ଭୁବନେଶ୍ୱର: ବାସ୍ତୁ ଶାସ୍ତ୍ର, ବୁଦ୍ଧିଜୀବୀ ଓ ଶିକ୍ଷାବିଦଙ୍କ ଅନୁସାରେ ଘରେ ପାରା ରଖିଲେ ମଙ୍ଗଳ ହୋଇଥାଏ । ଭୋର ସକାଳୁ ଉଠି ପାରା ଦଳକୁ ଖାଇବାକୁ ଦେଲେ କେତେ ପୂଣ୍ୟ ମିଳିବ, ତାହା ଭିନ୍ନ କଥା ହୋଇପାରେ କିନ୍ତୁ ନିଶ୍ଚିତ ଭାବେ କୁହାଯାଇପାରିବ ମନରେ ଟିକିଏ ଶାନ୍ତି ମିଳିଥାଏ । ମୁଠାଏ ଦାନା ପାରା ଦଳ ଭିତରକୁ ଫିଙ୍ଗି ଦେଲେ ସେମାନେ ବ୍ୟସ୍ତ ହୋଇ ଖାଇଥାନ୍ତି । ସେଥିପାଇଁ ବୋଧେ ଅନେକ ଲୋକ ସକାଳୁ ଉଠିବା ପରେ ପାରାମାନଙ୍କୁ ଖାଦ୍ୟ ଦେଇଥାନ୍ତି । ଏମିତି ଦୁଇ ଜଣ ମଣିଷ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଂଚଳର ଅଭିରାମଙ୍କ ପୁଅ ସନାତନ ଓ କେରାପୁଟ ଜିଲ୍ଲା ଜୟପୁର ସହରର ଅବକାରୀ ବିଭାଗର ଅବସରପ୍ରାପ୍ତ ଡେପୁଟି କମିଶନର ଦାଶରଥୀ ବୁରୁଦା ।
ବିପଦରେ ପାରା ବଂଶ
ଦିନ ଥିଲା, ସେତେବେଳେ ବାର୍ତ୍ତା ପ୍ରେରଣ ପାଇଁ ଇ-ମେଲ, ହ୍ୱାଟସପ, ମ୍ୟାସେଞ୍ଜର, ଫେସବୁକ, ମୋବାଇଲ ଆଦି ମାଧ୍ୟମ ନଥିଲା । ଦୂର ରାଇଜକୁ ଚିଠିରେ ବାର୍ତ୍ତା ନେଇ ପହଂଚୁଥିବା ପାରାଗୁଡ଼ିକ ଦିନକୁ ଦିନ ସମସ୍ୟା ଭିତରେ ଫନ୍ଦି ହୋଇଯାଉଛନ୍ତି । ମାଟି, ଚାଳ-ଛପରରେ ତିଆରି ଘରଗୁଡ଼ିକ ହ୍ରାସ ପାଉଥିବା ବେଳେ ପାରାମାନେ ରହିବାକୁ ଆଉ ପୂର୍ବ ଭଳି ସ୍ଥାନ ପାଇପାରୁ ନାହାନ୍ତି । ଦିନ ଥିଲା ଗ୍ରାମାଂଚଳରେ ଶତପ୍ରତିଶତ ମାଟି ତିଆରି ଘର ଦେଖିବାକୁ ମିଳୁଥିଲା । ଏହି ମାଟି ଘରର ପଛପଟରେ ଥିବା ଓଳିରେ ବାଉଁଶ ତିଆରି ଟୋକେଇ ଗୁଡ଼ିକ ଘରମାଲିକ ପାରାମାନେ ରହିବେ ବୋଲି ବ୍ୟବସ୍ଥା କରୁଥିଲେ । ଚାଳ ଛପର ଘରେ ପାରାମାନେ ରହିବାକୁ ଭଲ ପାଉଥିଲେ । ଆଜି ତାହା ବିରଳ ହୋଇଯାଇଛି । ଆଜିକାଲି କ୍ୱଚିତ ପରିମାଣରେ ମାଟି ଘର ଦେଖିବାକୁ ମିଳୁଛି । ମନୁଷ୍ୟ ବିକାଶ ନାଁରେ ପକ୍କା ଘରରେ ରହିବାକୁ ଭଲ ପାଉଛି । ସରକାର ମଧ୍ୟ ଗାଁରେ ମାଟିଘର ସବୁ ଭାଙ୍ଗି ଦେଇ ପକ୍କା ଘର ଦେବାକୁ ଲକ୍ଷ୍ୟ ରଖିଛନ୍ତି । ପକ୍କା ଘର ନିର୍ମାଣ ହୋଇଯିବା ପରେ ପାରାମାନେ ରହିବାକୁ ସ୍ଥାନ ପାଇପାରୁ ନାହାନ୍ତି । ଘର ମାଲିକମାନେ ମଧ୍ୟ ପାରାବଂଶର ସୁରକ୍ଷା ପାଇଁ ଚିନ୍ତିତ ନାହାନ୍ତି ।
ମରିଗଲେ ୨୦୦ ପାରା
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗନରରେ ଗତ ୪ ତାରିଖ ରାତିରେ ୪ ବଖରା ଘର ପୋଡ଼ିଯାଇଛି । ଫଳରେ ଏହି ଘରେ ରହୁଥିବା ୨୦୦ ପାରା ମଧ୍ୟ ପ୍ରାଣ ହରାଇଛନ୍ତି । ଘଟଣା ଦିନ ରାତି ପ୍ରାୟ ୧ଟାରେ ନିଆଁ ଲାଗିଥିଲା । ପାରାମାନେ ଶୋଇଥିବା ବେଳେ ହଠାତ ନିଆଁଲାଗିଥିଲା । ରାତି ଯୋଗୁଁ ପାରାମାନେ ଜୀବନ ବଂଚାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁରେ ଆତ୍ମହୃତି ଦେଇଥିଲେ । ଅଭିରାମଙ୍କ ପୁଅ ସନାତନ୨୦୦ ପାରା ପୋଷିଥିଲେ । କିନ୍ତୁ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହେବା ପରେ ପାରାମାନଙ୍କୁ ମୁକ୍ତ କରାଯାଇପାରି ନଥିଲା ।
ଜୟପୁରରେ ପାରାଙ୍କୁ ଖାଦ୍ୟ ଦିଅନ୍ତି ଦଶରଥ
ଦାଶରଥୀ ଜୟପୁର ଉପକଣ୍ଠ ତେଲିଗୁଡ଼ା ନିକଟରେ ଥିବା ଜଗନ୍ନାଥ ଫୁଏଲସରେ ଦିନସାରା ପାରାମାନଙ୍କୁ ଖାଇବାକୁ ଦେଇଥାନ୍ତି । ଏଠାରେ ଖାଦ୍ୟ ମିଳୁଥିବାରୁ ସକାଳ ଠାରୁ ସନ୍ଧ୍ୟାଯାଏଁ ପାରାମାନେ ଏକତ୍ର ହୋଇଥାନ୍ତି । ଯେଉଁମାନଙ୍କର ପେଟପୂରି ଯାଏ, ସେମାନେ ସେଠାରୁ ଉଡ଼ି ଅନ୍ୟତ୍ର ଚାଲିଯାଆନ୍ତି । ସେଥିପାଇଁ କେହି କେହି କୁହନ୍ତି, ବୋଧେ ପାରାମାନେ ଖାଦ୍ୟ ଅନ୍ୱେଷଣରେ ଅନ୍ୟତ୍ର ଯିବାକୁ ଦରକାର ହେବ ନାହିଁ । ଅନ୍ୟକିଛି ଲୋକ କୁହନ୍ତି, ଦଶରଥ ଅଛନ୍ତି ତ ପାରାମାନଙ୍କୁ ସହଜରେ ଖାଇବା ମିଳିବାରେ କୌଣସି ଅସୁବିଧା ନାହିଁ ।
ପାରା ଯେତିକି ସୁନ୍ଦର, ସେତିକି ସରଳ
ପାରାମାନେ ଦେଖିବାକୁ ଯେତିକି ସୁନ୍ଦର ଦେଖାଯାଆନ୍ତି, ସେହିପରି ସରଳ ମଧ୍ୟ । ଶସ୍ୟଭୋଜୀ ପ୍ରାଣୀମାନେ ପ୍ରକୃତିର ସୁନ୍ଦର ବଢ଼ାଇଥାନ୍ତି । ସେଥିପାଇଁ ତାଙ୍କର ଉପସ୍ଥିତି ପୃଥିବୀ ପାଇଁ ମଙ୍ଗଳଦାୟକ ।