଉଦ୍ଧାର କରାଯାଇଥିଲା। ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ସହଦେବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ହୁଗୁଳି ଜିଲ୍ଳାରେ ମଧ୍ୟ ମାର୍ଚ୍ଚ ୨୩ ତାରିଖରେ ଜଣେ ମହିଳା ପାର୍ଷଦଙ୍କୁ ମାରୁତି କାର ଚାଇ ହତ୍ୟା କରିବାକୁ ଉଦ୍ୟମ ହୋଇଛି। 

    LEAVE A REPLY

    Please enter your comment!
    Please enter your name here