Tuesday, October 15, 2024
Homeପିପିଲିର ବିକାଶ ନବୀନଙ୍କ ହାତରେ!
Array

ପିପିଲିର ବିକାଶ ନବୀନଙ୍କ ହାତରେ!

ଭୁବନେଶ୍ୱର: ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଆସନ୍ତା ୧୭ ତାରିଖରେ ମତଦାନ ହେବ । ଉପନିର୍ବାଚନ ପାଇଁ ଏବେ ଶାସକ ଦଳ ବିଜୁ ଜନତା ଦଳ (ବିଜେଡି), ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି (ବିଜେପି) ଓ କଂଗ୍ରେସର ନେତାମାନେ ନିର୍ବାଚନୀ ପ୍ରଚାରକୁ ତୀବ୍ର କରିଦେଇଛନ୍ତି । ସକାଳ ଜଳଖିଆ ପରେ ନେତାମାନେ ପ୍ରଚାରରେ ବ୍ୟସ୍ତ ରହୁଥିବା ଦେଖାଯାଉଛି । ରାତିଯାଏଁ ନେତାମାନେ ଗାଁ ମୁଣ୍ଡରେ ଡେରା ପକାଉଛନ୍ତି । ଅନ୍ଧାରୀ ବିଜେ ମଧ୍ୟ ଚାଲିଛି । ଆହୁରି ୨ ଦିନ ଯାଏଁ ପ୍ରଚାର ଚାଲିବ । ଶାସକ ଦଳ ବିକାଶକୁ ନେଇ ଲୋକଙ୍କୁ ଆଶ୍ୱାସନା ଓ ପ୍ରତିଶ୍ରୁତ ଦେଉଥିବା ବେଳେ ବିରୋଧୀ ଦଳ ନିର୍ବାଚନରେ ବିଜୟୀ ହେଲେ ବିଭିନ୍ନ ସମସ୍ୟା ପୂରଣ କରିବେ ବୋଲି ମତଦାତାଙ୍କୁ ଭରସା ଦେଉଛନ୍ତି ।
ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀର ମତଦାତା ଦୀର୍ଘ ୩୦ ବର୍ଷ ଯାଏଁ ପ୍ରଦୀପ ମହାରଥୀଙ୍କ ଉପରେ ଭରସା କରିଆସିଛନ୍ତି । ସ୍ୱର୍ଗତଃ ମହାରଥୀ ଜନତା ପାର୍ଟିର ଟିକେଟରେ ୧୯୮୫ ମସିହାରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ପରେ ସେ ୧୯୫୦ ମସିହାରେ ୨ୟ ଥର ପାଇଁ ବିଧାନସଭାକୁ ଯାଇଥିଲେ । ୧୯୯୫ରେ କଂଗ୍ରେସ ଟିକେଟରେ ଯୁଧିଷ୍ଠୀର ସାମନ୍ତରାୟଙ୍କ ହାତକୁ ଆସିଥିଲା ପିପିଲି । କିନ୍ତୁ ୨୦୦୦ ମସିହା ପରଠାରୁ ଏଯାଏଁ ପିପିଲିକୁ ଅକ୍ତିଆର କରିଛି ବିଜେଡି । ପ୍ରଦୀପ ମହାରଥୀ ୨୦୦୦ ମସିହାରୁ ଏଠାରୁ ବିଧାୟକ ଥିବା ବେଳେ ଗତବର୍ଷ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ଏବେ ପିପିଲିରେ ଉପନିର୍ବାଚନ ହେଉଛି । ମନରେ ପ୍ରଶ୍ନ ଉଠେ ଯେ, ପିପିଲିକୁ ଆହୁରି କେତେ ବର୍ଷ ନିଜ ଅଧିନରେ ରଖିଲେ ବିଜେଡି ସରକାର ପୂର୍ଣ୍ଣ ରୂପରେ ବିକଶିତ କରିପାରିବେ ଏବଂ ଏଠାକାର ଲୋକଙ୍କୁ ସ୍ଥାନୀୟ ଅଂଚଳରେ ରୋଜଗାର ମିଳିବା ସହିତ ଦାଦନ ଯିବାକୁ ପଡ଼ିବ ନାହିଁ ।

ପିପିଲି-ଡେଲାଙ୍ଗ ଯିବି: ନବୀନ

ନିର୍ବାଚନୀ ପ୍ରଚାର ଜୋରଦାର ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ସୋମବାର ଦଳୀୟ ପ୍ରାର୍ଥୀ ରୁଦ୍ରପତାପ ମହାରଥୀଙ୍କ ପାଇଁ ପିପିଲର ମତଦାତାଙ୍କୁ ଭୋଟ ମାଗିଛନ୍ତି । କୋଭିଡ-୧୯ ସଂକ୍ରମଣ ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ଭର୍ଚୁଆଲ ମାଧ୍ୟମରେ ଏହି ପ୍ରଚାର କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ପିପିଲିର ବିକାଶ ପାଇଁ ସେ ନିଜେ ଦାୟିତ୍ୱ ନେବେ । ପିପିଲିର ବିକାଶ ପାଇଁ ସେ ସ୍ୱତନ୍ତ୍ର ଭାବେ ନଜର ରଖିବେ ବୋଲି କହିଥିଲେ । ନବୀନ ପିପିଲିର ଚାନ୍ଦୁଆକୁ ଦେଶବିଦେଶରେ ପ୍ରସିଦ୍ଧିଲାଭ କରିଛି ବୋଲି କହିଥିବା ବେଳେ ଓ ଏଠାକାର ଇତିହାସକୁ ପ୍ରଣାମ ଜଣାଇଥିଲେ । ନିର୍ବାଚନ ପ୍ରଚାରରେ ଯାଇଥିଲେ ପିପିଲି ଓ ଡେଲାଙ୍ଗର ଲୋକଙ୍କ ସହିତ ମିଶିବାକୁ ସୁଯୋଗ ମିଳିଥାନ୍ତା । କିନ୍ତୁ କରୋନା କଟକଣାକୁ ଆଖି ଆଗରେ ରଖି ଓ ବୃହତ୍ତ ଜନତାଙ୍କ ସ୍ୱାସ୍ଥ୍ୟକୁ ନଜର ରଖି ମୁଁ ସିଧାସଳଖ ଲୋକଙ୍କୁ ଭେଟିବାକୁ ଚାହିଁ ନାହିଁ । ତେଣୁ ଭର୍ଚୁଆଲ ଜରିଆରେ ଲୋକଙ୍କ ସହିତ ସଂପର୍କ ରଖୁଛି । କରୋନା ସ୍ଥିତିରେ ସୁଧାର ଆସିଲେ ପିପିଲି ଗସ୍ତ କରିବି ବୋଲି ନବୀନ କହିଥିଲେ ।

ଯେଉଁଠି ଉପନିର୍ବାଚନ, ସେଠାରେ ବିକାଶ

ସୂଚନାଯୋଗ୍ୟ, ଅତୀତରେ ବିଜେପୁର, ଜଗତସିଂହପୁର ଓ ବାଲେଶ୍ୱର ସଦରରେ ଉପନିର୍ବାଚନ ହୋଇଛି । ଏହି ୩ଟି ନିର୍ବାଚନ ମଣ୍ଡଳୀରେ ବିଜେଡି ଜିତିଛି । ଶାସକ ଦଳ ନିର୍ବାଚନ ଜିତିବା ଲାଗି ସ୍ୱତନ୍ତ୍ର ରଣନୀତି ମଧ୍ୟ କରିଛି । ଉପନିର୍ବାଚନ ପୂର୍ବରୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି ମତଦାତାଙ୍କୁ ଖୁସି କରିପାରିଛି । ପିପିଲି-ଡେଲାଙ୍ଗ ଉପନିର୍ବାଚନରେ ମଧ୍ୟ ବିଜେଡି ପୂର୍ବଭଳି ରଣନୀତି ପ୍ରୟୋଗ କରିଛି । ଗତମାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଓ ଡେଲାଙ୍ଗ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ଏହି ପ୍ୟାକେଜ ମାଧ୍ୟମରେ ସ୍ଥାନୀୟ ଅଂଚଳର ବିକାଶମୂଳକ କାର୍ଯ୍ୟ ହୋଇପାରିବ ବୋଲି ସେ ଘୋଷଣା କରିଥିଲେ ।

ସମସ୍ତେ ଚାହାନ୍ତି ବିକାଶ: ସମ୍ବିତ ପାତ୍ର

ଭାରତର ପ୍ରତ୍ୟେକ ମଣିଷ ବ୍ୟକ୍ତିଗତ ତଥା ସାମୂହିକ ଭାବେ ବିକାଶ ଓ ପରିବର୍ତ୍ତନ ଚାହାନ୍ତି । ଏହି ପରିପ୍ରେକ୍ଷୀରେ ପିପିଲିର ଲୋକେ ମଧ୍ୟ ବିକାଶ ଓ ପରିବର୍ତ୍ତନ ଚାହୁଁଛନ୍ତି । ପିପିଲିରେ ଦୀର୍ଘ ୩୫ ବର୍ଷ ହେବ ଗୁଣ୍ଡାରାଜ ଚାଲିଛି । ଫଳରେ ଏଠାକାର ଲୋକେ ଗୁଣ୍ଡରାଜରୁ ମୁକ୍ତି ଚାହୁଁଛନ୍ତି ବୋଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏହା କହିଛନ୍ତି । ନିର୍ବାଚନ ପ୍ରଚାର ପ୍ରସଙ୍ଗରେ ବରିଷ୍ଠ ନେତା ଶ୍ରୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ, ରବିବାର ବିଜେପି କର୍ମୀମାନଙ୍କୁ ଆକ୍ରମଣ ହୋଇଛି । ସମ୍ବିତ ପାତ୍ର କହିଛନ୍ତି ଯେ, ବିଜେଡି କର୍ମୀମାନେ ଏହି ହିଂସା ସହିତ ଜଡ଼ିତ ରହୁଛନ୍ତି । ବିଜେଡିକୁ ନିର୍ବାଚନ ବୈତରଣୀ ପାର କରିବାକୁ ପୋଲିସ ମଧ୍ୟ କାମ କରୁଛି । ଯେଉଁମାନେ ବିଜେପିରେ ଯୋଗ ଦେଇଛନ୍ତି, ସେମାନେ ବିଜେଡି ନେତାଙ୍କ ଦ୍ୱାରା ଟାର୍ଗେଟରେ ରହୁଛନ୍ତି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଅଭିଯୁକ୍ତମାନେ କାମ କରୁଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments