Tuesday, September 17, 2024
Homeପାହାଡ଼ିଆ ଗାଁରେ ଜୀବନ, ମାଟି ଅତଡ଼ା ହେଉଛି କାଳ
Array

ପାହାଡ଼ିଆ ଗାଁରେ ଜୀବନ, ମାଟି ଅତଡ଼ା ହେଉଛି କାଳ

ଭୁବନେଶ୍ବର: ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ସହିତ ପାହାଡ଼, ପର୍ବତ, ଝରଣା, କାଠ, ବାଉଁଶ, ମହୁ, ମହୁଲ, ଲାଖ, ଝୁଣା ତଥା ଅନ୍ୟ ଜଙ୍ଗଲଜାତ ଦ୍ରବ୍ୟ ଜଡ଼ିତ। ଜଙ୍ଗଲରୁ ମିଳୁଥିବା ଦ୍ରବ୍ୟ ସଂଗ୍ରହ କରି ଅନେକ ପରିବାର ଜୀବନଧାରଣ କରିଥାନ୍ତି। ଆଦିବାସୀମାନଙ୍କ ପାଇଁ ଏହା ଆହୁରି ଗୁରୁତ୍ବପୂର୍ଣ୍ଣ। କାରଣ ଆଦିବାସୀମାନେ ଜଙ୍ଗଲ ବିନା ବଞ୍ଚିବା କଷ୍ଟକର। ଯୁଗ ଯେତେ ଆଧୁନିକ ହେଉ ପଛେ, ଆଦିବାସୀମାନେ ଜଙ୍ଗଲ ଛାଡ଼ି ବଞ୍ଚିବା ସଜହ ନୁହେଁ। କାରଣ ଶହ ଶହ ବର୍ଷ ଧରି ସ୍ବଚ୍ଛ ପବନ ଓ ଦେଶୀ ଖାଦ୍ୟ ଗ୍ରହଣ କରି ବଞ୍ଚିବା ଶିଖିଛନ୍ତି। ଦୁଃଖର କଥା ଯେ, ଜଙ୍ଗଲକୁ ଯାଇଥିବା ବେଳେ ଅସାବଧାନତା ଯୋଗୁଁ ଅନେକ ସମୟରେ ଲୋକଙ୍କୁ ମୃତ୍ୟୁର ସାମ୍ନା କରିବାକୁ ପଡୁଛି। 

ଉପାନ୍ତ ଅର୍ଥାତ ଦୁର୍ଗମ ଗାଁର ଲୋକେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବାକୁ ଯାଇଥିବା ବେଳେ ଜଙ୍ଗଲିଆ ଗାଁର ଲୋକମାନେ ଅନେକ ସମୟରେ ଅଘଟଣର ସାମ୍ନା କରିଥାନ୍ତି। ବିଗତ ଦିନରେ ଏଭଳି ଅଘଟଣର ଶିକାର ହୋଇଥିବାର ଉଦାହରଣ ମଧ୍ୟ ରହିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥାଏ। ପାହାଡ଼ିଆ ସ୍ଥାନରେ ଏହା ଅଧିକ। ହିମାଚଳ ପ୍ରଦେଶ ତଥା ଉତ୍ତର-ପୂର୍ବ ରାଜ୍ୟରେ ଯଦିଓ ଏହି ଭଳି ଘଟଣା ସାଧାରଣ କଥା, ତଥାପି ଓଡ଼ିଶାରେ ମଧ୍ୟ ଭୂସ୍ଖଳନ ସ୍ବରୂପ ମାଟି ଅତଡ଼ା ଯୋଗୁଁ ପ୍ରାଣହାନୀ ଘଟୁଛି। ବିଗତ ୨ ବର୍ଷ ମଧ୍ୟରେ ରାଜ୍ୟରେ ମାଟିଅତଡା ତଳେ ଚାପି ହୋଇ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି।

ଗୁମ୍ଫା ଭିତରେ ଟଳିପଡ଼ିଲେ
କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରେ ଗୁରୁବାର ମାଟିଅତଡା ଖସିବାରୁ ମୃତ୍ୟୁ ହୋଇଥିବା ୨ ଜଣ ଆଦିବାସୀଙ୍କର ମୃତଦେହ ଉଦ୍ଧାର କରାଯାଇଛି। ହଳଦୀକୁଣ୍ଡ ଗ୍ରାମର ଜୟଦେବ ଧାରୁଆଙ୍କ ପୁଅ ସେଲୁମ ଧାରୁଆ (୫୦) ଏବଂ ସମାରୁ ଧାରୁଆଙ୍କ ପୁଅ ତ୍ରିଲୋଚନ ଧାରୁଆ(୪୫) ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିବା ଲକ୍ଷ୍ୟରେ ମଙ୍ଗଳବାର ବାହାରିଥିଲେ। କିନ୍ତୁ ସେମାନେ ସେଦିନ ବର୍ଷା ଯୋଗୁଁ ଘରକୁ ଫେରିପାରି ନଥିଲେ। ଫଳରେ ବାଧ୍ୟ ହୋଇ ଏକ ଗୁମ୍ଫା ଭିତରେ ଆଶ୍ରୟ ନେଇଥିଲେ। ପୂର୍ବରୁ ମଧ୍ୟ ସେମାନେ ଗୁମ୍ଫା ଭିତରେ ଆଶ୍ରୟ ନେଇଥିବା ଅଭିଜ୍ଞତା ରଖିଥିଲେ। କିନ୍ତୁ ସମୟ ବଡ଼ ବଳବାନ। ସବୁଦିନେ ଭାଗ୍ୟ ସମାନ ଗତିରେ ଯାଇ ନଥାଏ। ମାଟି ଅତଡ଼ା ଖସିବାରୁ ସେଲୁମ ଓ ସମାରୁଙ୍କ ମୃତ୍ୟୁ ହୋଇଥିଲା।  

ପୋତି ହୋଇଯାଇଥିଲେ ଶ୍ରମିକ

ଚଳିତ ବର୍ଷ ମାଟି ଅତଡ଼ା ଖସି ଅଭାବନୀୟ ଘଟଣାର ସାମ୍ନା କରିବା ନୂଆ ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଗତ ମେ’ ମାସ ୨୬ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ୨୦ ନମ୍ବର ଜାତୀୟ ରାଜପଥ ଶୈଲଙ୍ଗ ଓଭରବ୍ରିଜ୍ ନିକଟରେ ପାଇପଲାଇନ୍ କାମ ଚାଲିଥିବା ସମୟରେ ମାଟି ଅତଡ଼ା ଖସି ପଡ଼ିବାରୁ ଏକ ଘରୋଇ କମ୍ପାନିର ଜଣେ ଶ୍ରମିକ ପୋତି ହୋଇଯାଇଥିଲେ। ଏକଘଣ୍ଟା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା। ପଶ୍ଚିମବଙ୍ଗର ଅଝମତ ଅଲ୍ଲୀ (୩୫) ନାମକ ଶ୍ରମିକଙ୍କୁ ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଯୁବକଙ୍କ ସହଯୋଗରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଅଝମତ୍ ମରଣମୁଖରୁ ବର୍ତ୍ତି ଯାଇଥିଲେ।

୨୦୨୨ରେ ୬ ମୃତ

ମାଟି ଅତଡ଼ା ଖସିବାରୁ ୨୦୨୨ ମସିହାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଜୁନ ୨୮ରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଫାସିଗୁଡ଼ା ଗ୍ରାମରେ ଡ୍ରେନେଜ୍ ବିଭାଗର ଚେକ୍ଡ୍ୟାମ୍ ପାଚେରି କାମ ଚାଲିଥିବା ବେଳେ ମାଟି ଅତଡ଼ା ଖସି ଯିବାରୁ ଭିତରେ ପୋତି ହୋଇ ୨ ଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ଯମୁନା ନାଇକ (୨୦) ଓ ବର୍ଷା ନାଇକ (୧୯)ଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିଲେ।  ଜୁଲାଇ ୨୫ରେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ସାନକାଚପାଳ ଗାଁରେ ଗୋରୁ ଗୁହାଳ ମରାମତି ପାଇଁ ଜଙ୍ଗଲକୁ ଯାଇଥିବା ଜଣେ ଟୁନି ପ୍ରାସ୍କା ନାମକ ନାବାଳିକା ମାଟି ଅତଡ଼ା ଖସିବାରୁ ଜୀବନ ହରାଇଥିଲେ। ଏପ୍ରିଲ ୧୬ରେ କେରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନା ଅଂଚଳରେ ଘର ଲିପିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ରାମୁଲାମା ମୁଷୁରୀ(୪୦) ତାଙ୍କ ଝିଅ ଦେବୀ ମୁଷୁରୀ(୧୭) ଏବଂ ମିତୁଲା କୋଟା(୨୭) ମାଟି ତଳେ ଚାପି ହୋଇଯାଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments