Monday, October 14, 2024
Homeପଶ୍ଚିମ ଓଡ଼ିଶାରେ କରୋନା: ମୁକାବିଲା ଲାଗି ପ୍ରସ୍ତୁତି ଜୋର୍‌ଦାର !
Array

ପଶ୍ଚିମ ଓଡ଼ିଶାରେ କରୋନା: ମୁକାବିଲା ଲାଗି ପ୍ରସ୍ତୁତି ଜୋର୍‌ଦାର !

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଜୀବନରେଖା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ୍‌ ଓ ହସ୍‌ପିଟାଲ (ଭିମସାର) ପରିସରରେ ରାଜ୍ୟ ସରକାର  ଦ୍ୱିତୀୟ କୋଭିଡ୍‌ ହସ୍‌ପିଟାଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ଭାଇରସ୍‌ ମହାମାରୀର ଦ୍ୱିତୀୟ ଲହର ପଶ୍ଚିମ ଓଡ଼ିଶାରେ ଉଦ୍‌ବେଗଜନକ ସ୍ଥିତିଥିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ବିଗତ କିଛି ଦିନ ମଧ୍ୟରେ ରାଜ୍ୟର ପଶ୍ଚିମ ସୀମାବର୍ତ୍ତୀ (ଛତିଶଗଡ଼ ନିକଟସ୍ଥ) ଜିଲ୍ଲା ଗୁଡ଼ିକରେ କରୋନା ସଂକ୍ରମିତ ଲୋକଙ୍କର ସଂଖ୍ୟା ବହୁ ପରିମାଣରେ ବଢ଼ିଛି। ନିକଟ ଭବିଷ୍ୟତରେ ସଂକ୍ରମଣ ଆହୁରି ଅଧିକ ବ୍ୟାପିପାରେ। ତେଣୁ ଭବିଷ୍ୟତ ସ୍ଥିତିକୁ ଦୃଷ୍ଟିରେ ଭିମସାରରେ ଦ୍ୱିତୀୟ କୋଭିଡ ହସ୍‌ପିଟାଲ ଖୋଲିବା ଉପରେ ସରକାର ଚିନ୍ତା କରିଛନ୍ତି।

ଭିମ୍‌ସାରରେ ଦ୍ୱିତୀୟ କୋଭିଡ ହସ୍‌ପିଟାଲ ଖୋଲିବା ପୂର୍ବରୁ ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏବଂ ରାଜ୍ୟସ୍ତରୀୟ ବରିଷ୍ଠ ଅଧିକାରୀ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର, ଡିଏମଇଟି ଡାକ୍ତର ସିବିକେ ମହାନ୍ତି ଭିମସାର ଗସ୍ତ କରିଥିଲେ।

ଛତିଶଗଡ଼ରେ ସଂକ୍ରମଣକୁ ଦେଖି ପଦକ୍ଷେପ

କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ରାଜ୍ୟର ୧୦ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିରେ ଗତ ୫ ତାରିଖଠାରୁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ହୋଇଛି। ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଥିବା ୧୦ରୁ ୭ଟି ଜିଲ୍ଲା କେବଳ ପଶ୍ଚିମ ଓଡ଼ିଶାରେ ରହିଛି। ଛତିଶଗଡ଼ରେ କରୋନା ସଂକ୍ରମଣ ଦୈନିକ ହାରାହାରି ୧୫ ହଜାର ରହୁଥିବାରୁ ପଶ୍ଚିମ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିଛି। ଏବେ ଯଦିଓ ପଶ୍ଚିମ ଓଡ଼ିଶାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକ ସୀମାରେ ସିଲ କରାଯାଇଛି, ତଥାପି ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭିମସାରରେ ୨ୟ କୋଭିଡ ହସ୍‌ପିଟାଲ ଚିନ୍ତା କରାଯାଇଛି।

ବଢ଼ିବ ଶଯ୍ୟା ସଂଖ୍ୟା

ମୁଖ୍ୟ ଶାସନ ସଚିବ କହିଛନ୍ତି, ସମ୍ବଲପୁରରେ ପହଂଚି କରୋନା ସ୍ଥିତି ବାବଦରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛି। ଭିମସାରରେ ଥିବା କୋଭିଡ ହସ୍ପିଟାଲକୁ ବୁଲି ଦେଖିବା ପରେ ଏଠାରେ ୩୦୦ ଶଯ୍ୟା ବିଶିଷ୍ଟ ଆଉ ଏକ କୋଭିଡ ହସ୍ପିଟାଲ କରାଯିବ। ଏହି ୩୦୦ ଶଯ୍ୟାରୁ ୨୫୦ଟି ବେଡ଼ରେ ଅମ୍ଳଜାନ ସୁବିଧା ରହିବ। ଆଉ ୫୦ଟି ଆଇସିୟୁ ବେଡ଼ ରହିବ। ୧୦ ଦିନ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯିବ।  
ବର୍ତ୍ତମାନର କୋଭିଡ ହସ୍ପିଟାଲରେ ୨୦ଟି ଆଇସିୟୁ ବେଡ଼ ଥିବାବେଳେ ଆଉ ୩୦ଟି ବୃଦ୍ଧି କରାଯିବ।  ସେହିପରି ଏଠାରେ ୧୭୫ଟି ଶଯ୍ୟା ଥିବାବେଳେ ଏହାକୁ ୫୨୫ଟି ବେଡ଼ କରାଯିବା ପାଇଁ ଉଦ୍ୟମ ହେଉଛି। ଏହା ବାଦ ପର୍ଯ୍ୟାପ୍ତ ମେଡ଼ିସିନ ଓ ଚିକିତ୍ସା ଉପକରଣ ମହଜୁଦ ଅଛି।

ସଂକ୍ରମଣ ଅଧିକ, ସୁସ୍ଥ କମ୍

ରାଜ୍ୟରେ ଏପ୍ରିଲ ପହିଲାରେ ୩୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ୧୨୮୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରେ ବରଗଡ଼ରେ ୧୨୬ ଜଣ, ବଲାଙ୍ଗୀରରେ ୧୧୦, ବୌଦ୍ଧରେ ୧୦, ଦେବଗଡ଼ରେ ୨୩, ଝାରସୁଗୁଡ଼ାରେ ୮୪, କଳାହାଣ୍ଡିରେ ୨୬୦, ନୂଆପଡ଼ାରେ ୧୫୧, ସମ୍ବଲପୁରରେ ୧୪୮,  ସୁବର୍ଣ୍ଣପୁରରେ ୬ ଓ ସୁନ୍ଦରଗଡ଼ରେ ୧୪୬ ସାମିଲ ଅଛନ୍ତି ।  ଅର୍ଥାତ ଆଜି ୪୩.୧୨ ପ୍ରତିଶତ କେବଳ ପଶ୍ଚିମ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି ।  ଏପ୍ରିଲ ୧୪ ତାରିଖରେ ରାଜ୍ୟରେ ମୋଟ୍‌ ୬୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ପଶ୍ଚିମ ଓଡ଼ିଶାର ନୂଆପଡ଼ା, ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ ଓ ଦେବଗଡ଼ରେ ଏହି ସଂଖ୍ୟା ୩୨୧ ଜଣ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments