ଭୁବନେଶ୍ବର: ନକ୍ସଲ ଦମନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ଦିନକୁ ଦିନ ନକ୍ସଲ ସାମ୍ରାଜ୍ୟ ଧ୍ବଂସ ପାଉଛି ବୋଲି ସରକାର କହୁଛନ୍ତି। ନକ୍ସଲମାନେ ମୁଖ୍ୟ ସ୍ରୋତରେ ସାମିଲ ହେଲେ, ସେମାନଙ୍କୁ ପୋତ୍ସାହନ ରାଶି ଦିଆଯାଉଛି। ସାଧାରଣ ଜନତାଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ପୁଲିସ ସମେତ କେନ୍ଦ୍ରୀୟ ସୁରକ୍ଷା ବଳ କାମ କରୁଛି। କିନ୍ତୁ କ୍ଷୋଭର କଥା ଯେ, ମଝିରେ ମଝିରେ ଅଟକି ଅଟକି ନକ୍ସଲମାନେ ବଡ଼ଧରଣର କ୍ଷୟକ୍ଷତି କରୁଛନ୍ତି। ୧୯୬୭ ମସିହା ଠାରୁ ନକ୍ସଲମାନେ ଏକ ପ୍ରକାର ମିଶନ ଆରମ୍ଭ କରିଦେଇଛନ୍ତି, ଯାହାର ଅନ୍ତ କେବେ ହେବ, କାହାରି ପାଖରେ ଉତ୍ତର ନାହିଁ। ନକ୍ସଲ ମୁକାବିଲା ପାଇଁ ବିଏସ୍ଏଫ୍, ସିଆରପିଏଫ୍, ଡିଭିଏଫ୍, ଡିଆରଜି ଯବାନ ମୁତୟନ ରହୁଛନ୍ତି। ସର୍ଚ୍ଚ ଅପରେସନ ଜାରି ରହିଛି। ମାତ୍ର ନକ୍ସଲଙ୍କ ଟାର୍ଗେଟ ଆଗେରେ ଏସବୁ ଫିକା ପଡ଼ିଯାଉଛି। ବରଂ ନକ୍ସଲମାନେତ ଗୋଟିଏ ପରେ ଗୋଟିଏ ଘଟଣା ଘଟାଇ ଚାଲିଛନ୍ତି।
ଦୁଇ ବର୍ଷର ବ୍ୟବଧାନ ପରେ ଛତିଶଗଡ଼ରେ ନକ୍ସଲମାନେ ପୁଣି ଥରେ ମାତିଛନ୍ତି। ଦନ୍ତେୱାଡା ଜିଲ୍ଲା ଅରନପୁର ଥାନା ଅନ୍ତର୍ଗତ-ସମେଲ ମଧ୍ୟରେ ମାଓବାଦୀମାନେ ଏକ ବଡ଼ଧରଣର ଆକ୍ରମଣ କରିଛନ୍ତି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ (ଡିଆରଜି) ଯବାନମାନେ ଯାଉଥିବା ଗାଡ଼ିକୁ ଧ୍ବଂସ କରିଛନ୍ତି। ନକ୍ସଲମାନଙ୍କର ଅତର୍କିତ ଆକ୍ରମଣ ପାଇଁ ସୁରକ୍ଷା କର୍ମୀମାନେ ପ୍ରସ୍ତୁତ ନଥିବାରୁ ଗାଡ଼ିରେ ଥିବା ଯବାନମାନେ ବର୍ତ୍ତିପାରି ନଥିଲେ। ଉକ୍ତ ଅଞ୍ଚଳରେ ମା୍ଓବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଆରମ୍ଭ ହୋଇଥିବା ମାଓ ବିରୋଧୀ ଅପରେସନ ଶେଷ କରି ଡିଆରଜି ଫୋର୍ସର ଯବାନମାାନେ ଫେରୁଥିବା ବେଳେ ଏହି ଘଟଣା ଘଟିଛି।
ଓଡ଼ିଶା ସୀମାରେ ହାଇଆଲର୍ଟ
ଛତିଶଗଡ଼ରେ ବୁଧବାର ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଯବାନମାନେ ହେଲେ ଯୋଗା ସୋଡି, ମୁନ୍ନା ରାମ କଡତି, ସନ୍ତୋଷ ତାମୋ, ଦୁଲଗୋ ମଣ୍ଡାଭି, ଲଖମୁ ମରକମ, ଯୋଗା କବାସି, ହରିରାମ ମଣ୍ଡାବି, ରାଜୁ ରାମ କରଟମ, ଜୟରାମ ପୋଡିୟାମ, ଜଗଦୀଶ କବାସି ଏବଂ ଗାଡିର ଡ୍ରାଇଭର ଧନିରାମ ଯାଦବ। ଏମାନେ ସମସ୍ତେ ଛତିଶଗଡ଼ ନିବାସୀ ବୋଲି ଜଣାପଡ଼ିଛି। କିନ୍ତୁ ପଡୋଶୀରେ ଆକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାର ସୀମାନ୍ତ ଜିଲ୍ଲା କୋରାପୁଟ, ନବରଂଗପୁର ଓ ମାଲକାନଗିରିରେ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟ ପୁଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ ପଣ୍ଡା ଛତିଶଗଡ଼ ସୀମାରେ ଥିବା ଏହି ୩ ଜିଲ୍ଲାରେ କମ୍ବିଂ ଅପରେସନ ଜୋରଦାର କରିବା, ସୀମା ଅଞ୍ଚଳରେ ଚେକିଂ ଓ ବ୍ଲକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୧୦ ବର୍ଷରେ ୫୦୦ରୁ ଊର୍ଦ୍ଧ୍ବ ଯବାନ ସହିଦ
୨୦୨୧ ଏପ୍ରିଲ ୩ ତାରିଖରେ ବିଜାପୁର ଜିଲ୍ଲା ତର୍ରେମ ଥାନା ଅଞ୍ଚଳର ଟେକଲଗୁଡ଼ାରେ ହୋଇଥିବା ଏନକାଉଣ୍ଟରରେ ୨୨ ଜଣ ଯବାନ ସହିଦ ହୋଇଥିଲେ । ୩୫ ଯବାନ ଆହତ ହୋଇଥିଲେ। ପ୍ରାୟ ୩୦୦ରୁ ଊର୍ଦ୍ଧ ନକ୍ସଲ ଆକ୍ରମଣ କରିଥିଲେ। ୨୦୨୧ରେ ଲୋକସଭାରେ ସରକାର କହିଥିଲେ ଯେ, ଛତିଶଗଡ଼ର ୮ଟି ଜିଲ୍ଲା ନକ୍ସଲ ପ୍ରଭାବିତ ରହିଛି। ୨୦୧୧ରୁ ୨୦୨୦ ପର୍ଯ୍ୟନ୍ତ ରାଜ୍ୟରେ ୩୭୭୨ ନକ୍ସଲ ଆକ୍ରମଣ ଘଟଣା ଘଟିଛି। ଏଥିରେ ୪୮୯ ଯମାନ ସହିଦ ହୋଇଛନ୍ତି। କିନ୍ତୁ ୨୦୨୧ ପର ଠାରୁ ମଧ୍ୟ କିଛି ଯବାନ ସହିଦ ହୋଇଛନ୍ତି। ତେବେ ବୁଧବାର ଘଟଣାକୁ ମିଶାଇ ଛତିଶଗଡ଼ରେ ୫୦୦ରୁ ଅଧିକ ଯବାନ ସହିଦ ହୋଇଛନ୍ତି।
ସୁକମାରେ ନକ୍ସଲ ଶିବିର ଧ୍ବଂସ
ନକ୍ସଲ ଦମନ ପାଇଁ ଯବାନମାନେ କାମ କରୁଛନ୍ତି। ଦିନରାତି ସର୍ଚ୍ଚ ଅପରେସନରେ ନିୟୋଜିତ ରହୁଛନ୍ତି। ଏସବୁ ପରେ ବି ନକ୍ସଲମାନେ ଯୋଜନା ଅନୁସାରେ କ୍ଷତି କରିବା ସହିତ ନିଜଳ ବଳ ଦେଖାଉଛନ୍ତି। ଗତ ୨୧ ତାରିଖ ଦିନ ସୁରକ୍ଷାକର୍ମୀମାନେ ସୁକମା ଜିଲ୍ଲାରେ ନକ୍ସଲ ଶିବିର ଧ୍ବଂସ କରିଥିଲେ। ବ୍ୟାପକ ପରିମାଣରେ ନକ୍ସଲ ସାମଗ୍ରୀ ଜବତ ହୋଇଥିଲା। ଘଟଣା ଦିନ ପ୍ରାୟ ୩୦ ଜଣ ନକ୍ସଲ ଥିଲେ। କିନ୍ତୁ ଯବାନଙ୍କ ଅପରେସନକୁ ଦେଖି ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ।