Tuesday, September 17, 2024
Homeପେନ୍‌ଡ୍ରାଇଭ୍‌ ପାଇଁ ମମିତା, ଚିପ୍‌ସ ଲାଗି ମାନସ୍‌ଙ୍କ ମୃତ୍ୟୁ!
Array

ପେନ୍‌ଡ୍ରାଇଭ୍‌ ପାଇଁ ମମିତା, ଚିପ୍‌ସ ଲାଗି ମାନସ୍‌ଙ୍କ ମୃତ୍ୟୁ!

ଭୁବନେଶ୍ୱର: ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରାଶରେ ତଥ୍ୟ ରହିବାକୁ ନେଇ ରାଜ୍ୟରେ ବିଗତ ୫ ମାସ ମଧ୍ୟରେ ୨ଟି  ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଘଟିଛି। ପେନ୍‌ଡ୍ରାଇଭ୍‌ ଓ ଚିପ୍‌ସ ପାଇଁ ୨ ଜଣ ଯୁବକ-ଯୁବତୀଙ୍କ ଅକାଳ ମୃତ୍ୟୁ ହୋଇଛି। ଯେଉଁ ୨ଟି ଇଲେକ୍‌ଟ୍ରୋନିକ୍ସ ଯନ୍ତ୍ରାଶ ପାଇଁ  ୨ ଜଣଙ୍କର ମୃତ୍ୟୁ ହୋଇଛି, ଏଥିରେ ଥିବା ତଥ୍ୟ ଯଦି ବାହାରକୁ ଆସିଯାଇଥାନ୍ତା, ତା’ହେଲେ ବଡ଼ଧରଣର ଅପରାଧିକ ତତ୍ତ୍ୱ ଲୋକଲୋଚନାକୁ ଆସିପାରିଥାନ୍ତା। ଏହା ଦ୍ୱାରା ବହୁ ବଡ଼ବଡ଼ିଆ ଲୋକ ଆଇନ୍‌କାନୁନ ପରିସର ଭୁକ୍ତ ହୋଇପାରିଥାନ୍ତେ। କିନ୍ତୁ ତଥ୍ୟ ପଦାକୁ ଆସିପାରିଲା ନାହିଁ। ବରଂ ୨ ଜଣଙ୍କ ଜୀବନ ଚାଲିଗଲା। ଦୁଇଟି ପରିବାର ଉଜୁଡି ଗଲା।

ଗତବର୍ଷ ଅକ୍ଟୋବରରେ ପ୍ରଥମ ଘଟଣା ଘଟିଥିବା ବେଳେ ଗତ ୭ ତାରିଖରେ ଦ୍ୱିତୀୟ ଘଟଣା ଘଟିଛି। ଆଜକୁ ୫ ମାସ ପୂର୍ବରୁ ଘଟିଥିବା ମମିତା ମେହେର ହତ୍ୟାକାଣ୍ଡକୁ ରାଜ୍ୟବାସୀ ଭୁଲିପାରି ନଥିବା ବେଳେ ନୟାଗଡ଼ ଜିଲ୍ଲାର ଫଟୋଗ୍ରାଫର ମାନସ ସ୍ୱାଇଁଙ୍କୁ ନିର୍ମମ ହତ୍ୟା କରାଯାଇଛି। ରାଜ୍ୟରେ ଆଇନ୍‌ କାନୁନ ବ୍ୟବସ୍ଥା ଦୟନୀୟ ସ୍ଥିିତିରେ ପହଞ୍ଚି ଥିବାରୁ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ  ଘଟଣା ଘଟୁଛି। ରାଜ୍ୟ ସରକାରଙ୍କ ଅଧିକାରୀ ଓ କର୍ମଚାରୀମାନେ ସ୍ଥାଣୁ ପାଲଟି ଯାଇଛନ୍ତି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ତଦନ୍ତ କ୍ଷେତ୍ରରେ ଅପରାଗତା ଓ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡର ଅଭାବ ଦେଖାଯାଉଥିବାରୁ ବାରମ୍ବାର ଅପରାଧିକ ଘଟଣା ସାମ୍ନାକୁ ଆସୁଛି।

ମମିତା ହତ୍ୟା ମାମଲା

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗସ୍ଥିତ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଜ ସ୍କୁଲର କୌଣସି ଘଟଣାକୁ ପ୍ୟାନ୍‌ ଡ୍ରାଇଭ୍‌ରେ ତଥ୍ୟ ଆକାରରେ ରଖିଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ସେହି ତଥ୍ୟ ନ ମିଳିବାରୁ ବୋଧେ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଅତି ନିର୍ମମ ଭାବେ ମମିତା ମେହେରଙ୍କୁ ହତ୍ୟା କରି ଷ୍ଟାଡିୟମ ଭିତରେ ଗାତ ଖୋଳି ପୋତି ଦେଇଥିଲେ।  ମମିତାଙ୍କୁ ଅକ୍ଟୋବର ୮ ତାରିଖରେ ଅପରହଣ କରାଯାଇଥିଲା। ୧୨ ଦିନ ପରେ ଷ୍ଟାଡିୟମରୁ ମମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଗୋବିନ୍ଦକୁ ତାଙ୍କର ଗାଡ଼ି ଡ୍ରାଇଭର ସହଯୋଗ କରିଥିଲେ। ମମିତାଙ୍କ ମୃତଦେହ ୧୨ ଦିନ ପରେ ଠାବ ହୋଇଥିଲା ବେଳେ ମାନସ ସ୍ୱାଇଁଙ୍କ ମୃତ୍ୟୁର ଦିନକ ପରେ ମୃତଦେହ ଉଦ୍ଧାର ହୋଇଥିଲା। ମୃତଦେହ ଠାବ ହେବା ପରେ ପରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଆଖୁବାଡ଼ିରୁ ଗିରଫ ହୋଇଥିଲା। କିନ୍ତୁ କ୍ୟାମେରାମ୍ୟାନ୍‌ ମାନସ ହତ୍ୟାକାଣ୍ଡ ସହିତ ଜଡ଼ିତ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଏକ େଓ୍ଵବ୍‌ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତ ରାଜ୍ୟ ବାହାରକୁ ଫେରା ହୋଇଯାଇଥିବା ନେଇ ପୋଲିସ ସୂଚନା ଦେଇଛି।

ରାଜ୍ୟ ବାହାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଏହାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିପାରି ନାହିଁ। କେବଳ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ସହଯୋଗ କରିବା ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଛି। ଶର୍ମିଷ୍ଠାଙ୍କୁ ଗିରଫ କରିବା ପାଇଁ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଏଡିଜି ସଂଜୀବ ପଣ୍ଡା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମାନସ ହତ୍ୟା ମାମଲାର ତଦନ୍ତ ପାଇଁ ପୁଲିସ ୨ଟି ଟିମ୍‌ ଗଠନ କରିଛି। ଭଦ୍ରକ, ଭୁବନେଶ୍ୱର ଓ ନୟାଗଡ଼ରେ ପୁଲିସ ଟିମ୍‌ ତଦନ୍ତ କରିବ। ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଅନ୍ୟ ଏକ  ଟିମ୍‌ ନିୟୋଜିତ ହେବ। ପୁଲିସକୁ ଯାହା ସୂଚନା ମିଳିଛି ଶର୍ମିଷ୍ଠା ଏବେ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି।  

ମାନସଙ୍କୁ ଅପହଣ ପରେ ହତ୍ୟା

ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ନୂଆପଲ୍ଲୀ ଗୋଡ଼ିପୋଖରୀ ଗ୍ରାମର ମାନସ ସ୍ୱାଇଁ ଗତ ଫେବ୍ରୁଆରର ୬ ତାରିଖ ସନ୍ଧ୍ୟାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁରେ ଏକ ବିବାହ ଉତ୍ସବରେ ଫଟୋଚିତ୍ର ଓ ଭିଡିଓ ଉତ୍ତୋଳନ କରିବାକୁ ଯାଇଥିଲେ। ସେଠାରୁ ସେ ୭ ତାରିଖ ସକାଳେ ଭୁବନେଶ୍ୱର ଫେରୁଥିଲେ। ତାଙ୍କୁ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶର୍ମିଷ୍ଠା ଓ ତାଙ୍କର ସହଯୋଗୀମାନେ  ପଳାଶପୁର ଛକରୁ ଉଠାଇ ନେଇଥିଲେ। ଅପହରଣ କରିବା ସମୟରେ ମାନସଙ୍କୁ ମାଡ଼ ମାରିଥିଲେ। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ନିକଟରେ ମାନସଙ୍କ ମୋବାଇଲ ଛଡ଼ାଇ ନେଇ ଫିଙ୍ଗି ଦେଇଥିଲେ। ଏୟାରଫିଲ୍‌ଡ ଥାନା ସୁନ୍ଦରପଦା-ଜଟଣୀ ରାସ୍ତାର କଣ୍ଟିଲୋ ‘ଦୟାଲ’ ବୃଦ୍ଧାଶ୍ରମକୁ ନେଇ ଅଭିଯୁକ୍ତମାନେ ମିଳି ମିଶି ହତ୍ୟା କରିଥିଲେ। ୮ ତାରିଖ ସକାଳେ ନୟାଗଡ଼ ଜିଲ୍ଲା ରଣପୁର ଥାନା ବଧିପାଟଣା ନିକଟରେ ମୃତଦେହକୁ ପୋତି ଦେଇଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments