ଭୁବନେଶ୍ୱର: ହାଜତ ମୃତ୍ୟୁକୁ କେନ୍ଦ୍ର କରି ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନାରେ ଉତ୍ତେଜିତ ଥିବା ବେଳେ ପୁରୀରେ ଜଣେ ଯୁବକ ପୋଲିସ ହାଜତରେ ଥାଇ ମୃତ୍ୟୁବରଣ କରିଛନ୍ତି । ମୃତକ ହେଲେ ଲୋକନାଥ ରୋଡ୍ ଫାଦର ସ୍କୁଲ ନିକଟରେ ରହୁଥିବା ୩୩ ବର୍ଷୀୟ କେ. ରମେଶ । ଏକ ଅଭିଯୋଗକୁ ଭତ୍ତି କରି ପୋଲିସ ରମେଶକୁ ଗତକାଲି ଥାନାକୁ ଆଣି ପଚରାଉଚୁରା କରିଥିଲା । କିନ୍ତୁ ଗିରଫ ସମୟରେ ପୋଲିସ ସହିତ ଧସ୍ତାଧସ୍ତି ହୋଇଥିବାରୁ ରମେଶ ଗୁରୁତର ହୋଇଥିଲା ବୋଲି ଏସପି ଅଖିଳେଶ୍ୱର ସିଂହ ଆଜି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ଗୁରୁତର ହେବା ପରେ ରମେଶକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ବୋଲି ଏସ୍ପି କହିଛନ୍ତି । କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ରମେଶକୁ ପୋଲିସ ମାଡ଼ମାରି ଲହୁଲୁହାଣ କରିଦେଇଥିଲା ।
ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା
କୌଣସି ଏକ ମାମଲାରେ ସଂପୃକ୍ତ ଥିବା ସନ୍ଦେହ କରି ବୀରମିତ୍ରପୁର ଥାନା ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଥିଲା । ସଂପୃକ୍ତ ଯୁବକ ହାଜତରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ଜଣଙ୍କର ମୃତ୍ୟୁ ହେବା ପରେ ଆଜି ଉତ୍ତ୍ୟକ୍ତ ଲୋକେ ବୀରମିତ୍ରପୁର ଥାନା ଘେରାଉ କରିଛନ୍ତି । ଉତ୍ତେଜିତ ଲୋକେ ଥାନାକୁ ଘେରାଉ କରି ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।
ହାଜତରେ ପୋଲିସର ଉଗ୍ର ରୂପ
ତେବେ ଓଡ଼ିଶାରେ ହାଜତରେ ମୃତ୍ୟୁ ନୂଆ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ରାଜ୍ୟର ବିଭିନ୍ନ ଥାନାରେ ହାଜତ ମୃତ୍ୟୁ ଘଟଣା ଘଟିଛି । ପୋଲିସର ମାଡ଼ରେ ଅନେକ ଲୋକ ହାଜତରେ ପ୍ରାଣ ହରାଇଛନ୍ତି । ଅଭିଯୋଗ ଅନୁସାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଅନେକ ସମୟରେ ପୋଲିସ ହିଂସ୍ରକ ରୂପ ନେଇଥାଏ । ଅଭିଯୁକ୍ତ ଠାରୁ ସହଜରେ ତଥ୍ୟ ଆଦାୟ କରିବା ବଦଳରେ ଥାର୍ଡ ଡିଗ୍ରୀକୁ ବ୍ୟବହାର କରିଥାଏ । ପୋଲିସର ମାଡ଼ରେ ଅଭିଯୁକ୍ତମାନଙ୍କୁ ଲହୁଲୁହାଣ ହେବାକୁ ପଡ଼ିଥାଏ । ଏପରିକି ଜୀବନ ମଧ୍ୟ ହାରିବାକୁ ହୋଇଥାଏ
ପାଟଣା ଆଇଆଇସି କରିଥିଲେ ଥାର୍ଡ ଡିଗ୍ରୀ ଚାର୍ଜ
ହାଜତରେ ମାଡ଼ମାରି କେନ୍ଦୁଝର ଜିଲ୍ଲା ପାଟଣା ଆଇଆଇସି ବିଗତ ଦିନରେ ଚର୍ଚ୍ଚାର ପରିସରକୁ ଆସିଥିଲେ । ଗତ ମାର୍ଚ୍ଚ ୨୫ ତାରିଖରେ ଏକ ମାମଲାକୁ ନେଇ ତାଳସରୁଅଗାଁର ଚିତ୍ତରଂଜନ ମହାନ୍ତ (୨୨)ଙ୍କୁ ଥାନା ଭିତରେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିଲେ । ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ସଂଧାରାଣୀଙ୍କ ଏଭଳି ବ୍ୟବହାର ଯୋଗୁଁ ଡିଜିପି ଅଭୟ ତଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି । ନିକଟରେ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି ଯେ, ସଂଧ୍ୟାରାଣୀଙ୍କୁ ୨ ବର୍ଷ ଯାଏଁ କୌଣସି ଥାନାରେ ନିଯୁକ୍ତି ଦିଆ ନଯାଉ । କାରଣ ସେ ଅଭିଯୁକ୍ତମାନଙ୍କୁ କିଭଳି ବ୍ୟବହାର କରାଯିବ, ତାହା ଜାଣି ନାହାନ୍ତି । କମିଶନ ଅଧ୍ୟକ୍ଷ ଜଷ୍ଟିସ ବିମଳ ପ୍ରସାଦ ଦାସ ଓ ଅନ୍ୟ ସଦସ୍ୟ ଅମିତାଭ ଦାସ କହିଛନ୍ତି ଯେ, ସନ୍ଧ୍ୟାରାଣୀ ୨ ବର୍ଷ ତାଲିମ ନେବା ଦରକାର ।
୩୫ ବର୍ଷ ପରେ ନ୍ୟାୟ ପାଇଲେ ପରିବାର
ବର୍ଷ ୧୯୮୫ ମସିହାରେ କଟକ ସହରର ପୁରୀଘାଟ ଥାନାରେ ଏକ ହାଜତ ମୃତ୍ୟୁ ହୋଇଥିଲା । ଗତ ୧୦ ତାରିଖ ଏହି ମାମଲାର ରାୟ ପ୍ରକାଶ କରିଥିଲେ ଓଡ଼ିଶା ହାଇକୋର୍ଟ । ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଇନ୍ସପେକ୍ଟର ପ୍ରଭାତ ଚନ୍ଦ୍ର ମହାନ୍ତି ଓ ତତ୍କାଳୀନ ଏସଆଇ ପ୍ରତାପ କୁମାର ଚୌଧୁରୀ । ଉଭୟଙ୍କୁ ଏକ ବର୍ଷ ଲେଖାଏଁ ଜେଲଦଣ୍ଡ ଓ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ ହୋଇଛି । ୧୯୮୫ ମସିହା ମେ’ ୪ ତାରିଖରେ କାଶୀନାଥ ନାୟକଙ୍କୁ ପୋଲିସ ଅଧିକାରୀ ଅଟକ ରଖି ମାଡ଼ ମାରିଥିଲେ । ଏଥିରେ କାଶୀନାଥ ଆହତ ହେବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ପରେ କାଶୀନାଥଙ୍କର ମୃତ୍ୟୁ ହୋଇଥିଲା ବୋଲ ଘଟଣାର ପରଦିନ ଅର୍ଥା ମେ’ ୫ ତାରିଖରେ କାଶୀନାଥଙ୍କ ସହ ଯାଇଥିବା କୁଶିଆ ଜେନା ଥାନାରେ ଅଭିଯୋଗ କରିଥିଲେ ।