ଭୁବନେଶ୍ୱର: ଦୀର୍ଘ ୨୨ ବର୍ଷର ଶାସନ କଲା ପରେ ବି ଶାସକ ବିଜୁ ଜନତା ଦଳ ଚାଷୀଙ୍କୁ ପାଣି ଓ ଶ୍ରମିକଙ୍କୁ ରୋଜଗାର ଦେଇପାରିବାରେ ଅକ୍ଷମ, ଯେଉଁଥି ପାଇଁ ଲକ୍ଷ ଲକ୍ଷ ଲୋକ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି। ୨୦୨୦ ମସିହା ମାର୍ଚ୍ଚ ମାସରେ କରୋନାର ପ୍ରଥମ ଲହର ଆସିବା ପରେ ଦେଶରେ ଯେତେବେଳେ ଲକ୍ଡାଉନ୍ ଆରମ୍ଭ ହୋଇଥିଲା, ସେତେବେଳେ ଜଣାପଡ଼ିଥିଲା ଯେ, ଆମ ସରକାର କେତେ ଶକ୍ତିଶାଳୀ ଓ ଆମର ନେତା କେତେ ପରୋପକାରୀ। ଦୁଃଖର କଥା ହେଲା ଯେ, ଆମେର ମତଦାତା ସଠିକ୍ ନେତା ଓ ସରକାର ଚୟନ କରିପାରୁ ନଥିବା କାରଣରୁ ସ୍ୱାଧୀନତାର ୭୪ ବର୍ଷ ପରେ ନିଜ ଭିଟାମାଟିରେ ରୋଜଗାର ମିଳିପାରୁ ନାହିଁ। ପ୍ରାକୃତିକ ସଂପଦରେ ଭରପୁର ଓଡ଼ିଶାବାସୀଙ୍କୁ ପଶ୍ଚିମବଙ୍ଗ ଓ ବିହାରୀ ଲୋକଙ୍କ ଭଳି ଅନ୍ୟ ରାଜ୍ୟରେ ମୂଲ ଲାଗିବାକୁ ପଡୁଛି। ରାଜ୍ୟରେ ବିଜେଡି ସରକାରକୁ ଯଦିଓ ଅଧିକାଂଶ ଲୋକ ଭଲ ପାଇ ଭୋଟ ଦେଉଛନ୍ତି, ତଥାପି ଧୀରେ ଧୀରେ କିଛି ଜିଲ୍ଲାରେ ବିଜେଡି ପ୍ରତି ଭଲପାଇବାର ହ୍ରାସ ପାଇଛି। ପୌର ନିର୍ବାଚନରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଛି।
ନୂଆପଡ଼ାରେ ବିଜେଡିର ଖରାପ ସ୍ଥିତି
ନୂଆପଡ଼ା ଜିଲ୍ଲାର ୩ଟି ସ୍ଥାନରେ ହୋଇଥିବା ପୌର ନିର୍ବାଚନରେ ବିଜେଡିକୁ ଶକ୍ତ ଝଟକା ମିଳିଛି। ନୂଆପଡ଼ା, ଖରିଆର୍ ରୋଡ ଓ ଖଡ଼ିଆଳରେ ଯଥାକ୍ରମେ ସ୍ୱାଧୀନ ପ୍ରାର୍ଥୀ ମହମ୍ମଦ ଆଦମ, ବିଜେପିର ସୋନିଆ ଜୈନ ଓ କଂଗ୍ରେସ ପ୍ରାର୍ଥୀ ଉଜ୍ୱଳ ଗୁପ୍ତା ନିର୍ବାଚନ ଜିତିଛନ୍ତି। ନୂଆପଡ଼ା ଓ ଖଡ଼ିଆଳରେ ବିଜେଡି ୩ୟ ସ୍ଥାନରେ ରହିଥିବା ବେଳେ ଖରିଆର୍ ରୋଡ୍ରେ ୨ୟ ସ୍ଥାନରେ ରହିଛି। ପୌର ନିର୍ବାଚନରେ ଜିଲ୍ଲାର ୩ଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ମୋଟ ୪୬ଟି ଓ୍ଵାର୍ଡ ମଧ୍ୟରୁ ବିଜେଡି ହାତକୁ ୨୩ଟି ଆସିଛି। ରାଜ୍ୟର ଏକ ନମ୍ବର ରାଜନୈତିକ ଦଳ ନୂଆପଡ଼ା ସହରାଞ୍ଚଳରେ ଏକ ପକାର ନିଜର ସ୍ଥିତି ହରାଇଛି କହିଲେ ଚଳିବ।
ଅବିଭକ୍ତ କୋରାପୁଟରେ ବିରୋଧୀଙ୍କୁ ୬ ଅଧ୍ୟକ୍ଷ ପଦ
ଆଦିବାସୀ ଅଧ୍ୟୁଷିତ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଫେବ୍ରୁଆରୀ ମାସରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଅଭୂତପୂର୍ବ ସଫଳତା ମିଳିଥିଲା। ସିଂହଭାଗ ଜିଲ୍ଲା ପରିଷଦ ଆସନ ଦଖଲ କରି ଅତି ସହଜରେ ଜିଲ୍ଲା ପରିଷଦ ଗଠନ କରିଥିଲା। କିନ୍ତୁ ପୌରାଞ୍ଚଳ ଭୋଟ୍ରେ ସହରିଆ ଲୋକେ ସଂପୂର୍ଣ୍ଣ ଭାବେ ବିଜେଡିକୁ ଗ୍ରହଣ କରି ନାହାନ୍ତି। କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ମୋଟ ୧୧ରୁ ୬ଟି ପୌରାଧ୍ୟକ୍ଷ ଆସନ ବିରୋଧୀ ନିଜ ଦଖଲକୁ ନେଇ ଯାଇଛନ୍ତ। କୋରାପୁଟ ଜିଲ୍ଲାରେ ବିଜେଡିର ସର୍ବାଧିକ କ୍ଷତି ହୋଇଥିବା ବେଳେ ଗୁଣପୁର ସହର ଭୋଟର ବିଜେଡିକୁ ପସନ୍ଦ କରିନାହାନ୍ତି। ନବରଙ୍ଗପୁର ଏବଂ ବାଲିମେଳାରେ ପ୍ରତ୍ୟାବର୍ତ୍ତନ ସହ ବିଜେପି ଶକ୍ତି ପ୍ରଦର୍ଶନ କରିଛି।
ଗଂଜାମରେ ୬ଟି ପୌରାଧ୍ୟକ୍ଷ ପଦ ହରାଇଲା ବିଜେଡି
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଂଜାମରେ ମୋଟ ୨୨ଟି ବ୍ଲକ ମଧ୍ୟରୁ ୨୦ଟିରେ ଅଛନ୍ତି ବିଜେଡିର ସଭାପତି। ପାତ୍ରପୁରରେ ବିଜେପି ବ୍ଲକ ସଭାପତି ଥିବା ବେଳେ ଛତ୍ରପୁର ପାଇଁ ଆସନ୍ତା ୨ ତାରିଖରେ ଭୋଟ ହେବ। ପୌର ଭୋଟ୍ରେ ମୋଟ ୧୭ଟି ସହରାଞ୍ଚଳ ମଧ୍ୟରୁ ୧୧ଟି ଅଧ୍ୟକ୍ଷ ଆସନ ବିଜେଡି ଦଖଲ କରିଛି। ବିଜେପି ୩ଟି ଓ ଗୋଟିଏ ଆସନ କଂଗ୍ରେସ ଖାତାରେ ପଡ଼ିଛି। କିନ୍ତୁ ଜିଲ୍ଲାର ଦୁଇଟି ପୌରାଧ୍ୟକ୍ଷ ପଦବିରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କିନ୍ତୁ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ଜିତିଛନ୍ତି।
ବିଜେଡି ମନ୍ତ୍ରୀଙ୍କୁ ଝଟକା
ପୌର ନିର୍ବାଚନରେ ଶାସକ ଦଳର ମନ୍ତ୍ରୀମାନଙ୍କୁ ମଧ୍ୟ ବଡ଼ ଝଟକା ମିଳିଛି। ବରପାଲି ଏନଏସିରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମନୋନୀତ ବିଜେଡି ପ୍ରାର୍ଥୀ ଏଠାରେ ହାରିଛନ୍ତି। ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ଟିଟିଲାଗଡକୁ ବିଜେପି ଛଡାଇ ନେଇଛି। ବିଜେପିର ମମତା ଦେବୀ ଜୈନ ୯ ହଜାରରୁ ଅଧିକ ଭୋଟ ପାଇଥିବାବେଳେ ବିଜେଡିର ସୁକାନ୍ତୀ ପାଢୀଙ୍କୁ ପାଖାପାଖି ୪ ହଜାର ଭୋଟରେ ପରାସ୍ତ କରିଛନ୍ତି। ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିଜ ଗଡ଼ ଜୁନାଗଡରେ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ପରାଜିତ ହୋଇଛନ୍ତି। କୋଟପାଡରେ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଗଡରେ ବିଜେଡି ଚିତପଟାଙ୍ଗ ହୋଇଛି। ଏଠାରେ କଂଗ୍ରେସ ଜିତିଥିବାବେଳେ ବିଜେଡି ତୃତୀୟ ସ୍ଥାନକୁ ଚାଲିଯାଇଛି।