Tuesday, September 17, 2024
Homeପୁଣି ପୋଲିସ ଉପରକୁ ଆକ୍ରମଣ
Array

ପୁଣି ପୋଲିସ ଉପରକୁ ଆକ୍ରମଣ

ଭୁବନେଶ୍ୱର: ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ପୋଲିସ କର୍ମଚାରୀଙ୍କର ବଡ଼ ଭୂମିକା ରହୁଛି। ପୋଲିସ ବ୍ୟବସ୍ଥା ନଥିଲେ ଚୋରି, ଡକାୟତି, ରାହଜାନୀ, ଲୁଟ୍‌, ଠକେଇ, ଅସଦାଚରଣ, ଦୁଷ୍କର୍ମ, ନିର୍ଯାତନା ଆଦିର ମାତ୍ରା ଢେର ଗୁଣରେ ବଢ଼ିଯିବ। ଏହା କେବଳ ଓଡ଼ିଶା କି ଭାରତ କଥା ନୁହେଁ। ବରଂ ସମଗ୍ର ବିଶ୍ୱର ପ୍ରସଙ୍ଗ। ନିଶ୍ଚିତ ଭାବେ କୁହାଯାଇ ପାରିବ ଯେ, ଅପରାଧୀ ବିରୋଧରେ ଦେଶରେ ଆଇନ୍‌କାନୁନ୍‌ର ପର୍ଯ୍ୟାପ୍ତ ଥିବା ସତ୍ତ୍ୱେ ହିଂସାର ମାତ୍ରା ହ୍ରାସ ପାଉନାହିଁ। ବରଂ ବଢ଼ିବାରେ ଲାଗିଛି। ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ବଳରେ ଅପରାଧ ଓ ହିଂସା କମିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ମଧ୍ୟ ମତ ଦିଅନ୍ତି। ଅପରାଧ ଓ ହିଂସା ହ୍ରାସ କରିବାକୁ ହେଲେ ପ୍ରତ୍ୟେକ ଲୋକଙ୍କ ମନରେ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର।

ଦିନ ଥିଲା ମାଟିଆ ରଙ୍ଗର ପୋଷାକଧାରୀ ପୋଲିସ କର୍ମଚାରୀଙ୍କୁ ଦେଖିଲେ ଲୋକେ ଭୟ କରୁଥିଲେ। ସାଧାରଣ ଲୋକଙ୍କୁ ପୋଲିସ ଯଦି କିଛି ପଚାରୁଥିଲା, ତା’ହେଲେ ସେମାନେ ବ୍ୟସ୍ତ ହୋଇପଡୁଥିଲେ। ପୋଲିସକୁ ଲୋକଙ୍କର ଭୟ ଥିଲା। ସମ୍ମାନ ବି ଥିଲା। କିନ୍ତୁ ଆଜିକାଲି ଏଥିରେ ଅନେକ ପରିବର୍ତ୍ତନ ଦେଖାଯାଇଛି। ସୂଚନା ପ୍ରଯୁକ୍ତିବିଦ୍ୟାର ଯୁଗରେ ଲୋକେ ଶିକ୍ଷିତ ହୋଇଛନ୍ତି। ଆଇନ୍‌କାନୁନ ବିଷୟରେ ଅବଗତ ହୋଇଛନ୍ତି। ପୋଲିସ ବ୍ୟବସ୍ଥା ଓ ଏହାର କାର୍ଯ୍ୟାନୁଷ୍ଠାନ ସଂପର୍କରେ ଉଣା ଅଧିକେ ସମସ୍ତେ ଅବଗତ ଅଛନ୍ତି। ଅନ୍ୟପଟରେ ଅଭିଯୋଗ ହେଉଛି ଯେ, ପୁଲିସ ଯେତେବେଳେ କୌଣସି ମାମଲା ପାଇଁ ତଦନ୍ତରେ ଯାଉଛି, ଲୋକଙ୍କୁ ଦୁର୍ବ୍ୟବହାର କରୁଛି, ଯେଉଁଥି ପାଇଁ ତାକୁ ସହଯୋଗ ଓ ସମର୍ଥନ ମିଳିପାରୁ ନାହିଁ।

୬ ପୋଲିସ କର୍ମଚାରୀ ଆହତ

ଚଳିତ ସପ୍ତାହରେ ୨ଟି ସ୍ଥାନରେ ୬ ଜଣ ପୋଲିସ କର୍ମଚାରୀ ସାଧାରଣ ଲୋକ ଏବଂ କୁଖ୍ୟାତ ଅପରାଧୀ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି। କୁଖ୍ୟାତ ଅପରାଧୀ ଘଟଣାସ୍ଥଳରୁ ଖସିଯିବା ପାଇଁ ପୋଲିସ ଉପରେ ଆକ୍ରମଣ କରିବାତ ସାଧାରଣ କଥା ହୋଇପାରେ। କିନ୍ତୁ ଗାଁରେ ବସବାସକରୁଥିବା ଲୋକ ପୋଲିସ ଉପରକୁ ଆକ୍ରମଣ କରିବା କଥାକୁ ସହଜରେ ଗ୍ରହଣ କରିହେଉ ନାହିଁ। ଯଦି ଏଭଳି ଘଟଣା ଘଟୁଛି, ତା’ହେଲେ ଏଥି ପାଇଁ ଦାୟୀ କିଏ? ଗାଁରେ ବସବାସ କରୁଥିବା ଲୋକ ଅତି ସରଳ ଓ ନିଷ୍କପଟ। ସେମାନେ ଯଦି କାହାରି ଉପରେ ଆକ୍ରମଣ କରୁଛନ୍ତି, ତା’ହେଲେ ତାଙ୍କରି ଉପରେ ଅନ୍ୟଥା ନିର୍ଯାତନ ଓ ମାନସିକ ଯନ୍ତ୍ରଣା ହିଁ ଏହାର କାରଣ ହୋଇପାରେ। କୌଣସି ମାମଲାର ତଦନ୍ତ ପାଇଁ ଯେତେବେଳେ ପୋଲିସ ଗାଁକୁ ଯାଉଛି, ପ୍ରଥମେ ଲୋକଙ୍କୁ ନାଲି ଆଖି ନଦେଖାଇ ଭଲ ଭାବରେ ବୁଝାଇବାର ଆବାଶ୍ୟକତା ଅଛି।

କୁଖ୍ୟାତ ଅପରାଧୀ ହାତରେ ମାଡ଼ ଖାଇଲେ

ରାଜଧାନୀ ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଟିକୁ ମାଲିଆକୁ ଧରିବାକୁ ଯାଇ ୪ ଜଣ ପୁଲିସ ଆକ୍ରମଣର ଶିକାର ହୋଇଛନ୍ତି। ଟିକୁ ମାଲିଆ ଜଣେ କୁଖ୍ୟାତ ଅପରାଧୀ ହୋଇଥିବା ବେଳେ ତା’ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ତାକୁ ଦୀର୍ଘ ଦିନ ହେବ ଖୋଜୁଥିଲା। କିନ୍ତୁ ସବୁବେଳେ ପୋଲିସ୍‌କୁ ଚକମ୍‌ ଦେଇ ଖସିଯାଉଥିଲା। ଶୁକ୍ରବାର ଲିଙ୍ଗରାଜ ଥାନା ଅଞ୍ଚଳରେ  ଟିକୁ ବୁଲୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। କିନ୍ତୁ ଅତର୍କିତ ଚଢ଼ାଉ ସମୟରେ ପୋଲିସ ଆଖିରୁ ଖସିଯିବାକୁ ଉଦ୍ୟମ କରିଥିଲା। ଟିକୁର ଆକ୍ରମଣରେ  ଜଣେ ସବଇନ୍‌ସପେକ୍ଟର ଓ ୩ କନଷ୍ଟେବଳ ଆହତ ହୋଇଥିଲେ।

ମଦ ଧରିବାକୁ ଯାଇ ଆକ୍ରମଣର ଶିକାର

ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ତାରିଗା ବେଆଇନ୍‌ ମଦ କାରବାର ଉପରେ ଚଢ଼ଉ କରିବାକୁ ଯାଇଥିବା ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀଙ୍କୁ ମଧ୍ୟ ହଟହଟ୍ଟା ଓ ଆକ୍ରମଣର ଶିକାର ହେବାକୁ ପଡ଼ିଛି। ଗାଁ ଲୋକଙ୍କର ଆକ୍ରମଣରେ ପୁଲିସର ଗାଡ଼ି ଭାଙ୍ଗିଥିବା ବେଳେ ଜଣେ ମହିଳା କନଷ୍ଟେବଳଙ୍କ ସମେତ ୨ ଜଣ ପୁଲିସ୍‌ କର୍ମଚାରୀ ଆହତ ହୋଇଛନ୍ତି। ଚଢ଼ଉ ସମୟରେ ୬୦୦ କିଲୋ ପୋଚ ଓ ୫୦ ଲିଟର ଦେଶୀ ମଦ ଜବତ ହୋଇଥିଲା। ଗାଁ ଲୋକେ ଅବକାରୀ ଓ ପୋଲିସ ଗାଡ଼ିକୁ ପଥର ମାଡ଼ କରିଥିଲେ। ଗାଡ଼ିର କାଚ ଉପରେ ଠେଙ୍ଗାରେ ପ୍ରହାର କରିଥିଲେ। ଆକ୍ରମଣର କାରଣ ସଂପର୍କରେ ଗାଁ ଲୋକଙ୍କ କହିବା ଅନୁସାରେ ସେମାନେ ପୋଲିସ ଦ୍ୱାରା ହଇରାଣ ହୋଇଥିଲେ। ଗତ ଦୁଇ ମାସ ପୂର୍ବରୁ ଉକ୍ତ ଗ୍ରାମର କୃଷ୍ଣ କଲାରଙ୍କୁ କୌଣସି ଏକ ଅଭିଯୋଗରେ ରାତି ୧ଟା ସମୟରେ ଉମରକୋଟ ପୁଲିସ ଭୁଲ୍‌ ବଶତଃ ଉଠାଇ ନେଇଥିବା ପରେ ଦିନ ତମାମ ରଖି ଛାଡ଼ି ଦେଇଥିଲା।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments