Wednesday, October 9, 2024
Homeପିଲାଙ୍କ ସୁରକ୍ଷା ପ୍ରତି ଘରୋଇ ସଂସ୍ଥା କେତେ ସଚେତନ?
Array

ପିଲାଙ୍କ ସୁରକ୍ଷା ପ୍ରତି ଘରୋଇ ସଂସ୍ଥା କେତେ ସଚେତନ?

ଭୁବନେଶ୍ବର: ଶିକ୍ଷା ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ମନ୍ଦିର ସଦୃଶ୍ୟ। ଶିକ୍ଷକ-ଶିକ୍ଷୟିତ୍ରୀ ଏଠାରେ ପୂଜାରୀଙ୍କ ଅବତାର। ସେବାୟତମାନେ ଯେପରି ଭଗବାନଙ୍କୁ ଶ୍ରେଷ୍ଠ ମନେକରି ପୂଜାର୍ଚ୍ଚନା କରିଥାନ୍ତି, ଶିକ୍ଷାନୁଷ୍ଠାନରେ ଶିକ୍ଷକ-ଶିକ୍ଷୟ୍ରିତ୍ରୀମାନେ ପିଲାମାନଙ୍କର ଉପଯୁକ୍ତ ଯତ୍ନ ନେବାର ଆବଶ୍ୟକତା ରହିଛି। ଶିକ୍ଷାନୁଷ୍ଠାନ ସରକାରୀ ହେଉ ବା ଘରୋଇ ହେଉ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ସେମାନଙ୍କର ପାଇଁ ପ୍ରାଥମିକତା ହେବା ଦରକାର। କିନ୍ତୁ ଆଜିକାଲି ଶିକ୍ଷାନୁଷ୍ଠାନ ଗୁଡ଼ିକ ବ୍ୟବସାୟରେ ପରିଣତ ହେଉଛି। ଅଭିଭାବକମାନେ ମଧ୍ୟ ନିଜ ପିଲାର ଭବିଷ୍ୟତ ଗଢ଼ିବା ପାଇଁ ଉପଯୁକ୍ତ ଶିକ୍ଷାନୁଷ୍ଠାନ ଚୟନ କରିପାରୁ ନାହାନ୍ତି। ଏହି କାରଣରୁ ଅନେକ ଅଭିଭାବକ ନିଜର ମାନସ ସନ୍ତାନ ସନ୍ତତିଙ୍କୁ ହରାଇବାକୁ ପଡୁଛି।

ଅନେକ ସମୟରେ ଘରୋଇ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟରରେ ଅଭାବନୀୟ ଘଟଣା ଘଟୁଛି। ଖାଇବା, ରହିବା, ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ହୋଇ ଖରାପ ପଦକ୍ଷେପ ନେଇଛନ୍ତି। ଏହାର ଅଭିଭାବକଙ୍କୁ ଭୋଗିବାକୁ ପଡୁଛି। ଘରୋଇ ଛାତ୍ରାବାସରେ ପିଲା ବିଭିନ୍ନ କାରଣରୁ ନିର୍ଯାତିତ ହେବା ଘଟଣା ନୂଆ ନୁହେଁ। କିନ୍ତୁ କ୍ଷୋଭର ବିଷୟ ହେଲା କୋଚିଂ ସେଣ୍ଟରରେ ଶୋଇଥିବା ବେଳେ ସାପ କାମୁଡ଼ାରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେବା ଘଟଣା ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ କରୁଛି। କେନ୍ଦୁଝର ଜିଲ୍ଲାରେ ମାତ୍ର ୪ ଦିନ ଭିତରେ ଘରୋଇ କୋଚିଂ ସେଣ୍ଟରରେ ୪ ଜଣ ପିଲାଙ୍କର ସାପ କାମୁଡ଼ାରେ ମୃତ୍ୟୁ ହୋଇଛି।

ସାପ କାମୁଡ଼ାରେ ୪ ଛାତ୍ରଛାତ୍ରୀ ମୃତ

କେନ୍ଦୁଝର ଜିଲ୍ଲାରେ ଏକ ଘରୋଇ କୋଚିଂ ସେଣ୍ଟରରେ ଗତ ୧୯ ତାରିଖରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ରାଜ୍ୟବାସୀ ଭୁଲି ନଥିବା ବେଳେ ୨୩ ତାରିଖ ରାତିରେ ଚମ୍ପୁଆ ବ୍ଲକ ଜାଲି ପଂଚାୟତର ନିଶ୍ଚିତପୁର ଗ୍ରାମରେ ଥିବା କୋଚିଂ ସେଣ୍ଟରରେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ମାନସୀ କୋଚିଂ ସେଣ୍ଟରରେ ସାପ କାମୁଡ଼ାରେ ରାଜା ନାଏକ (୧୨), ଏଲିନା ନାଏକ (୭) ଓ ସ୍ନେହାଶ୍ରୀ ନାଏକ (୧୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଆକାଶ ନାଏକ (୧୨)କୁ ଗୁରୁତର ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଖଗେଶ୍ୱର ମହାନ୍ତ ହେଉଛନ୍ତି କୋଚିଂ ସେଣ୍ଟରର ମାଲିକ। ଆଖପାଖ ଅଂଚଳର ପିଲାମାନେ ଏଠାରେ ରହି ପାଠ ପଢୁଥିଲେ। ପୂର୍ବରୁ ହରିଚନ୍ଦନପୁର ବ୍ଲକ୍ ବାଇଲୋବେଡ଼ା ଗ୍ରାମର ଦୀନବନ୍ଧୁ ମହାନ୍ତଙ୍କ ପୁଅ ରଶ୍ମିରତନ ମହାନ୍ତ (୧୫)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିଲା।

ପ୍ରଶାସନିକ ଢ଼ିଲା

ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ଥିବାରୁ ଅଭିଭାବକମାନେ ଘରୋଇ ଶିକ୍ଷାନୁଷ୍ଠାନରେ ସେମାନଙ୍କର ପିଲାଙ୍କୁ ଛାଡୁଛନ୍ତି। ଯେଉଁ ଅଭିଭାବକମାନଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଟଙ୍କା ନାହିଁ, ସେମାନେ ସରକାରୀ ସ୍କୁଲରେ ନିଜ ପିଲାକୁ ପଢ଼ାଇ ଘରୋଇ ହଷ୍ଟେଲ ଅଥବା କୋଚିଂ ସେଣ୍ଟରରେ ଛାଡୁଛନ୍ତି। ଅନ୍ୟପଟରେ କୋଚିଂ ସେଣ୍ଟର ମାଲିକମାନେ ପିଲାମାନଙ୍କର ଉପଯୁକ୍ତ ରହିବା ବ୍ୟବସ୍ଥା ନ କରି ଟଙ୍କା ରୋଜଗାରକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଏହା ଫଳରେ ଅଭବାନୀୟ ଅଘଟଣ ଘଟୁଛି। ଘରୋଇ ଶିକ୍ଷାନୁଷ୍ଠା ଅଥବା କୋଚିଂ ସେଣ୍ଟର ଖୋଲିବା ପାଇଁ ସରକାର ଗାଇଡଲାଇନ୍ କରି ନଥିବାରୁ ଅଘଟଣ ଘଟୁଛି। ସବୁଠାରୁ କ୍ଷୋଭର ବିଷୟ ହେଲା ଯେ, ସରକାରୀ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଥିବା ବ୍ୟକ୍ତି ଘରୋଇ କୋଚିଂ ସେଣ୍ଟରରେ ପାଠ ପଢ଼ାଉଛନ୍ତି। ସରକାରୀ ଓ ପ୍ରଶାସନିକ ସ୍ତରରେ ଏହାର ତଦନ୍ତ କରାଯାଉ ନାହିଁ।  

ଆନ୍ଧ୍ରରେ ସାପ କାମୁଡ଼ାରେ ୨ ମୃତ

ଶିକ୍ଷାନୁଷ୍ଠାନରେ ସାପ କାମୁଡ଼ାରେ ଛାତ୍ରଛାତ୍ରୀ ମୃତ୍ୟୁ ହେବା ଘଟଣା କେବଳ ଓଡ଼ିଶାରେ ନୁହେଁ। ବରଂ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ମଧ୍ୟ ଅତୀତରେ ଏଭଳି ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି। ଆରଙ୍ଗଲାଦରଗମ ଗାଁରେ ସରକାରୀ ମାଧ୍ୟମିକ ପ୍ରାଥମିକ ବିଦ୍ୟାଳୟରେ ଗତବର୍ଷ ଅଗଷ୍ଟ ୩ ତାରିଖରେ ଜଣେ ୧୨ ବର୍ଷ ବୟସର ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ସେହିବର୍ଷ ମାର୍ଚ୍ଚ ୪ ତାରିଖରେ ବିଜୟନଗରମ ଜିଲ୍ଲା କୁରୁପାମସ୍ଥିତ ଜ୍ୟୋତିବା ଫୁଲେ ବିସି କଲ୍ୟାଣ ହଷ୍ଟେଲରେ ସାପ କାମୁଡ଼ାରେ ଜଣେ ଛାତ୍ର ମନ୍ତିନି ରଂଜୀତ କୁମାରଙ୍କର ମୃତ୍ୟୁ ଘଟିଥିଲା। ସେହିଦିନ ରଂଜୀତଙ୍କ ଅନ୍ୟ ଦୁଇ ଜଣ ସାପ କାମୁଡ଼ାରେ ଆହତ ହୋଇଥିଲେ।  

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments