ଭୁବନେଶ୍ୱର: ଓଡ଼ିଶାର ଅପରାଧ ଇତିହାସରେ ଏକଦା ଚହଳ ପକାଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଦିନ ଦ୍ୱିପ୍ରହରରେ ରାଜ୍ୟର ସବୁଠାରୁ ଅଧିକ ବ୍ୟସ୍ତ ବହୁଳ ହସ୍ପିଟାଲ ‘କଟକ୍ସ୍ଥିତ ଏସ୍ସିବି ମେଡିକାଲରୁ ଫେରାର ହୋଇଯାଇଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ହସ୍ପିଟାଲରେ ମେଡିକାଲ୍ କର୍ମଚାରୀ ଅନ୍ୟ କାମରେ ବ୍ୟସ୍ତ ଓ ପୋଲିସ୍ କର୍ମଚାରୀଙ୍କ ଅବହେଳାର ସୁଯୋଗ ନେଇ ସେ ଏଭଳି ପଦକ୍ଷେପ ନେବାରେ ସଫଳ ହୋଇଛି। ତେବେ ଦିବାଲୋକରେ ହାଇଦର ଫେରାର ହୋଇଯିବା ପରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏସ୍ସିବିର ୩ୟ ମହଲାରେ ପରିଚାଳିତ ସର୍ଜରୀ ବିଭାଗର ୫ ନମ୍ବର କ୍ୟାବିନ୍ରେ ହାଇଦର ଚିକିତ୍ସିତ ହେଉଥିଲା। ଖୁବ୍ ଅଳ୍ପ ସମୟ ମଧ୍ୟରେ କ୍ୟାବିନ୍ ଭିତରୁ କେମିତି ପଳାଇଗଲା, ସମସ୍ତେ ଚକିତ ହୋଇଯାଉଛନ୍ତି। ଏବେ ବୁଦ୍ଧିଜୀବୀଙ୍କ ମନରେ ସଦେଂହ ଜାତ ହେଉଛି ଯେ, ହାଇଦରକୁ ଫେରାର କରାଇ ଦିଆଯାଇ ଥାଇପାରେ। ହାଇଦର ପତ୍ନୀ ହସିନା ବିବ ମଧ୍ୟ ଏଭଳି ଅଭିଯୋଗ ଆଣିଛନ୍ତି। ହାଇଦର ଗୁରୁତର ଅସୁସ୍ଥ ହୋଇଥିବାରୁ ତାକୁ ବୁର୍ଲା ମେଡିକାଲ୍ରୁ ମାର୍ଚ୍ଚ ୨୩ ତାରିଖରେ କଟକ ଅଣାଯାଇଥିଲା। ଏମିତି ବି କୁହାଯାଉଛି ଯେ ଏସ୍ସିବିରେ ୧୮ ଦିନ ଧରି ଚିକିତ୍ସିତ ହେବା ସମୟରେ ସେ ଏଠାରୁ ଫେରାର ହୋଇଯିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲା। ସେ ଯାହା ବି ହେଉ, ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଥାଇ ସେ କେମିତି ଫେରାର ହୋଇପାରିଲା, ତାହା ସବୁଠାରୁ ବଡ଼ ପ୍ରଶ୍ନ।
ଘନ ଘନ ଚଢ଼ାଉ, ଫଳ ଶୂନ୍ୟ
ହାଇଦର ଫେରାର ହୋଇଯିବା ପରେ ରାଜ୍ୟ ପୋଲିସ ଏବେ ଅଧିକ ସକ୍ରିୟ ଦେଖାଯାଉଛି। ତାକୁ ଧରିବା ଲାଗି ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ ବାଲେଶ୍ୱର ସହର ଉପରେ ପୋଲିସ ସ୍ୱତନ୍ତ୍ର ନଜର ରଖାଯାଇଛି। କିନ୍ତୁ ପୋଲିସ ହାଇଦରକୁ ଧରିବା ସେତେ ସହଜ ହେବ ନାହିଁ। କାରଣ ସେ ଯେଉଁ ବ୍ୟକ୍ତି ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଖସି ପଳାଇଯିବାରେ ସକ୍ଷମ ହୋଇଛି, ତାକୁ ଧରିବା କ’ଣ ସହଜ କଥା। ହସ୍ପିଟାଲରୁ ଖସିଯିବା ପୂର୍ବରୁ ସେ କିଛି ସ୍ୱତନ୍ତ୍ର ଯୋଜନା ମଧ୍ୟ କରିଥାଇପାରେ। ଘଟଣା ୨ ଦିନ ହୋଇଯାଇଥିବାରୁ ହାଇଦର ଛଦ୍ମବେଶରେ ବାହାରକୁ ମଧ୍ୟ ଚାଲିଯାଇ ଥାଇପାରେ। ହାଇଦରକୁ ଧରିବା ଲାଗି ପୋଲିସ ଯୋଜନା କରୁଛି କିନ୍ତୁ ଫେରାର ହେବାର ୨୪ ଘଣ୍ଟା ପରେ ମଧ୍ୟ ଫଳାଫଳ ଶୂନ୍ୟ।
