ଭୁବନେଶ୍ବର: ପିଆଜ ଦର ବଢ଼ିଚାଲିଛି। ଏକ ସପ୍ତାହ ଭିତରେ ୩୫ଟଙ୍କାରୁ ୭୦ ଟଙ୍କାକୁ ଡେଇଁଛି। ସାଧାରଣ ପରିବାର ପାଇଁ ଏବେ ପିଆଜ କଣିବା ଅସହଜ ହୋଇଯାଇଛି। ମଧ୍ୟବିତ୍ତ ପରିବାର ଲେକେ କିଲେ ସ୍ଥାନରେ ୨୫୦ ଗ୍ରାମ ଆଣୁଛନ୍ତି। ବାକି ରହିଲା ଧନୀ ଶ୍ରେଣୀର ଲୋକଙ୍କ କଥା, ଯେଉଁମାନେ ପିଆଜ ଦରବୃଦ୍ଧିକୁ ନେଇ କୌଣସି ଚିନ୍ତା କରନ୍ତି ନାହିଁ। ଓଡ଼ିଶାରେ ଚାଉଳ ବ୍ୟତୀତ ଅନ୍ୟ ଖାଦ୍ୟ ପଦାର୍ଥର ଉତ୍ପାଦନ ଉତ୍ସାହ ଜନକ ନଥବାର ଅନ୍ୟ ଏକ କାରଣ ବି ହୋଇପାରେ ପିଆଜ ଦର ବୃଦ୍ଧି। ପନିପରିବା ପାଇଁ ପ୍ରାୟତଃ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ରାଜ୍ୟରେ ଯେଉଁ କମ୍ ପରିମାଣରେ ପରିବା ଉତ୍ପାଦନ ହେଉଛି, ତାହାର ରକ୍ଷଣାବେକ୍ଷଣ ପାଇଁ ଦରକାର ପଡୁଥିବା ଭିତ୍ତିଭୂମିର ଅଭାବ ରହିଛି। ତେଣୁ ଏହି ଅନେକ ସମୟରେ ପିଆଜ ସମେତ ଅନ୍ୟ ପରିବା ଦର ମଧ୍ୟ ବଢୁଛି।
ସର୍ବଭାରତୀୟ ସ୍ତରରେ ଖୁଚୁରା ପିଆଜ ଦର କିଲୋ ପିଛା ହାରାହାରି ୫୭ ପ୍ରତିଶତ ବୃଦ୍ଧି ପାଇଛି। ହାଣ୍ଡିଶାଳର ସବୁଠୁ ଦରକାରୀ ପିଆଜର ଅହେତୁକ ଦର ବୃଦ୍ଧିକୁ ନେଇ ଖାଉଟି ଏବେ ହନ୍ତସନ୍ତ ହେଉଛନ୍ତି। ଗତ ଶୁକ୍ରବାର ଦିନ ଦିଲ୍ଳୀ ବଜାରରେ ପିଆଜ ୯୦ ଟଙ୍କାହରେ ବିକ୍ରି ହୋଇଛି। ଖୁବ୍ ଶୀଘ୍ର ଏହା ୧୦୦ ଟଙ୍କାକୁ ଟପିବ ବୋଲି ମଧ୍ୟ ଆଶା କରାଯାଉଛି। ପ୍ରତିଦିନ ପିଆଜ ଦର ୧୦-୨୦ ଟଙ୍କା ବୃଦ୍ଧି ପାଉଛି। ଦୋକାନୀମାନଙ୍କ କହିବା କଥା ହେଲା ଦିଲ୍ଳୀରେ ପିଆଜ ଦର ୧୦୦ ଟଙ୍କା ଛୁଇଁବାକୁ ଆଉ ଅଳ୍ପ ଦିନ ବାକି ଅଛି। ଅଚାନକ ପିଆଜ ଦର ବଢ଼ିବାରୁ ବିକ୍ରିର ପରିମାଣ ହ୍ରାସ ପାଇଛି।
ଦୀପାବଳିରେ ଆହୁରି ବଢ଼ିପାରେ ପିଆଜ
ବର୍ତ୍ତମାନ ରାଜ୍ୟରେ ପିଆଜ କିଲୋ ୭୦ରୁ ୮୦ ଟଙ୍କା ରହିଥିବା ବେଳେ ଦୀପାବଳି ବେଳକୁ ଏହା ଆହୁରି କନ୍ଦାଇପାରେ। ଏକ ସପ୍ତାହ ମଧ୍ୟରେ ଦେଶରେ ଦୁଇ ଦୁଇ ଥର ପିଆଜ ଦର ବଢିସାରିଛି। ଗତ କିଛି ଦିନ ମଧ୍ୟରେ ପିଆଜ ଦରରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି। ବର୍ତ୍ତମାନ ଦେଶର କେତେକ ସ୍ଥାନରେ ପିଆଜ ଦର ୧୦୦ ଟଙ୍କା ଥିବାବେଳେ କେଉଁଠି ୬୦-୭୦ଟଙ୍କା ରହିଛି। ତେଣୁ ଅଳ୍ପ କିଛି ଦିନ ମଧ୍ୟରେ ପିଆଜର ଖୁଚୁରା ମୂଲ୍ୟ ୧୫୦ଟଙ୍କା ଅତିକ୍ରମ କରିପାରେ ବୋଲି ଅନୁମାନ କରାଯାଉଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଏବେ ପିଆଜର ଦର ୬୮ ଟଙ୍କା ଛୁଇଁଛି। ଦିଲ୍ଲୀ ଉପକଣ୍ଠରେ ପିଆଜ ଦର ୧୦୦ପାର୍ କରିଛି। କାନପୁର, ଲକ୍ଷ୍ନୌ, ଆଗ୍ରା, ଗୋରଖପୁର, ବାରଣାସୀ ଓ ସୀତାପୁରରେ ଶନିବାର ସୁଦ୍ଧା ପିଆଜ ଦର ୭୦ଟପିଛି। ପଞ୍ଜାବରେ ୭୦, କେରଳ ଓ ମେଘାଳୟରେ ୬୦ ରହିଛି।
ପିଆଜର ଔଷଧୀୟ ଗୁଣ
ଶାକାହାରୀ ଭୋଜନ କରୁଥିବା ଅନେକ ଲୋକ ପିଆଜକୁ ଏକ ଉତ୍ତେଜକ ଦ୍ରବ୍ୟରୂପେ ମନେ କରନ୍ତି। ପରିସ୍ରାର ପ୍ରବାହକୁ ଏହା ସୁଗମ କରାଇବାରେ ସାହାଯ୍ୟ କରିଥାଏ। ଋତୁକାଳରେ ରକ୍ତର ପ୍ରବାହକୁ ସୁଗମ କରାଇଥାଏ। ଖାଦ୍ୟନଳୀର ଯାବତୀୟ ଦୋଷ ଦୂର କରିବାରେ ଓ ଏହାକୁ ସୁରକ୍ଷା ପ୍ରଦାନ କରିଥାଏ। ସେହିପରି ରକ୍ତ ପରିସ୍କାର କରିବାରେ ବଡ଼ ଭୂମିକା ତୁଲାଇଥାଏ। ଯକ୍ଷ୍ମା, ବିଭିନ୍ନପ୍ରକାରର ଆନ୍ତରିକ କ୍ଷତ, ଟାଇଫଏଡ଼ ଜ୍ୱର, ଟିସୁ ଭିତରେ ଅତ୍ୟଧିକ ତରଳ ଦ୍ରବ୍ୟ ଜମା ହୋଇଥିଲେ, ମଧୁମେହ, କାଶ, ଛାତି ଓ ଫୁସଫୁସର ଦୋଷ, ଥଣ୍ଡା-ସର୍ଦ୍ଦି, ଆଣ୍ଠୁ-ଗଣ୍ଠି ବାତ (ରିଉମାଟିଜମ), ଚର୍ମ ରୋଗ, ବୃକକ/ପଥର, ଯକୃତ ବିକାର, ପାଳିଜ୍ୱର, ଶ୍ୱାସ, କୋଷ୍ଠବଦ୍ଧତା ଓ ବାନ୍ତି ଆଦି ଦୂର କରିବାରେ ଏହାର ପ୍ରୟୋଗ ହୋଇଥାଏ। କଞ୍ଚା ପିଆଜର ରସ ଚନ୍ଦାମୁଣ୍ଡରେ ନୂଆ ବାଳ ସୃଷ୍ଟି କରିବାରେ ସାହାଯ୍ୟ କରେ ଓ ବାଳର ବୃଦ୍ଧିରେ ସହାୟକ ହୋଇ ଥିବାରୁ ଏହା ଚନ୍ଦାପଣର ପ୍ରତିଷେଧକ ଅଟେ। କଞ୍ଚା ପିଆଜକୁ ଖାଇଲେ ଉପରୋକ୍ତ ଅନେକ ରୋଗ ଦୂର ହୋଇଥାଏ।
ବ୍ୟବସାୟୀ କହିଲେ ଦର ବୃଦ୍ଧିର କାରଣ
ଖୁଚୁରା ବଜାର ଉପରେ ଦର ନିୟନ୍ତ୍ରଣ ବ୍ୟବସ୍ଥା କିଛି ନଥିବାରୁ ଖୁଚୁରା ବଜାରରେ ଦରରେ ଏଭଳି ଭିନ୍ନତା ରହୁଛି। ଦୋକାନୀ ମନଇଚ୍ଛା ବ୍ୟବସାୟ କରୁଛନ୍ତି ବୋଲି ବିଶେଷଜ୍ଞ କହିଛନ୍ତି। ନଭେମ୍ବର ମାସରେ ନୂଆ ପିଆଜ ଆସିଲେ ଦରବୃଦ୍ଧିରୁ ଆଶ୍ବସ୍ତି ମିଳିବ ବୋଲି ସେମାନେ ମତ ଦେଇଛନ୍ତି। ଓଡ଼ିଶା କୁବେରପୁରୀ ବ୍ୟବସାୟୀ ସଂଘର ସଂପାଦକ ଶକ୍ତିଶଙ୍କର ମିଶ୍ରଙ୍କ କହିବାନୁଯାୟୀ, ପିଆଜ ଦାମ ଗତ କିଛିଦିନ ମଧ୍ୟରେ ବଢ଼ିଯାଇଛି। ଆସନ୍ତା ଦୀପାବଳି ବେଳକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି ସେ ମତ ଦେଇଛନ୍ତି। ସେହିଭଳି ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ରାଜ୍ୟକୁ ମୁଖ୍ୟତଃ ପିଆଜ ପାଇଁ ଏବେ ନାସିକ ବଜାର ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଗାମୀ ଦିନରେ କର୍ଣ୍ଣାଟକ ଏବଂ ଆନ୍ଧ୍ର ପ୍ରଦେଶରୁ ପିଆଜ ଆସିଲେ ଦର ସ୍ବାଭାବିକ ହେବ।