ଭୁବନେଶ୍ୱର: ସାଧାରଣ ଜୀବନର ସୁରକ୍ଷା ପାଇଁ ସମଗ୍ର ବିଶ୍ୱ ସହିତ ଆମ ଦେଶରେ ପୋଲିସ ବ୍ୟବସ୍ଥା ରହିଛି। ଏଥିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନାହିଁ। ଲୋକଙ୍କର ସାଥୀ ହେବା ପାଇଁ ପୋଲିସ୍ କରୁଥିବା ଭଲ କାମ ପାଇଁ ପ୍ରଶଂସାର ପାତ୍ର ହୋଇଥାଏ। ବଡ଼ ବଡ଼ ସଭାରେ ପୋଲିସ ସାଧାରଣ ଜନତାଙ୍କର ନିକଟତର ହେବା ନେଇ ଅଧିକାରୀମାନେ ଭାଷଣବାଜି କରନ୍ତି। ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପୋଲିସ ଡିଜି ମଧ୍ୟ ସମାନ କଥା କୁହନ୍ତି। ସରକାରୀ ବ୍ୟବସ୍ଥାରେ ଅନୁସାରେ କୌଣସି ଲୋକ ଆଦୌ କଷ୍ଟ ପାଇବା କଥା ନୁହେଁ। କିନ୍ତୁ ବାସ୍ତବରେ ଏହା ଓଲଟା ଚିତ୍ର ଦେଖିବାକୁ ମିଳୁଛି। ଯଦି ପୋଲିସ ଆଖି ଆଗରେ ଲୋକେ ଆତ୍ମାହୁତି ଦେଉଛନ୍ତି, ଏଥିରୁ ଜଣାପଡୁଛି ଯେ, ଆମ ପୋଲିସର ପାରିବା ପଣିଆ।
ପୋଲିସର ଭାଷଣବାଜୀ ଓ କାମ ମଧ୍ୟରେ ଅନେକ ତାରତମ୍ୟ ଦେଖାଯାଇଥାଏ। ଗ୍ରାମାଞ୍ଚଳର ଲୋକେ ପୋଲିସର ସହାୟତା ପାଇବା ବଦଳରେ ଅଧିନ ନିର୍ଯ୍ୟାତିତ ହୋଇଥାନ୍ତି। ପୋଲିସ ବିଭାଗରେ କାର୍ଯ୍ୟରତ ଅନେକ କର୍ମଚାରୀ ଦୁର୍ନୀତିରେ ବୁଡ଼ି ରହିଥିବା ଅତୀତରେ ଅନେକ ମାମଲା ମଧ୍ୟ ଗଣମାଧ୍ୟମ ମାଧ୍ୟମରେ ଲୋକଲୋଚନକୁ ଆସିଛି। ତେବେ ଏମିତି ପୋଲିସ କର୍ମଚାରୀଙ୍କ ଠାରୁ ଜନସାଧାରଣ ନ୍ୟାୟ ଚାହିଁବା ବୃଥା। ବିଗତ ସାଢ଼େ ୪ ମାସ ଭିତରେ ପୋଲିସ ଓ ପୋଲିସ ଥାନା ସମ୍ମୁଖରେ ରାଜ୍ୟରେ ଅନେକ ସ୍ଥାନରେ ଆତ୍ମହୁତି ଘଟଣା ଘଟିଛି। ଏଥିରୁ ଗଂଜାମ ଜିଲ୍ଲାରେ ୨ ଥର, ଭଦ୍ରକରେ ଥରେ ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ଆତ୍ମାହୁତି ଘଟଣା ଘଟିଛି।
ନ୍ୟାୟ ଦେଲାନି ପୋଲିସ!
ଅଢ଼େଇ ମାସ ମଧ୍ୟରେ ଗଂଜାମ ଜିଲ୍ଲାରେ ୨ ଜଣ ଯୁବକ ପୋଲିସ ସାମ୍ନାରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗତ ଫେବ୍ରୁଆରୀ ୧ ତାରିଖରେ ଆତ୍ମହୁତି ଉଦ୍ୟମ କରିଥିବା ଯୁବକ ସନ୍ତୋଷ ସମାନ୍ତରାୟ ଓରଫ କାଳିଆଙ୍କ ମୃତ୍ୟୁ ହୋଇଥିଲା ବେଳେ ମେ’ ୧୪ ତାରିଖରେ ଛତ୍ରପୁରସ୍ଥିତ ଗଂଜାମ ଏସ୍ପିଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଂଜାମ ଥାନା ଅନ୍ତର୍ଗତ ହୁମା ଫାଣ୍ଡି ଅଧିନ ବୋରିଗାଁର ଯୁବକ ବାଦଲ ସାହୁ ନାଁରେ ଜଣେ ଯୁବକ ଆତ୍ମହୁତି ଦେଇଛନ୍ତି। ଗ୍ରାମବାସୀ ତାଙ୍କ ପରିବାରକୁ ବାସନ୍ଦ କରିଥିଲେ। ଏହି ମାମଲା ନେଇ ସେ ଅନେକ ଥର ପୁଲିସ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ୍ୟ ହୋଇଥିଲା। ପୁଲିସ ପକ୍ଷରୁ ନ୍ୟାୟ ପାଇ ଶେଷରେ ଆତ୍ମାହୁତି ଦେଇଛନ୍ତି। ତାଙ୍କର ଶରୀରର ପାଖାପାଖି ୯୦ ପ୍ରତିଶତ ଜଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରସ୍ଥିତ ଏମ୍କେସିଜିକୁ ସ୍ଥାନାନ୍ତରିତ କରାଯାଇଛି।
ଗଂଜାମରେ ଅଢ଼େଇ ମାସରେ ୨ୟ ଘଟଣା
ଫେବ୍ରୁଆରୀ ୧ ତାରିଖରେ ଗୋଳନ୍ଥରା ଥାନା ଆଗରେ ରଣ୍ଢା ଗ୍ରାମର ସନ୍ତୋଷ ଆତ୍ମାହୁତି ଉଦ୍ୟମ କରିଥିଲେ। ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। କେହି ଜଣେ ଧମକ ଦେବାରୁ ସନ୍ତୋଷ କୌଣସି ଏକ ଘଟଣାକୁ ନେଇ ଗୋଳନ୍ଥରା ଥାନାକୁ ଯାଇଥିଲେ। ଥାନା ଅଧିକାରୀ ତାଙ୍କୁ ଲିଖିତ ଭାବେ ଅଭିଯୋଗ ଦାଖଲ କରିବା ପାଇଁ କହିଥିଲୋ। ଏହାପରେ ସନ୍ତୋଷ ଥାନାରୁ ବାହାରକୁ ଆସିଥିଲେ। ପ୍ରାୟ ୧ଘଣ୍ଟା ପରେ ସନ୍ତୋଷ ନିଜ ଦେହରେ ନିଆଁ ଲଗାଇ ଥାନା ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ।
ପୂରା ପରିବାର ଆତ୍ମାହୁତି ଉଦ୍ୟମ
ଛତ୍ରପୁର ଅଘଟଣର ୨୪ ଘଣ୍ଟା ପୂର୍ବରୁ ଟାଉନ୍ ପୁଲିସର ବେଆଇନ ଗିରଫଦାରୀ ପ୍ରତିବାଦରେ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପରିବାରର ଲୋକେ ଶରୀରରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ମାସକ ପୂର୍ବରୁ ଗବସାହି ଗ୍ରାମରେ ଜମି ବିବାଦକୁ ନେଇ ଗ୍ରାମର ବାବାଜୀ ଦାସ ଏବଂ ସୁଦର୍ଶନ ଦାସଙ୍କ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା। ଏନେଇ ସୁଦର୍ଶନଙ୍କ ପରିବାର ଆଗୁଆ ପୁଲିସ ସହାୟତା ଲୋଡିଥିଲେ ମଧ୍ୟ ପୁଲିସ ଏଥିପ୍ରତି ଗୁରୁତ୍ୱ ଦେଇନଥିଲା। ପରେ ପ୍ରତିଶୋଧ ପରାୟଣ ହୋଇ ପରିବାରଙ୍କୁ ଘର ବାହାରୁ ତାଲା ପକାଇ ନିଆଁ ଲଗାଇ ଦିଆଯାଇଥିଲା। ଏହି ମାମଳାରେ ପୁଲିସ ଉଭୟ ପରିବାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ ମଧ୍ୟ ପୀଡିତ ପରିବାର ସୁଦର୍ଶନ ଦାସଙ୍କ ପୁଅକୁ ବେଆଇନ ଗିରଫ କରିଥିଲା ବୋଲି ଅଭିଯୋଗ ହୋଇଥିଲା।
ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ
ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ଫାଣ୍ଡିି ଅନ୍ତର୍ଗତ କୋଇଲିପଙ୍ଗି ଅଞ୍ଚଳରେ ଜଣେ ଯୁବତୀ ପୋଲିସ ଠାରୁ ନ୍ୟାୟ ନ ପାଇବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଆତ୍ମହୁତି ଉଦ୍ୟମ କରିଥିଲେ। ସଦର ଥାନା ସପ୍ତଶଯ୍ୟା ପଞ୍ଚାୟତ କମିନିଙ୍ଗ ଗାଁର ଯୁବତୀ ଉତ୍ତରପ୍ରଦେଶରେ ବିବାହ କରିଥିଲେ। ପରିବାର ଲୋକେ ତାଙ୍କୁ ବିବାହ ନାଁରେ ବଳପୂର୍ବକ ସେଠାରେ ବିକ୍ରି କରିଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ। ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ଯୁବତୀ ଫେରିଆସି ଢେଙ୍କାନାଳରେ ଘର ଭଡ଼ା ନେଇ ରହୁଥିଲେ। ସେ ଲୋକଙ୍କ ବାସନମାଜି ଚଳୁଥିଲେ। ବାସହୀନଙ୍କୁ ସରକାର ଜମିପଟ୍ଟା ଏବଂ ଘର କରିବା ପାଇଁ ଟଙ୍କା ଦେଉଥିବା ଜାଣିବା ପରେ ସେ ୫ ମାସ ହେଲା ଭାପୁର ଫାଣ୍ଡି କୋଇଲିପଙ୍ଗି ଅଞ୍ଚଳରେ ତମ୍ବୁଟାଣି ୨ ପିଲାଙ୍କ ସହ ରହୁଥିଲେ। କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ ଅଶ୍ଳୀଳ ଇଙ୍ଗିତକରି ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ଆଣିଥିଲେ। ଏବାବଦରେ ସେ ପୋଲିସକୁ ଜଣାଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିପାରି ନଥିଲା। ତେଣୁ ବାଧ୍ୟ ହୋଇ ଶେଷରେ ଆତ୍ମାହୁତି ଉଦ୍ୟମ କରିଥିଲେ।