Wednesday, September 18, 2024
Homeପୁଣି ଥରେ କାର୍ଯ୍ୟକ୍ଷମ ହେବ ସବୁ କୋଭିଡ-୧୯ ହସ୍‌ପିଟାଲ
Array

ପୁଣି ଥରେ କାର୍ଯ୍ୟକ୍ଷମ ହେବ ସବୁ କୋଭିଡ-୧୯ ହସ୍‌ପିଟାଲ

ଭୁବନେଶ୍ୱର: ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ଯୋଗୁଁ ଜନସାଧାରଣ, ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ମୁଣ୍ଡ ବ୍ୟଥା ପାଲଟିଛି। ମାସକ ପୂର୍ବରୁ କରୋନା ଭାଇରସ୍‌ରେ ଦୈନିକ ପ୍ରାୟ ୧୦୦ ଜଣ ସଂକ୍ରମିତ ହେଉଥିବା ବେଳେ ଏବେ ଏହା ୩ ହଜାର ଅତିକ୍ରମ କରିଛି। କୋଭିଡ-୧୯ର ୨ୟ ଲହର ଖୁବ ଶିଘ୍ର ମାଡ଼ିଚାଲିଛି, ଯେଉଁଥି ପାଇଁ ସମସ୍ତଙ୍କର ଚିନ୍ତା ବଢ଼ିବାର ଅନ୍ୟ ଏକ କାରଣ। ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତରପ୍ରଦେଶ ଓ ଦିଲ୍ଲୀରେ ବର୍ତ୍ତମାନର ସ୍ଥିତି ଯାହା ଅଛି, ତାହା ଦେଖିଲେ ଯେ କେହି ମଧ୍ୟ ନିଜ ରାଜ୍ୟକୁ ନେଇ ଚିନ୍ତା କରିବା। ତେଣୁ ବାହାର ରାଜ୍ୟର ସ୍ଥିତିକୁ ଦେଖି ଆଗୁଆ ପଦକ୍ଷେପ ନିଆଯିବା ପରେ ରାଜ୍ୟର ଅନେକ ଧନଜୀବନକୁ ସୁରକ୍ଷା ମିଳିବ। କରୋନା ସଂକ୍ରମଣ ନିୟନ୍ତ୍ରଣ ଲାଗି ଯଦିଓ ସରକାର ଉଦ୍ୟମ କରୁଛନ୍ତି, ତଥାପି ଏଥି ପାଇଁ ସବୁ ସ୍ତରରେ ଉଦ୍ୟମ ଜାରି ରହିବା ଦରକାର।

କରୋନା ମୁକାବିଲା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସାନି ନିର୍ଦ୍ଦେଶାବଳୀ ଜାରି ହୋଇଛି। ସବୁ କୋଭିଡ କେୟାର ସେଣ୍ଟର ଓ ଜିଲ୍ଲା କୋଭିଡ ହସ୍‌ପିଟାଲକୁ ପୁଣି ଥରେ କାର୍ଯ୍ୟକ୍ଷମ ନିର୍ଦ୍ଦେଶ ହୋଇଛି। ସେହିଭଳି ଏଚ୍‌ଡିୟୁ ଓ ଆଇସିୟୁଗୁଡ଼ିକ ପରିବର୍ଦ୍ଧିତ କରିବା ପାଇଁ ପରାମର୍ଶ ଦିଆଯାଇଛି। ସରକାର ରାଜ୍ୟସ୍ତରୀୟ ଓ ମେଡିକାଲ କଲେଜ ସ୍ତରୀୟ ଟିମ୍‌ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ୭ଟି ମେଡିକାଲ କଲେଜ ମଧ୍ୟରେ ଜିଲ୍ଲା ଦାୟିତ୍ୱ ବଣ୍ଟନ କରିଛନ୍ତି। ମେଡିକାଲ ଟିମ୍‌ ଗୁଡ଼ିକ ଜିଲ୍ଲାର କୋଭିଡ ସେଣ୍ଟର ଗୁଡ଼ିକ ତଦାରଖ କରିବେ।

ମେଡିକାଲ କଲେଜକୁ ଜିଲ୍ଲା ଦାୟିତ୍ୱ

ରାଜ୍ୟରେ ୭ଟି ସରକାରୀ ମେଡିକାଲ କଲେଜ ଗୁଡ଼ିକୁ ଜିଲ୍ଲାର ଦାୟିତ୍ୱ ଦିଆଯାଇଛି। ଏସ୍‌ସିବିକୁ କଟକ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଦାୟିତ୍ୱ ମିଳିଛି। ବ୍ରହ୍ମପୁର ଏମକେସିଜିକୁ ବୌଦ୍ଧ, ଗଂଜାମ, ଗଜପତି ଓ କନ୍ଧମାଳ ଦାୟିତ୍ୱ ମିଳିଥିବା ବେଳେ ଅନୁଗୁଳ, ବରଗଡ଼, ଦେବଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଦାୟିତ୍ୱ ନେବ ଭୀମସାର। ସେହିପରି କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ ଦାୟିତ୍ୱରେ ରହିବ କୋରାପୁଟ, ମାଲକାନଗିରି, ନବରଂଗପୁର ଓ ରାୟଗଡ଼ା ଜିଲ୍ଲା। ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ କେନ୍ଦୁଝର ଓ ମୟୂରଭଂଜର ସ୍ୱାସ୍ଥ୍ୟ ଦାୟିତ୍ୱ ବୁଝିବ। ବାଲେଶ୍ୱର ଓ ଭଦ୍ରକ ଦାୟିତ୍ୱ ଫକୀରମୋହନ ମେଡିକାଲ ଦାୟିତ୍ୱରେ ଥିବା ବେଳେ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜକୁ କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ସୁବର୍ଣ୍ଣପୁର ଦାୟିତ୍ୱ ତୁଲାଇବାକୁ ହେବ।

କୋଭିଡ-୧୯ କଟକଣା କଡ଼ାକଡ଼ି

କୋଭିଡ-୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପଡ଼ୋଶୀ ଛତିଶଗଡ଼ର ସୀମାକୁ ଲାଗିଥିବା ୧୦ଟି ଜିଲ୍ଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଂଗପୁର, ମାଲକାନଗିରି ଓ କୋରାପୁଟରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଲାଗୁ କରାଯାଇଛି। ଏହି ସବୁ ଜିଲ୍ଲା ଗୁଡ଼ିକର ସହରାଂଚଳରେ ଅନିଦ୍ଦିଷ୍ଟ କାଳ କାଳ ପାଇଁ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ସହିତ ଅନ୍ୟ ଦିନ ଗୁଡ଼ିକରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି।

୨୦ ଜିଲ୍ଲାରେ ୧୪୪ ଧାରା

ରାଜ୍ୟର ଅନ୍ୟ ୨୦ଟି ଜିଲ୍ଲାର ସହରାଂଚଳରେ ପ୍ରତି ଦିନ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ରାତ୍ରିକାଳୀନ କର୍ଫ୍ୟୁ ସମୟରେ କେବଳ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନେ ଚଳପ୍ରଚଳ କରିପାରିବେ। କିନ୍ତୁ ଏଥି ପାଇଁ ସଂପୃକ୍ତ ବ୍ୟକ୍ତିମାନଙ୍କୁ ନିଜ ସଂସ୍ଥାନର ପରିଚୟ ପତ୍ର ଦେଖାଇବାକୁ ପଡ଼ିବ। ଛତିଶଗଡ଼ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହନ୍ତ ସଟ୍‌ଡାଉନ୍‌କୁ ଅଧିକ କଡ଼ାକଡ଼ି କରି ଦିଆଯାଉଛି। କୋଭିଡ-୧୯ କଟକଣାକୁ ଶକ୍ତ କରି ଦିଆଯାଇଛି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି। ମାସ୍କ ଚେକିଂ, ସାମାଜିକ ଦୂରତା ରକ୍ଷା କରିବା, ଦୋକାନ ବଜାରରେ ଭିଡ଼ ନ କରିବା ଆଦି ପ୍ରତି ପୁଲିସ ନଜର ରଖିଛି। 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments