Tuesday, September 17, 2024
Homeପୁଣି ମାତିଲେ ମାଓବାଦୀ, ପୋଲିସ କାର୍ଯ୍ୟାନୁଷ୍ଠାନକୁ ଡର ନାହିଁ
Array

ପୁଣି ମାତିଲେ ମାଓବାଦୀ, ପୋଲିସ କାର୍ଯ୍ୟାନୁଷ୍ଠାନକୁ ଡର ନାହିଁ

ଭୁବନେଶ୍ୱର: ମାଓବାଦୀମାନେ ପୁଣି ଥରେ ସକ୍ରିୟ ହୋଇଥିବା ଦୃଷ୍ଟିଗୋଚର ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ଓ ଦୁର୍ଗମ ଅଂଚଳରେ ଯେତେ ଯାହା ବିକାଶ କଲେ ବି ମାଓବାଦୀମାନେ ଏଥିରେ ସନ୍ତୁଷ୍ଟ ନାହାନ୍ତି । ଯଦିଓ କିଛି ମାଓବାଦୀ ଅସ୍ତ୍ର ଛାଡ଼ି ସରକାରଙ୍କ ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି, ତଥାପି ନକ୍ସଲ ସଂଗଠନର ଆହୁରି ଶହ ଶହ ସଦସ୍ୟ ନିଜର ହିଂସା କାମ ଛାଡ଼ିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି ।
ଓଡ଼ିଶା-ଛତିଶଗଡ଼ ସୀମାରେ ମାଓବାଦୀଙ୍କ ପ୍ରାଦୂର୍ଭାବ ବେଶି ବଢ଼ିଛି । ଛତିଶଗଡ଼ ରାଜ୍ୟର ବସ୍ତର ଓ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ପ୍ରାଦୂର୍ଭାବ କମ ହେଉନାହିଁ । ବିଗତ ଏକ ମାସରେ ଓଡ଼ିଶା ଓ ଛତିଶଗଡ଼ ସୀମାରେ ୧୨ରୁ ଊର୍ଦ୍ଧ୍ୱ ମାଓ ଗତିବିଧି ଘଟଣା ସାମ୍ନାକୁ ଆସିଛି । ସେହିପରି ତିନି ଦିନ ପୂର୍ବରୁ ମାଓବାଦୀମାନେ ଛତିଶଗଡ଼ର ବିଜାପୁରରେ ଜଣେ ଡିଆରଜି ଯବାନଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ । ସେହିପରି ମାଓବାଦୀମାନେ ଗତ ଜାନୁଆରୀ ୩୦ ତାରିଖରେ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ଅଂଚଳରେ ୨ ଜଣ ଲୋକଙ୍କ ଜୀବନ ନେଇଥିଲେ ।


ପୋଲିସ-ମାଓବାଦୀ ସଂଘର୍ଷ ଜାରି
ଗତ ଜାନୁଆରୀ ୨୯ ତାରିଖରେ ମାସରେ ମାଓବାଦୀଙ୍କ ହିଂସାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ତୁମୁଡିବନ୍ଧର ବେଲଘର ଥାନା ଅଧୀନ ଭଣ୍ଡରଙ୍ଗି ପଂଚାୟତ ସରପଂଚ ଦୌପଦୀ ପାତ୍ରଙ୍କ ପୁଅ ଭବାନୀ ଓ ଗୋଛାପଡ଼ାର ହେମନ୍ତଙ୍କୁ ପୋଲିସ ସୂଚନାକାରୀ ସନ୍ଦେହରେ ହତ୍ୟା କରିଥିଲେ । ମାଓବାଦୀରୁ ଡିଆରଜି ଯବାନ ହୋଇଥିବା ଜଣେ ଯୁବକଙ୍କୁ ମାଓବାଦୀମାନେ ଛତିଶଗଡ଼ରେ ଜାନୁଆରୀ ୨୯ରେ ହତ୍ୟା କରିଥିଲେ । କିନ୍ତୁ ଜାନୁଆରୀ ମାସରେ ଯବାନ ଓ ପୋଲିସର ଏନକାଉଣ୍ଟରେ ଛତିଶଗଡ଼ରେ ୩ ଜଣ ନକ୍ସଲଙ୍କ ନିହତ ହୋଇଛନ୍ତି । ଛତିଶଗଡ଼ରେ ୨ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ପୋଲିସ ମାଥିଲି ଥାନା ଅନ୍ତର୍ଗତ ମାଡ଼କାପଦର ଜଙ୍ଗଲରେ ଜଣେ ମାଓବାଦୀକୁ ନିହତ କରିଛନ୍ତି । ଗତ ମାସରେ ୩୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଛତିଶଗଡ଼ରେ ସାଧାରଣତନ୍ତ୍ର ଦିବସ ଅବସରରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଏହା ପୂର୍ବରୁ ୮ ଜଣ ମାଓବାଦୀ ଜାନୁଆରୀ ୧୮ ତାରିଖରେ ପୋଲିସ ନିକଟରେ ନିଜର ଭୁଲ ସ୍ୱୀକାର କରିଥିଲେ ।

ଛତିଶଗଡ଼ରେ ମାଓ ଯୋଜନା ବିଫଳ

ପଡୋଶୀ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ହିଂସା ଯୋଜନା ବିଫଳ ହୋଇଛି । ମାଓବାଦୀମାନେ ସିଆରପିଏଫ ଯବାନଙ୍କୁ ଲକ୍ଷ୍ୟ କରି ନିପ୍ପା ଜଙ୍ଗଲରେ ୫ କିଲୋ ଓଜନର ଏକ ବଡ଼ ଲ୍ୟାଣ୍ଡମାଇନ ଖଂଜି ଥିଲେ । କିନ୍ତୁ ୨୦୬ ଶିବିରରେ ଥିବା ଯବାନମାନେ କୁମ୍ବିଂ ଅପରେଶନ ସମୟରେ ଏହାକୁ ମେଟାଲ ଡିଟେକ୍ଟର ଦ୍ୱାରା ସୂଚନା ପାଇ ନିଷ୍କ୍ରିୟ କରିଦେଇଛନ୍ତି । ଏଥି ସହିତ ଯବାନମାନେ ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ।

ଖପ୍ରାଖୋଲରେ ବିପୁଳ ମାଓ ସାମଗ୍ରୀ ଜବତ

ମାଓବାଦୀମାନେ ମାଲକାନଗିରି ଓ କନ୍ଧମାଳ ଜିଲ୍ଲାରେ ସକ୍ରିୟ ଅଛନ୍ତି, ତାହା ନୁହେଁ । ବରଂ ସେମାନେ ବଲାଙ୍ଗୀର-ନୂଆପଡ଼ା ସୀମାନ୍ତ ଜଙ୍ଗଳ ଓ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ମଧ୍ୟ ହିଂସା ପାଇଁ ଯୋଜନା କରୁଛନ୍ତି । ସୋମବାର ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ଲାଠୋର ଥାନା ଅଧିନ ବେନ୍ଦର ଗାଁ ନିକଟ ଜଙ୍ଗଲରେ ପୋଲିସ ସହିତ ମୁହାଁମୁହିଁ ହୋଇଛନ୍ତି । ପ୍ରାୟ ୨୦ ମିନିଟ ଧରି ଗୁଳି ବିନିମୟ ହେବା ପରେ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରୁ ୨ଟି ବନ୍ଧୁକ ସହ ବିପୁଳ ପରିମାଣରେ ମାଓ ଜବତ ହୋଇଥିଲା । ଏଠାରେ ମାଓବାଦୀମାନେ ବହୁ ଦିନରୁ ଏକ ଶିବିର ଲଗାଇ ରହୁଥିଲେ । ଶିବରି ଧ୍ୱଂସ କରି ପୋଲିସ ଦରି, ପୋଷାକ, ସୋଲାର ପ୍ଲେଟ, ଲାଇଟ, ଖାଦ୍ୟ ସାମଗ୍ରୀ ଓ ଖାଦ୍ୟ ପ୍ରସ୍ତୁତି ପାଇଁ ଅନ୍ୟ ସାରଂଜାମ ଜବତ କରିଛି ।

ମାଓବାଦୀଙ୍କ ଆଭିମୁଖ୍ୟ ଭିନ୍ନ

ମାଓବାଦୀଙ୍କ ବିରୋଧରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବଡ଼ ଧରଣର ଅଭିଯାନ ଚଳାଇଛନ୍ତି । ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ମାଓବାଦୀଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରୁଛନ୍ତି । ସେମାନଙ୍କୁ ସଭ୍ୟ ମଣିଷ ଭାବେ ଗଢ଼ିବା ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦେଉଛନ୍ତି । ତଥାପି ସେମାନଙ୍କର ମାନସିକତାରେ ପରିବର୍ତ୍ତନ ହେଉ ନାହିଁ । ମାଓବାଦୀଙ୍କ ଅସଲ ଆଭିମୁଖ୍ୟକୁ ସରକାର ଧରିପାରୁ ନଥିବାରୁ ସେମାନେ ମୁଖ୍ୟ ସ୍ରୋତରେ ସାମିଲ ହେଉନାହାନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments