Tuesday, September 10, 2024
Homeଖବରପୀଡ଼ିତାଙ୍କୁ ମିଳୁଛି କି ନ୍ୟାୟ?

ପୀଡ଼ିତାଙ୍କୁ ମିଳୁଛି କି ନ୍ୟାୟ?

ଭୁବନେଶ୍ବର: ନିକଟରେ ଶେଷ ହୋଇଥିବା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରେ ‘ଜନବିରୋଧୀ’ ଶବ୍ଦକୁ ନେଇ ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିଲା। ଅଧିବେଶନ କାଳରେ ମୁଖ୍ୟମନ୍ତ୍ରୀ ଗତ ସେପ୍ଟେମ୍ବର ୨୫ରେ ସଚିବଙ୍କ ହେଲିକପ୍ଟର ଗସ୍ତ ନେଇ ଖର୍ଚ୍ଚ ଉପରେ ବିବୃତ୍ତି ଦେବା ଅବସରରେ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିବା ସହିତ ଜନବିରୋଧୀ ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବିଧାନସଭାରେ ବିରୋଧୀ ଦଳର ସଦସ୍ୟମାନଙ୍କ ଦ୍ବାରା ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ କେବଳ ବିରୋଧୀମାନେ ବିରୋଧ କରି ନଥିଲେ। ବରଂ ସାମାଜିକ ଗଣମାଧ୍ୟମରେ ଏହି ପ୍ରସଙ୍ଗରେ ଜୋରଦାର ଆଲୋଚନା ହୋଇଥିଲା।

ଶିକ୍ଷିତ, ସଭ୍ୟ, ବୁଦ୍ଧିଜୀବୀମାନେ ଚର୍ଚ୍ଚା କରୁଥିଲେ ଯେ, ରାଜ୍ୟବାସୀଙ୍କ ହିତରେ ବିରୋଧୀମାନେ ବିଧାନସଭାରେ ପ୍ରସଙ୍ଗ ଉଠାଇ ପାରିବେ। ଏହାକୁ ଜନବିରୋଧୀ କୁହାଯାଇ ପାରିବ ନାହିଁ। ଅନ୍ୟପଟରେ ସରକାର ଯାହା କରୁଛନ୍ତି, ସବୁ କିଛି ଜନତାଙ୍କୁ ଖୁସି ଲାଗିବ ତାହା ମଧ୍ୟ କେହି ସୁନିଶ୍ଚିତ କରିପାରିବେ ନାହିଁ। ସରକାରଙ୍କ କିଛି ଯୋଜନା ସମସ୍ତଙ୍କୁ ଭଲ ଲାଗି ନପାରେ। ଲୋକଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ବିରୋଧୀମାନେ ସ୍ବର ଉଠାଇ ଥାନ୍ତି। ବିରୋଧୀଙ୍କ ସ୍ବରକୁ ସରକାର ଗୁରୁତର ସହିତ ଗ୍ରହଣ କଲେ ପ୍ରକୃତ ବିକାଶ ହୋଇଥାଏ। କାରଣ ନିଜେ କରୁଥିବା କାମର ଦୁର୍ବଳତା ନିଜକୁ ଭଲ ଭାବରେ ଦେଖାଯାଇ ନଥାଏ, ଯେପରିକି ଅନ୍ୟମାନଙ୍କୁ ଦେଖାଯାଇ ଥାଏ।  

ରାଉରକେଲା ଘଟଣାରେ ସିବିଆଇ ତଦନ୍ତ ଦାବି

ରାଉରକେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସ୍ଆଇ ଆଲିସ ଲୁଗୁନଙ୍କ ରହସ୍ୟଜନକ ମୃତ୍ୟୁ ସୁନ୍ଦରଗଡ଼ବାସୀଙ୍କ ନିଦ ହଜାଇ ଦେଇଛି। ଦୀର୍ଘ ୨ ସପ୍ତାହ ହେଲା ସୁନ୍ଦରଗଡ଼ରେ ଆନ୍ଦୋଳନର ଦାନା ବାନ୍ଧିଛି। ସୁସ୍ମିତା ମିଞ୍ଜ ଗତ ସେପ୍ଟେମ୍ବର ୧୬ ତାରିଖ ଦିନ ନିଖୋଜ ହେବାର ୩ ଦିନ ପରେ ୧୯ ତାରିଖ ଦିନ ଅପରାହ୍ଣ ୩ଟାରେ ପୋଖରୀରୁ ମୃତଦେହ ମିଳିବା ଘଟଣାକୁ ନେଇ ମୃତକଙ୍କ ପରିବାର, ବିରୋଧୀ ଦଳ ଓ ଜିଲ୍ଲାର ଆଦିବାସୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାର ତଦନ୍ତକାରୀ ଅଧିକାରୀ ତଥା ଏଏସ୍ଆଇ ଆଲିସ ଲୁଗୁନଙ୍କ ରହସ୍ୟଜନକ ମୃତ୍ୟୁ ସୁନ୍ଦରଗଡ଼ବାସୀଙ୍କ ଦେହରେ ନିଆଁ ଲଗାଇ ଦେଇଛି। ଘଟଣାର ସିବିଆଇ ତଦନ୍ତ ଦାବି ହୋଇଛି।

ମୁହଁ ଖୋଲୁ ନାହାନ୍ତି ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ଙ୍କୁ ସମ୍ମାନ କଥା ସବୁବେଳେ କୁହନ୍ତି। ମହିଳାଙ୍କୁ ସଶକ୍ତୀକରଣ କରିବା ଲକ୍ଷ୍ୟରେ ମିସନ ଶକ୍ତି କାମ କରୁଛି ବୋଲି ଭାଷଣବାଜି କରନ୍ତି। କିଛି ଦିନ ପୂର୍ବରୁ ରାଉରକେଲାରେ ସହକାରୀ ଉପଜିଲ୍ଲାପାଳ ସୁସ୍ମିତା ମିଞ୍ଜ ଓ ଉଦିତନଗର ଥାନା ଏଏସ୍ଆଇ ଆଲିସ ଲୁଗୁନଙ୍କ ମୃତ୍ୟୁ ଘଟିଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଏବାବଦରେ ମୁହଁ ଖୋଲି ନାହାନ୍ତି। ମୟୂରଂଭଜର ବ୍ୟାଙ୍କମିତ୍ର ଭାରତୀ ସିଂହଙ୍କୁ ଚାକିରିରୁ ନିଲମ୍ବନ କରିଦିଆଗଲା। ଅତୀତରେ କୋଭିଡ ସମୟରେ ରାଜ୍ୟ ସରକାରଙ୍କୁ ନିଜର ଦରମା ପ୍ରଦାନ ଓ ଭଲକାମ ପାଇଁ ପୁରସ୍କୃତ ହୋଇଥିବା ମହିଳା ଶ୍ରୀମତୀ ସିଂହଙ୍କ ଅସୁବିଧା କେଉଁଠି ରହିଲା ତା’ର ତଦନ୍ତ ହେଲା ନାହିଁ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ତାଙ୍କର ପୂର୍ବତନ ପ୍ରେମିକା ସୋମାଲିକା ଦାସ ବର୍ଷେରୁ ଅଧିକ ସମୟ ହେଲା ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବିଜୟ ଶଙ୍କର ଏବେ କଟକର ଅରୁଣୋଦୟନଗରରେ ତାଙ୍କର ଟିଉସନ ଶିକ୍ଷକଙ୍କ ପୂର୍ବତନ ପତ୍ନୀଙ୍କୁ ବିବାହ କରିବାକୁ ସବରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। ସେମାଲିକା ମାନସିକ ନର୍ଯାତନାର ଶିକାର ହୋଇଛନ୍ତି। କିନ୍ତୁ ନବୀନ ଏବାବଦରେ ମୁହଁ ଖୋଲି ନାହାନ୍ତି।

କ’ଣ କହିଥିଲେ ମୁଖ୍ୟମନ୍ତ୍ରୀ

ବିଧାନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ମୋ ସରକାର ଲୋକଙ୍କ ସରକାର। ସିଏମଓ ଅଭିଯୋଗ ପ୍ରକୋଷ୍ଠ କେଭିଡ ହେତୁ ୨ ବର୍ଷ ହେଲା ବନ୍ଦ ଥିଲା । ସେଥିପାଇଁ ସିଏମଓର ଅଧିକାରୀଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ଅଭିଯୋଗ ଗ୍ରହଣ କରି ସମାଧାନ ଲାଗି ନିର୍ଦ୍ଦେଶ ଦେଇଥିଲି। ସିଏମଓର ଅଫିସରମାନେ ଲୋକଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରି ସମାଧାନର ବାଟ ବାହାର କରୁଛନ୍ତି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ସିଏମଓ ଗତ ୬ ମାସରେ ରାଜ୍ୟର ୧୯୦ ଜାଗାରେ ଲୋକଙ୍କୁ ଭେଟି ୫୭ ହଜାର ୪୪୨ ପିଟିସନ୍ ପାଇଥିଲା। ସେଥିରୁ ୪୩,୫୩୬ ପିଟିସନ୍ର ସମାଧାନ ହୋଇପାରିଛି। ୫୭ ହଜାର ପିଟିସନ ପାଇଁ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠକୁ ଆସିବାକୁ ପଡ଼ିଥାନ୍ତା। ଏଥିପାଇଁ ଲୋକଙ୍କ ଯିବା ଆସିବା, ରହିବା ପାଇଁ ଟଙ୍କା ଖର୍ଚ୍ଚ ହୋଇଥାନ୍ତା। ଲୋକଙ୍କ ଦୈନିକ ମଜୁରୀ ମଧ୍ୟ ହାତଛଡ଼ା ହୋଇଥାନ୍ତା। ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ଆମେ ଯଦି ହେଲିକପ୍ଟର ବ୍ୟବହାର ନ କରି ସଡକ ପଥରେ ଯାଇଥାନ୍ତୁ, ତେବେ ଏଥିପାଇଁ ଆମକୁ ଦେଢ ବର୍ଷ ସମୟ ଲାଗିଥାନ୍ତା । ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ୩ ରୁ ୫ଟି ସଭା କରିବା ଏବଂ ତା ପୁଣି ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ୧୦ଟାରୁ ୩ଟା ମଧ୍ୟରେ କରିବା ଯେକୌଣସି ମଣିଷ ପାଖରେ ଅସମ୍ଭବ ଅଟେ। ଗତ ସାଢେ ତିନି ବର୍ଷ ମଧ୍ୟରେ ଆମେ ହେଲିକପ୍ଟର ବ୍ୟବହାରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛୁ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments