ଭୁବନେଶ୍ବର: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣୀ ଘାଟିରେ ଯାତ୍ରାପାଟି ‘ଧଉଳି ଗଣନାଟ୍ୟ’ର ଟ୍ରକ୍ର ମର୍ମନ୍ତୁତ ଦୁର୍ଘଟଣାର ସାମ୍ନା କରିବା ରାଜ୍ୟର ବଡ଼ଖବର ହୋଇଛି। ଯାତ୍ରାପାଟିରେ କାମ କରି ପରିବାର ପୋଷୁଥିବା କଳାକାରମାନଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଖସିପଡ଼ିଛି। ତେବେ ଏହି ଦୁର୍ଘଟଣା ଘଟିବାର ଅଳ୍ପ କିଛି ଘଣ୍ଟା ପୂର୍ବରୁ ପଡ଼ୋଶୀ ପଶ୍ଚିମବଙ୍ଗରେ ଘଟିଥିବା ସିରିଜ ଦୁର୍ଘଟଣାରେ ଯଦିଓ ଅନେକଙ୍କ ଜୀବନ ବଞ୍ଚି ଯାଇଛି। ତଥାପି ଆର୍ଥିକ କ୍ଷତି ହୋଇଛି। ଭାରତ ବାହାରେ ଘଟିଥିବା ବିମାନ ଦୁର୍ଘଟଣାରେ ୭୧ ଜଣଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନ ଯୁଦ୍ଧବନ୍ଦୀଙ୍କୁ ବିମାନରେ ନିଆଯାଉଥିବା ବେଳେ ଦୁର୍ଘଟଣା କାରଣରୁ ୬୫ ଜଣଙ୍କର ମୃତ୍ୟୁ ହୋଇଛି। କାନାଡ଼ାରେ ଘଟିଥିବା ଅନ୍ୟ ଏକ ବିମାନ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଛି।
ଦ୍ବାରଶୁଣୀ ଘାଟିରେ ୬ମୃତ
୪୯ ନମ୍ବର ଜାତୀୟ ରାଜପଥର ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକର ଦ୍ଵାରଶୁଣୀ ଘାଟିରେ ଆଜି ବୁଧବାର ପୂର୍ବାହ୍ଣରେ ଯାତ୍ରା ପାର୍ଟି ‘ଧଉଳ ଗଣନାଟ୍ୟ’ର ଏକ ଟ୍ରକ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଲାଇଟ୍ ଓ ସାଉଣ୍ଡ ସହ ଅନ୍ୟ ସରଞ୍ଜାମ ନେଇ ଯାଉଥିବା ଟ୍ରକ୍ ଓଲଟି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଅଗ୍ନିଶମ ବିଭାଗ ଓ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କେନ୍ଦ୍ର ଓ ରାଜ୍ୟ ଭତରେ ତୁତୁ ମେମେ ଯୋଗୁ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟରେ ବାଧା ଉପୁଜିଥିବାରୁ ଦ୍ବାରଶୁଣୀ ଘାଟି ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଫଳରେ ଅକାରଣେ ମୂଲ୍ୟବାନ ଜୀବନ ଚାଲି ଯାଉଛି। ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସଭିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ଗଭୀର ସମବେଦନା ଜଣାଇ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।
ପଶ୍ଚିମବଙ୍ଗରେ ସିରିଜ୍ ଦୁର୍ଘଟଣା
ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ମଙ୍ଗଳବାର-ବୁଧବାର ରାତିରେ ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଏକ ଖରାପ ହୋଇ ଯାଇଥିବା ଟ୍ରକ୍ ଛିଡ଼ା ହୋଇଥିବା ବେଳେ ସେଥିରେ ଏକ କାର୍ ପିଟି ହୋଇଥିଲା। ପରେ ଉକ୍ତ କାର୍ରେ ଆଉ ୪ଟି କାର୍ ପିଟି ହୋଇଥିଲେ। କିଛି ସମୟ ପରେ ଗୋଟିଏ ତେଲ ଟ୍ୟାଙ୍କର ଓ ବସ୍ ମଧ୍ୟ ଟ୍ରକ୍ ସହ ପିଟି ହୋଇଯାଇଥିଲେ। ଏହି ଦୁର୍ଘଟଣାରେ ୨ କାର୍ ଚାଳକ ଆହତ ହୋଇଛନ୍ତି। ଘନକୁହୁଡ଼ି ଦୁର୍ଘଟଣାର କାରଣ ଥିଲା। ଦୁର୍ଘଟଣା ଭୟଙ୍କର ଥିଲେ ମଧ୍ୟ ସୌଭାଗ୍ୟବଶତଃ କୌଣସି ଲୋକଙ୍କର ମୃତ୍ୟୁ ହୋଇ ନାହିଁ। ମାତ୍ର ପରିବହନ ଓ ପୁଲିସ ବିଭାଗ ସତର୍କ ରହିଥିଲେ ଦୁର୍ଘଟଣାକୁ ଏଡେଇ ଦିଆଯାଇପାରିଥାନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦିଅନ୍ତି।
ବିମାନ ଦୁର୍ଘଟଣାରେ ୮୦ ମୃତ
୭୪ ଜଣ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କୁ ନେଇ ଆସୁଥିବା ଋଷ ବିମାନ ଆଇଏଲ-୬୭ ୟୁକ୍ରେନ ସୀମା ନିକଟ ପଶ୍ଚିମ ବେଲଗୁଡ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ୭୪ ଜଣଙ୍କର ମୃତ୍ୟୁ ହୋଇଛି। ଋଷର ସରକାରୀ ନ୍ୟୁଜ୍ ଏଜେନ୍ସି ଆରଆଇଏ ତରଫରୁ ଏହା କୁହାଯାଇଛି। ଯୁଦ୍ଧବନ୍ଦୀମାନଙ୍କୁ ଅଦଳ ବଦଳ ଚୁକ୍ତି ମୁତାବକ ୟୁକ୍ରେନକୁ ନିଆଯାଉଥିବା ବେଳେ ଏଭଳି ଦୁର୍ଘଟଣା ହୋଇଛି। ଦୁର୍ଘଟଣା ସମୟରେ ୬୫ ଜଣ ଯୁଦ୍ଧବନ୍ଦୀଙ୍କ ସମେତ ଚାଳକ ଟିମର ୬ ଜଣ ଓ ଅନ୍ୟ ୩ ଜଣ ବିମାନରେ ଯାତ୍ରା କରୁଥିଲେ। ସେହିପରି ଜାନୁଆରି ୨୩ରେ କାନାଡାର ଉତ୍ତର-ପଶ୍ଚିମ ଅଞ୍ଚଳର ଫୋର୍ଟ ସ୍ମିଥ ନିକଟରେ ଖଣି କର୍ମଚାରୀଙ୍କୁ ନେଇ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହେବାଯୋଗୁ ୬ ଜଣ ପ୍ରାଣ ହରାଇଛନ୍ତି। ଏହି ବିମାନ ଏକ ଖଣି କମ୍ପାନୀ ରିଓ ଟିଣ୍ଟୋର ଡିଆଭିକ୍ ହୀରା ଖଣି ଆଡକୁ ଯାଉଥିଲା। ବିମାନଟି ସକାଳ ୮.୫୦ ରେ ଫୋର୍ଟ ସ୍ମିଥ ନିକଟରୁ ଉଡାଣ ଭରିବା ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହା ପରେ ବିମାନଟି ଦାସ୍ ନଦୀ ନିକଟରେ ମିଳିଥିଲା। ତେନବେ ଏହି ବିମାନ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ।