ନୂଆଦିଲ୍ଲୀ: ଭାରତର ସୁରକ୍ଷା ପାଇଁ ସେନା ଦିନରାତି ଜାଗ୍ରତ ରହିଛି। ସେନାରେ ସାମିଲ ସୈନିକ ନିଜ ଜୀବନକୁ ବାଜି ଲଗାଇ ସୀମାରେ ଅଥବା ସମ୍ବେଦନଶୀଳ ସ୍ଥାନରେ ମୁତୟନ ହୋଇଛନ୍ତି। ଦେଶର ସୁରକ୍ଷା ଓ ସେନାର କର୍ତ୍ତବ୍ୟ ପାଇଁ ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଦେଶୀ ଶତ୍ରୁ କବଳରୁ ନିଜ ଦେଶକୁ ବଞ୍ଚାଇବା ପାଇଇ ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। କିନ୍ତୁ ସେନାର କିଛି ଯବାନ ପାକିସ୍ତାନର ଯୁବତୀ ହେଉ ଅଥବା ରାଶି ପାଇଁ ଦେଶର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ୍ କରୁଛନ୍ତି। ଯାହା କି ଦେଶ ପାଇଁ ବ୍ୟାପକ କ୍ଷତି ହେଉଛି। ଏଭଳି ଘଟଣା ଦେଶରେ ବାରମ୍ବାର ଦେଖାଯାଉଛି।
ପ୍ରତ୍ୟେକ ଯବାନ ନିଜ ମନରେ ନିଶ୍ଚିତ ରୂପେ ସଂକଳ୍ପ ନେଇ ସେନାରେ ଯୋଗ ଦେଇଥାନ୍ତି। ସେନାରେ ଯୋଗଦେଇଥିବା ଯବାନମାନେ ଅର୍ଥ ଲାଳସା ପାଇଁ ମନ କରି ନ ଥାନ୍ତି। ବରଂ ଦେଶ ସେବା କରିବା ସେମାନଙ୍କର ପ୍ରଥମ କର୍ତ୍ତବ୍ୟ। ମାତ୍ର କ୍ଷୋଭର ବିଷୟ ହେଲା ଯେ, ଆମ ଦେଶର ଯବାନମାନେ ପାକିସ୍ତାନୀ ମହିଳାଙ୍କ ଦ୍ବାରା ଆକର୍ଷିତ ହୋଇ ଏକ ମାୟାଜାଲରେ ଛନ୍ଦି ହୋଇଯାଉଛନ୍ତି। ଆଉ କେତେକ ଟଙ୍କା ଲୋଭରେ ନିଜର କର୍ତ୍ତବ୍ୟ ଭୁଲି ଯାଉଛନ୍ତି। ଆହୁରି ବି କୁହାଯାଉଛି ଯେ, ଯବାନମାନେ ଯେତେବେଳେ ହ୍ବାଟସ୍ଆପ୍ ମାଧ୍ୟମରେ ପାକିସ୍ତାନୀ ଯୁବତୀଙ୍କ ମାୟାଜାଲରେ ପଡ଼ିଯାଉଛନ୍ତି, ସେହି ସମୟରେ ସେମାନେ ଜାଣିପାରୁ ନାହାନ୍ତି ଯେ, ସେମାନେ କେଉଁ କାମ ପାଇଁ ଆସିଛନ୍ତି।
ଭାରତୀୟ ସେନାକୁ ପଡୋଶୀ ଶତ୍ରୁଙ୍କ ଟାର୍ଗେଟ
ଭାରତୀୟ ସେନା ଅଧିକାରୀମାନଙ୍କୁ ପାକିସ୍ତାନୀ ଗୁପ୍ତଚରମାନେ ହନିଟ୍ରାପ୍ରେ ପକାଉଥିବା ଦେଖାଯାଉଛି। ସେନାକୁ ଟାର୍ଗେଟ୍ କରି ସେମାନଙ୍କଠାରୁ ଗୁରୁତ୍ବପୂର୍ଣ୍ଣ ଏବଂ ଗୁପ୍ତତଥ୍ୟ ସଂଗ୍ରହ କରିନେଉଛନ୍ତି। ପାକିସ୍ତାନ ଗୁଇନ୍ଦାଗିରି ମାଧ୍ୟମରେ ଭାରତର ସାଇବର ସୁରକ୍ଷା ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି। ଏହାର ତଦନ୍ତ କରାଯାଉଛି। ହ୍ବାଟ୍ସଆପ୍ ଗ୍ରୁପ୍ ଜରିଆରେ ସମ୍ବେଦନଶୀଳ ତଥ୍ୟ ଏଥିରେ ଲିକ୍ ହୋଇଛି କି ନାହିଁ ତାହାର ଖୋଳତାଡ଼ ହେଉଛି। ଉକ୍ତ ହ୍ବାଟ୍ସଆପ୍ ଗ୍ରୁପ୍ରେ ସେନାର ଅଧିକାରୀମାନେ ରହିଛନ୍ତି। କିଛି ବରିଷ୍ଠ ଅଧିକାରୀ ଏବଂ ସାଧାରଣ ନାଗରିକ ଏହି ଗ୍ରୁପ୍ରେ ରହିଛନ୍ତି। ଚାଇନିଜ୍ ଓ ପାକିସ୍ତାନୀ ଅନ୍ଲାଇନ୍ ଏଜେଣ୍ଟମାନେ ନିରବଚ୍ଛିନ୍ନଭାବେ ଗୁରୁତ୍ବପୂର୍ଣ୍ଣ ଭାରତୀୟ ସେନା ତଥ୍ୟ ହାସଲ କରିବା ପାଇଁ ଉଦ୍ୟମ କରୁଛନ୍ତି।
ରାଣାଙ୍କୁ ଫସାଇ ଦେଲେ ୨ ମହିଳା
ଭାରତୀୟ ସେନାର ଜଣେ ଯବାନ ପୁଣି ଥରେ ପାକିସ୍ତାନୀ ସୁନ୍ଦରୀ ଯୁବତୀଙ୍କ ମାୟାଜାଲରେ ଫସିଯାଇଛନ୍ତି। ପଶ୍ଚିମବଙ୍ଗର ବାଙ୍କୁଡା ଜିଲ୍ଲା ଅନ୍ତର୍ଗତ କାଞ୍ଚନପୁର ନିବାସୀ ୨୪ ବର୍ଷୀୟ ଯବାନ ଶାନ୍ତିମୟ ରାଣା ରାଜସ୍ଥାନର ଜୟପୁରରେ ଅର୍ଟଲରୀ ୟୁନିଟରେ ମୁତୟନ ଥିଲେ । ରାଣା ଏବେ ପାକିସ୍ତାନୀ ମହିଳା ଏଜେଣ୍ଟ ସହ ହନୀଟ୍ରାପ୍ର ଶିକାର ହୋଇଛନ୍ତି। ତାଙ୍କ ଠାରୁ ଅଙ୍କିତା ଓ ନିଶା ପରିଚୟ ଦେଇ ୨ ଜଣ ଯୁବତୀ ରାଣାଙ୍କ ପାଖରୁ ଭାରତୀୟ ସେନାର ତଥ୍ୟ ହାସଲ କରିଛନ୍ତି। ଯବାନଙ୍କ ଠାରୁ ଅନେକଗୁଡ଼ିଏ ଗୋପନୀୟ ତଥ୍ୟ ହାସଲ କରାଯାଇଥିବା ଅଭିଯୋଗ ହୋଇଛି। ରାଜସ୍ଥାନ ପୋଲିସର ଗୁଇନ୍ଦା ଶାଖା ରାଣାଙ୍କୁ ଗିରଫ କରିଛି । ରାଣା ୨୦୧୮ ମସିହାରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ବିଗତ କିଛି ଦିନ ହେବ ହ୍ୱାଟସ୍ଆପ ଚାଟ, ଭିଡିଓ ଓ ଅଡିଓ ମେସେଜ ମାଧ୍ୟମରେ ମହିଳା ପାକିସ୍ତାନୀ ଏଜେଣ୍ଟଙ୍କ ସଂପର୍କରେ ଥିଲେ । ମହିଳା ନିଜକୁ ଶାହଜହାଁପୁର (ଉତ୍ତରପ୍ରଦେଶ) ନିବାସୀ ବୋଲି କହୁଥିଲେ । ମିଲିଟାରୀ ଇଞ୍ଜିନିୟରିଂରେ କାମ କରୁଛୁ ବୋଲି କହିଥିଲେ । ଦ୍ୱିତୀୟ ମହିଳା ନିଜକୁ ନିଶା ବୋଲି ପରିଚୟ ଦେଇ ମିଲିଟାରୀ ନର୍ସିଂ ସର୍ଭିସ କାମ କରନ୍ତି ବୋଲି କହିଥିଲେ ।
ଆଗରୁ ବି ଗିରଫ ହୋଇଥିଲେ ସେନା କର୍ମଚାରୀ
ରାଣାଙ୍କ ପୂର୍ବରୁ ମଧ୍ୟ ଭାରତୀୟ ପ୍ରତିରକ୍ଷା ପ୍ରତିଷ୍ଠାନରେ ୨୦୨୧ ଅକ୍ଟୋବର ୧୪ରେ ଗୁପ୍ତଚର କାଣ୍ଡ ଧରାପଡ଼ିଥିଲା। ରାଜସ୍ଥାନର ଯୋଧପୁରରେ ଥିବା ମିଲିଟାରୀ ଚିଫ ଇଂଜିନିୟର ଅଫିସରେ ପିଅନଭାବେ କାମ କରୁଥିବା ରାମ ସିଂ ମଧ୍ୟ ପାକିସ୍ତାନୀ ଯୁବତୀଙ୍କ ପ୍ରେମରେ ପଡ଼ି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଯୋଗାଉଥିବା ଅଭିଯୋଗ ହୋଇଥିଲା। ରାମ ସିଂ ଜଣେ ରହସ୍ୟମୟୀ ପାକିସ୍ତାନୀ ଯୁବତୀଙ୍କ ସହ ହ୍ବାଟ୍ସଆପରେ ଚାଟିଂ କରୁଥିଲେ ଓ ଅନେକ ଗୋପନ ତଥ୍ୟ ଯୋଗାଉଥିଲା। ସଂପୃକ୍ତ ଯୁବତୀ ତାକୁ ପ୍ରେମଜାଲରେ ଫସାଇ ଓ ବିବାହର ପ୍ରଲୋଭନ ଦେଇ ଏସବୁ ଗୋପନ ତଥ୍ୟ ହାସଲ କରୁଥିବା ଜଣାପଡ଼ିଥିଲା। ରାମ ସିଂ ଉକ୍ତ ମିଲିଟାରୀ ଇଂଜିନିୟରିଂ ଅଫିସର କେତେକ ଗୋପନ ଚିତ୍ର ମଧ୍ୟ ହ୍ବାଟ୍ସଆପରେ ସେୟାର କରିଥିଲେ। ଏପରିକି ସେ ନିଜ ମୋବାଇଲ ଫୋନରେ ଅଫିସର ବିଭିନ୍ନ ଗୋପନ ଫାଇଲ ଓ କାଗଜ ପତ୍ରର ଫଟୋ ଉଠାଇ ସଂପୃକ୍ତ ଯୁବତୀ ନିକଟକୁ ପଠାଉଥିଲା ବୋଲି ରାଜସ୍ଥାନର ପୁଲିସ ଡିଜି(ଗୁଇନ୍ଦା) ଉମେଶ ମିଶ୍ରା କହିଥିଲେ।