କନେଷ୍ଟବଳଙ୍କୁ ନିଶା ଦେଇ ହାଇଦର ଛୁ
ଷ୍ଟାଫ୍ ନର୍ସ ମାନସୀରାଣୀ ପାଣି କହିଛନ୍ତି ଯେ, ମେଡିକାଲରେ ଚିକିତ୍ସା ଜାରିଥିବା ଥିବା ବେଳେ ୪/୫ ଜଣ ଲୋକ ହାଇଦର ପାଖରେ ଥିଲେ। ଲେକେ ମେଡିକାଲରେ ବି ଥିଲେ। କିନ୍ତୁ ସେ ନିକଟ କ୍ୟାବିନରୁ ଔଷଧ ଦେଇ ଆସିବାର ପୁଣି ୫ ନମ୍ବର କ୍ୟାବିନ୍କୁ କିଛି ସମୟ ପରେ ଗଲା ବେଳକୁ କନେଷ୍ଟବଳ ବାଉଳାଚାଉଳା ସ୍ଥିତିରେ ଥିଲେ। କନେଷ୍ଟବଳ ଭଲଭାବରେ କିଛି କହି ପାରୁ ନଥିଲେ। କନେଷ୍ଟବଳ ଏପରିକି ସେ ଛିଡ଼ା ହେବା ସ୍ଥିତିରେ ନଥିଲେ। ତେଣୁ ଡ୍ୟୁଟିରେ ଥିବା କନେଷ୍ଟବଳଙ୍କୁ ନିଶା ଦିଆଯାଇଥିବା ଚର୍ଚ୍ଚା ହେଉଛି। ହାଇଦର କ୍ୟାବିନରେୁ ନଥିବା ନେଇ ତୁରନ୍ତ ମଙ୍ଗଳାବାଗ ଫାଣ୍ଡିକୁ ସୂଚନା ଦିଆଯାଇଥିଲା। ହାଇଦରକୁ ୬ ଜଣ ସୁରକ୍ଷା କର୍ମୀ ଜଗୁଥିଲେ। ରାତିରେ ୨ ଜଣ ଓ ଦିନରେ ଜଣେ। ଏମାନେ ୨ଟି ସିଫ୍ଟରେ କାମ କାର୍ଯ୍ୟରତ ଥିଲେ। ଜଣେ ଗ୍ୟାଙ୍ଗଷ୍ଟରକୁ ଦିନରେ ଜଣେ ଓ ରାତିରେ ମାତ୍ର ୨ ଜଣ ଜଗିବା କେତେ ଦୂର ଠିକ୍?
ଅପରାଧ ତାଲିକା
-ହାଇଦର ବିରୋଧରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ସର୍ବାଧିକ ୭ଟି ମାମଲା। ପୁରୀ ସମୁଦ୍ରକୂଳ ଥାନା, ଭୁବନେଶ୍ୱର ତଥା ରାଜ୍ୟର ଅନ୍ୟ ଥାନାରେ ମାମଲା ରହିଛି
-ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି, ଟେଣ୍ଡର ଫିକ୍ସିଙ୍ଗ ଆଦି ଦଫାରେ ହାଇଦର୍ ବିରୋଧରେ ମାମଲା
-୨୦୦୫ ମେ’ ୩୧ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲ୍ ନିକଟରେ ଗ୍ୟାଙ୍ଗଷ୍ଟର୍ ସେକ୍ ସୁଲେମାନ୍ର ଭାଇ ସେକ୍ ଚୁନା ଓରଫ୍ ମାଲିକ ହନନ୍କୁ ହତ୍ୟା
-ଉପରୋକ୍ତ ଘଟଣାରେ ହାଇଦର୍ ସମେତ ଅନ୍ୟ ୭ଜଣଙ୍କୁ ୨୦୧୧ରେ ଆଜୀବନ କାରାଦଣ୍ଡ
-୨୦୧୪ରେ ପାରୋଲ୍ରେ ଆସିଥିଲା ହାଇଦର୍ । ପରେ ଖଣି ମାଲିକ ରଶ୍ମିରଂଜନ ମହାପାତ୍ରଙ୍କ ଅପହରଣ ଓ ହତ୍ୟା ସଂପୃକ୍ତିରେ ଗିରଫ
-୨୦୧୫ରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଜଜ୍ କୋର୍ଟ-୨ରେ ହାଇଦରକୁ ଆଜୀବନ କାରାଦଣ୍ଡ
-ଗ୍ୟାଙ୍ଗଷ୍ଟର ଧଳସାମନ୍ତ ସହଯୋଗୀଙ୍କ ସହିତ ଗ୍ୟାଙ୍ଗାର୍ ହେବା ପରେ ୨୦୧୭ ମେ’ ୨ରେ ଝାରପଡ଼ାରୁ ସମ୍ବଲପୁର ଜେଲ୍କୁ ସ୍ଥାନାନ୍ତରିତ