Friday, March 21, 2025
Homeପୁରୀରେ ଗଡ଼ିବ ମହାବାହୁଙ୍କ ରଥ, ରାଜ୍ୟର ଅନ୍ୟ ସ୍ଥାନରେ ମନା
Array

ପୁରୀରେ ଗଡ଼ିବ ମହାବାହୁଙ୍କ ରଥ, ରାଜ୍ୟର ଅନ୍ୟ ସ୍ଥାନରେ ମନା

ଭୁବନେଶ୍ୱର: ମାସକ ପରେ ଅର୍ଥାତ ଆସନ୍ତା ଜୁଲାଇ ୧୨ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ‘ରଥଯାତ୍ରା’ ଅନୁଷ୍ଠିତ ହେବ । କିନ୍ତୁ ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କର ମିଳନ ହୋଇପାରିବ ନାହିଁ । ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ ଲୋକପ୍ରିୟ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ ନାହିଁ । ଗତବର୍ଷ ମଧ୍ୟ କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଅନ୍ୟ ସ୍ଥାନ ଗୁଡ଼ିକରେ କେବଳ ବିଧି ପାଳନ କରାଯାଇଥିଲା । ରାଜ୍ୟ ସରକାର ରଥଯାତ୍ରା ନେଇ ନିଷ୍ପତ୍ତି ନେବା ସହିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି । ଗତବର୍ଷ ଭଳି ଚଳିତ ଥର ମଧ୍ୟ ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରାକୁ ବାତିଲ କରାଯିବାର କାରଣ ହେଉଛି କରୋନା ଭାଇରସ୍ ମହାମାରୀ ।

ବିନା ଭକ୍ତରେ ରଥଯାତ୍ରା

ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି, ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରାରେ କେବଳ କିଛି ଚୟନିତ ସେବାୟତ ଅଂଶଗ୍ରହଣ କରିପାରିବେ । ଯେଉଁ ସେବାୟତମାନେ କୋଭିଡ-୧୯ ଟିକାର ୨ଟି ଯାକ ଡୋଜ ନେଇଥିବେ, ସେମାନେ ମହାପ୍ରଭୁଙ୍କ ବାର୍ଷିକ ରଥଯାତ୍ରାରେ ସାମିଲ ହୋଇପାରିବେ । ଅଥବା ରଥଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ରିପୋର୍ଟ ନେଗେଟିଭ ଥିବ, ସେହି ସେବାୟତମାନେ ମଧ୍ୟ ରଥଯାତ୍ରା ନୀତିକାନ୍ତିରେ ନିଜକୁ ନିୟୋଜିତ କରିପାରିବେ । ରାଜ୍ୟର ଅନ୍ୟ ଲୋକପ୍ରିୟ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ ନାହିଁ ।

ରଥ ଟାଣିବେ ସେବାୟତ-ପୁଲିସ

ପୁରୀରେ ରଥଯାତ୍ରାରେ କୋଭିଡ-୧୯କୁ ଦୃଷ୍ଟିରେ ରଖି ମହାପ୍ରଭୁଙ୍କ ଗୋଟିଏ ରଥକୁ ୫୦୦ରୁ କମ୍ ଲୋକ ଟାଣିବେ । ରଥଯାତ୍ରା ସମୟରେ ସମ୍ଭାବିତ ଭକ୍ତଙ୍କୁ ଦୃଷ୍ଟିରେ ରଖି କର୍ଫ୍ୟୁ ଲାଗୁ ହେବ । ପୁରୀକୁ ସଂଯୋଗ କରୁଥିବା ଅନ୍ୟ ଜିଲ୍ଲାର ସଡ଼କପଥ ଗୁଡ଼ିକ ବନ୍ଦ ରଖାଯିବ । ରଥଯାତ୍ରା ସମୟରେ ଭକ୍ତମାନେ ବଡ଼ଦାଣ୍ଡକୁ ଆସିପାରିବେ ନାହିଁ । ପୁରୀର ଲୋକେ ନିଜ ଘର ଭିତରେ ଅଥବା ଛାତ ଉପରେ ଥାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ବଡ଼ଦାଣ୍ଡରେ ସେବାୟତ ଓ ପୁଲିସର ଅପସ୍ଥିତି ରହିବ ।

ପ୍ରସିଦ୍ଧ ବାରିପଦା ରଥଯାତ୍ରା ବି ବାତିଲ

ରାଜ୍ୟରେ ପୁରୀ ବ୍ୟତୀତ ହଜାର ହଜାର ସ୍ଥାନରେ ଜଗନ୍ନାଥଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଥିରେ କିଛି ଲୋକପ୍ରିୟ ସ୍ଥାନ ମଧ୍ୟ ରହିଛି । କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର, ବାରିପଦାର ଜଗନ୍ନାଥ ମନ୍ଦିର, କେନ୍ଦୁଝର, ଅନୁଗୁଳ, ଭଟଲୀ (ବରଗଡ଼), ସୁବର୍ଣ୍ଣପୁର, କୋରାପୁଟ, ବୈପାରୀଗୁଡ଼ା (କୋରାପୁଟ)ସ୍ଥିତ ସାବର ଶ୍ରୀକ୍ଷେତ୍ର ଆଦି ସ୍ଥାନରେ ବଡ଼ ଧୂମ୍‌ଧାମରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ-୧୯ କଟକଣା ପାଇଁ ଏହି ସ୍ଥାନ ଗୁଡ଼ିକରେ ରଥଯାତ୍ରା ହୋଇପାରିବ ନାହିଁ । ଗତବର୍ଷ ମଧ୍ୟ କରୋନା ଯୋଗୁଁ ରଥଯାତ୍ରା ବାତିଲ କରାଯାଇଥିଲା । ପୁରୀ ବ୍ୟତୀତ ଅନ୍ୟ ଜଗନ୍ନାଥ ମନ୍ଦିରରେ ଯଦିଓ ରଥଯାତ୍ରାକୁ ବାରଣ କରାଯାଇଛି, ମନ୍ଦିର ଭିତରେ ଅନ୍ୟ ନୀତିକାନ୍ତି ଅନୁଷ୍ଠିତ ହୋଇପାରିବ ବୋଲି ରାଜ୍ୟ ସରକାର କହିଛନ୍ତି ।

ଭକ୍ତଙ୍କ ମନରେ କଷ୍ଟ

ରଥଯାତ୍ରା ନେଇ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବା ପରେ ଭକ୍ତମାନଙ୍କୁ ପୁଣି ଥରେ ନିରାଶ ହେବାକୁ ପଡ଼ିଛି । ପୁରୀକୁ ଭକ୍ତଙ୍କୁ ମନା ହୋଇଥିବାରୁ ରଥଯାତ୍ରା ଦେଖିବା ସ୍ୱପ୍ନ ପୁଣି ଥରେ ଧୂଳିସାତ୍ ହୋଇଛି । ଯେଉଁମାନେ ପୁରୀ ବଡ଼ଦାଣ୍ଡରୁ ରଥାରୁଢ଼ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନକୁ ଦେଖିବାକୁ ଯୋଜନା କରିଥିଲେ, ସେମାନଙ୍କୁ ଅଧିକ କଷ୍ଟ ହେଉଛି । ପୁରୀବାସୀ ମଧ୍ୟ ଗତଥର ଭଳି ବଡଦାଣ୍ଡକୁ ଆସି କାଳିଆ ଠାକୁରଙ୍କ ଦର୍ଶନ କରିପାରିବେ ନାହିଁ । ରାଜ୍ୟର ଅନ୍ୟ ସହର ଅଥବା ଗାଁ ଗଣ୍ଡାରେ ମଧ୍ୟ ରଥଯାତ୍ରା ହୋଇପାରୁ ନଥିବାରୁ ଭକ୍ତଙ୍କୁ ମନମାରୀ ଘର ଭିତରେ ରହିବାକୁ ହେବ । ମାତ୍ର ଲୋକେ ଘରେ ରଥଯାତ୍ରାର ସିଧାର ପ୍ରସାରଣ ଦେଖିବାରେ କୌଣସି ଅସୁବିଧା ନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments