ନୂଆଦିଲ୍ଲୀ/ଭୁବନେଶ୍ୱର: ଉତ୍ତର ପ୍ରଦେଶର ପୟାଗରାଜସ୍ଥିତ ଇଫକୋ (ଇଣ୍ଡିଆନ ଫାର୍ମର୍ସ ଆଣ୍ଡ ଫର୍ଟିଲାଇଜର କୋ-ଅପରେଶନ ଲିମିଟେଡ)ର କାରଖାନାରେ ମଙ୍ଗଳବାର ମଧ୍ୟରାତ୍ରୀରେ ବଡ଼ ଦୁର୍ଘଟଣା ଘଟିଛି । ୟୁରିଆ ପ୍ରସ୍ତୁତ ହେଉଥିବା ଏହି କାରଖାନାରେ ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ୨ ଜଣ ଅଧିକାରୀଙ୍କ ପ୍ରାଣହାନୀ ଘଟିଛି । ମୃତକମାନେ ହେଲେ କାରଖାନାର ସହାୟକ ପରିଚାଳକ ବିପି ସିଂହ ଓ ଡେପୁଟି ପରିଚାଳକ ଅଭିନନ୍ଦନ । ଏଥି ସହ ବହୁ ସଂଖ୍ୟାରେ କର୍ମଚାରୀ ଅସୁସ୍ଥ ହୋଇପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଅଛନ୍ତି । ସମସ୍ତ ଅୁସସ୍ଥ ଓ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏସିଆ ମହାଦେଶର ଗର୍ବ ଇଫକୋ କାରଖାନା
ମଙ୍ଗଳବାର ରାତିରେ ପ୍ରାୟ ୧୦୦ ଜଣ କର୍ମଚାରୀ କାରଖାନାରେ କାମ କରୁଥିଲେ । ଏହି ସମୟରେ ଗ୍ୟାସ ନିର୍ଗତ ହେବାରୁ ସମସ୍ତେ ଡରି ଯାଇଥିଲେ । କିଛି କର୍ମଚାରୀ ତଳେ ଗଡ଼ିଯାଇଥିଲେ । ପ୍ରୟାଗରାଜର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ୪୦ କିଲୋମିଟର ଦୂରରେ ଫୁଲପୁରସ୍ଥିତ ଇଫକୋ କାରଖାନା ଏସୀୟର ଅନ୍ୟତମ ଗୌରବ । ଏଠାରୁ ବିପୁଳ ପରିମାଣରେ ସାର ଉତ୍ପାଦନ ହୋଇ କୃଷକଙ୍କ ଚାହିଦା ପୂରଣ ହେଉଛି । କିନ୍ତୁ ଦୁଃଖର ବିଷୟ ଯେ, ବିଗତ ୨ ବର୍ଷ ମଧ୍ୟରେ କାରଖାନାରେ ୫ ଥର ଦୁର୍ଘଟଣା ଘଟିସାରିଛି । କାରଖାନାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନ ଛିଡ଼ା ହେଉଛି ।
ଗ୍ୟାସ ନିର୍ଗତ କାରଣ ଅସ୍ପଷ୍ଟ
କାରଖାନାରେ କର୍ମଚାରୀମାନେ କାର୍ଯ୍ୟରତ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି । କିନ୍ତୁ କେଉଁ କାରଣ ଯୋଗୁଁ ଏଭଳି ଘଟଣା ଘଟିଲା, ତାହା ଜଣାପଡ଼ିନାହିଁ । କେବଳ ଏତିକି କୁହାଯାଇପାରିବ ଯେ, କୌଣସି ପମ୍ପରୁ ଗ୍ୟାସ ନିର୍ଗତ ହୋଇଛି । ସେପଟେ ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ଗ୍ୟାସ ଲିକେଜ୍ ହେବାର ମୂଳ କାରଣ ଅବହେଳା । କାରଖାନାର ସୁରକ୍ଷା ଓ ନିରାପତ୍ତା ବ୍ୟବସ୍ଥା ଆହୁରି ମଜବୁତ କରାଯିବା ଦରକାର ବୋଲି ମତ ପ୍ରକାଶ ପାଇଛି ।
ଓଡ଼ିଶାରେ ଆମୋନିଆ ଗ୍ୟାସ ନିର୍ଗତ
ଓଡ଼ିଶାରେ ୨୦୧୯ ନଭେମ୍ବର ୧୩ ତାରିଖରେ ଏକ ଚିଙ୍ଗୁଡ଼ି ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାନ ନିର୍ଗତ ହୋଇଥିଲା । ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ବ୍ଲକ ଅନ୍ତର୍ଗତ ପଣପଣା ଚିଙ୍ଗୁଡି କାରଖାନାରେ ଗ୍ୟାସ ନିର୍ଗତ ହେବାରୁ ୧୦୦ ଜଣ ଶ୍ରମିକ ଅସୁସ୍ଥ ହୋଇଥିଲେ । କିନ୍ତୁ ଖୁସିର କଥା ହେଲା ଯେ, ଦୁର୍ଘଟଣାରେ କିଛି କ୍ଷୟକ୍ଷତି ହୋଇ ନଥିଲା । ସେହିପରି ୨୦୧୮ ଜୁଲାଇ ୨୪ରେ ମଧ୍ୟ ଏକ ଚିଙ୍ଗୁଡ଼ି କାରଖାନାରେ ଆମୋନିଆ ଗ୍ୟାସ ନିର୍ଗତ ହୋଇଥିଲା । ଆକ୍ୱା ମେରାଇନ ଓଡ଼ିଶା ନାମକ କାରଖାନାରେ ଆମୋନିଆ ଗ୍ୟାସ ଲାଗିଥିଲା । କିନ୍ତୁ ଘଟଣା ଦିନ ଲୋକେ ସତର୍କତାର ସହିତ ଘଟଣାସ୍ଥଳରୁ ଦୂର ସ୍ଥାନକୁ ଚାଲିଯାଇଥିବାରୁ ବର୍ତ୍ତି ଯାଇଥିଲେ ।
ପଂଜାବରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା
ବର୍ଷ ୨୦୧୮ ଫେବୃଆରୀ ୨୦ରେ ପଂଜାବର ପଟିଆଲାସ୍ଥିତ ଏକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ ନିର୍ଗତ ହୋଇଥିଲା । ରାଜପୁରାର ସମ୍ଭୁ ଅଂଚଳରେ ହିମାଳୟ ଫ୍ରେସ ପ୍ରୋଟନି କାରଖାନାରେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ।